କାଳିଆ କି ମନ୍ତ୍ର ଜାଣେ ଗୋ ସଙ୍ଗାତ
କାଳିଆ କି ମନ୍ତ୍ର ଜାଣେ
ଲୁହା ତରବାରି ଶାଣ ଦେଲାପରି
ନ ମାରି ମରମେ ହାଣେ ଗୋ। ।୧।
ଭଲା ମୁଁ ବରତି ଅଇଲି ଗୋ ଦୂତି
ମରିଯାଇଥାନ୍ତି ପ୍ରାଣେ
ଯାହା କଲା ମୋତେ ସେ ଶ୍ୟାମ ନାଗର
ମୁଁ ଜାଣେ ମୋ ମନ ଜାଣେ ଗୋ। ।୨।
ନ ଦେଇଣ ଧନ କିଣେ ସେ ଯୌବନ
ମୋର ମନକୁ ସେ ଜାଣେ
ୟାଙ୍କ ପରି ସଖୀ ପଣେ କି କରିବେ
କାଳିଆ ପରି ସେ ଜଣେ ଗୋ। ।୩।
ଯମୁନା କୂଳରେ କଦମ୍ବ ମୂଳରେ
ବସିଥାଇ ଅନୁକ୍ଷଣେ
ଯମୁନା କୂଳକୁ ପାଣି ପାଇଁ ଗଲେ
ପଣତ ଧରିଣ ଟାଣେ ଗୋ। ।୪।
ଶ୍ରୀ ନନ୍ଦ ନନ୍ଦନ ସେ ବଂଶୀ ବଦନ
ମନରୁ ନଯାଏ କ୍ଷଣେ
କାଳିଆ ଚରଣେ ଚିତ୍ତ ମୋର ରହୁ
ଦୀନ ଅଭିମନ୍ୟୁ ଭଣେ ଗୋ। ।୫।
-୦-
ଏହି କବିତାଟି ଅଭିମନ୍ୟୁ ସ୍ମୃତି ସଂସଦ, ଭୁବନେଶ୍ୱର ପକ୍ଷରୁ ୧୯୮୬ ମସିହାରେ ପ୍ରକାଶିତ ‘ଅଭିମନ୍ୟୁଙ୍କ ଗୀତି କବିତା’ ପୁସ୍ତକରୁ ସଂଗୃହୀତ।
୰ ଅଭିମନ୍ୟୁ ସାମନ୍ତସିଂହାର
ବିଦଗ୍ଧ କବିଭାବେ ପରିଚିତ ଅଭିମନ୍ୟୁ ସାମନ୍ତସିଂହାର (୧୭୫୭-୧୮୦୬) ଜମିଦାର ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ଶ୍ରୀକୃଷ୍ଣ ଓ ରାଧାଙ୍କ ପ୍ରତି ପ୍ରେମ ଓ ଭକ୍ତିଭାବମୂଳକ କବିତା ଓ କାବ୍ୟ ରଚନା ନିମନ୍ତେ ପରିଚିତ। ତାଙ୍କ ରଚିତ ଓ ବହୁ ପଠିତ ତଥା ୯୬ ଛାନ୍ଦ ବିଶିଷ୍ଟ ତଥା ରାଧାକୃଷ୍ଣଙ୍କ ପ୍ରେମଲୀଳା ସମ୍ବଳିତ ଚାରୁକାବ୍ୟ ହେଉଛି ‘ବିଦଗ୍ଧ ଚିନ୍ତାମଣି’।
ଏହା ସହିତ ତାଙ୍କ ରଚିତ କାବ୍ୟ ମଧ୍ୟରେ ରହିଛି ‘ପ୍ରେମ ଚିନ୍ତାମଣି’, ‘ପ୍ରେମକଳା’, ‘ରସବତୀ’ ଓ ‘ସୁଲକ୍ଷଣା’ ଆଦି। ବିଶିଷ୍ଟ ବୈଷ୍ଣବ କବି ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମାଙ୍କଠାରୁ ଦୀକ୍ଷା ଗ୍ରହଣ କରି କବି ଅଭିମନ୍ୟୁ ରାଧାକୃଷ୍ଣ ଲୀଳାତ୍ମକ କାବ୍ୟ କବିତା ରଚନା କରିଯାଇଛନ୍ତି। କାବ୍ୟଯୁଗର ପରମ୍ପରାରେ କବି ଅଭିମନ୍ୟୁ ବିଭିନ୍ନ ରସ ଓ ଅଳଙ୍କାର ଯୋଗ କରି ରଚନା କରିଥିବା କାବ୍ୟ ଓ କବିତାଗୁଡ଼ିକ ପାଠକମାନଙ୍କ ଦ୍ୱାରା ବେଶ୍ ଆଦୃତ ହୋଇଥିଲା।
ସ୍ୱର୍ଗତ ଅଭିମନ୍ୟୁ ମଞ୍ଜରୀ ଭାବର ଉପାସକ ହେବା ସହ କିଛି ମାତ୍ରାରେ ଉପେନ୍ଦ୍ର ଭଞ୍ଜଙ୍କ ରଚନା ଦ୍ୱାରା ପ୍ରଭାବିତ ହେବା ସହ ମହାଭାରତର କଥାବସ୍ତୁ ଆଧାରରେ ରଚନା କରିଛନ୍ତି ‘ସୁଲକ୍ଷଣା’।
କ୍ରମେ ସବିଶେଷ →