ମୂଳ ବଙ୍ଗଳା: ସୁନୀଲ ଗଙ୍ଗୋପାଧ୍ୟାୟ, ଅନୁବାଦ: ପ୍ରଦୀପ କୁମାର ଦାଶ

ସକାଳ ବେଳା। ମେଘୁଆ ପାଗ। ଯେଉଁଥିଲାଗି ପିଲମାନଙ୍କ ମନ ଖରାପ। ଆଜି ବର୍ଷା ନହେଉ। ତଥାପି ସେଇ କଳାମେଘ ଯେମିତି ଝୁଙ୍କି ଆସିଲା ଶ୍ମଶାନ ପାଖ ବଡ ବରଗଛ ମୁଣ୍ଡ ଉପରକୁ। ଗାଁ ନାଁ ଛୋଟସାତୁଡି। ବିଭୂପଦ ଘଡେଇର ଦି’ଟା ଚାଳଘର। ସାମନାରେ ସରୁ ଅଗଣା। ସେଇ ଅଗଣାରେ ଠିଆ ହୋଇ ଆକାଶ ଆଡକୁ ଚାହିଁ ମେଘକୁ ଘଉଡେଇବାକୁ ଚାହୁଁଛନ୍ତି ପିଲା ତିନୋଟି।

“ଲେମ୍ବୁ ପକାଇ କର ଚା’, ଦୂର ମେଘ ଦୂରକୁ ଯାଆ”
“ଲେମ୍ବୁ ପକାଇ କର ଚା’, ଦୂର ମେଘ ଦୂରକୁ ଯାଆ”

ମେଘ ସେଇ ଶିଶୁମାନଙ୍କ କଥା ଶୁଣେ। ତେବେ ଏତେ ପାଖକୁ ଆସି କିଛିଟା ବର୍ଷା ନକଲେ ବି ମେଘର ମର୍ଯ୍ୟାଦା ହାନି ହେବ।
ତେବେ ଏତେ ପାଖକୁ ଆସି କିଛିଟା ବର୍ଷା ନକଲେ ବି ମେଘର ମର୍ଯ୍ୟାଦା ହାନି ହେବ।

ପ୍ରଥମେ ଗୁମ୍‌ସୁମ୍‌ ଥିଲା। ହଠାତ୍‌ ଉଠିଲା ସଁ ସଁ କରି। ବଡ ବଡ ଗଛଗୁଡାକର ଡାଳପତ୍ର ଭୀଷଣଭାବରେ ଏପଟସେପଟ ହେବାରେ ଲାଗିଥିଲେ। ତାପରେ ଘୁଁ ଘୁଁ ଗର୍ଜନ କରି କହିଲା ଆସୁଛି ଆସୁଛି। ଆସିଲା ଝମ୍‌ଝମ୍‌ କରି ଏକବାରେ ବଡ ବଡ ଠୋପା। ଭୀଷଣ ଜୋର୍‌ରେ ବର୍ଷିଗଲା ଦଶମିନିଟ୍‌ ଧରି। ପୁଣି ଆକାଶ ପୁରାପୁରି ସଫା। ଝଲ୍‌ଝଲ୍‌ ହୋଇ ଦେଖାଦେଲା ସୁର୍ଯ୍ୟ। ଠିକ୍‌ ଯେମିତି ହସୁଛି.. ହସିବତ! ମାତ୍ର ମାସ ଦୁଇଟା ପୂର୍ବରୁ ବର୍ଷା ପାଇଁ କେତେ ହାହାକାର। କେତେ ପ୍ରାର୍ଥନା, କେତେ ବେଙ୍ଗମାରି ଓଲଟାଇ ଦେବା ଘଟଣା। ଆଉ ୟାଭିତରେ ପୁଣି କହୁଚ କ’ଣ ନା ବର୍ଷା ଲୋଡା ନାହିଁ! ବଡ ବିଚିତ୍ର ଏଇ ମଣିଷ।

ସେ ମେଘ ପୁଣି ଫେରି ଆସିବ। ଏବେ ଖାଲି ଏଇ ପିଲାମାନଙ୍କ ଆବେଦନରେ ଘୁଞ୍ଚିଗଲା କିଛି ଦୂରକୁ। ଆଜି ସେମାନେ ବୁଲିଯିବେ। ରାସ୍ତାଘାଟ ଏମିତି ବି ପଙ୍କରେ ଲତପତ। ବର୍ଷା ଚାଲୁ ରହିଲେ ଏବେ ବାହାରିବାର ପ୍ରଶ୍ନ ନଥିଲା। ପିଲାମାନେ ଆଉ ଧୈର୍ଯ୍ୟ ଧରି ରହିପାରୁ ନାହାନ୍ତି।

ବିଭୂପଦ ଠିଆ ହୋଇଛି ବାହାରେ। ସୁରବାଳାର ଟିକେ ଡେରି ହଉଚି। ବିଭୂପଦ ଥରେ ଡାକ ଛାଡିଲା, କାଇଁ ଆଉ ଡେରି କରୁଛ ? ବେଳାବେଳି ପହଞ୍ଚିବାକୁ ହେବ। ଝିଅଟା ବି ରଡିଛାଡି କହିଲା, ବୋଉ, ଆ ବୋଉ…।

ଝିଅଟା ବୟସ ସାତ। ଭାଇ ଦୁଇଟାଙ୍କ ଭିତରୁ ଗୋଟାକର ନଅ, ଗୋଟାକର ଛଅ।ଏକଦମ ସାନକୁ ଲଣ୍ଡା କରାଯାଇଛି କିଛିଦିନ ଆଗେ। ବହୁତ ଉକୁଣି ହୋଇଥିଲା। ହାତରେ ଗୋଟେ ପୁଟୁଳି ଧରି ବାହାରି ଆସିଲା ସୁରବାଳା। ଦୁଆର ଶିକୁଳି ଦେଇ ଗୋଟେ ଛୋଟ ତାଲା ଝୁଲାଇ ଦେଲା।

ସୁରବାଳାର ବୟସ ତିରିଶ ପାଖାପାଖି ହେବ। ଧେଡେଙ୍ଗା ଚେହେରା, ଅଦ୍‌ଭୂତ ନିଥର ପରି ମୁହଁ। ସେ ମୁହଁରେ ରାଗ, ଦୁଃଖ, ଆନନ୍ଦ, ଅଭିମାନ କିଛି ବି ଯେମିତି ଫୁଟେନା।
ଚାବିଟା ବିଭୂପଦକୁ ଦେଇ ସେ କହିଲା, ଚାଲ ।

ଟିକେ ପୂର୍ବରୁ ପତ୍ନୀକୁ ସେ ପାଟି କରୁଥିଲା। ଏଥର କିନ୍ତୁ ଚାବିଟା ହାତରେ ଧରି କିଛିକ୍ଷଣ ଚୁପ୍‌ ରହି ପ୍ରଶ୍ନ କଲା ସତରେ ଯିବୁ?

ସୁରବାଳା କହିଲା, ହଁ ଯିବି ବୋଲି ଠିକ୍‌ କରିଛି ତ!

ବିଭୂପଦ ପ୍ରଶ୍ନ କଲା, ପିଲାମାନଙ୍କୁ ନେଇଯିବା?

ସୁରବାଳା କହିଲା, ହଁ ଚାଲନ୍ତୁ ସେମାନେ।

ତିନୋଟିଯାକ ପିଲା ଏକାସ୍ବରରେ ରଡିକଲେ, ଆମେ ଯିବୁ, ଆମେ ଯିବୁ।

ଠିକ୍‌ ପାଖାପାଖି ଆଉ କୌଣସି ଘରଦ୍ବାରା ନାହିଁ। ଗାଁ ମୁଣ୍ଡ ଖାଲୁଆ ପଡିଆରେ ଏଣେତେଣେ ଗୋଟେ ଦିଇଟା ହାତଗଣତି ଘର। ରାସ୍ତାଟା ସିଧା ମଶାଣିପଦା ଆଡକୁ ଲମ୍ବିଛି। ପିଲା ତିନିଟା ଦିନବେଳା ବି ଏପଟ ଦେଇ ଯିବାକୁ ଭୟ କରନ୍ତି। ପଇସା ଅଭାବରେ କାଠ କିଣି ନପାରି ଲାଶ୍‌କୁ ପୁରାପୋଡି ପାରୁନଥିବା ଲୋକମାନେ ଖାଲି ମୁହଁରେ ନିଆଁ ଦେଇ ଛାଡିଯାଆନ୍ତି। ତାପରେ ତାହା ଭୋଜି ହୁଏ ଶାଗୁଣା ବିଲୁଆଙ୍କର।

ଆଜି ବାପାବୋଉ ସାଙ୍ଗରେ ଯାଉଛନ୍ତି। ଆଜି ପୁଣି ଭୟ କ’ଣ ? ବାପାବୋଉ ଆଉ ତିନି ପିଲା, ଏଇ ପୁରା ପରିବାର। ୟାଆଗରୁ କେବେ ବି ଏକା ସାଙ୍ଗରେ କୁଆଡେ ବୁଲିବାକୁ ଯାଇ ନାହାନ୍ତି। ବାପାଙ୍କ ସାଙ୍ଗେ ଥରେ ଦି’ଥର ହାଟକୁ ଯାଇଛନ୍ତି ଅବଶ୍ୟ। ତା’ ବି ଝିଅଟାକୁ ଛାଡି। ବୋଉ ବି ଯାଏନି।

ବରଗଛମୂଳେ କୁଆଡେ ଜଣେ ସାଧୁ ଆସି ତ୍ରିଶୁଳ ପୋତି ବସିଛନ୍ତି। ସମସ୍ତେ ସେଠି ଠିଆହେଲେ। ସୁରବାଳା ଆଗେଇଯାଇ ଆଣ୍ଠୁମାଡି ପ୍ରଣାମକଲା ସାଧୁବାବାଙ୍କୁ। ସେ ହାତ ଉଠାଇ ଗୁଣୁଗୁଣୁ ହୋଇ କ’ଣ ଆଶୀର୍ବାଦ କଲେ। କିନ୍ତୁ ଦକ୍ଷିଣା ଦବା ପାଇଁ କିଛି ନାହିଁ ସୁରବାଳା ପାଖରେ।

ସେ ଫେରି ଆସିବା ପରେ ଝିଅଟା ପଚାରିଲା, ବୋଉ, ସନ୍ୟାସୀମାନେ ଦେହରେ ପାଉଁଶ ବୋଳନ୍ତି କାହିଁକି ?

ସୁରବାଳା ଚାହିଁଲା ତା ସ୍ବାମୀ ଆଡକୁ। ଏସବୁ ପ୍ରଶ୍ନର ଉତ୍ତର ପୁରୁଷମାନେ ଦେବା କଥା।

ବିଭୂପଦ କହିଲା–ହୁଁ… ସନ୍ୟାସୀମାନେ ସବୁ ଶିବ ଠାକୁରଙ୍କ ଚେଲା। ଶିବଠାକୁର କହିଦେଇଛନ୍ତି ଦେହରେ ପାଉଁଶ ନବୋଳିଲେ ମୋର ଚେଲା ହୋ ପାରିବନି।
ସାନଟା ପଚାରିଲା, ବାପା, ଠାକୁରଙ୍କ ମୁଣ୍ଡରେ ସାପ କାହିଁକି ଥାଏ?

ବିଭୂ କହିଲା-ହୁଁ… ସାପ ଥାଏ। ମାନେ ଏମିତି ସାପ ଥାଏ। ଏବେ ଚାଲିଲ ଶିଘ୍ର।

ପିଲାଗୁଡାକ ଦୌଡିଦୌଡି ଅନେକବାଟ ଆଗେଇ ଯାଆନ୍ତି। ପୁଣି ତାଙ୍କୁ ଡାକି ଅଟକେବାକୁ ପଡେ। ଏ ଅଞ୍ଚଳରେ ପ୍ରାୟତଃ ଥିଲାବାଲା ଲୋକଙ୍କ ବାସ। ଦୋଳ ଉତ୍ସବ ଆଉ ଦୁର୍ଗା ପୂଜା ବି ହୁଏ ଏଠି। ଗୋଟେ ପାଖେ ଅଛି କେତେଟା ଟ୍ରଲି।

ବହୁଦୂର ବାଟ ଯିବାକୁ ହେବ। ଅବଶ୍ୟ ଚାଲିକରି ଯାଇ ହେବ। ତା’ଛଡ଼ା ଦିନ ଥାଇ ଗନ୍ତବ୍ୟସ୍ଥଳରେ ପହଞ୍ଚିବା କଥା।

ଟ୍ରଲିବାଲାଟିଏ ନିଜ ଟ୍ରଲିପାଖେ ଠିଆ ହୋଇ ଚା’ ପିଉଛି। ତା ପାଖକୁ ଯାଇ ବିଭୂପଦ ଭିଡିମୋଡି ହୋଇ କହିଲା, ଭଲ ଅଛ ଗୋବିନ୍ଦ ଭାଇ? ତୁମ ଗାଡି ଏବେ ଛାଡିବ?

ଗୋବିନ୍ଦ ସାଙ୍ଗରେ ଆଗରୁ କଥାବାର୍ତ୍ତା କରିଯାଇଥିଲା ବିଭୂପଦ। ଏ ଗାଡି ଭଡାରେ ନବାର ସାମର୍ଥ୍ୟ ତାର ନାହିଁ। ସନାତନପୁର ହାଟରୁ ଦଶଟା ଗୁଡ ହାଣ୍ଡି ଆଣିବାର ଅର୍ଡର ଅଛି ଗୋବିନ୍ଦର। ଏଠୁ ଯିବାବାଟରେ ଯଦି ପାସେଞ୍ଜର ନପାଏ , ଖାଲି ଗାଡି ଯାଏ, ତାହେଲେ ସେ ବିଭୂପଦର ପରିବାରକୁ କିଛିବାଟ ନେଇଯିବ।

ଗୋବିନ୍ଦ ଯେମିତି ସେକଥା ଭୂଲି ଯାଇଛି। ସେ କହିଲା, ପାସେଞ୍ଜର ତ ଦେଖୁନି। ଗାଡି ଛାଡିବାକୁ ପଡିବ। କିନ୍ତୁ ତୁମର ଏତେଗୁଡାଙ୍କୁ ତ ବିନା ଭଡାରେ ନେଇ ପାରିବିନି। ଏତେ ଲୋଡ ନେଲେ ଗାଡିଟାଣିବାକୁ ପରିଶ୍ରମ ପଡିବନି?

ବିଭୂପଦ କିଛି ନକହି ଚୁପ୍‌ ରହିଲା।

ଗୋବିନ୍ଦ କହିଲା ଯାହା ଉଚିତ୍‌ ଭଡା ତାର ଅଧାତ ଦେବ! ପର୍‌ହେଡ ପାଞ୍ଚ ଟଙ୍କା। ବିଭୂପଦ କହିଲା ଠିକ୍‌ ଅଛି ଦେବି। ଏକେବାର ଛୁଆଟା ବି କ’ଣ…।

ଗୋବିନ୍ଦ କହିଲା, ହଉ ପନ୍ଦର ଟଙ୍କା ଦେ। ସେ ହାତ ବଢାଇଲା ବିଭୂ ଆଡକୁ। ବିଭୂ ଖୁବ୍‌ ସଙ୍କୁଚିତ ଭାବେ କହିଲା, ଏବେ ତ ଦେଇ ପାରିବିନି। ପରେ ନିଶ୍ଚୟ ଶୁଝିଦେବି। ମା’ କାଳୀଙ୍କ ରାଣ।

ଗୋବିନ୍ଦ ତାତ୍ସଲ୍ୟ ସ୍ବରରେ କହିଲା- ବାକି। ଆଜି ନଗଦ କାଲି ବାକି। ଥରେ କେବେ ବାକି ଦେଲେ ଏ ବାଟେ ସେ ଆଉ ନଚାଲେ! ହୁଁ କେତେ ଦେଖିଛି।
ବିଭୂ କହିଲା ମୋ କଥାରେ ଖିଲାପ ହେବନି। ମା କାଳୀଙ୍କ ରାଣ ଖାଇଲି ତ। ଗୋବିନ୍ଦ ହେୟଜ୍ଞାନ କରି କହିଲା–ଯା ଦିନ କାଳ ପ ଡ଼ିଛି ଲୋକେ ଦିଅଁ ଦେବତାଙ୍କ ରାଣ ମାନୁ ନାହାନ୍ତି। ଛାଡ଼୍‌ ଉଠ।

ପିଲାଗୁଡାକ ଜଳ ଜଳ କରି ଚାହିଁ ସବୁ ଶୁଣୁଥିଲେ। ଏଥରେ ସେମାନେ କୁଦାମାରି ଉଠିପଡିଲେ ଟ୍ରଲି ଉପରକୁ। ସୁଶୀଲ ବୟସରେ ବଡ଼, ସୁତରାଂ ସ୍ଥାନ ନିର୍ବାଚନରେ ତାର ହିଁ ଅଗ୍ରାଧିକାର ଅଛି। ସେ ଥରେ ଆଗକୁ ଥରେ କଡକୁ ଦେଖିବାକୁ ଲାଗିଲା, କେଉଁଟା ସୁବିଧାଜନକ। ସୁଧା ଆଉ ଛୋଟୁଙ୍କୁ ଗୋଡ ଝୁଲେଇ ବସିବାକୁ ଦିଆଗଲାନି। ସେମାନେ ଚକାମାରି ଭିତରେ ବସିଲେ।

ସୁଶୀଲ ତଥାପି ୟା ଆଗରୁ କେତେଥର ଚଳନ୍ତା ଟ୍ରଲି ସାଙ୍ଗେ ଦୌଡ଼ି ଦୌଡ଼ି ବସିଛି, ପୁଣି ଚାଳକର ଗାଳି ଶୁଣି ଓହ୍ଲେଇ ବି ଯାଇଛି। ସୁଧା ଆଉ ଛୋଟୁଙ୍କର ଏମିତି ସୌଭାଗ୍ୟ ଏଇ ପ୍ରଥମ। ଚାଲିବାକୁ ପଡ଼ିବନି ଅଥଚ ରାସ୍ତା ସରିଯିବ। ବାଃ କି ମଜା! ରାସ୍ତାଦେଇ ଅନ୍ୟ ଲୋକମାନେ ଯାଉଛନ୍ତି। ତାପରେ ଆଉ ସେମାନେ ଦେଖା ବି ଯାଉ ନାହାନ୍ତି।

ତିନିଜଣଙ୍କର ନିଜ ଗାଁ ବାହାରକୁ ଯିବା ଏଇ ପ୍ରଥମ। ତାଙ୍କ ପାଖେ ଉନ୍ମୋଚିତ ହେଉଛି ନୂଆଜଗତ। ଏପଟର ସବୁ ଗାଁର ଚେହେରା ପ୍ରାୟ ଏକା। ତାଙ୍କ ଆଖିରେ ଯେମିତି ବୈଚିତ୍ର୍ୟର ଶେଷନାହିଁ।
ଏ ବୋଉ, ଦେଖିଲୁ ଗୋଟେ ତାଳଗଛ ଦେହରେ ଆଉଗୋଟେ କୋଉ ଗଛ ଉଠିଛି! ଏକାଠି ଦି’ଟା ଗଛ। ଗୋଟେ କୁକୁରକୁ ସେଇ ବଡ ବଡ ପକ୍ଷୀମାନେ ତଡୁଛନ୍ତି। ସେଗୁଡାକ କି ପକ୍ଷୀ?
ଶାଗୁଣା।

ଶାଗୁଣା ପରା ମାଟିକୁ ଓହ୍ଲାଏ !

ବାପା, କାନ୍ଧରେ ଦି’ଟା ବାଉଁଶ ନେଇ ସେ ଲୋକଟା କୁଆଡେ ଯାଉଛି ?
ଯାଉଚି, ନିଜ ଘରକୁ।

ବାପା ସେ ମନ୍ଦିରଟା ଭଙ୍ଗା କାହିଁକି?

କାହିଁକି ପୁଣି କ’ଣ? ଭାଙ୍ଗି ଯାଇଛି ବୋଲି ଭଙ୍ଗା। ଏଥରକ ଟିକେ ଚୁପ୍‌ କରି ବସିବ।
ସାନଟାର ହିଁ ବେଶୀ ପ୍ରଶ୍ନ। ସେ ଚୁପ୍‌ ରହିପାରେନି। ଟିକେ ପରେ ହିଁ ସେ ପୁଣି କିଛି ଜାଣିବାକୁ ଚାହେଁ। ତାକୁ ଧମକ ବି ଖାଇବାକୁ ହୁଏ ସେଇ କାରଣରୁ।

କିଛିଦୂର ଗଲା ପରେ ଗୋବିନ୍ଦ ପଚାରିଲା, ପିଲାଛୁଆଙ୍କୁ ନେଇ କୁଆଡେ ବାହାରିଲୁ ବିଭୂ ?
ବିଭୂ କହିଲା, ରଣକାଳୀପୁର ଯିବି। ଇୟେ ମାନେ ସ୍ତ୍ରୀର ବାପଘର। କେଇଟା ଦିନ ରହିବ।

ଗୋବିନ୍ଦ କହିଲା, ବୋହୂର ବାପଘର, ତୋର ଶ୍ବଶୁରଘର। ପିଲାମାନଙ୍କର ମାମୁଁଘର। ବାଃ ଭଲ କଟିବ। ମାମୁଁଘରେ ଭାରିମଜା। ମାଡ଼ଗାଳି ନାହିଁରେ, ମାମୁଁଘର ଦୁଧଭାତ ଦୁଆରେ ବସି ଖାଏରେ।

ବିଭୂଠାରୁ ଟ୍ରଲି ଚାଳକ ଗୋବିନ୍ଦର ସାମାଜିକ ଅବସ୍ଥା କିଛିଟା ଭଲ। ତା କଥାରେ ସେଇ ସ୍ବର ଫୁଟି ଉଠେ।

ସୁଧା ଅଣ୍ଟିରେ ବାନ୍ଧିଥିଲା ମୁଢି। ଏଇଲେ ତିନିଭାଇ ଭଉଣୀ ଖାଉଛନ୍ତି। ସୁଶୀଲ୍‌ ଫୁସ୍‌ଫୁସ୍‌ କରି ବୋଉକୁ ପଚାରିଲା, ବୋଉ ଆମେ ମାମୁଁଘର ଯାଉଛେ? କେତଦିନ ରହିବା?
ସୁରବାଳା ଚାହିଁଲା ବିଭୂ ଆଡ଼କୁ। ବିଭୂ କହିଲା, ସେ ଦେଖାଯିବ। ଗାଡିଟା ଧଡ଼ ଧଡ଼ ହୋଇ ଡେଉଁଛି। ମୁଢ଼ି ବୁଣି ନ ଯାଏ।

ସୁଧା ପଚାରିଲା, ବାପା ତମେ ଖାଇବ?
ବିଭୂ କହିଲା, ନା ତମେମାନେ ଖାଇନିଅ।

Pages: 1 2 3 4