(ତାଳ-ଆଡ଼ଖେମଟା)
ମୁଁ ଯେ ଭାଷୁଛି, ଦିବ୍ୟଚିତ୍ତକୁ କେମନ୍ତ ଆସୁଛି।
ବାଞ୍ଛାନିଧିଙ୍କି ବିକି ହେଲା ଉତ୍ତାରୁ
ଅଦୃଷ୍ଟ ଦୃଷ୍ଟତ ନାଶୁଛି। ।ପଦ।
ପରମାନନ୍ଦ ଶ୍ରୀମୁଖ ଦେଖି ମନ
ଆନ ଛାରକୁ କି ରସୁଛି।
ଏଡ଼େ ଅମୃତ ବୃଷ୍ଟି ଦୃଷ୍ଟି ପ୍ରାନ୍ତକୁ
ବିଷ ବିନ୍ଦୁ ଛାର ମିଶୁଛି। ।୧।
ପତିତପାବନ ବାନା ଉଡ଼ିବାରୁ
ଚାହିଁ ମୋ ଗୁମାନ ବସୁଛି।
ମୋ ଆରତ ଦେଖି ନ ପାରି ଉପେକ୍ଷି
ବଳେ ପୁଣି ପୁଣି ନାଶୁଛି। ।୨।
କବଳ କରିବା ଆଶେ ମୋ ଆକୁଳ
ବେଳକୁ ବେଳ ଭରସୁଛି।
ଛାର ଦୁର୍ବଳ ଦିଶା ହୋଇ ପ୍ରବଳ
ବେଳକୁ ବେଳ ପ୍ରବଳୁଛି। ।୩।
ମାନସରେ ଅନୁସରି ହରଷରେ
ଚିନ୍ତାମଣି ନାମ ଘୋଷୁଛି।
ଚିନ୍ତାମଣି ଏବେ ଚିନ୍ତାରେ ବୁଡ଼ିଲି
ସଂସାରକୁ ଏକ ଦିଶୁଛି। ।୪।
ଯେଉଁ ପ୍ରଭୁର ଭୃତ୍ୟ ପଛେ ଥିବାର
ଲୋକ ଡାକି ଲୋକ ପୋଶୁଛି।
ସେ ପ୍ରଭୁ ଆଶ୍ରେ କରି ଦୀନକୃଷ୍ଣର
ଦୁଃଖ କିମ୍ପା ଘୋଟି ଆସୁଛି। ।୫।
-୦-
ଉକ୍ତ କବିତାଟି ବୁକ୍ସ୍ ଆଣ୍ଡ୍ ବୁକ୍ସ ସଂସ୍ଥା ପକ୍ଷରୁ ଡଃ ଜାନକୀ ବଲ୍ଲଭ ମହାନ୍ତିଙ୍କ ସମ୍ପାଦନାରେ ୧୯୮୦ ମସିହାରେ ପ୍ରକାଶିତ ‘ଦୀନକୃଷ୍ଣ ଗୀତାବଳୀ’ ପୁସ୍ତକରୁ ସଂଗୃହୀତ।