(ତାଳ-ଆଡ଼ଖେମଟା)
ମଦନ-ମୋହନ ଗୋପୀନାଥ, ଗୋବିନ୍ଦେ ଚିତ୍ତ ମଜାରେ
ହଜାର ହଜାର ମଜାର ପାତକ, ବ୍ରଜ ବଜାରେ ହଜା ରେ। ।ପଦ।
ମାୟାରେ ପଡ଼ି ବାୟା ନ ହୁଅ, କାୟା ଯମୁନା ଜଳରେ ଧୁଅ
ଦାରା ସୁତ-ବିତ୍ତ ଛାଡ଼ି ସେବିତ, ବୃନ୍ଦା ବିପିନେ ଯାଆରେ। ।୧।
କୁଣ୍ଡ ଜମ୍ବାଳ ଜଳ ମୁଣ୍ଡରେ, ବସି ଘୋଷ ରାଧାକୃଷ୍ଣ ତୁଣ୍ଡରେ
ପିଣ୍ଡ କୃତାର୍ଥ କରି ଏ ସ୍ୱାର୍ଥ, ଫେର ଏ ବ୍ରଜ ବଜାରେ। ।୨।
ଧୀର ସମୀରେ ଶ୍ରମ ବିନାଶ, ଯମୁନା ଜଳରେ ମନକୁ ତୋଷ
ବ୍ରଜବାସୀ-ଦାସୀ ହେବି ବୋଲି ବ୍ରଜେ, ଜୟ ଡିଣ୍ଡିମ ବଜା ରେ। ।୩।
କର ମାଧୁକରୀ ଛାଡ଼ି ତୁ ଲଜ୍ଜା, ରୁଟି ମାଲପୁଆ ଖୁରୁମା ଗଜା
ଛିନ୍ନ କରି ମନ ସୁଖେ କର ପାନ, ମୋହନଭୋଗ ମଜା ରେ। ।୪।
କର ରାସସ୍ଥଳୀ ରଜ ସେବନ, ବନେ ବନେ ଫେରି ସେବ ସୁଜନ
କଥାମୃତ ପାନ କରି ତୋଷ ମନ, ଯମ ଦରଜ ହଜ ରେ। ।୫।
ଦୀନକୃଷ୍ଣ ଏ ରସରେ ଭାଷିତ, କେବଳ ଗୁରୁପାଦେ ମୁଁ ଆଶ୍ରିତ
ପରଚ ବରଜବାସୀ ସଙ୍ଗେ, ଶ୍ରୀବ୍ରଜ-ମଣ୍ଡଳେ ଯାଆ ରେ। ।୬।
(ଶବ୍ଦାର୍ଥ: ଜମ୍ବାଳ-ପଙ୍କ, ରଜ-ଧୂଳି)
-0-
ଉକ୍ତ କବିତାଟି ବୁକ୍ସ୍ ଆଣ୍ଡ୍ ବୁକ୍ସ ସଂସ୍ଥା ଦ୍ୱାରା ପ୍ରକାଶିତ ତଥା ଡଃ ଜାନକୀ ବଲ୍ଲଭ ମହାନ୍ତିଙ୍କ ସମ୍ପାଦନାରେ ୧୯୮୦ ମସିହାରେ ପ୍ରକାଶିତ ଦୀନକୃଷ୍ଣ ଗୀତାବଳୀ ପୁସ୍ତକରୁ ସଂଗୃହୀତ।