
ମନେ ପଡ଼ିଗଲା ଖେଳ ପଡ଼ିଆରେ ଖେଳୁଥିବା ବଡ଼ପୁଅ କଥା; ଘରେ ପିଲାମାନଙ୍କ କଥା; ତା’ପରେ ଅଭ୍ୟାସମତେ ବ୍ୟାକୁଳ ଚିତ୍ତରେ ମନେ ମନେ ଈଶ୍ୱରଙ୍କୁ ଡାକିଲେ-ହେ ମଧୁସୂଦନ, ହେ ଦଇତାରି! ଏ ସଙ୍କଟରୁ ତ୍ରାହିକର ପ୍ରଭୁ! ତାଙ୍କର ଏହି ବ୍ୟାକୁଳ ପ୍ରାର୍ଥନା ଯେମିତି ଏକାଗ୍ର, ସେମିତି ଆନ୍ତରିକ ଥିଲା। ଅଳ୍ପ ମୁହୂର୍ତ୍ତପରେ ସେ ମନ ଭିତରେ କିଞ୍ଚିତ୍ ଆଶ୍ବାସନା ଓ ଭରସା ମଧ୍ୟ ପାଇଲେ।
କିଛି ସମୟ ପରେ ତୋଫାନ କମିଆସିଲା। ପ୍ରାୟ ପଇଁଚାଳିଶ ମିନିଟ୍ ଧରି ଚାଲିଥିବା ଏ ତାଣ୍ଡବ। ତୋଫାନ କମିବା ପରେ ଭୟଙ୍କର ବର୍ଷାଟାଏ ବି ହେଲା ଅଧଘଣ୍ଟାଏ ଧରି।
ବର୍ଷା ଛାଡ଼ିଯିବାରୁ ଦୁଇ ବନ୍ଧୁ ଦୋକାନରୁ ବାହାରି ସାଇକେଲ ପାଖକୁ ଆସିଲେ। ଚାଳଘରୁ ଉଡ଼ି ଆସିଥିବା ନଡ଼ାରେ ସାଇକେଲ ପ୍ରାୟ ଅଧା ପୋତି ହୋଇଯାଇଥିଲା। ମୃତ୍ୟୁଞ୍ଜୟବାବୁ ନିଜ ଟର୍ଚ୍ଚଟିକୁ ଜଳାଇ କଷ୍ଟେମଷ୍ଟେ ସାଇକେଲ ଉଠାଇଲେ। ବାଟ ଅଣ୍ଡାଳି ଅଣ୍ଡାଳି ଦୁହେଁ ଘରମୁହାଁ ଚାଲିଲେ। ବାଟଯାକ ଭଙ୍ଗା ଡାଳପତ୍ରରେ ପୂର୍ଣ୍ଣ। ଦୁଇ ବନ୍ଧୁ ସେଗୁଡ଼ିକୁ ଡେଇଁ ଡେଇଁ ଆଗକୁ ଚାଲିଥାନ୍ତି।
ଡାହାଣ କଡ଼ରେ ପଡ଼ିଲା ସୀତାସାଗର ବନ୍ଧ। ବନ୍ଧର କଡ଼କୁ ଗଛଛାଇ ଓ ଶୀତଳତା ଲୋଭରେ ସେଠି ବାଦୁଡ଼ି ଗହନ କରିଥାନ୍ତି। ପାଖରେ ରାଧାକାନ୍ତ ମଠ। ମହନ୍ତ ମହାରାଜାଙ୍କୁ ହୁକୁମ୍, କେହି ଯେମିତି ଏ ଗହନରୁ ବାଦୁଡ଼ି ନ ମାରନ୍ତି।
କେହି ମଧ୍ୟ ସେମାନଙ୍କୁ ମାରନ୍ତି ନାହିଁ।
ସୀତାସାଗର ପାଖ ହେଲାବେଳକୁ ଗୋଟେ ଆଇଁଷିଆ ଗନ୍ଧରେ ମୃତ୍ୟୁଞ୍ଜୟବାବୁ ଟିକିଏ ବିଚଳିତ ହୋଇଉଠିଲେ। ଆଜି ଦି’ପ୍ରହରେର ମରା ହୋଇଛି ଏ ପୋଖରୀରୁ ପ୍ରାୟ ତିନି ଚାରି ମହଣ ରୋହି। ସେହି ଗନ୍ଧ ଏବେ ବି ଏଇ ବାୟୁମଣ୍ଡଳରୁ ଛାଡ଼ିଯାଇ ନାହିଁ।
ବତାସରେ ଗଛଗୁଡ଼ାକ ଛିନିଛତର ହୋଇ ଭାଙ୍ଗିପଡ଼ିଛି, ଆଉ ଶହ ଶହ ବାଦୁଡ଼ିଙ୍କ ଗହନ ମଧ୍ୟ ଧ୍ୱଂସ ହୋଇଯାଇଛି। ଅସଂଖ୍ୟ ବାଦୁଡ଼ି ରାସ୍ତା ଉପରେ ଆହତ ହୋଇ ପଡ଼ିଛନ୍ତି। ସେମାନଙ୍କର କି ବିକଳ ଚିତ୍କାର!
ଆଜି ରାଧାକାନ୍ତ ମଠ ମହନ୍ତଙ୍କ କରୁଣାପୂର୍ଣ୍ଣ ଆଦେଶକୁ ନିଷ୍ଠୁର କରାଳ ପ୍ରକୃତି ପଦାଘାତ କରିଛି। ଛୁଟିଆସୁଛନ୍ତି ସେମାନେ-ମାଂସ-ଲୋଲୁପ ହିଂସ୍ର ମଣିଷମାନେ। ଟୋକେଇ ଧରି ଖାଲିହାତରେ, ଯେ ଯେତେ ଗୋଟେଇପାରିଲା, ନେଇପାରିଲା, ଟାଣିପାରିଲା। ଏଇ ଅନ୍ଧ ତାମସୀ ଝଡ଼ ରାତିର ତୋଫାନକ୍ଷୁବ୍ଧ ହିଂସ୍ର ପାଶବିକ କ୍ଷୁଧା ଲାଗି ଏସବୁ ଉପଯୁକ୍ତ ଆହାର୍ଯ୍ୟ।
(ମୃତ୍ୟୁଞ୍ଜୟବାବୁ ସେହି ଅସଂଖ୍ୟ ଭୂପତିତ ଆହତ ବାଦୁଡ଼ିମାନଙ୍କୁ ଚାହିଁଲେ, ଆଉ ସଙ୍ଗେ ସଙ୍ଗେ ଏକ ଆଦିମ, ହିଂସ୍ର, ମାଂସଲୁବ୍ଧ ପୈଶାଚିକ ଲାଳସାର ଲହଲହ ଅଗ୍ନି ଜଳିଛଠିଲା ତାଙ୍କ ଦୁଇ ଆଖିରେ-ଯେଉଁ ଲାଳସା ଜଳିଉଠେ ଝିଟିପିଟିର ଆଖିରେ, ଶିକାରୀ ବାଘର ଦାନ୍ତ ଉପରେ।)
ତାଙ୍କ ଶିରା ଓ ସ୍ନାୟୁଗୁଡ଼ିକ ଲୋଭରେ ଟଣକେଇ ଉଠିଲା। ସେ ନିର୍ବିଚାରରେ ଗୋଟି ଗୋଟି ବାଦୁଡ଼ି ତଳୁ ଉଠାଇ ବାସ୍କେଟରେ ପୂରାଇବାକୁ ଲାଗିଲେ। ତା’ପରେ ମନ ଇଚ୍ଛା ପରିବା ବ୍ୟାଗରେ ଭର୍ତ୍ତି କରିଗଲେ। ଯେତେବେଳେ ସବୁ ପୂର୍ଣ୍ଣ ହୋଇଗଲା-ସେ ପରିମ ତୃପ୍ତିରେ ତତ୍ପର ହୋଇଉଠିଲେ ଘରକୁ ଫେରିବା ଲାଗି।
ମୃତ୍ୟୁଞ୍ଜୟବାବୁ ହିଂସ୍ର ଉଲ୍ଲାସରେ ଆଗକୁ ସାଇକେଲ ମଡ଼ାଇଲେ। ମାତ୍ର ଏ କ’ଣ? ସାଇକେଲ ଯେ ଗଡ଼ୁ ନାହିଁ! ସେ ବ୍ରେକ୍ ଦେଖିଲେ-ଠିକ୍ ଅଛି। ପାଡ଼େଲ୍ ମଧ୍ୟ କେଉଁଠି ଅଟକି ଯାଇ ନାହିଁ।
ଖାଲି ଚିଁ ଚିଁ ଚିଁ-
ଶହ ଶହ ଆହତ ମୁମୂର୍ଷୁ ଆର୍ତ୍ତ ବାଦୁଡ଼ିଙ୍କର କରୁଣ ବିଳାପ ଚିଁ ଚିଁ ଚିଁ। ସାଇକେଲ ହ୍ୟାଣ୍ଡେଲ୍, ପ୍ୟାଡ଼େଲ୍, କ୍ରାଁକ୍, ଦୁଇ ଚକା ଚାରିଆଡ଼େ ସେମାନେ ଘେରି ଯାଇଛନ୍ତି, ଜାବୁଡ଼ି ଧରିଛନ୍ତି, ଚିତ୍କାର କରୁଛନ୍ତି। ମୃତ୍ୟୁଞ୍ଜୟବାବୁ ପାରୁ ପର୍ଯ୍ୟନ୍ତ ସେମାନଙ୍କୁ ସାଇକେଲରୁ ଛଡ଼ାଇବାକୁ ଲାଗିଲେ। ମାତ୍ର ଅସମ୍ଭବ। ପ୍ରାଣବିକଳରେ ଅଧିକ ଶକ୍ତିରେ ସେମାନେ ସାଇକେଲକୁ ଘେରିଗଲେ। ସେମାନେ ସ୍ବୟଂ ମୃତ୍ୟୁଞ୍ଜୟବାବୁଙ୍କ ଦେହଯାକ ଘେରିଗଲେ।
ଟର୍ଚ୍ଚ ମାରି ଚାହିଁଲେ ମୃତ୍ୟୁଞ୍ଜୟବାବୁ।
ସାନ ସାନ ମୁହଁଟିମାନ।
ମୂଷାମୁହଁ ପରି…….
ନା ନା, ମଣିଷର ମୁହଁ ପରି-ମଣିଷ ପିଲାର ମୁହଁ ପରି। ସେଇପରି ତ୍ରସ୍ତ, ବିକଳ, ଅନୁଯୋଗଭରା ଚାହାଣୀ…. ସାନ ସାନ କାନଟିମାନ-ସାନ ସାନ ପାଟି-ଆଉ ଦାନ୍ତ-ସେମାନେ ଦାନ୍ତ ନିକୁଟି ଚିଁ ଚିଁ ହେଉଛନ୍ତି, ବାଟ ଛାଡ଼ୁ ନାହାନ୍ତି-ସେମାନେ ଆଣ୍ଟିଧରିଛନ୍ତି।
ମୃତ୍ୟୁଞ୍ଜୟବାବୁଙ୍କ ଦେହ ଶିଥିଳ ହୋଇଆସିଲା। ଏକ ଅବଶ ଶୀତଳତାରେ ସେ ଜଡ଼ ପାଲଟିଗଲେ। ତାଙ୍କ ମନରେ ଖେଳିଗଲା ଆନାମପୁର ଟ୍ରେନ୍ ଦୁର୍ଘଟଣାର ଚିତ୍ର-ଅସଂଖ୍ୟ ଆହତ ଅସହାୟ ଯନ୍ତ୍ରଣାକାତର ଯାତ୍ରୀଙ୍କର ବିକଳ ବିଳାପ-ଆଉ ଆଖପାଖ ଗାଁମାନଙ୍କରୁ ଧାଇଁଆସି ବାକ୍ସିଟିମାନ, ଘଣ୍ଟାଟିମାନ, ଚୁଡ଼ୀ, ଟ୍ରାଞ୍ଜିଷ୍ଟରମାନ ଲୁଟି ନେଉଛନ୍ତି ସେଇସବୁ ନିର୍ଦ୍ଦୟ ପଶୁ ମଣିଷମାନେ, ଯେଉଁମାନଙ୍କ ମୁହଁସବୁ ଲୋଭରେ ଲାଲ, ହିଂସ୍ରତାରେ ଯେଉଁମାନଙ୍କର ଆଖିର ଚାହାଣୀରେ ନରକର ନିଆଁ ଜଳେ। କିନ୍ତୁ ଆଜି ସେ ନିଜେ ଓଃ…ହେ ଭଗବାନ!!!
ତାଙ୍କ ମୁଣ୍ଡ ବୁଲାଇଦେଲା। ସେ ଭେଁ ଭେଁ କାନ୍ଦି ଉଠିଲେ। ସେ ବିକଳ ହୋଇ ଡାକ ପାରିଲେ-ହେ ଭଗବାନ! ହେ ଆର୍ତ୍ତତ୍ରାଣ! ମୋତେ ଏ ନାରକୀୟ ଲୋଭହାତରୁ ରକ୍ଷା କର।
ମୃତ୍ୟୁଞ୍ଜୟବାବୁଙ୍କ ସେଇ ମାନବ-ଶିଶୁ-ଆତ୍ମାଟିର ଆକୁଳ ପ୍ରାର୍ଥନା ବହିଚାଲିଲା ସେହି ପରମ କରୁଣାମୟଙ୍କ ମହାକରୁଣାର ମହାସମୁଦ୍ର ଭିତରକୁ।
xxx
ସେଦିନ ଘରକୁ ଫେରିଆସି ମୃତ୍ୟୁଞ୍ଜୟବାବୁ ଦେଖିଲେ ପରିବାରର ସମସ୍ତେ ନିରାପଦରେ ଅଛନ୍ତି। ମାତ୍ର ଏ କ’ଣ? ସାନ ଛେଳିଛୁଆଟିଏ ବାରଣ୍ଡାରେ କାକୁସ୍ଥ ହୋଇ ଠିଆ ଠିଆ ଥରୁଛି। କୁନା କହିଲା-