
‘ନାଇଁ ଭାଇ, ଆମ୍ଭେମାନେ ସେ ମହାର୍ଘ ବହୁଦର୍ଶିତାର ଆକାଂକ୍ଷୀ ନୋହୁଁ। ମାସକରୁ ବେଶି ହେବ ଆଇଁଷ କାତିଟିଏ ବି ଦେଖି ନାହିଁ। ଆଉ ରାମରାଜ୍ୟ ହେବ, ନା ସୀତାସାଗର ରୋହି ଆମ ଭଳିଆ ଲୋକଙ୍କୁ ପାଟିରେ ବାଜିବ’!…କେତେ ଦର?”
“ସାତ ଆଠ ଟଙ୍କା ହେବ-ଆଉ କେତେ? ମଝିରେ ଦଲାଲ୍ ପଶି ଏମିତି ଦର ବଢ଼ାଇ ଦେଉଛନ୍ତି। ଆଉ କଳାବଜାରର ପଇସା ଯେଉଁମାନଙ୍କ ପାଖେ, ତାଙ୍କର ବା ପରୁଆ କ’ଣ? ସନ୍ଧ୍ୟା ସୁଦ୍ଧା ଚାରି ମହଣ ମାଛ ଚିଲ ପରି ଝାମ୍ପି ନେବେ।”
ମୃତ୍ୟୁଞ୍ଜୟବାବୁଙ୍କ ମନ ଭାରି ଛଟପଟ ହେଲା। ସେ ଭାବିବାକୁ ବସିଲେ, ହେ ଭଗବାନ! କି ଏ ଜୀବନ? ନିମ୍ନ ମଧ୍ୟବିତ୍ତର ଏଇ ଦୟନୀୟ ଜୀବନରେ ନା ଅଛି ରଙ୍ଗର ବାହାର, ନା ଅଛି ରସର ସ୍ବାଦ! ପୋଟଳ କିଲୋ ଦୁଇ ଟଙ୍କା ବୋଲି ଯାହାକୁ ଛୁଇଁହେଉନି, ସାତ ଆଠ ଟଙ୍କା କିଲୋର ସୀତସାଗର ରୋହିକୁ ଘରେ ସେ ବା ଚାହିଁପାରିବେ କିପରି? ଆଖି ଝଲସି ଯିବ ନାହିଁ? ଧିକ୍ ଏ ଜୀନ!!
କିନ୍ତୁ କାହାକୁ ସେ କ’ଣ ବା କହିବେ? ଏ ଅବସ୍ଥା ଯେଉଁମାନେ ଭୋଗୁଛନ୍ତି, ସେମାନେ ତାଙ୍କର ଭଳି ଦୁର୍ବଳ, ଦାୟିତ୍ବହୀନ, ଭୀରୁ, ସହଣିକ। ଭାଗ୍ୟକୁ ନିନ୍ଦିଲେ ସୀତାସାଗର ରୋହି ଜିଭରେ ବାଜିବ ନାହିଁ, ପ୍ରଭୁଙ୍କୁ ଡାକିଲେ ସେ ପୋଟଳ କିଲେ ଘରକୁ ପଠାଇ ଦେବେ ନାହିଁ।
ସମାଜର ଏ ଅବସ୍ଥାର ପରିବର୍ତ୍ତନନ ଲାଗି ବିପ୍ଳବ ଆବଶ୍ୟକ। କିନ୍ତୁ ବିପ୍ଳବ? ମୃତ୍ୟୁଞ୍ଜୟବାବୁଙ୍କ ମୁଣ୍ଡା ଘୂରାଇଦେଲା। ଥାଉ, ଥାଉ, ସେ ଦିନ ଆସୁଛି। ସେଇ ଦିନକୁ ଡାକି ଆଣୁଛନ୍ତି ତାଙ୍କର କୁନା, ମୁନା, ଟୁଟୁ, ମୁଟୁମାନେ। ସେମାନେ ସହିବେ ନାହିଁ ; ଲଢ଼ିବେ। ସେମାନ ପୋଟଳ ଫଳାଇ ଖାଇବେ। ରୋହିମାଛ ପାଣିରୁ ଛାଣି ଆଣି ଖାଇବେ। ନ ହେଲେ ସେମାନ ଛଡ଼ାଇନେବେ-ଛାଡ଼ିବେ ନାହିଁ। କଳାବଜାର ଆଉ କଳାବଜାରୀଙ୍କ ବିରୁଦ୍ଧରେ ସେଇମାନେ ଲଢ଼ିବେ।
ଅତ୍ୟାଚାରୀ ପୁଞ୍ଜିବାଦୀ ଶାସନ ଆଗରେ ସେମାନେ ମୁଣ୍ଡ ନୁଆଁଇବେ ନାହିଁ। ବ୍ୟକ୍ତିଗତ ଲାଭର ନିଶା ସେମାନଙ୍କୁ ଧରିବ ନାହିଁ। ବର୍ତ୍ତମାନର ସମାଜ ବ୍ୟକ୍ତିଗତ ଲାଭ ମନୋବୃତି ଓ ତା’ ଲାଗି ପ୍ରତିଦ୍ୱନ୍ଦିତାପୂର୍ଣ୍ଣ ପ୍ରଚେଷ୍ଟାର ଫଳ ଭୋଗି ମରୁଛି। ଆଗାମୀ ସମାଜ ଆଉ ଏହାକୁ ବରଦାସ୍ତ କରିବ ନାହିଁ। ସେମାନେ ଆସୁଛନ୍ତି ସମାଜବାଦର ନୂତନ ନେତୃତ୍ୱ ନେଇ। ସେମାନେ ଭାଙ୍ଗିବେ, ମାରିବେ, ମରିବେ, ଗଢ଼ିବେ।
କିନ୍ତୁ ଆପାତତଃ ସୀତାସାଗର ରୋହିମାଛ ଲୋଭ ତାଙ୍କ ମୁଣ୍ଡରେ ଭୀଷଣ ଅସ୍ୱସ୍ତି ସୃଷ୍ଟି କଲା। ଗୃହଣୀ ମାତ୍ର ଦୁଇଟି ଟଙ୍କା ଦେଇଛନ୍ତି। ସେଥିରେ ଗୋଟିଏ ବି ମାଛ ମିଳିବ ନାହିଁ। ଆମିଷରେ ଇନ୍ଦ୍ରିୟର ବାସନା ପୂର୍ଣ୍ଣ ନ ହେବା ହେତୁ ମନଟା ତାଙ୍କର ଖୁବ୍ ବେଶି ଆଇଁଷିଆ ଧରିଗଲା। ଏଇ ସମୟରେ ଚନ୍ଦ୍ରମୋହନବାବୁ କହିଚାଲିଥାନ୍ତି, “କଣ ଭାଇ, ଆମେ ସଭ୍ୟ ହୋଇଛୁ କହ? ପୃଥିବୀରେ ହଜାର ହଜାର ବର୍ଷ ଧରି ବହୁ ସାଧୁ, ସନ୍ଥ, ମୁନି, ମହାତ୍ମା ଜନ୍ମ ହେଲେ-ପର ଲାଗି, ଈଶ୍ୱରଙ୍କ ଲାଗି ସେମାନେ ଜୀବନ ଦାନ କରିଗଲେ।
ସେମାନେ ସ୍ବର୍ଗର ଆଲୋକ ଏ ପୃଥିବୀକୁ ଆଣିଛନ୍ତି-ସେମାନ ସ୍ବର୍ଗଦୂତ। ମାତ୍ର ସାଧାରଣ ମଣିଷ? ଯେଉଁ ତିମିରେ ସେଇ ତିମରରେ। କହ ଭାଇ, ତୁମ ଆମ ଭଳି ମରିଷର କ’ଣ ବା ଉନ୍ନତି ହୋଇଛି? ଆମ ଭିତରେ କି ଛୋଟଲୋକୀ, ହିଂସା, ଦ୍ୱେଷ, ମିଥ୍ୟା, କାମ, କ୍ରୋଧ-ଇସ୍, ଆମେ ସବୁ କାହିଁକି ଜନ୍ମ ହୋଇଥାଇଁ, ମୃତ୍ୟୁଞ୍ଜୟବାବୁ!”
ମୃତ୍ୟୁଞ୍ଜୟବାବୁ ତଥାପି ସୀତାସାଗରର ରୋହି କଥା ଭାବୁଥିଲେ। ଚନ୍ଦ୍ରମୋହନବାବୁ କହିଚାଲିଥାନ୍ତି, “ମଣିଷ ବର୍ତ୍ତମାନ ପଶୁଠାରୁ ମଧ୍ୟ ବଳିଗଲାଣି। ଶୁଣିବେ?”
“କୋଉ କଥା?”
“ଅନାମପୁରଠାରେ ଯେଉଁ ରେଳ ଦୁର୍ଘଟଣା ହେଲା।”
“ହାଁ ହାଁ, ବହୁତ ଲୋକ ତ ମରିଗଲେ !! କେବଳ ଜଣେ ଲୋକର କର୍ତ୍ତବ୍ୟଜ୍ଞାନର ଅଭାବ ଯୋଗୁଁ……”
“ଆଃ-ସେ ତ ହେଲା। କିନ୍ତୁ ଶୁଣନ୍ତୁ। କେତେ ଲୋକ ତ ଚିପିହୋଇ ମଲେ, କେତେ ଛିଡ଼ିକି ପଡ଼ିଲେ। କେତେ ଖଣ୍ଡିଆଖାବରା ହେଲେ। ଅନ୍ଧାର ରାତି-ନିଛାଟିଆ ମଫସଲ ଷ୍ଟେସନ-ଶିଶୁ ଆଉ ସ୍ତ୍ରୀ ଲୋକଙ୍କର ବିକଳ ଚିତ୍କାର। ମଣିଷ ରକ୍ତରେ ପ୍ଲାଟ୍ଫର୍ମ ଆଉ ରାସ୍ତା ଭାସୁଛି। ଏଣେ କ’ଣ ହେଲା ଜାଣିଛ? ଆଖପାଖ ଗାଁମାନଙ୍କରୁ ଲୋକେ ଛୁଟିଆସି ସେଇ ଭଙ୍ଗା ଟ୍ରେନ୍ ଭିତରୁ ଆହତ, ମୃତ, ମୁମୂର୍ଷୁ ଯାତ୍ରୀମାନଙ୍କର ଜିନିଷପତ୍ର ଲୁଟି ନେଉଥାନ୍ତି।”
କଥାର ବୀଭତ୍ସ ଧ୍ବନିରେ ମୃତ୍ୟୁଞ୍ଜୟବାବୁ ମଧ୍ୟ ଶିହରି ଉଠିଲେ। ସେ ଆଖି ତରାଟି ଅନାଇଲେ ଚନ୍ଦ୍ରମୋହନବାବୁଙ୍କ ଆଡ଼େ। ତା’ପରେ ଦୀର୍ଘଶ୍ବାସ ଛାଡ଼ିଲେ। ସୀତାସାଗର ରୋହି ଆଉ ତାଙ୍କର ଆଇଁଷରଙ୍କୁଣୀ ବଡ଼ଝିଅ ଆଡ଼ୁ ତାଙ୍କ ମନ ଖସିଆସିଲା। ତାଙ୍କୁ ବଡ଼ ନିରାଶ ଲାଗିଲା ସେ କିଛି କହିପାରିଲେ ନାହିଁ।
ଠିକ୍ ଏଇ ସମୟରେ ବହୁ କାଳ ଅପେକ୍ଷା କରିଥିବା ଧୂମାଳ ତୋଫାନ ଉତ୍ତର-ପଶ୍ଚିମ କୋଣରୁ ମାଡ଼ିଆସିଲା। ସାମାନ୍ୟ ସାମାନ୍ୟ ଧୂଳି, ତା’ପେର ଚାହୁଁ ଚାହୁଁ ତୁହାକୁ ତୁହା ପବନ, ତା ସାଙ୍ଗକୁ ବର୍ଷା, ବିଜୁଳି, ଘଡ଼ଘଡ଼ି। ମାଡ଼ି ଆସିଲା ଲହଡ଼ିଆ ଅନ୍ଧାର।
ଦୁଇ ବନ୍ଧୁ ତ୍ରସ୍ତ ହୋଇ ସାଇକେଲମାନ ପଦାରେ ଫୋପାଡ଼ି ଦେଇ ଗୋଟିଏ ଫଟୋ ଦୋକାନ ଭିତରକୁ ପଶିଗଲେ। ଦୋକାନ ଭିତରେ ମୃତ୍ୟୁଞ୍ଜୟବାବୁ ଏକ ନିରୁପାୟ ଆଶଙ୍କାରେ ଛଟପଟ ହେଲେ।