କହଇ ମନ ଆରେ ମୋ ବୋଲ କର
କଳା ଶ୍ରୀମୁଖ ବାରେ ଦେଖିବା ଚାଲରେ
କେତେ ଦିନକୁ ମନ ବାନ୍ଧିଛୁ ଆଣ୍ଟ
କି ଘେନି ଯିବୁ ତୋର ଛୁଟିଲେ ଘଟ ରେ॥ ୧॥

ଖଣ୍ଡି ଯେ ଖଣ୍ଡି ତୋର ପଞ୍ଜରା କାଠି
ଖାଉଣ ଥିବେ ଶ୍ୱାନ ଶୃଗାଳ ବାଣ୍ଟିରେ
ଖଟ ପଲଙ୍କେ ମନ ଶେଯାଇ ଶୋଉ
ଖଳ ଦୁର୍ଗନ୍ଧ ହେବ ଏ ତୋର ଦେହୁରେ॥ ୨॥

ଗଲେଣି ତୋ ସଙ୍ଗରୁ ଯେତେକ ଜନ
ଗଣ୍ଠିରେ ବାନ୍ଧି ନେଲେ କେ କେତେ ଧନରେ
ଗୁରୁ ଗୋବିନ୍ଦ ନାମ ତୁଣ୍ଡେ ନ ବୋଲୁ
ଗାଢ଼େ ମଜ୍ଜିଣ ନିତ୍ୟେ ଧନ ଅର୍ଜିଲୁ ରେ॥ ୩॥

ଘର ବୋଲି ଅର୍ଜିଛୁ ଯେତେ ପଦାର୍ଥ
ଘଟ ଛୁଟିଲେ ତୋତେ ବୋଲିବେ ଭୂତ ରେ
ଘର ଘରଣୀ ଦେହ କିଳାଉ ଥିବା
ଘେନି ଜ୍ଞାତି କୁଟୁମ୍ବ ଶୁଦ୍ଧ ହୋଇବ ରେ॥ ୪॥
ଉଦ୍ଧାର ହେବୁ ଯେବେ ଭବସାଗରୁ
ଉପାୟ କରି ଏବେ ଉଚ୍ଚ ଶ୍ରୀଗୁରୁ ରେ
ଉଣା ହେଉଛି ଦିନୁଁ ଦିନ ଆୟୁଷ
ଆଉ ଏଣିକି ଅଛି କେତେ ବୟସ ରେ॥ ୫॥

ଚିତ୍ର ପ୍ରତିମା ପ୍ରାୟେ ଦିଶୁ ସୁନ୍ଦର
ଚିରି ଭିତର ଦେଖ କି ନାରଖାରରେ
ଚର୍ମ ଘେରିଛି ସିନା ଚଉରାଶିକି
ଚିତ୍ତ ତୁ ଦିଅ ନୀଳଗିରି ବାସୀଙ୍କି ରେ॥ ୬॥

ଛାର ଦେହକୁ ମନ କରୁ ତୁ ସଜ
ଛନ୍ଦ କପଟ ତେଜି ଗୋବିନ୍ଦ ଭଜ ରେ
ଛୁଇଁବେ ନାହିଁ ତୋତେ ବୋଲିବେ ମଡ଼ା
ଛ’ ଖଣ୍ଡ କାଠ ତୋର ହୋଇବ ଲୋଡ଼ା ରେ॥ ୭॥

ଯମ ଯେ ନ ଜାଣଇଁ ବାଳୁତ ଯୁବା
ଜୀଇବୁ ବୋଲି ମନ କରିଛୁ ଅବାରେ
ଜଣେ ହେଁ ଏଥି କେହିଁ ନାହିଁ ଅମର
ଜଗନ୍ନାଥଙ୍କୁ ଭଜ ହେବୁ ଉଦ୍ଧାର ରେ॥ ୮॥

ଝୋଲା କନ୍ଥା ପାଛୋଡ଼ା ପିନ୍ଧାକୁ ରସୁ
ଝାଡ଼ ସଂସାରେ ମନ ଝସାଇ ପଶୁରେ
ଝୁଣ୍ଟି ପଡ଼ିଲେ ଉଠି ପାରିବୁ ନାହିଁ
ଝଡ଼ିଲା ପତ୍ର ବୃକ୍ଷେ ଲାଗିଛି କାହିଁ ରେ॥ ୯॥

ନିଶି ଦିବସେ ଥୟ ନୋହୁ ନା ମନ
ନିଦ୍ରାରେ ଦେଖୁଅଛୁ ଯଥା ସପନରେ
ନ ଯିବେ ସଙ୍ଗେ କେହି ଯିବୁ ତୁ ଏକା
ନାମମାତ୍ର ଅଟଇ ପଥକୁ ସଖା ରେ॥ ୧୦॥
-୦-
ଉକ୍ତ କବିତାଟି ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ୨୦୨୨ ମସିହାରେ ପ୍ରକାଶିତ ‘ଶ୍ରୀଜଗନ୍ନାଥ ଭଜନ ଜଣାଣ ଓ ଚଉତିଶା’ ପୁସ୍ତକରୁ ସଂଗୃହୀତ।