ଗାଈ ଭୁଲା ଭୁଲାଇ ଲୋ,
ନିରତେ ବେଉସା ଖାଇ।
ଗାଈ ପଛେ ଯେବେ ଗଉଡ଼ ଥାଆନ୍ତା
ବେଉସା ଖାଆନ୍ତା ନାହିଁ।
ଗାଈର ମହିମା କି ଦେବି ଉପମା
ଗାଈର ଶୂନ୍ୟ ଗୁହାଳ।
ଗାଈ ପଛେ ପଛେ ପାଞ୍ଚଟି ବାଛୁରୀ
ସବା ଗାଈଟି ଦୁହାଁଳ।
ଗାଈ ଗୋଳ ଚେରୁ କ୍ଷୀର ଦେଉଅଛି
ନାହିଁ ତାହାର ସୁମାର
ସେହି କ୍ଷୀରକୁ ତୁ ମନ୍ଥିଲେ ନିଶ୍ଚୟ
ଲବଣୀ ହେବ ବାହାର।
ସେହି ଲବଣୀକୁ ଅଗ୍ନିରେ ରଖିଲେ
ତହୁଁ ବାହାରଇ ଘୃତ
ସେହି ଘୃତକୁ ତୁ ପାନୀୟ କରିଲେ
ଅଙ୍ଗ ହୁଏ ପୁଲକିତ
ଏପରି ଗାଈକି ଘରେ ବାନ୍ଧିଅଛୁ
ତୋହୋର କାହାକୁ ଭୟ
କହେ ଯଶୋବନ୍ତ ସେ ପାଦେ ଶରଣ
ଗାଈକି ସେ ପାଦେ ଶରଣ
ଗାଈକି ନାହିଁ ଉପାୟ।
-୦-
ଏହି କବିତାଟି ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ୧୯୮୪ ମସିହାରେ ପ୍ରକାଶିତ ‘ପ୍ରାଚୀନ ଓଡ଼ିଆ କବିତା’ ସଙ୍କଳନରୁ ସଂଗୃହୀତ।