ଦି ଟଙ୍କିଆ ଓ ପାଞ୍ଚ ଟଙ୍କିଆ ନୋଟ ମିଶି ପ୍ରାୟ ଶହେ ଟଙ୍କା ଆଉ ଜରିଧଡିବାଲା ଝଲମଲ କରୁଥିବା ଶାଢ଼ୀ ଖଣ୍ଡେ ନେଇ ଫେରି ଆସିଲା ମାଉସୀ।

ଟଙ୍କା ବଢ଼େଇ ଦେଇ ମାଉସୀ କହିଲା, ଯା ଦେଇ ଆ। ୟା ଆଗରୁ ମୁଁ କାହାକୁ ଅଗ୍ରୀମ ଦେଇନି। ଏଇ ଶେଫାଳି ହେରିକା ଜାଣନ୍ତି। ଯା ଏଗୁଡ଼ାକ ଦେଇଆସି କାମରେ ଲାଗି ଯା। ଆଉ ଯେମିତି କେବେ ବି ସେ ଲୋକଟା କି ଛୁଆପିଲା ଏ ଆଡ଼କୁ ନଆସନ୍ତି। କହିଦେଲି।

ସୁରବାଳା ପୁଣି ବାହାରକୁ ଆସି ଦେଖିଲା ଗୋଟେ ଓସ୍ତଗଛମୂଳେ ଠିଆ ହୋଇଛି ବିଭୂ। ପାଖକୁ ଆସି ବିଭୂର ହାତକୁ ଜଡ଼ାଇ ଧରିଲା ସୁଧା। ପୁଅ ଦିଇଟା ମନୋହରୀ ଦୋକାନ ସାମ୍ନାରେ ଏପଟ ସେପଟ ହେଉଥିଲେ। ବୋଉକୁ ଦେଖି ଦୌଡ଼ି ଆସିଲେ ପାଖକୁ।

ଟଙ୍କାତକ ବିଭୂହାତରେ ଦେଇ ସୁର କହିଲା, ବେଶିକରି ଚାଉଳ କିଣିନେବ।

ବିଭୂ କହିଲା ଏଠିକା ହାଟରେ ଶସ୍ତା ହେବ।

ସୁର କହିଲା, ନୂଆ ଚାଉଳରେ ପେଜଭାତ ଭଲ ହେବ। ପେଟ ବି ପୁରିବ। ଆଳୁ ଆଉ ଅଦା ଏଇଲେ ଶସ୍ତା। ଲୁଣ ନେବ ମନେ କରି। ଆଜି ଦିନଟା ପିଲାମାନେ ଅନ୍ତତଃ ଯେମିତି ଭଲକରି ଖାଆନ୍ତି।

ସୁଧା କହିଲା, ବୋଉ ମାମୁଁ ଘରଭିତରଟା ଥରେ ଦେଖି ଆସିପାରିବିନି। ଆମେ ଗୋଟେ କଥା ବି କହିବୁନି।

ସୁର କହିଲା, ଆଜି ନୁହେଁ। ଆଉ ଦିନେ।

ବିଭୂ କହିଲା, ବୋଉ ତ ଫେରି ଆସିବ। କେଇଟା ଦିନ କି।

ସୁର କହିଲା, ହଁ ଫେରି ଆସିବି।

ଛୋଟୁ ହଠାତ୍‌ ମୁହଁ ଫୁଲେଇ କାନ୍ଦି ଉଠିଲା।

ସୁର କହିଲା–ୟାଙ୍କୁ କେତେଟା ଚକୋଲେଟ୍ କିଣିଦେବ। ସୁଧା ଭାଇର ହାତ ଧର।

ଚକୋଲେଟ୍ କଥା ଉଚ୍ଚାରଣ ହେଉ ହେଉ ସୁଶିଲ ସଙ୍ଗେ ସଙ୍ଗେ ଗଲା ଦୋକାନ ଆଡ଼କୁ। ତା ପଛେ ପଛେ ସୁଧା ଆଉ ଛୋଟୁ।

ବିଭୂ ସାମ୍ନାରେ କେଇମୁହୂର୍ତ୍ତ ଚୁପ୍‌ କରି ଠିଆ ହୋଇଗଲା ସୁର। ତା ଶୁଖିଲା ମୁହଁରେ କୌଣସି ଭାବର ଚିହ୍ନବର୍ଣ୍ଣ ନାହିଁ।

ଟିକେ ପରେ ସେ କହିଲା ଯାଉଚି। ସାବଧାନ ରହିବ। ରକ୍ତ ପଡ଼ିଲେ ଲୁଣପାଣି କୁଳୁକୁଞ୍ଚା କରିବ।

ସୁର ବଦଳରେ ବିଭୂ ଆଖି ହିଁ ଛଳ ଛଳ କରୁଛି। ଏମିତି ବେଳାରେ କ’ଣ କହିବାକୁ ହୁଏ ତା ସେ ଜାଣିନି। ସେ ସାର୍ଟରେ ଆଖି ପୋଛିଲା। ତା ପରେ ପୁଣି ମୁହଁ ଟେକିଲା ବେଳକୁ ଦେଖିଲା ସୁରବାଳା ଫେରିଯାଇଛି ଅନେକ ବାଟ।

ଗୋଟେ ଲେଖାଁ ଚକୋଲେଟ୍‌ ପାଟିରେ, ଗୋଟେ ହାତରେ। ଅମୃତର ସ୍ବାଦ ନେଉ ନେଉ ଡେଇଁ ଡେଇଁ ଆଗେଇ ଚାଲିଲେ ପିଲାଛୁଆ ତିନୋଟି। ଗୋଟେ ପାଦ ଟେକି ଟେକି ନାଚି ନାଚି ଦଉଡ଼ୁଥାନ୍ତି। ଏମିତି ଦଉଡ଼ା କେବଳ ପିଲାମାନେ ହିଁ ଦଉଡ଼ି ପାରିବେ।

-୦-

Pages: 1 2 3 4