“ବାପା! ତୋଫାନବେଳେ ତା’ ମାଆ ଆଉ ଅନ୍ୟ ଛୁଆମାନେ ଦଉଡ଼ି ପଳାଇଲେ। ଏ ଏକୁଟିଆ ଏଣିକି ତେଣିକି ଚାହିଁ ବିକଳରେ କାନ୍ଦୁଥିଲା। ଧୂମାଳ ଯେମିତି ମାଡ଼ିଆସିଲା, କୁଆଡ଼େ ଯାଇପାରିଲାନି। ମୁଁ ଆଣି ଘରେ ରଖିଛି। କାଲି ସକାଳେ ତା’ ମା’ ପାଖେ ଛାଡ଼ିଦେଇ ଆସିବି। ଏଇ କାନୁଗୋଇବାବୁଙ୍କ ଛେଳି ମ!”

ମୃତ୍ୟୁଞ୍ଜୟବାବୁ ସ୍ନେହ ଓ କଲ୍ୟାଣରେ ପୁଅର ମୁଣ୍ଡକୁ ଆଉଁସିବାରେ ଲାଗିଲେ। ଏଇ ସମୟରେ ତାଙ୍କର ଆଇଁଷଲୋଭୀ ବଡ଼ ଝିଅ କୁନୀ ଆସି କହିଲା-
“ବାପା! ଦେଖିବ ଆସ-”

“ କ’ଣ ଲୋ ମା?”

“ଗୋଟାଏ ବାଦୁଡ଼ି ତୋଫାନରେ କୁଆଡ଼ୁ ଉଡ଼ିଆସି ଆମ ପିଣ୍ଡାରେ ପଡ଼ିଗଲା। ତା ଡେଣା ଭାଙ୍ଗିଯାଇଛି। ବୋଉ ସେଥିରେ ଆଇଡ଼ିନ୍ ତୂଳା ଲଗାଇ ଦେଇଛି। ମୁଁ ତାକୁ ଢାବଲ ଭିତରେ କନା ପକାଇ ଶୁଆଇ ଦେଇଛି। ତାକୁ ଦୁଧ ଦେଲି-ଭାତ ଦେଲି-କିଛି ଖାଉନି ଅଲକ୍ଷଣା।”

ମୃତ୍ୟୁଞ୍ଜୟବାବୁଙ୍କ ଆଖି ଛଳଛଳ ହୋଇଉଠିଲା। ସେ ପୁଅକୁ ଛାଡ଼ି ଝିଅକୁ କୁଣ୍ଢାଇ ପକାଇ ନରମ କଣ୍ଠରେ ପଚାରିଲେ-
“ତମ ବୋଉ କାହାନ୍ତି ରେ କୁନା?”

କୁନାବୋଉ ରୋଷେଇ ଘରୁ ଆସି ପହଞ୍ଚିଲେ।

‘‘ସେ ତୋଫାନରେ ତୁମେ ଥିଲ କେଉଁଠି?”

“ବେଶ୍ ନିରାପଦରେ ଥିଲି। ଫଟୋ ଦୋକାନରେ।”

“ହେ ଭଗବାନ! ମୁଁ ଖାଲି ଭଗବାନଙ୍କୁ ଡାକୁଥାଏ-ଯୋଉ ପବନ! ଯୋଉ ଚଡ଼ଚଡ଼ି! ଅରକ୍ଷିତକୁ ଦଇବ ସାହା!!”

ଅନ୍ୟ ପିଲାମାନେ ଆସି ବାବାଙ୍କୁ ଘେରିଗଲେ। ପାରିବାରିକ କଳରବରେ ସେଇ ସାନ ଘରଟି ମୁଖରିତ ହୋଇଉଠିଲା। ମୃତ୍ୟୁଞ୍ଜୟବାବୁ ନିଜ ନିରୀହ ଦରିଦ୍ର ପରିବାରଟିକୁ କୁଣ୍ଢାଇ ଧରି ମହାନନ୍ଦରେ ଉଲ୍ଲସିତ ହୋଇଗଲେ। ତାଙ୍କ ମନରେ କେମିତି ଗୋଟେ ବିଶ୍ୱାସ ଆସିଗଲା, ଏ ପୃଥିବୀ ନିଶ୍ଚୟ ବଦଳିଯିବ। ଏ ଦାରିଦ୍ର୍ୟ ନିଶ୍ଚୟ ଅପସରିଯିବ।

(ମଣିଷ ନୁହଁ-ତା ଭିତରେ ସୁପ୍ତ ମନୁଷ୍ୟତା ହିଁ ଦିନେ ଏ ପୃଥିବୀକୁ ରକ୍ଷାକରିବ। ଡେରି ହେଉ-ଯେତେ ଡେରି ହେଉ ପଛେ।)
-o-

‘‘ଏହି ଗଳ୍ପ ଏବଂ ଉପରୋକ୍ତ ଚିତ୍ରଟି ଉଚ୍ଚବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ୧୯୮୦ ମସିହାରେ ପ୍ରକାଶିତ ‘ଗଳ୍ପ ଏକାଙ୍କିକା’ ପୁସ୍ତକରୁ ସଂଗୃହୀତ।’’

Pages: 1 2 3 4