ଦୀନଜନ ବନ୍ଧୁ ଆରତ ତ୍ରାଣ
ଦଶ ଚାରି ଭୂବନର ଶରଣ
ଦିନକୁ ଦିନ ଦୁଃଖ ହେଲା ଭାରି,
ଦୀନଜନମାନେ ଛାଡ଼ିଲେ ହୁରି
ଦୟା ଏଣୁ ତେଜି, ଦାରୁଣ ହେଲ କି ଶ୍ରବଣ ବୁଜି।୧।
ଦେଇ ଦେଇ ହେଲା ଭଣ୍ଡାର ଶୂନ୍ୟ,
ଦୁଆର ନ ଛାଡ଼ିଲେ ଦୀନଜନ
ଦଇବେ ତ ଦୁଃଖୀ ହେଲେ ପ୍ରବଳ
ଦେବାକୁ ଯେଣୁ ନ ପାଇଲା ବଳ
ଦୟା ଏଣୁ ତେଜି , ଦାରୁଣ ହେଲ କି ଶ୍ରବଣ ବୁଜି।୨।
ଦ୍ରୋହ କଲ ବା କମଳା ନାରୀଙ୍କି
ହେଲେ ସେ ଭଣ୍ଡାର ଦ୍ୱାର ପାରିକି
ଦିନେ ତୁମ୍ଭଙ୍କୁ ନମିଳିଳା ବେଳେ,
ଦେବ କାହୁଁବା ମାଗିଲେ କବଳେ
ଦୟା ଏଣୁ ତେଜି, ଦାରୁଣ ହେଲ କି ଶ୍ରବଣ ବୁଜି।୩।
ଦୂରେ ଥାଇ ଗଜ ଡାକ ଶୁଣିଲ
ଦୁଷ୍ଟ କୁମ୍ଭୀରକୁ ଚକ୍ରେ ହାଣିଲ
ଦ୍ରୌପଦୀ ଆରତ ଫେଡିଲ ଯେଣୁ
ଦୁଃସହ ଭାରା ହେଲା ଅବା ତେଣୁ
ଦୟା ଏଣୁ ତେଜି, ଦାରୁଣ ହେଲ କି ଶ୍ରବଣ ବୁଜି।୪।
ଦ୍ୱିସପ୍ତ ଲୋକରେ ମୋ ପରି ଯେଣୁ
ଦୁଃଖୀ ନ ଦେଖି ଭୟ କଲ ତେଣୁ
ଦଇବେ ଦୀନରେ ଅଗ୍ରଣୀ ମୁଁ ତ
ଦିବା ରାତ୍ରରେ ଭାଳେ ବ୍ରଜନାଥ
ଦୟା ତେଣୁ ତେଜି, ଦାରୁଣ ହେଲ କି ଶ୍ରବଣ ବୁଜି।୫।
-0-
ଉକ୍ତ କବିତାଟି ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ୧୯୬୫ ମସିହାରେ ପ୍ରକାଶିତ‘ବ୍ରଜନାଥ ଗ୍ରନ୍ଥାବଳୀ’ ପୁସ୍ତକର ‘ଜଣାଣ ଓ ସଙ୍ଗୀତ’ ବିଭାଗରୁ ସଂଗୃହୀତ।