ବିଷ୍ଣୁଚନ୍ଦ୍ରର ନନ୍ଦନ ହେଲା ରିପୁଚନ୍ଦ୍ର
ତାହାଠାରୁ ଉତପନ୍ନ ଶ୍ରୀ ଗୋବିନ୍ଦଚନ୍ଦ୍ର॥

ମହାପରତାପ ରାଜା ବଳେ ବଳିୟାର
ତିନିକ୍ରୋଶ ଆୟତନ କଟକ ତାହାର॥

ତିନିପୁର କଙ୍ଗୁଲା ଯେ ପଥର ପାଚେରୀ
ତିନିତାଳ ବିଳାସ ଖଣାଜରି॥

ଜଗତୀ ଅଟ୍ଟାଳୀ ମେଢ଼ ମଣ୍ଡପ ନବର
ଉପମା ଶଙ୍କୁଆ ତାଳ ଭିତରେ ହିନ୍ଦୁଳ॥

ଚନ୍ଦ୍ରଶାଳା ପୁରେ ଦୃଶ୍ୟ ମନ୍ଦିର ଉପମା
ଅଷ୍ଟରତ୍ନ ମିଶାଇ ଗଢ଼ିଲା ବିଶ୍ୱକର୍ମା॥

କୂପ ତଡ଼ାଗ ଅନେକ ବାମ୍ପୀ ସରୋବର
ଗଭୀର ସ୍ୱସ୍ୱାଦୁ ଜଳ ଅତି ପରିମଳ॥

ମେଲା କାଠଘରମାନ ଅତି ବିତପନ
ଶଏ ବଖରାରେ ପୋଷା ପକ୍ଷୀଗଣମାନ॥

ବସନ୍ତ କାବେରୀ ଯେ ଆବର ରାଜହଂସ
ଚକୁଆ ଚକୋର ବଗ ସଞ୍ଚାଣ ସାରସ॥

x x x x x

ନବଲକ୍ଷ ଅଙ୍ଗବଳ ତେରଲକ୍ଷ ହସ୍ତୀ
ଷୋଳଶତ ତୁରଙ୍ଗମି ଓଟ ଶତେ ଶନ୍ତି॥

ଅତି ପରିମଳ ରାଜା ପଟନ୍ତର ନାହିଁ।
ବଙ୍ଗମତୀ ନଦୀତୀରେ ନବର ବସଇ॥

ଅବସନ୍ତେ ବସନ୍ତ ବହଇ ନିରନ୍ତର
ବିଦ୍ୟାଧର ପ୍ରାଏ ତହିଁ ପୁରୁଷେ ସୁନ୍ଦର॥

ରୋଗ ଶୋକ ଚିନ୍ତା ନାହିଁ ଅଚିନ୍ତା ରାଜନ
ଜନ ପ୍ରଜାମାନ ପାଳେ କୁବେର ସମାନ॥

ବାଟିକେ ଚିନାଏ କର ଭିଆଣ ପ୍ରମାଣ
କର ଶୁଝି ପ୍ରଜାଏ ଅର୍ଜନ୍ତି କୋଟି ଧନ॥

ଖଣି ମରାଇ ବହୁତ ଅତେ ଧାନଘର
ଖାଇ ବୋହି ନ ସରଇ ଅତି ଅଗୋଚର॥

x x x x x

ତୁ ମହାଗୁରୁଙ୍କୁ ସେବା କରୁନାହୁଁ ବାବୁ
ନାମବ୍ରହ୍ମ ଶୁଣିଥିଲେ କାରଣ ପାଇବୁ॥

ତାରଇ ମାରଇ ଗୁରୁ ବଚନ ପ୍ରମାଣ
ପିତା ମାତା ଠାରୁ ଗୁରୁ ବଡ଼ ବୋଲି ଜାଣ॥

ମନ ଦୃଢ଼କରି ଖଟ ଶ୍ରୀଗୁରୁଚରଣ
ତେବେ ସିନା ବଳାରେ ତୁ ପାଇବୁ କାରଣ॥

ଶିଷ୍ୟ ହୋଇ ଗୁରୁଠାରେ ଯେବେ ଅବିଶ୍ୱାସୀ
ଦୁଇକୁଳ ଅଲଗା ମଧ୍ୟରେ ଭେଳା ଭାସି॥

କୋଟିଏ ହିରଣ୍ୟ ଦାନ ଦେଲେ ଧର୍ମ ଯେତେ
ଗୁରୁପାଦ ରଜୁ ଧୂଳି ଘେନୁଥିବୁ ନିତ୍ୟେ॥

ଅଷ୍ଟରତ୍ନ ଗୋଧନାଦି ଦାନ ଯେତେ ଦେବା
କେବେହେଁ ଗୁରୁଙ୍କୁ ତିଳେ ଶୁଝି ନ ପାରିବା॥

ପ୍ରାତକାଳୁଁ ଗୁରୁପାଦ ପଖାଳିବୁ ଜଳେ
ଥୋକାଏ ଭକ୍ଷିଣ ଥୋକେ ପକାଇବୁ ଶିରେ॥

ଗୁରୁ ଯାହା କହିବେ ଘେନିବୁ ଦୃଢ଼କରି
ତିରଣ ଜାଳି ହୋଇବ ଯେହ୍ନେ ମେରୁଗିରି॥
-୦-
ଉକ୍ତ କବିତାଟି ସନ୍ନ୍ୟାସୀ ପୁସ୍ତକାଳୟ ଦ୍ୱାରା ପ୍ରକାଶିତ ଯଶୋବନ୍ତ ଦାସଙ୍କ ରଚିତ ‘ଗୋବିନ୍ଦ ଚନ୍ଦ୍ର’ କାବ୍ୟରୁ ସଂଗୃହୀତ। ଏହି କାବ୍ୟରେ ସମସ୍ତ ଧନସମ୍ପଦ ଓ ସୁଖ ଆଦି ଥାଇ ସୁଦ୍ଧା ଜଣେ ରାଜପୁତ୍ର ନିଜ ଗୁରୁଙ୍କ ପ୍ରଭାବରେ ସନ୍ନ୍ୟାସୀ ହୋଇଥିବା ସମ୍ପର୍କରେ ସୁନ୍ଦରଭାବେ ବର୍ଣ୍ଣନା କରାଯାଇଛି।