ଶ୍ରୀକୃଷ୍ଣ ଶ୍ରୀମୁଖର ବାଣୀ
ଶୁଣିଲେ ରାଧା ଠାକୁରାଣୀ॥

ସେ ପ୍ରେମ ଗଦଗଦ ମନ
ପ୍ରଭୁକୁ କରି ଆଲିଙ୍ଗନ॥

ଭୋ ପ୍ରଭୁ ନିସ୍ତରିଲି ମୁହିଁ
ଆବର କହ ଭାବଗ୍ରାହୀ॥

ପୂର୍ବ ଜନ୍ମର ଯଥାମତ
ମୋ ଆଗେ କହିବ ସମସ୍ତ॥

ହେ ପଦ୍ମନେତ୍ର ଗଦାଧର
କହ ସଂଶୟ ଯାଉ ଦୂର॥

କହନ୍ତି ଦେବ ନାରାୟଣ
ଭୋ ସଖି ସାବଧାନେ ଶୁଣ॥

ପୂର୍ବର କଥା ବିଧିମାନ
ଯାହା ତୁ କଲୁ ପରଶନ॥

ୟେବେ ସେ କହିବା ଗୁପତ
ଆମ୍ଭ ଜନମ କାଳ ତତ୍ତ୍ୱ॥

ଓଁ କାର ପରେ ଦେବୀ ଥିଲେ
ମନେ ଏମନ୍ତ ବିଚାରିଲେ॥

କାହୁଁ ମୁଁ ହୋଇଲି ଜନମ
ଦଶଦିଗ ତ ଦେଖି ଶୂନ୍ୟ॥

ଶୂନ୍ୟ ମଣ୍ଡଳେ ଲୟ କଲା
ଜ୍ୟୋତି ସେ ମଣ୍ଡଳ ଦେଖିଲା॥

ଜ୍ୟୋତି ଉପରେ ଅଗ୍ନି ଜାଣି
ଅଗ୍ନି ଉପରେ ହିମ ପୁଣି॥

ହିମ ଉପରେ ବିନ୍ଦୁ ଥିଲା
ସେ ଶୂନ୍ୟ ବ୍ରହ୍ମକୁ ଦେଖିଲା॥

ତା ଦେଖି କୃତାଞ୍ଜଳି କରି
ମୋର ରୂପକୁ ମନେ ଧରି॥

କରନ୍ତେ ଯୋଗମାୟା ଧ୍ୟାନ
ଶୂନ୍ୟେ ମୋ ଲମ୍ବିଲା ଆସନ॥

ଶୂନ୍ୟରୁ ମହାରସ ଝଡ଼ି
ତାର ଆଞ୍ଜୁଳି ମଧ୍ୟେ ପଡ଼ି॥

ଊର୍ମ ଧୂର୍ମ ଯେ ଜ୍ୟୋତି ଜ୍ୱାଳା
ଶୂନ୍ୟରେ ଥିଲେ ଚାରିକଳା॥

ସେ ଚାରିକଳା ରସେ ମିଶି
ସୁଗନ୍ଧ ସୁଶୀତଳ ବାସୀ॥

ବେନି ହସ୍ତରେ ସେ ଅଞ୍ଜୁଳି
ଧଇଲା ଯୋଗମାୟା ତୋଳି॥

ବେନି ହସ୍ତରେ ତାହା ଗ୍ରାସି
ବେନି ଭାଗରେ ଗର୍ଭେ ପଶି॥

ତା ଗର୍ଭେ ସମ୍ଭୂତ ହୋଇଲେ
ଅଣ୍ଡ ଯେ ଗର୍ଭେ ପ୍ରକାଶିଲେ॥

ବାମ ହସ୍ତର ଭାଗ ସ୍ତିରୀ
ଡାହାଣେ ପୁରୁଷ ସଞ୍ଚରି॥

ବାଳକ ବାଳକୀ ହୋଇଲେ
ସେ ଆଦିରୂପ ପ୍ରକାଶିଲେ॥

ଗର୍ଭେ ରହିଲେ ଅଣ୍ଡ ଦୁଇ
ସେ ଯୋଗମାୟା ନ ଜାଣଇ॥

ୟେମନ୍ତେ କେତେ କାଳ ଗଲା
ଗର୍ଭକୁ ଗୁରୁତା ଲାଗିଲା॥

ସେ ଯୋଗମାୟା ବିଚାରଇ
ଗର୍ଭେ ମୋ କିବା ଅଛଇ॥

ୟେମନ୍ତ ବୋଲି ଦିନକର
ଚାପିଲା ଆପଣା ଉଦର॥

ହସ୍ତକୁ କର୍କଶ ଲାଗିଲା
ନିଗୂଢ଼ ବନ୍ଧେ ତା ଚାପିଲା॥

ବାଳକ କୋମଳାଙ୍ଗ ଦେହୀ
ପଡ଼ି ହୋଇଲା ଏକଦେହୀ॥

ଏକ ସ୍ୱରୂପ ପ୍ରାୟେ ପଡ଼ି
ପିଣ୍ଡରୁ ପ୍ରାଣ ଗଲା ଛାଡ଼ି॥

-୦-
ଉକ୍ତ କବିତାଟି ବୁକ୍‌ସ ଆଣ୍ଡ୍‌ ବୁକ୍‌ସ ଦ୍ୱାରା ୧୯୯୪ ମସିହାରେ ପ୍ରକାଶିତ ତଥା ଡକ୍ଟର ପ୍ରଦୀପ୍ତ କୁମାର ପଣ୍ଡାଙ୍କ ଦ୍ୱାରା ସମ୍ପାଦିତ ଯଶୋବନ୍ତ ଦାସଙ୍କ ‘ପ୍ରେମଭକ୍ତି ବ୍ରହ୍ମଗୀତା’ ସଙ୍କଳନର ଦ୍ୱିତୀୟ ଅଧ୍ୟାୟର ଶ୍ରୀରାଧା-ଶ୍ରୀକୃଷ୍ଣ ସମ୍ବାଦ ପ୍ରସଙ୍ଗରୁ ସଂଗୃହୀତ।

ପଞ୍ଚଶଖା ଯୁଗର କବି ଯଶୋବନ୍ତ ଦାସଙ୍କ ରଚିତ ବିଭିନ୍ନ ସଙ୍କଳନ ମଧ୍ୟରୁ ‘ପ୍ରେମଭକ୍ତି ବ୍ରହ୍ମଗୀତା’ ଏକ ସ୍ୱତନ୍ତ୍ର ପୁସ୍ତକ। ଏଥିରେ ଓଡ଼ିଆ ଭାଗବତ ଭଳି ନବାକ୍ଷରୀ ଛାନ୍ଦରେ ସରଳ ଭାଷା ମାଧ୍ୟମରେ ଭକ୍ତିଭାବ ଧାରାକୁ ନେଇ କୃଷ୍ଣ-ଅର୍ଜୁନ ଏବଂ ଶ୍ରୀରାଧା-ଶ୍ରୀକୃଷ୍ଣଙ୍କ ସମ୍ବାଦ ବର୍ଣ୍ଣନା କରାଯାଇଛି।