ଦୟାମୟ କୃପାସିନ୍ଧୁ ପଦେ
ଲଗାଇଥିଲି ମୁଁ ମନ ଲୟ ହେ
ରଖିଥିଲି ଆଶା ଗୋପନ ବନ୍ଧୁତା
ଜାଣେ କନ୍ଦାଇଛ କେତେ ସିନ୍ଧୁସୂତା
କାଳକୁ ରହିଛି ଗୁଣ୍ଡିଚା କଥା
ଭାଳି ମନେ ନୁହେଁ ଥୟ ହେ॥୧॥
କରିବାକୁ ପ୍ରେମ ପୋଷିଥିଲି ମନେ
ଚନ୍ଦ୍ରାବଳୀ ଦଶା ପଡ଼ିଥିଲା ଧ୍ୟାନେ
ଭାଳେ ନିରନ୍ତର ମନ କଥା ମନେ
କେମନ୍ତେ ଦେବି ନିର୍ଭୟ॥୨॥
କପଟ ରଖି ଯେ ତୁମ୍ଭଙ୍କୁ ଜିତିବା
କେଉଁ ଭରସାରେ ପାଞ୍ଚିବି ମୁଁ ଅବା
ମନେପଡ଼େ ଅଭିମନ୍ୟୁ ଜୀବ ଯିବା
କେମନ୍ତେ କରିବି ଜୟ॥୩॥
ଘାରିବାକୁ ନିତି ଘୋର ଦୁଃଖ ଶୋକ
ହାରିବାରୁ ହୋଇ ନିରାଶ ଅଧିକ
କରିପାରିଛି ମୁଁ ଅନାଇ ଶ୍ରୀମୁଖ
ଯାହା ତୁମ୍ଭ ଅଭିପ୍ରାୟ॥୪॥
-୦-
ଉକ୍ତ କବିତାଟି ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ, କୀଡ଼ା ଓ ସଂସ୍କୃତି ନିର୍ଦ୍ଦେଶାଳୟ ଦ୍ୱାରା ୧୯୮୧ ମସିହାରେ ପ୍ରକାଶିତ ତଥା ଗୌରୀ କୁମାର ବ୍ରହ୍ମାଙ୍କ ଦ୍ୱାରା ସମ୍ପାଦିତ ‘ଅଭିମନ୍ୟୁ ସାମନ୍ତସିଂହାର ଗ୍ରନ୍ଥାବଳୀ ଭାଗ-୨’ର ଅଭିମନ୍ୟୁଙ୍କ କ୍ଷୁଦ୍ର ରଚନା ବିଭାଗରୁ ସଂଗୃହୀତ।
୰ ଅଭିମନ୍ୟୁ ସାମନ୍ତସିଂହାର
ବିଦଗ୍ଧ କବିଭାବେ ପରିଚିତ ଅଭିମନ୍ୟୁ ସାମନ୍ତସିଂହାର (୧୭୫୭-୧୮୦୬) ଜମିଦାର ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ଶ୍ରୀକୃଷ୍ଣ ଓ ରାଧାଙ୍କ ପ୍ରତି ପ୍ରେମ ଓ ଭକ୍ତିଭାବମୂଳକ କବିତା ଓ କାବ୍ୟ ରଚନା ନିମନ୍ତେ ପରିଚିତ। ତାଙ୍କ ରଚିତ ଓ ବହୁ ପଠିତ ତଥା ୯୬ ଛାନ୍ଦ ବିଶିଷ୍ଟ ତଥା ରାଧାକୃଷ୍ଣଙ୍କ ପ୍ରେମଲୀଳା ସମ୍ବଳିତ ଚାରୁକାବ୍ୟ ହେଉଛି ‘ବିଦଗ୍ଧ ଚିନ୍ତାମଣି’।
ଏହା ସହିତ ତାଙ୍କ ରଚିତ କାବ୍ୟ ମଧ୍ୟରେ ରହିଛି ‘ପ୍ରେମ ଚିନ୍ତାମଣି’, ‘ପ୍ରେମକଳା’, ‘ରସବତୀ’ ଓ ‘ସୁଲକ୍ଷଣା’ ଆଦି। ବିଶିଷ୍ଟ ବୈଷ୍ଣବ କବି ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମାଙ୍କଠାରୁ ଦୀକ୍ଷା ଗ୍ରହଣ କରି କବି ଅଭିମନ୍ୟୁ ରାଧାକୃଷ୍ଣ ଲୀଳାତ୍ମକ କାବ୍ୟ କବିତା ରଚନା କରିଯାଇଛନ୍ତି। କାବ୍ୟଯୁଗର ପରମ୍ପରାରେ କବି ଅଭିମନ୍ୟୁ ବିଭିନ୍ନ ରସ ଓ ଅଳଙ୍କାର ଯୋଗ କରି ରଚନା କରିଥିବା କାବ୍ୟ ଓ କବିତାଗୁଡ଼ିକ ପାଠକମାନଙ୍କ ଦ୍ୱାରା ବେଶ୍ ଆଦୃତ ହୋଇଥିଲା।
ସ୍ୱର୍ଗତ ଅଭିମନ୍ୟୁ ମଞ୍ଜରୀ ଭାବର ଉପାସକ ହେବା ସହ କିଛି ମାତ୍ରାରେ ଉପେନ୍ଦ୍ର ଭଞ୍ଜଙ୍କ ରଚନା ଦ୍ୱାରା ପ୍ରଭାବିତ ହେବା ସହ ମହାଭାରତର କଥାବସ୍ତୁ ଆଧାରରେ ରଚନା କରିଛନ୍ତି ‘ସୁଲକ୍ଷଣା’।
କ୍ରମେ ସବିଶେଷ →