ମୁହଁଭର୍ତ୍ତି ପାନ। ପାନ ପିକ ଫିଙ୍ଗି, ରସିକିଆ ଠାଣିରେ ମାଉସୀ କହିଲା, ଆସଲୋ ଆସ ଝିଅ। ବଅ..
ସର୍ବାଙ୍ଗରେ କେଇଥର ଦୃଷ୍ଟି ବୁଲେଇ ନରମଗଳାରେ ମାଉସୀ କହିଲା–ପୋଡ଼ା କପାଳ … ଏଇଟା ବିଧବା ନା କ’ଣ?
ସୁରର ଉତ୍ତର ନା’ ଶୁଣି ସେ ପୁଣି କହିଲା – ଓଃ.. ସିନ୍ଦୁର ଅଛିତ! ଆଲୋ ଦେଖନି ମୋ ଆଖି କ’ଣ ଖରାପ ହୋଇଗଲାଣି ନା କ’ଣ? ତେବେ ସେ ଲୋକଟା କ’ଣ ଛାଡି ପଳେଇଛି?
ସୁର କହିଲା–ନା’ ଘରେ ରହନ୍ତି।
ମାଉସୀ କହିଲା, ବୁଝିଛି। ଅଣ୍ଟା ଟାଣ ନାହିଁ। ରୋଜଗାର କରି ଖାଇବାକୁ ଦେଇ ପାରେନି। ଖାଇବାକୁ ପେଟ ଆଉ କେଇଟା?
ସୁର କହିଲା, ମୋର ତିନିଟା ପିଲା।
ଭ୍ରୁକୁଞ୍ଚନ କରି ମାଉସୀ କହିଲା ଆ.. କ’ଣ କହିଲୁ ତିନିଟା?
ପୁଣି ସୁରର ସର୍ବାଙ୍ଗରେ ଆଖିବୁଲେଇ ମାଉସୀ କହିଲା, ଝିଅ ବୟସ କେତେ ?
ଛଅ-ସାତ ହେବ।
ମାଉସୀ ଦୀର୍ଘଶ୍ବାସ ଛାଡ଼ି କହିଲା, ଆହାଃ… ତାର ତ ବାହା ବୟସ ହେବାକୁ ଢେର ଡେରି। ଏତେଦିନ ପାଳିବାକୁ ହେବ। ଗର୍ଭରେ ପିଲାଛୁଆ ଆସନ୍ତି ଆମକୁ ଖାଇବା ପାଇଁ। ଏଇଟାଦିଅ, ସେଇଟା ଦିଅ। ତାପରେ ଡେଣା ଲାଗିଗଲେ ଫୁର କିନା ଉଡ଼ିଯିବେ। ମୋରବି ତ ଦିଇଟା ପିଲାଛୁଆ, ଆଜି କୋଉଠି ସେମାନେ। ବୋଉ ଖବର ଅଛି ତାଙ୍କ ପାଖରେ?
ପାତଳୀ ଝିଅଟା କହିଲା, ମୋ ପୁଅଟା ବି…
ନିଜେ ଗୋଟେ ଖିଲିପାନ ପାଟିରେ ପୁରାଇ ଗୋଟେ ସୁର ଆଡକୁ ବଢ଼େଇ ଦେଇ କହିଲା – ନେ ଖା। କଣ କରିବୁ କହ। ସବୁ ନିୟତି। ବାପାମାଆ ଖର୍ଚ୍ଚ କରି ବାହା ଦିଅନ୍ତି। ତା ପରେ ବି ଗେରସ୍ତ ଯଦି ଦି’ଓଳି ଦିଇଟା ଖାଇବାକୁ ଦେଇ ନପାରେ … ତା ପରେ ସବୁବେଳେ ପିଲାଛୁଆଙ୍କର ହାଁହାଁ। ତେବେ ସେ ଲୋକଟା କ’ଣ ଜୋର କରି ଏଠିକି ପଠାଇଲା?
ସୁର କହିଲା, ନାଁ ମୁଁ ନିଜେ ହିଁ ଆସିଛି। ମାଉସୀ କହିଲା, ଠିକ୍ କରିଛୁ। ବଞ୍ଚିବାକୁ ତ ପଡ଼ିବ। କଥାରେ କହନ୍ତି, ଆପେ ବଞ୍ଚିଲେ ବାପର ନାଆଁ। ଏମିତି ଜଳିପୋଡ଼ି ପାଉଁଶ ହୋଇଗଲେ ବି କେହି ଆଖିରୁ ଲୁହ ଝରେଇବାକୁ ଆସିବେନି ଲୋ। ସେ ଲୋକଟା ଯଦି କେବେ ବି ଏ ଆଡ଼କୁ ଆସେ, ତାକୁ ଦି’ ଗୋଇଠା ଦେବୁ। ମୋ ଲୋକବି ତାକୁ ଧୁଲେଇ ନ କରି ଛାଡ଼ିବେନି।
ସୁର କହିଲା, ତାଙ୍କର କାଶ ଜ୍ବର।
ମାଉସୀ ତା’ର ମସ୍ତ ହାତଟାକୁ ହଲେଇ କହିଲା, ଥାଉ ଥାଉ ସବୁ କଥା ଢେର ଶୁଣିଛି। ଆଉ ଶୁଣିବାକୁ ଇଚ୍ଛା ନାହିଁ। ପୁଟୁଳିଟାରେ କ’ଣ?
ଶାଢୀ ଦିଇଟା ଦେଖି ମୁହଁ ଲେଫେଡ଼ି ମାଉସୀ କହିଲା, ସେ ଚଳିବନି। କାମବେଳେ ତ ନିହାତି ଖଣ୍ଡେ ଜରିଦିଆ ଧଡିବାଲା ଶାଢ଼ୀ ଦରକାର। ଏ ଠେଇ ଦୋକାନ ଅଛି। ଆଜି କିଣି ପାରିବୁ?
ସୁର ଦୁଇଆଡ଼କୁ ମୁଣ୍ଡ ହଲାଇଲା। ମାଉସୀ ସେଥିରେ ବିରକ୍ତ ନହୋଇ କହିଲା, ଠିକ୍ ଅଛି। ମୋ ପାଖରେ ପୁରୁଣା ଖଣ୍ଡେ ଅଧେ ଅଛି। ସେଥିରେ କିଛି ଦିନ ଚଳିଯିବ। ଏଠି କିନ୍ତୁ ନିଜ ଖାଇବା ବ୍ୟବସ୍ଥା ନିଜର। ମୁଁ ସେଥିରେ ଦାୟୀ ନୁହେଁ। ଏଇ ଶେଫାଳି ତତେ ବୁଝାଇ ଦେବ। କିନ୍ତୁ ଆଜି ତତେ ଘର ଦେଇ ପାରିବିନି। ମୋକ୍ଷଦା ସାଥିରେ ରହିବୁ। ମୋକ୍ଷଦାର ଜଳଉଦରି ଅଛି। କିଛି ଖାଇ ପାରୁନି। ସେ ଭାରି ଚିଡ଼ିଚିଡ଼ା। ହସରେ ଟିକିଏ ବି ରସ ନାହିଁ। ଗରାଖଙ୍କ ସଙ୍ଗେ ବି ଏମିତି। ତିନିଚାରିଜଣ ଅଭିଯୋଗ କଲେଣି ମୋପାଖେ। ଠିକ୍ଭାବେ କାମ କରିବନି। ତା ଉପରେ ଚିଡ଼ିଚିଡ଼ା ଭାବ। ଛି- ଛି- ଛି।
ଗରାଖଙ୍କର କୁଆଡେ ସବୁ ଦୋଷ। ଗରାଖ ହେଲେ ଲକ୍ଷ୍ମୀ। ତାଙ୍କର କ’ଣ କିଛି ଦୋଷ ଧରିବା କଥା। ମୋକ୍ଷଦା କାନରେ ଯଦି ଏକଥା ପଡ଼େ, ପଡ଼ୁ। ତାକୁ ମୁଁ ଏଥର ତଡ଼ିଦେବି। ଦି’ତିନି ଦିନ ଭିତରେ। ଦୁଷ୍ଟ ଗୋରୁଠୁଁ ଶୂନ୍ୟ ଗୁହାଳ ଅନେକ ଭଲ। ସେ ଯଦି ତୋ ଉପରେ ବି କିଛି ଖରାପ ବ୍ୟବହାର କରେ ତୁ କିଛି କହିବୁନି। ମୁହଁ ବନ୍ଦ କରି ରହିବୁ। ଯାହା କରିବା କଥା ମୁଁ କରିବି। ଯା’ ଏବେ ଶେଫାଳି ସାଙ୍ଗେ ଯା। ସେ ଘର ଦେଖେଇଦେବ।
ସୁରବାଳା ତଥାପି ଚାହିଁ ରହିଲା ମାଉସୀ ମୁହଁକୁ ଚାହିଁ।
ମାଉସୀ କହିଲା, କ’ଣ ହଲା ଉଠୁନୁ। ହାଇ ଭାଙ୍ଗିବା ବେଳ ହେଲାଣି। ଏଥର ଗରାଖ ଆସିବେ।
ମୁଣ୍ଡ ତଳକୁ କରି ସୁର କହିଲା, ମତେ ଦୁଇଶ ଟଙ୍କା ଦେବ?
ଏଥର ମାଉସୀ ମୁହଁର ଭାବ ସମ୍ପୂର୍ଣ୍ଣ ବଦଳି ଗଲା। କର୍କଶ ସ୍ବରରେ ସେ କହିଲା, ଟଙ୍କା, କେଉଁ ଟଙ୍କା? ମୁଁ ତ ତୋ ଗୋଡ଼ ଧରି ଆଣିନି। ନିଜେ ଆସିଛୁ। କାମ କରିବାକୁ ଚାହୁଁଚୁ ତ କର। ଏଠି କିଛି ପଡ଼ିନି। ଖଟିବୁ ଖାଇବୁ। ଏଯାଏଁ ଯାହାର ରୋଜଗାର ଆରମ୍ଭ ହେଇନି ସେ ଟଙ୍କା ମାଗୁଚି କୋଉ ମୁହଁରେ?
ସୁର କହିଲା, ମୋର ଆଜିହିଁ ଟଙ୍କା ଦରକାର। ନିହାତି।
ମୁହଁ ଖିଙ୍କାରି ମାଉସୀ କହିଲା, ଟଙ୍କା କାହାର ଦରକାର ନାହିଁ?କହିଲୁ କିଏ ବିଶ୍ବରେ ଟଙ୍କା ପାଇଁ ନଦଉଡ଼ୁଛି? ମୁଁ କ’ଣ ଏଠି ଦାନଛତ୍ର ଖୋଲି ବସିଛି? ତତେ ଯଦି ଏଠି ପୋଷଉନି ତୁ ଚାଲିଯାଇପାରୁ। ମୁଁ କାହାକୁ ଧରି ରଖିନି।
ସୁର କହିଲା, ପିଲାଛୁଆଗୁଡ଼ାକ ବାହାରେ ଠିଆ ହୋଇଛନ୍ତି। ତାଙ୍କ ହାତରେ କିଛି ନଦେଇ ପାରିଲେ କାଲି ଖାଇବେ କ’ଣ? ଘରେ ତ କିଛି ନାହିଁ।
ଆହୁରି କିଛି ଧମକ ଦେବାକୁ ଯାଇ ଅଟକି ଗଲା ମାଉସୀ। ଏଥର ତା ଆଖିରେ ଫୁଟିଉଠିଲା ବିସ୍ମୟ। ଏସବୁ ହେଲା ପାପୀଙ୍କ ଜାଗା। ଗୁଣ୍ଡାବଦ୍ମାସ୍ମାନେ ବୁଲାବୁଲି କରନ୍ତି। ଛୋଟଛୁଆଙ୍କୁ ଏଠୁ ଦୂରେଇ ରଖିବା ଭଲ। ଏଇ ଟିକକ ଅନ୍ତତଃ ଧର୍ମଜ୍ଞାନ ରହିବା କଥା। ଆରେ ଏଠିକା ରାକ୍ଷସଗୁଡାକ ସାତବର୍ଷର ଝିଅଟାକୁ ବି ଖାଇବାକୁ ପଛାନ୍ତିନି।
ସୁର ପୁଣି କହିଲା –ଦୟାକର, କିଛି ଟଙ୍କା ନପାଇଲେ…
ମାଉସୀ କହିଲା, ଦୟା ? ଦୟାଫୟା କଲେ ଏ କାରବାର ଚାଲିବନି। ଏ ଶେଫାଳି ମତେ ଟିକେ ଧରିବୁଟି।
ଶେଫାଳି ଗୋଟେ ହାତ ଧରି ଉଠାଇଲା ମାଉସୀକୁ। ତା ପରେ ଦୁମ୍ଦୁମ୍ କରି ଚାଲିଗଲା ଘର ଭିତରକୁ। ମୁହଁ ତଳକୁ କରି ବସି ରହିଲା ସୁର।
ତା ସ୍ବାମୀ ତାକୁ ଜୋର କରି ପଠେଇ ନାହାନ୍ତି। ସେ ନିଜ ଇଚ୍ଛାରେ ଆସିଛି। ଏଟା ଠିକ୍ କଥା। ବିଭୂର କାଶ ରୋଗ। ତା ଶରୀର ଦୁର୍ବଳ ହୋଇ ଯାଇଛି। ମଝିରେ ମଝିରେ କାଶିଲାବେଳେ ରକ୍ତର ଛିଟା ଦେଖିବାକୁ ମିଳେ। ସରକାରୀ ହସ୍ପିଟାଲର ଔଷଧରେ ବି ଭଲ ହେଉନି। ସେମାନେ ପୁଷ୍ଟିକର ଖାଦ୍ୟ ଖାଇବାକୁ କହନ୍ତି।
ସୁରବାଳା ନିଜ ଉପାର୍ଜନ କରିବାକୁ ଚେଷ୍ଟା କରିଛି। ମୁଢ଼ି ଭାଜିବା, ଲୋକଙ୍କ ଘରେ ବାସନ ମାଜିବା, ଘର ସଫା କରିବା। ସେଥିଲାଗି ବାବୁଭାୟାଙ୍କ ଘରକୁ ଯିବାକୁ ପଡ଼େ। ସେମାନେ କେହି ଠିକା ଲୋକ ଚାହାନ୍ତିନି। ଘରେ ରହି ସବୁ କାମ କରିବ। ଛୁଆଙ୍କ ଘୁଅମୂତ ଠାରୁ ରୋଷେଇବାସ ଯାଏଁ ସବୁ। ତଥାପି ଖୋରାକି ସାଙ୍ଗେ ମାତ୍ର କେଇଟା ଟଙ୍କା। ସେଥିରେ କ’ଣ ପୋଷେଇବ? ଦିନ ପରେ ଦିନ ଏମିତି ଚାଲିଛି। ସ୍ବାମୀ ସ୍ତ୍ରୀ ଦି’ଟା ଅଧାପେଟ ଖାଇ ଚଳେଇନେବେ କିନ୍ତୁ ପିଲାଛୁଆ ତିନିଟା। ତାଙ୍କ ଭୋକିଲା କାନ୍ଦ ସହି ହେଉନି। ତାଙ୍କୁ ଏଇ ପୃଥିବୀକୁ ଅଣା ହୋଇଛି। ସେମାନେ ନିଜ ଇଚ୍ଛାରେ ଆସି ନାହାନ୍ତି। ତାଙ୍କର ଦୋଷ କ’ଣ?
ପିଲାମାନେ ଶୋଇପଡ଼ିଲେ ଗାଲରେ ହାତ ଦେଇ ଭବିଷ୍ୟତର କଥା ଭାବି ଭାବି ସୁରବାଳା ଆଉ ବିଭୂଙ୍କର କଟି ଯାଇଛି କେତେ ରାତି। କିନ୍ତୁ କୌଣସି କୂଳକିନାରା ପାଇ ନାହାନ୍ତି। ଘରେ କଂସା, ଢାଳ ଯାହାଥିଲା ସବୁ ବିକ୍ରି ହୋଇଯାଇଛି। ବିକ୍ରି ହେଲା ଭଳି ଆଉ କିଛି ନାହିଁ। ଖାଲି ସୁର ଦେହର ମାଂସ ଛଡ଼ା। ଏତେ ଅନାହାରରେ ବି ସୁରବାଳାର ଦେହ ଏକେବାର ସୁକୁଟି ଯାଇନି। ମାଆ ହୋଇ ସେ ସନ୍ତାନମାନଙ୍କ ପାଇଁ କ’ଣ ଏଇତକ କରି ପାରିବନି?