ମେଦିନୀ ଦେବୀ ସେହି ଗୋଟିକିଆ ମଣିଷର ଛବି ଆଡ଼କୁ ତାଟକା ହୋଇ ଚାହିଁ ରହିଲେ। ମଣିଷ ନୁହେଁ, ମୁର୍ଦ୍ଦାର। ଗୋଟିଏ ହାତ ଉପରକୁ ଟେକି ରହିଛି। ଚାରିଆଡ଼େ ପାଣି, ମଝିରେ ଦିକେନିଆ ଗଛଟିଏ ବେଳେ ପାଣିରେ ଠିଆ ହୋଇଛି। ତାର କେନା ଯୋଡ଼ିକ ସନ୍ଧିରେ ଆଶ୍ରା ନେଇଛି ଏଇ ମୁର୍ଦ୍ଦାର।

ସତେ କି ପ୍ରଳୟ ପାଣିରେ ସେଇଥିପାଇଁ ସେ କେନା ଯୋଡ଼ିକ ଆଗରୁ ଖଞ୍ଜା ହୋଇଥିଲା। କିଏ ସେ ମଣିଷ? କେଉଁଠି ଥିଲା ତା’ ଘର? କିଏ ତାର ଆପଣାର ଲୋକ? କୁଆଡ଼ୁ ଆସି ସେ ୟେ ଗଛ କେନାରେ ଚିରନିଦ୍ରାରେ ଶୋଇଲା? ଚାରିକରେ କେଉଁଠି ହେଲେ ମଣିଷ କି ମଣିଷ ସମ୍ପର୍କର ଚିହ୍ନବର୍ଣ୍ଣ ହିଁ ନାହିଁ।

ମଣିଷ ନୁହେଁ, ସମଗ୍ର ମଣିଷ ଜାତିର ପ୍ରତୀକ ୟେ ମୁର୍ଦ୍ଦାର।
ଏକା ସାଙ୍ଗରେ ମେଦିନୀ ଦେବୀ ଓ ଚୁଙ୍ଗିବାବୁ ସହି ଛବିଟାକୁ ଅନାଇଁଛନ୍ତି। ଗୋଟାଏ ଲମ୍ବା ଦୀର୍ଘଶ୍ୱାସ ଛାଡ଼ି ମେଦିନୀ ଦେବୀ ସେ ତୁନିତାନି ଅବସ୍ଥା ଭାଙ୍ଗିଦେଲେ। ତା’ପରେ ସେ ବିଳାପ କଲାପରି କୁନ୍ଥେଇ କୁନ୍ଥେଇ କହିଦେଲେ- “କିଆ କାଇଁ? ମୋ କିଆ କାଇଁ?”

ଏତିକିବେଳେ ଫାଟକ ପାଖ ସୁଅରେ ଧଳା ହୋଇ କ’ଣ ଶବଟାଏ ଭାସିଗଲା ପରି ଦିଶିଲା, ଦୁଇହାତ ଲମ୍ବ ହେବ। ଶୁଭିଲା ପଦାରେ ଭଗିଆ ପାଟି କଲା “ବାବୁ-ବାବୁ-ମା-ମା-” ଆଉ ପାଗଳ ପରି ସେହି ବରଷାରେ ତିନ୍ତି ବୁଡ଼ି ଫାଟକ ପାଖକୁ ଦୌଡ଼ିଯାଇ ପୁଣି ବାଁ ଆଡ଼କୁ ଦୌଡ଼ି ଦୌଡ଼ି ଗଲା। ମେଦିନୀ ଦେବୀଙ୍କ ଛାତି ଭିତରେ ଧମାଧମ୍‌ ହାତୁଡ଼ି ମାଡ଼ରେ ଭାଙ୍ଗିପଡ଼ିଲା।

ଦେହ ତୁହାଇ ତୁହାଇ କମ୍ପିଉଠିଲା, ଦୁର୍ବଳ ଭାବେ “କିଆ-କିଆ” କହୁ କହୁ ସେ ନଥ୍‌ କିନା ଟଳିପଡ଼ି ଆଖି ବୁଜିଦେଲେ, କିନ୍ତୁ ସେ ବେହୋସ୍‌ ହେବାଯାକେ ଚୁଙ୍ଗିବାବୁ ଅପେକ୍ଷା କଲେ ନାହିଁ, ତାଙ୍କ ଆଖି ଆଗରେ ସତେକି ବାଣ ଫୁଟି ନାଲି ନେଳି ଗୁଲ ଛିଞ୍ଚାଡ଼ି ନେଲା। ଡେବିରି ହାତରେ ଆପଣା ମୁଣ୍ଡବାଳକୁ ମୁଠେଇ ଓଟାରି ଓଟାରି ସେ ବଣ ଜନ୍ତୁ ପରି ଗର୍ଜନଟାଏ ଛାଡ଼ି ସେହି ମେଘ ମାଡ଼ ଭିତରେ ଫାଟକ ଆଡ଼କୁ ଧାଇଁ ଭଗିଆ ପଛେ ପଛେ ଦୌଡ଼ି ଦୌଡ଼ି ଗଲେ।

କିଛି ସମୟ ପରେ ମେଦିନୀ ଦେବୀଙ୍କର ଚେତା ହେଲା। ସେ ଆଖି ଖୋଲିଲେ। ଆଗ କିଛି ବୁଝିପାରିଲେ ନାହିଁ। ତା’ପରେ ମୁଣ୍ଡ ଭିତରେ ଘଟନାର ଖିଅଗୁଡ଼ାକ ସତେକି ଏକାଠି ଯୋଡ଼ି ହେଲା। ନଇଞ୍ଜୋରି ନାଳର ବଢ଼ିସୁଅରେ କିଆ ଭାସି ଯାଇଛି। ଦନେଇ ପରିସ୍ରା କରି ବସିଥିବ। କିଆ ପାଣି ଦେଖିଲେ, ମାତେ, ଯାଇଥିବ ଚାଲି ସଡ଼କ ଦାଢ଼କୁ। ତା’ପରେ-

“କିଆ-କି ଲୋ! ଆହା ଆହା ହାହା-” ଛାତି ଫଟେଇ ଆର୍ତ୍ତଚିତ୍କାର ଉଠିଲେ, ଅସରା ଅସରା ବୋହିଗଲା। ଏକା ମୁହୂର୍ତ୍ତରେ ଲାଗିଲା- ସେ ନିଃସହାୟା-କାଙ୍ଗାଳୁଣୀ ଛାଟିପିଟି ହୋଇ ଗଡ଼ି ତଡ଼ି ମୁଣ୍ଡ ବାଡ଼େଇ କଇଁ କଇଁ ହୋଇ କାନ୍ଦି କାନ୍ଦି ସେ ପୁଣି ସ୍ଥିର ହୋଇ ବସିଲେ। ଘରେ ଉଁ ଚୁଁ ଶବ୍ଦ ବି ନାହିଁ, କେହି କୁଆଡ଼େ ନାହାନ୍ତି, ଖାଲି ବରଷାର ରାଉ ରାଉ ଲାଗି ରହିଛି। ତାଙ୍କର ଏ କାନ୍ଦଣା କାହାରିକି ଶୁଭିବ ନାହିଁ, ତାଙ୍କର ଏ ଦଶା କେହି ଦେଖିବ ନାହିଁ।

ଘରେ ବିଜୁଳି ଆଲୁଅ ଜଳୁଛି, ସାମ୍ନାରେ ପଡ଼ିଛି ସେହି ଖବର କାଗଜଟା, ସେଥିରେ ସେହି ଛବି, ଚିଲିକାମୟ ପ୍ରଳୟ ଭିତରେ ଦୋକନ୍ଦି ଡାଳ ଉପରେ ଥୁଆହୋଇଛି ଗୋଟିକିଆ ମୁର୍ଦ୍ଦାରଟାଏ।
ସେହି ଘର ଆଉ ତା’ର ସାଜସଜ୍ଜାକୁ ମେଦିନୀ ଦେବୀ ଲୁହଜାଲ ଭିତରେ ଅଚିହ୍ନା ଚାହାଣିରେ ଅନାଇଁ ରହିଲେ, ମୁହୂର୍ତ୍ତକେ ସେ ପାରି ହୋଇଯାଇଛି। ଆଉ ଆପଣାର ହୋଇଛି ଏଇ ଛବିର ଦୃଶ୍ୟ, ସତେ କି ତାହାରି କେଉଁ କଣରେ ସେ ଛପି ରହିଛନ୍ତି, ଚାହିଁଛନ୍ତି। ଏମିତି ଏଇ ମୁର୍ଦ୍ଦାର ପରି କୁଆଡ଼ୁ କେତେ କିଏ ଆଖିବୁଜି ଭାସି ଭାସି ଚାଲି ଯାଉଛନ୍ତି, କେତେ କିଆ- ଉପରେ ପାଣି ତଳେ ପାଣି ତାହାରି ଭିତରେ ଏ ସଂସାର କେଉଁ ଅତଳରେ ବୁଡ଼ି ରହିଛି, ଘର ଯାଇଛି, ଜମି ଯାଇଛି, ବଳ ଯାଇଛି, ଆୟୁଷ ତୁଟିଛି-
“ଓଃ କିଆ ଲୋ!” ଏଥର ସେ ଘର କମ୍ପେଇ ଗର୍ଜି ଗର୍ଜି କାନ୍ଦିଲେ।

“କ’ଣ ହେଲା? କ’ଣ ହେଲା? ସେମିତି କାହିଁକି ହଉଚ?” ଚୁଙ୍ଗିବାବୁ କାନ ପାଖେ ପାଟି କରୁଛନ୍ତି। “ମା-ମା-ମା-” ଭଗିଆ ଆଉ ଦନେଇ ଡାକୁଛନ୍ତି। କିଆ ଠିହୋଇ ଚିର୍ଚିରେଇ, ଚିର୍ଚିରେଇ କାନ୍ଦୁଛି। “ହୋ, ଶୁଣ, କାନ୍ଦ ବନ୍ଦ କର।” ଏଇ ତ, ସାମ୍ନାରେ କିଆ। ଧୀରେ ଧୀରେ ଚେତନା ଭିତରକୁ ଗଳି ଗଲା। ପାଗଳ ପରି ଧାଇଁ ଯାଇ ମେଦିନୀ ଦେବୀ କିଆକୁ ଭିଡ଼ି ଧରି ବାରମ୍ବାର ଗେଲ କଲେ।

ଅସରାକୁ ଅସରା ଲୁହ ବୋହି ଯାଉଥାଏ। କିଆ ମରି ନାହିଁ, ଏଇ ଗୋଟାସୁଦ୍ଧା କିଆ, ଏଡ଼େ ପ୍ରଳୟ ଭିତରେ ମଣିଷ ଜାତି ମରି ନାହିଁ, ଯେତେ କ୍ଷତି ହେଉ ବଢ଼ି ଛାଡ଼ିଗଲେ ପୁଣି ସେ ଝାଡ଼ିଝୁଡ଼ି ହୋଇଉଠିବ, ଯେମିତି ଏ ଦୁଇଟା ଧାରଣା ମେଦିନୀ ଦେବୀଙ୍କ ସତ୍ତା ଭିତରେ ହିଁ ଏକାଠି ହୋଇଯାଇଛି। ବଡ଼ ବରଷା ହେବାରୁ ଦନେଇ କିଆକୁ ଘେନି ଚେମ ବାବୁଙ୍କ ଘରେ ରହି ଯାଇଥିଲା।

Pages: 1 2 3 4 5