ସାନ ପୁଣି ଆରମ୍ଭକଲା ପ୍ରଶ୍ନମାଳା।

ଚିଲ ଆଉ ଶାଗୁଣା ଭିତରେ କିଏ ବେଶି ଉଚ୍ଚା ଉଡ଼େ? ସେଇ ଝିଅଟା କାନ୍ଦୁଛି କାହିଁକି? ମଇଁଷି କ’ଣ ଗୋରୁଙ୍କର ବାପା ?

ଭାଇଭଉଣୀ ସମସ୍ତେ ହସନ୍ତି। କିନ୍ତୁ ବାପା ମାଆ କେହି ହସନ୍ତିନି। ବିଭୂ ଧମକେଇ କହିଲା, ତୁ ଚୁପ୍‌ କର୍‌ ତ। ପୁଣି କଥା କହିଲେ କାନ ଛିଡ଼େଇଦେବି।

ରାସ୍ତା ଭଲ ନାହିଁ। ତା ଭିତରେ ପୁଣି ଗୋଟେ ଟ୍ରକ୍‌ ଆସିଲାଣି। ଟ୍ରଲି ଯିବାକୁ ବାଟ ନାହିଁ। ଗୋବିନ୍ଦ ଓହ୍ଲାଇ ପଡି ହାଲ୍ଲା କରିବା ଆରମ୍ଭ କଲା।

ପିଲାମାନଙ୍କ ପାଇଁ ଏଇଟା ବି ବେଶ୍‌ ରୋମାଞ୍ଚକର ବ୍ୟାପାର। ଟ୍ରକ୍‌ଟା କେତେ ବଡ଼ ! ସେମିତି ବଡ ଚେହେରାର ଡ୍ରାଇଭର। ତା ସାଙ୍ଗେ ଟକ୍କର ଦେଉଛି ଗୋବିନ୍ଦ। କିଏ ଜିତିବ?

ଗୋବିନ୍ଦ ଫେରିଆସି ଟ୍ରଲିଟାକୁ ଧାନବିଲକୁ ଗଡ଼େଇ ଉଠିଲା ଯାଇ ଟ୍ରକ ଛାଡି ରାସ୍ତାର ଅନ୍ୟପାର୍ଶ୍ବରେ। ତା ହେଲେ ଗୋବିନ୍ଦ ଜିତିଗଲା। ଗୋବିନ୍ଦ ଜିତିଗଲାରେ କହି ତିନିଜଣଯାକ ତାଳିମାରିବାକୁ ଲାଗିଲେ।

ସୁରବାଳା ତା ସ୍ବାମୀର ଏକବାର କାନ୍ଧ ପାଖକୁ ମୁହଁନେଇ ନୀଚାସ୍ବରରେ ପଚାରିଲା, ‘ତୁମେ ପିଲାଙ୍କୁ ରାନ୍ଧି ଖାଇବାକୁ ଦେଇ ପାରିବ?’
ବିଭୂ କହିଲା, ପେଜ-ଭାତ ଫୁଟେଇଦେବି। ଏଇଟା ଏମିତି କୋଉ ବଡ଼ କଥା।

ସୁରବାଳା କହିଲା, ଏଇଲେ ଆଳୁ ଶସ୍ତା ଥିବ। ସୁଧା ବି ଟିକେ ସାହାଯ୍ୟ କରିଦେବ। ହଁ ତାକୁ ଚୁଲି ଲଗେଇବାକୁ ଦବନି।

ବିଭୂ କହିଲା, ସେଥିପାଇଁ ଚିନ୍ତା କରନି। ବଡ଼ଟାକୁ ଏଥର ସ୍କୁଲ ପଠେଇବି।

ସୁଧା ପଚାରିଲା, ମା’ ତୋ ପୁଟୁଳିରେ କ’ଣ?

ସୁର କହିଲା–ଦି’ଟା ଶାଢ଼ୀ।

ଗାଳିଖାଇ ଚୁପ୍‌ ରହିଥିବା ଛୋଟୁ ପୁଣି ଫସ୍‌ କିନା କହି ଉଠିଲା – ମାମୁଁଘରେ ଆମର କେତେଟା ମାମୁଁ?

ସୁଶିଲ ବି ଏଥର କହି ଉଠିଲା –ଗଲେ ତ ଦେଖିପାରିବୁ। ବୋକା। ଏମାନେ କେହି ଆଗରୁ ମାମୁଁଘର ଯାଇ ନାହାନ୍ତି। ମାମୁଁଘର ନାମକ ରହସ୍ୟମୟ ଜାଗା ସଂପର୍କରେ କିଛି ଶୁଣି ବି ନାହାନ୍ତି।

ଅଦୂରରେ ସନାତନପୁର ହାଟ। ଟ୍ରଲି ଅଟକାଇ ଗୋବିନ୍ଦ ପଚାରିଲା, ତୁମେ ରଣକାଳୀପୁର ଯିବ ପରା? ଏଇଠି ଓହ୍ଲେଇ ଯାଆ। ବାଁ ପଟେ ରାସ୍ତା। ବେଶି ଦୂର ନୁହେଁ। ବିଭୂ ମନେ ରହେ ଯେମିତି।

ଏଇ ରାସ୍ତାଟା ଅପେକ୍ଷାକୃତ ଭଲ। ଏତେ ଖାଲ ଖମା ନାହିଁ। ପାଖଦେଇ ବୋହିଯାଇଛି କେଲେଘାଇ ନଦୀ। ସେଥିରେ ପ୍ରଚୁରଫୁଲଫୁଟା ବିଲାତିଦଳ।

ଗ୍ରାମର ମୂଳବସତି ଠାରୁ ବେଶ୍‌ କିଛିଦୂରରେ ନଈକୂଳକୁ ଲାଗିଥାଏ ଦଶଖଣ୍ଡ ଟାଇଲିଛପର ଘର। ଗୋଟେ ଦିଇଟା ମନୋହରୀ ଦୋକାନ। ସାମନାରେ ବାଉଁଶ ତିଆରି ବେଞ୍ଚ ଉପରେ ବସି ଗୁଲିଖଟି କରୁଛନ୍ତି କେତେଜଣ ପୁରୁଷ।

କିଛିଦୂର ଯାଇ ସେମାନେ ଆଚମ୍ବିତ ହୋଇ ଠିଆହେଲେ। ଚାହିଁ ରହିଲେ ସେଇ ଘରଗୁଡିକ ଆଡ଼କୁ। ବିଭୂ ତା ପତ୍ନୀର ଗୋଟେ ହାତ ଧରି କିଛିଟା ଆବେଗର ସହ କହିଲା–

ସୁର, ସତରେ ଯିବ?

ସୁରବାଳାର ଶୁଖିଲା ମୁହଁରେ କୌଣସି ରେଖା ନାହିଁ। କଣ୍ଠ ଥରୁନି। ସେ କହିଲା, ହଁ ଯିବି ତ!

ବିଭୂ କହିଲା, ଏବେ ବି ଫେରିଯାଇ ହେବ।
ସୁରବାଳା କହିଲା, ମୁଁ ଯିବି ଠିକ୍‌ କରିଛି।

ବିଭୂ କହିଲା, ମୁଁ କିନ୍ତୁ ତୋତେ ଜୋର କରିନି।

ସୁର କହିଲା, ନାଁ ତୁମେ ଜୋର କରିନ। ମୁଁ ହିଁ ଠିକ୍‌ କରିଛି।

ଉଛୁଳି ଉଠୁଛନ୍ତି ପିଲାମାନେ। ଏଇତ ଦେଖାଯାଉଛି ମାମୁଁଙ୍କର ଘର। ତଥାପି ଡେରି କାହିଁକି? ସୁଶିଲ କହିଲା-ବାପା ଚାଲ।

ବିଭୂ ଥରେ ଖଁ ଖଁ ତଣ୍ଟି ସଫା କରି କହିଲା, ଶୁଣ ପିଲେ, ମାମୁଁଘରକୁ ବର୍ତ୍ତମାନ ତୁମ ବୋଉ ଏକା ଯିବ ଆମେ ଘରକୁ ଫେରିଯିବା।
ତିନିଜଣଙ୍କର ଏକା ପ୍ରଶ୍ନ–କାହିଁକି? ଆମେ ଯିବୁନି କାହିଁକି?

ବିଭୂ କହିଲା, ସେଠିକି ପିଲାମାନେ ଯାଆନ୍ତିନି। ବୋଉ ପୁଣି ଫେରି ଆସିବ। ସେତେଦିନ ପର୍ଯ୍ୟନ୍ତ ତମେମାନେ ମୋ ପାଖରେ ରହିବ।

ଝିଅମାନଙ୍କ ବୁଦ୍ଧି ଜୋର। ପିଲାମାନେ ମାମୁଁଘର ଯାଆନ୍ତିନି, ଏଇଟା ସୁଧାକୁ ବିଶ୍ବାସ ହେଲାନି। ସେ ପଚାରିଲା କେବଳ ମାମୁଁଘରକୁ ଯାଆନ୍ତି କେବଳ ବଡ଼ମାନେ?

ତା ପ୍ରଶ୍ନର ଉତ୍ତରରେ ବିଭୂ କହିଲା – ହଁ.. ମାମୁଁଘରେ ଜଣକର ଦେହ ଭୀଷଣ ଖରାପ। ସେଥିଲାଗି ପିଲାମାନେ ଯିବାକଥା ନୁହେଁ। ସୁର, ତୁ ତାହେଲେ ଯାଆ। ବେଳ ଗଡ଼ି ଯାଉଛି।

ଛୋଟୁ ସେସବୁ ବୁଝେନା। ସେ ବୋଉକୁ ଜାକିଧରି ତା ଶାଢୀରେ ମୁହଁ ଗୁଞ୍ଜି ଖୁବ୍‌ କାତର ଭାବେ ଆବେଦନ କଲା, ବୋଉ ମୁଁ ତୋ ସାଙ୍ଗେ ଯିବି ଲୋ! ଟିକେ ବି ପାଟି କରିବିନି।

ସ୍ବାମୀ ଓ ଅନ୍ୟ ଦୁଇସନ୍ତାନଙ୍କ ଆଡକୁ କ୍ରମାନ୍ବୟରେ ଚାହିଁଲା ସୁର। ତାପରେ ଛୋଟୁକୁ ସେ ଧୀରେ ଧୀରେ ଛଡେଇ ନେଇ କହିଲା – ଯିବୁ। ତତେ ପରେ ନେଇଯିବି। ଆଜି ଘରକୁ ଯାଆ। ଘରେ ସୁନା ପିଲା ହୋଇ ରହିବୁ।

ସୁଧାକୁ କହିଲା, ଭାଇକୁ ଧର୍‌, ତୁ ଛୋଟୁକୁ ସମ୍ଭାଳିବୁ।

ନଇଁପଡି ସେ ସ୍ବାମୀଙ୍କ ପାଦଛୁଇଁ ପ୍ରଣତି କରିବା ପରେ ତିନିଟିଯାକ ଛୁଆଙ୍କୁ ଜାବୁଡ଼ି ଧରିଲା ଏକାଠି। ଆଉ କିଛି କଥା ନାହିଁ।

ତାପରେ ହଠାତ୍‌ ସେ ସେମାନଙ୍କୁ ଛାଡ଼ିଦେଇ ଦୁମ୍‌ ଦୁମ୍‌ କରି ଆଗେଇଗଲା ସେ ଘରଗୁଡ଼ା ଆଡ଼କୁ। ଟିକେ ପରେ ଅଟକି ପଛକୁ ଚାହିଁ କହିଲା, ତୁମେମାନେ ଟିକେ ଅପକ୍ଷା କର।

ଗୁଲିଖଟି କରୁଥିବା ଲୋକଗୁଡାଙ୍କ ପାଖଦେଇ ଗଲାବେଳେ ଜଣେ ଅଙ୍ଗୁଠି ଦେଖାଇ କହିଲା, ଏଇ ପାଖଦେଇ ଯାଅ ଦେଖିବ ଗୋଟେ ବଡ଼ କୋଠାଘର।

ଗଳିଟା ପଙ୍କ ପଚ୍‌ପଚ୍‌। ଘରଗୁଡ଼ାକ ପାଖଦେଇ ଯାଉ ଯାଉ ସୁର ଦେଖିଲା, ସବୁ ଝରକା ଦେଇ ଉଙ୍କି ମାରୁଛନ୍ତି ବିଭିନ୍ନ ବୟସର ଝିଅମାନେ।

ଗୋଟେ ଜାଗାରେ ଗଳିଟା ତିନିଭାଗ ହୋଇଯାଇଛି। କୋଉ ଆଡକୁ ଯିବ ବୁଝି ନପାରି ସୁର ଠିଆ ହେଉ ହେଉ ଜଣେ କିଏ କହିଲା,ଏଇ ଡାହାଣପଟେ,ରଣକାଳୀପୁରର ରଣଚଣ୍ଡୀକୁ ଦେଖିପାରୁନ?

ବଡ ଆଦବକାଇଦାରେ ଗୋଟେ ପାନବଟୁଆ ନେଇ ପାଦ ଲମ୍ବେଇ ବସିଛନ୍ତି ଏକ ବିଶାଳକାୟ ରମଣୀ। ପାଖରେ ଏକଦମ୍‌ ପାତଳୀ ଝିଅଟିଏ।

ପାତଳୀ ଝିଅଟି କହିଲା, ମାଉସୀ ୟାରି ତ ଆସିବାର ଥିଲା ବୋଧେ?

Pages: 1 2 3 4