ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

କଳାଧନର ବିଷଚକ୍ର

ଏକଥା ସତ ଯେ, ପୂର୍ବକାଳ ଅପେକ୍ଷା ବର୍ତ୍ତମାନ ଧନ ଉପାର୍ଜନ ପାଇଁ ଯଥେଷ୍ଟ ସୁଯୋଗ ସୃଷ୍ଟି କରାଯାଇପାରିଛି। ସରକାରମାନେ ଧନସମ୍ପଦ ଜନ୍ମ କରିପାରିବେ ନାହିଁ କିମ୍ବା ଜୋର୍‌ ଜବର୍‌ଦସ୍ତି କରି କାହାକୁ ଧନୀ ମଧ୍ୟ କରିପାରିବେ ନାହିଁ। ଦାରିଦ୍ର୍ୟର ସୀମାରେଖା ତଳେ ଥିବା ଦରିଦ୍ରମାନଙ୍କୁ ସରକାର ହାତ ଧରି ତା’ ଉପରକୁ ଟାଣି ଆଣି ପାରିବେ ନାହିଁ। ଦେଶରେ ଯେତେ ଧନସମ୍ପଦ ଅଛି-ସେସବୁକୁ ଯଦି ଗୋଟିଏ ସରକାର ସମସ୍ତଙ୍କୁ ସମାନଭାବେ ବାଣ୍ଟିଦିଏ ତେବେ ସୁଦ୍ଧା ଦେଶରୁ ଗରିବୀ କେବେ ହଟିବ ନାହିଁ। ଗରିବ ଲୋକଙ୍କ ସଂଖ୍ୟା କେବେବି ମୂଳପୋଛ ହେବ ନାହିଁ।

ସରକାର କେବଳ ସମସ୍ତଙ୍କ ଉପାର୍ଜନ ପାଇଁ ସୁଯୋଗ ସୃଷ୍ଟି କରିବେ। ଧନବାନ୍‌ ହେବାକୁ ହେଲେ ଜଣକୁ ଅର୍ଜନ, ଉତ୍ପାଦନ, ସଞ୍ଚୟ ଓ ସରବରାହ ଏ ସମସ୍ତ କରିବାକୁ ହୁଏ। ଏଥିପାଇଁ ଶରୀରର ଶକ୍ତି ଓ ବୁଦ୍ଧିର ଶକ୍ତି ଖର୍ଚ୍ଚ କରିବାକୁ ହୁଏ। ଧନ ଉପାର୍ଜନର ଯେଉଁସବୁ ସୁଯୋଗ ରହିଛି-ସେଇ ସୁଯୋଗଗୁଡ଼ିକର ସଦ୍‌ବ୍ୟବହାର କରିବାକୁ ହୁଏ। ଯେଉଁମାନେ ଆଜି କୃଷି, ବାଣିଜ୍ୟ, ଶିଳ୍ପ ଆଦି କ୍ଷେତ୍ରରେ ଧନବାନ୍‌ ହୋଇଛନ୍ତି ଏବଂ ତା’ ଫଳରେ ଶହ ଶହ ଲୋକଙ୍କ ପାଇଁ ଦାନାକନା ଉତ୍ପାଦନର କ୍ଷେତ୍ର ସୃଷ୍ଟି କରିଛନ୍ତି-ସେମାନେ ନିଶ୍ଚିତଭାବେ ଆମ ସମସ୍ତଙ୍କର ପ୍ରଶଂସାର ପାତ୍ର।

ଜଣେ ଜଣେ ମହା ଉଦ୍ଯୋଗୀ ପ୍ରତିଭାବାନ୍‌ ଶିଳ୍ପପତିଙ୍କ ଯୋଗୁଁ ଆମର ଜାତୀୟ ସମ୍ପଦ ବୃଦ୍ଧି ପାଇଛି ଏବଂ ସେମାନେ କଳକାରଖାନା ଖୋଲିଥିବାରୁ ଓ ବାଣିଜ୍ୟକ୍ଷେତ୍ର ଖୋଲିଥିବାରୁ ହଜାର ହଜାର ଲୋକ ସେଠାରେ କାର୍ଯ୍ୟ କରି ନିଜର ଦାରିଦ୍ର୍ୟ ଅପନୋଦନ କରିପାରୁଛନ୍ତି। ଦେଶର ବଣିକ ଓ ଶିଳ୍ପପତିମାନେ ମଧ୍ୟ ଆଜି ବହୁ ସର୍ବସାଧାରଣ କାର୍ଯ୍ୟରେ ବିପୁଳ ପରିମାଣରେ ଆର୍ଥିକ ସାହାଯ୍ୟ କରିଥାନ୍ତି। ଖାଲି ସେତିକି ନୁହେଁ-ଗଣତନ୍ତ୍ର ଶାସନରେ ଯେଉଁ ଭୋଟ ରାଜନୀତି ଚାଲିଛି-ସେଥିରେ ମଧ୍ୟ ଆମର ରାଜନୈତିକ ନେତାମାନେ ଏହିସବୁ ଧନବାନ୍‌ ଶିଳ୍ପପତି ଓ ବଣିକମାନଙ୍କଠାରୁ ନିର୍ବାଚନରେ ଲଢ଼ିବା ପାଇଁ ପ୍ରଚୁର ଅର୍ଥ-ଚାନ୍ଦା ଆଦାୟ କରନ୍ତି।

ଦେଶର ଏପରି କୌଣସି ଦଳ ନାହିଁ ବା ଏପରି କେହି ରାଜନେତା ନାହାନ୍ତି-ଯେଉଁମାନେ କି ନିର୍ବାଚନରେ ଲଢ଼ିବା ପାଇଁ ଏମାନଙ୍କଠାରୁ ବିପୁଳ ଅର୍ଥ ଚାନ୍ଦା ଗ୍ରହଣ ନ କରନ୍ତି। ବର୍ତ୍ତମାନ ତ ଏହା ଏକ ବିଷଚକ୍ରରେ ପରିଣତ ହେଲାଣି। ଦେଶରେ ଯେଉଁ ପ୍ରକାର ଅସାଧୁତା, ଅନୀତି ଓ ଅନ୍ୟାୟ ବର୍ତ୍ତମାନ ଖୁବ୍‌ ବଢ଼ିଯାଇଛି ବୋଲି କୁହାଯାଉଛି-ତା’ର ମୂଳ କାରଣ ତ ଏଇଠି ରହିଛି। ଯେତେଦିନ ପର୍ଯ୍ୟନ୍ତ ଏହି ପ୍ରକାର ଗଣତନ୍ତ୍ର ଥିବ ଓ ଏହିପ୍ରକାର ନିର୍ବାଚନ ପଦ୍ଧତି ରହିଥିବ; ସେତେଦିନ ପର୍ଯ୍ୟନ୍ତ ଦେଶ ଏହି ବିଷ-ଚକ୍ର ଭିତରୁ ମୁକୁଳିପାରିବ ନାହିଁ।

କ୍ଷମତା ରାଜନୀତିରେ ମାତିଥିବା ନେତାମାନେ, ଦେଶର ବେପାରୀ ଓ ଶିଳ୍ପପତିମାନେ-ବର୍ତ୍ତମାନ ଉଭୟେ ଏହି ଗୋଟିଏ ବିଷ-ଚକ୍ର ଭିତରେ ହାତ ଧରାଧରି ହୋଇ ପଡ଼ିଛନ୍ତି ସେଥିରୁ ଆଉ କେହି କାହାକୁ ମୁକୁଳାଇ ପାରିବେ ନାହିଁ। ସେପରି ପରିସ୍ଥିତି ମଧ୍ୟ ଆଉ ବର୍ତ୍ତମାନ ନାହିଁ।

ଏହା ବର୍ତ୍ତମାନ ଏପରି ଏକ ଦୁରବସ୍ଥାକୁ ଆସିଗଲାଣି ଯେ, ଦେଶର ସୁସ୍ଥ ଓ ସାଧାରଣ ଅର୍ଥନୀତି ମଧ୍ୟ ଭୁଶୁଡ଼ି ପଡ଼ିଲାଣି। ଦେଶରେ ବର୍ତ୍ତମାନ ରାଷ୍ଟ୍ରୀୟ ଧନ ଅପେକ୍ଷା କଳାଧନର ପରିମାଣ ଯଥେଷ୍ଟ ବଢ଼ିଯାଇଛି ଓ ଏହି କଳାଧନ ହିଁ ବର୍ତ୍ତମାନ ଆମର ଅର୍ଥନୀତି ଓ ରାଜନୀତିକୁ ନିୟନ୍ତ୍ରଣ କରୁଛି। ଶେଷ କଥା ହେଲା-ଏହା ଆମର ସାମାଜିକ ବ୍ୟବସ୍ଥା ଓ ରାଜନୀତିକୁ ନିୟନ୍ତ୍ରଣ କରୁଛି। ଏହାଫଳରେ ଆମର ସାମାଜିକ ଓ ବ୍ୟକ୍ତିଗତ ନୈତିକତା ଛାଏଁ ଛାଏଁ ଚୁଲିକି ଗଲାଣି।

ଅବସ୍ଥା ଏପରି ହେଲାଣି ଯେ, ସାଧାରଣ ଲୋକଟିଏ ମଧ୍ୟ ଅଧିକ ଧନୀ ହେବା ଲାଗି ତା’ ନିଜ କ୍ଷେତ୍ରରେ କଳା-ଧନ ଉପାର୍ଜନ କରିବାରେ ଅଧିକ ତତ୍ପର ହୋଇପଡ଼ିଛି। ସମସ୍ତଙ୍କର ଗୋଟିଏ ବଦ୍ଧମୂଳ ଧାରଣା ହୋଇଗଲାଣି ଯେ, ସତ୍‌ ଉପାୟରେ ଧନ-ଅର୍ଜନ କରି କେହି ଧନୀ ହୋଇପାରିବ ନାହିଁ। ଏପରିକି ସାଧାରଣ ସୁଖ ସ୍ୱଚ୍ଛନ୍ଦରେ ମଧ୍ୟ ଆଜିକାଲି ବଜାରରେ ଚଳି ହେବ ନାହିଁ-ବଞ୍ଚି ହେବ ନାହିଁ। ତେଣୁ ଆଜିକାଲି ଚାକିରିଠାରୁ ଆରମ୍ଭ କରି ବଣିଜ ପର୍ଯ୍ୟନ୍ତ ସର୍ବତ୍ର ସମସ୍ତେ ଯେକୌଣସି ଉପାୟରେ କଳାଧନ ଉପାର୍ଜନ କରିବାରେ ଲାଗିପଡ଼ିଛନ୍ତି।

ବିଚିତ୍ର କଥା ଏହି ଯେ, ସବୁ ସରକାର କଳାବେପାରୀଙ୍କୁ ଜବତ କରିବାକୁ ଖୁବ୍‌ ଚେଷ୍ଟା ଚଳେଇଥାନ୍ତି। କିନ୍ତୁ ସେହି ସରକାରର ପ୍ରତ୍ୟେକ ନେତା ନିର୍ବାଚନ ଯୁଦ୍ଧରେ ଜୟଲାଭ କରିବା ପାଇଁ ଭୋଟବେଳେ ଏଇ କଳାଧନର ସାହାଯ୍ୟ ନେଇଥାନ୍ତି। କଳାଧନର ସାହାଯ୍ୟରେ କ୍ଷମତାକୁ ଆସି କଳାଧନ ରୋଜଗାର କରୁଥିବା ଅସାଧୁ ଅସାମାଜିକ ଲୋକଙ୍କୁ ଜବତ୍‌ କରିବାକୁ ବସିବା ଏକ ହାସ୍ୟକର ବ୍ୟାପାର। ଏହା ଅସମ୍ଭବ ନୁହେଁ କି?

ଦେଶ ସ୍ୱାଧୀନ ହେଲା ପରଠାରୁ ସ୍ୱାଧୀନ ସରକାରମାନେ ଦେଶରୁ ଦାରିଦ୍ର୍ୟ ହଟାଇବା ପାଇଁ ଦରିଦ୍ର ଲୋକଙ୍କ ପାଇଁ ଧନ-ଉପାର୍ଜନର ବହୁ ଧନ୍ଦା ସୃଷ୍ଟି କରିଛନ୍ତି। କିନ୍ତୁ ସେ ସବୁ ଧନ୍ଦା କରି କେହି ଧନୀ ହୋଇପାରିବ ନାହିଁ। ଧନୀ ହେବା ପାଇଁ ବା ରାତାରାତି ଧନୀ ହେବା ପାଇଁ ଦେଶରେ ଅନ୍ୟସବୁ ଧନ୍ଦା ସୃଷ୍ଟି ହୋଇଯାଇଛି।
-୦-
ଲେଖକଙ୍କ ଦ୍ୱାରା ଏହି ଲେଖାଟି ଦୈନିକ ସମ୍ବାଦପତ୍ର-ଧରିତ୍ରୀରେ ଏକ ସ୍ତମ୍ଭ ଆକାରରେ ପ୍ରାୟ ୩୨ ବର୍ଷ ପୂର୍ବେ ପ୍ରକାଶିତ ହୋଇଥିଲେ ମଧ୍ୟ ଏହି ଲେଖାର ପ୍ରାସଙ୍ଗିକତା ସାମ୍ପ୍ରତିକ ସମୟରେ ରହିଛି।

ପାଠକୀୟ ଆଦୃତି

297 ଦୃଷ୍ଟି ଆକର୍ଷଣ
ମତାମତ ସଂଖ୍ୟା

ତୁଣ୍ଡ ବାଇଦ

୰ ମହାପାତ୍ର ନୀଳମଣି ସାହୁ

ମହାପାତ୍ର ନୀଳମଣି ସାହୁ (୧୯୨୬-୨୦୧୬) ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଜଣେ ପ୍ରବୀଣ ସାରସ୍ବତ ସାଧକ। ସେ ଗଳ୍ପ, ଉପନ୍ୟାସ, କବିତା, ପ୍ରବନ୍ଧ, ରମ୍ୟରଚନା, ଫିଚର, ଶିଶୁ ସାହିତ୍ୟ, ଅନୁବାଦ ଆଦି ସବୁ ବିଭାଗରେ ନିଜର ସିଦ୍ଧହସ୍ତତା ପ୍ରମାଣିତ କରିଛନ୍ତି।

ତାଙ୍କର ଅମର କୃତି ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ସାରଳା ପରୁସ୍କାର ଓ ଭାରତୀୟ ଭାଷା ପରିଷଦ ପକ୍ଷରୁ କୋଣାର୍କ ପୁରସ୍କାର ସମେତ ବହୁ ପୁରସ୍କାର ଓ ସମ୍ମାନ ଦ୍ୱାରା ସମ୍ବର୍ଦ୍ଧିତ ହୋଇଛିନ୍ତି। ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧ ଯେଉଁ କେତେଜଣ ପ୍ରତିଭାଶାଳୀ କଥାଶିଳ୍ପୀ ଆମ କଥା ସାହିତ୍ୟକୁ ରୁଦ୍ଧିମନ୍ତ କରିଛନ୍ତି, ସେମାନଙ୍କ ମଧ୍ୟରେ ମହାପାତ୍ର ନୀଳମଣି ସାହୁ ଅନ୍ୟତମ।

ତାଙ୍କ ରଚିତ ଗଳ୍ପ ସଙ୍କଳନ ମଧ୍ୟରେ-‘ପ୍ରେମ ତ୍ରିଭୁଜ’, ‘ମିଛ ବାଘ’, ‘ସୁମିତ୍ରାର ହସ’, ‘ଅନ୍ଧରାତିର ସୂର୍ଯ୍ୟ’, ‘ଆକାଶ-ପାତାଳ’, ‘ଅଭିସପ୍ତ ଗନ୍ଧର୍ବ୍’, ‘ଲୌକିକ ଆଲୌକିକ’, ‘ବାବା ଡହରାନନ୍ଦଙ୍କ ଅଭିନବ ପ୍ରବଚନମାଳା’ ଆଦି ଅନ୍ୟତମ। ସେହିଭଳି ତାଙ୍କ ରଚିତ ଉପନ୍ୟାସ ମଧ୍ୟରେ ‘ଧରା ଓ ଧାରା’, ‘ତାମସୀ ରାଧା’ ଓ ‘ହଂସ ମିଥୁନ’ ଆଦି ଅନ୍ୟତମ। ତାଙ୍କ ରଚିତ କବିତା ସଙ୍କଳନ ମଧ୍ୟରେ ‘କିଛି କବିତା, କିଛି କବିତା ଭଳି’, ‘କବିତା ନୁହେଁ, କବିତା ଭଳି’ ଆଦି ଅନ୍ୟତମ।

ଏହା ସହିତ ସେ ‘ଝଙ୍କାର’ ଏବଂ ‘ଉତ୍କଳ ପ୍ରସଙ୍ଗ’ ଆଦି ପତ୍ରିକା ସମ୍ପାଦନା କରିବା ସହିତ ଅନେକ ଆଲୋଚନା ସାହିତ୍ୟ ଏବଂ ବିଭିନ୍ନ ପ୍ରତିଷ୍ଠିତ ଓଡ଼ିଆ ସମ୍ବାଦପତ୍ରରେ ନିୟମିତ ସ୍ତମ୍ଭ ରଚନା ମଧ୍ୟ କରିଥିଲେ।

କ୍ରମେ ସବିଶେଷ →
ଆଉ କେତୋଟି ସଂଗ୍ରହ

ଅନ୍ଧାରୁଆ

ବେକରେ ହାଡ଼ ବାନ୍ଧିଲା। ଦାନ୍ତରେ ତିରଣ ଦେଲା। ଜିଭ ଥାଉ ଥାଉ ଖନା ହୋଇ ପହଲି ପଧାନ ବାରଦୁଆର ଶୁଣ୍ଢିପିଣ୍ଡା ବୁଲି ଖପରା ପତେଇଲା।

-: ପାଠକୀୟ ମତାମତ :-

 ଏହି ୱେବ୍‌ସ୍ଥଳୀରେ ଓଡ଼ିଆରେ କିପରି ଲେଖିବେ!
ଏହି ପୃଷ୍ଠାର ଶୀର୍ଷ ଭାଗରେ ଦିଆଯାଇଥିବା <ଫୋନେଟିକ୍ ବା ଅନ୍ୟ କି-ବୋର୍ଡ୍ > ଚୟନକରି ଓଡ଼ିଆରେ ଟାଇପ୍ କରନ୍ତୁ। ସେଥି ମଧ୍ୟରୁ ଫୋନେଟିକ୍ କି-ବୋର୍ଡ୍ ରେ ଟାଇପ୍ କରିବା ଖୁବ୍ ସହଜ। ପ୍ରଦତ୍ତ Inscript ଓ Modular କି-ବୋର୍ଡ୍ ଅଭିଜ୍ଞ ବ୍ୟକ୍ତିଙ୍କ ନିମନ୍ତେ ପ୍ରଯୁଜ୍ୟ। ଓଡ଼ିଆରେ ଟାଇପ୍ କରିବା ପାଇଁ, ଏହି ୱେବ୍‌ସ୍ଥଳୀରେ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ।

ଇଂରାଜୀରୁ-ଓଡ଼ିଆରେ କିପରି ଟାଇପ୍ କରିବେ, ନିମ୍ନ ମାର୍ଗଦର୍ଶିକା ଇ-ପୁସ୍ତିକାରେ ସବିଶେଷ ସୂଚନା ଦିଆଯାଇଛି (୩ଟି ପ୍ରକାର ଓଡ଼ିଆ କି-ବୋର୍ଡ୍ ଅନୁଯାୟୀ)।

F12 (କିମ୍ବା Fn + F12) ବୋତାମ୍‌ ଟିପି, ଇଂରାଜୀ ଓ ଓଡ଼ିଆ କି-ବୋର୍ଡ୍ ମଧ୍ୟରେ ଅଦଳବଦଳ କରିପାରିବେ।

ଆପଣଙ୍କ ନାମ *

ଇ-ମେଲ୍ *

ସହର ଓ ରାଜ୍ୟ/ଦେଶର ନାମ *

ଉପରୋକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

ads
ବ୍ୟଙ୍ଗ ରଚନା
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP