ଝରକା ବାହାରେ
କିଛି ପୃଥିବୀ ଓ କିଛି ଆକାଶ
ଗଛ ଉପରେ ଢିରା ଦେଇ ଠିଆ
ହସ ହସ ଚନ୍ଦ୍ର
ଗଛଟା ସାରା ଚଢେଇରେ ଭର୍ତ୍ତି।
ଯେତିକି ପତ୍ର ଗଛରେ
ସେତିକି ହିଁ ପକ୍ଷୀ
ପ୍ରତିଟି ପକ୍ଷୀର କିଚିରିମିଚିରିରେ
ଦୋହଲୁଥାଏ ନିକଟତମ ପତ୍ର
ଗଛଟାଯାକ ପବନରେ ଭରପୁର।
ଗଛ ଉପରେ ଢିରା ଦେଇ ଠିଆ
ହସ ହସ ଚନ୍ଦ୍ରର ମୁହଁକୁ
ଲକ୍ଷ୍ୟ କରି ଫିଙ୍ଗିଲି ମୁଁ
ଗିଲାସରୁ ବାକିତକ ମଦ।
ଝରକା ରେଲିଂରେ ବାଜି ସଶଦ୍ଦରେ
ଖସିପଡ଼ିଲା ମଦର ଟୁକୁଡ଼ା
ସେ ଶଦ୍ଦ, ମନେ ହେଲା,
ଆସୁଥିବା ଭଳି ଅନେକ ଦୂରରୁ
ଏମିତି କି ହୋଇପାରେ ବି, ଚନ୍ଦ୍ରରୁ।
ସବୁଆଡେ କିଛି କିଛି ଶବ୍ଦ ସବୁବେଳେ
କେଉଁଠି କାନ୍ଥ ଭାଙ୍ଗୁଥିବା ଶବ୍ଦ, ଡୋଜର୍ର
ତ କେଉଁଠି କାନ୍ଥ ଗଢୁଥିବା
କିଶୋରୀ ରେଜାର ଗୀତ।
ସବୁଠାରୁ କିଛି କିଛି ଶବ୍ଦ ଶୁଣିହୁଏ
ଚେତନାକୁ ନୀରବ ରଖିଲେ
ଝରକା ଏପାଖେ ମୁଁ ଏକୁଟିଆ
ଚଉକି ଉପରେ ଚୁପ୍ଚାପ୍
ଝରକା ବାହାରେ
କିଛି ପୃଥିବୀ ଓ କିଛି ଆକାଶ।
ଅଶୋକ ଚନ୍ଦ୍ର ମହାପାତ୍ର
କବି ଅଶୋକ ଚନ୍ଦ୍ର ମହାପାତ୍ର ସାମ୍ପ୍ରତିକ ସମୟର ଜଣେ ସୁପରିଚିତ କବି। ଭାବପୂର୍ଣ୍ଣ ଅଥଚ ସଂକ୍ଷିପ୍ତ ବକ୍ତବ୍ୟ ଏବଂ ଶବ୍ଦ ଚୟନର ନିଆରାପଣ ଯୋଗୁଁ ଓଡ଼ିଆ କବିତାରେ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ବହୁତ ଦିନ ଧରି ବିହ୍ବଳ କରି ରଖିଥିବା ତାଙ୍କର ନିରୋଳା ଅନୁଭବକୁ ବିନା ସଜବାଜରେ ପାଠକ ଆଗରେ ମେଲି ଧରିବାର କ୍ଷମତା ହିଁ ତାଙ୍କର ବିଶେଷତ୍ବ ।
ଓଡ଼ିଶାରେ ପ୍ରମୁଖ ପତ୍ର ପତ୍ରିକାରେ ତାଙ୍କର ଚାରିଶହରୁ ଅଧିକ କବିତା, ୨୫ଟି ଗଳ୍ପ ଆଦି ପ୍ରକାଶିତ ହୋଇଥିବା ବେଳେ ତାଙ୍କର ବହୁ ଲେଖା ବିଭିନ୍ନ ଭାଷାରେ ଅନୁବାଦ ମଧ୍ୟ ହୋଇଛି। ଖୋର୍ଦ୍ଧା ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିବା କବିଙ୍କ କବିତା ସଙ୍କଳନ ‘ଗୋଟିଏ ନିଃସଙ୍ଗ ଦିନ’ ପାଠକମାନଙ୍କ ବେଶ୍ ଆଦୃତ ଲାଭ କରିଥିଲା। ତାଙ୍କର ସୃଜନଶୀଳତାର ସ୍ବୀକୃତି ଭାବେ ସେ ସ୍ବସ୍ତି ସମ୍ମାନ, ଗଙ୍ଗାଧର ମେହେର ସମ୍ମାନ, ଚନ୍ଦ୍ରଭାଗା ସମ୍ମାନ ଆଦି ଅନେକ ସମ୍ମାନ ଓ ପୁରସ୍କାର ପାଇଛନ୍ତି
କ୍ରମେ ସବିଶେଷ →