ନୀରବ ଘରେ ଘନ ଅନ୍ଧକାରେ
ଦୁଃଖପୂର୍ଣ୍ଣ ଏକ ରାତି,
ନିଜ ଦେହକୁ ଜଳାଇ ଆଲୋକ ଦେଉଛି
ବଳିଦାନୀ ମହମବତୀ।
ଜଳି ଜଳି ସିଏ କ୍ଷୀଣ ହେଉଛି
ଝରେ ଗରମ ଲୁହ ଧାରା,
ପାଉଛି କେତେ ଯନ୍ତ୍ରଣା ସେ
ଚିତ୍କାର କରେ ରାତି ସାରା।
ସେ ଲୁହରେ ଲୁଚିକି ରହିଛି
ଅନେକ ଅକୁହା କଥା,
ତ୍ୟାଗ, ସହନଶୀଳତା ଓ
ଭଙ୍ଗା ସ୍ଵପ୍ନର ବ୍ୟଥା।
ପବନ ଆସିଦୋହଲାଇ ଦିଏ,
ମହମବତୀ କରେ କମ୍ପନ,
ତଥାପି ସେ ଅଭିଯୋଗ କରେ ନାହିଁ
କିମ୍ବା ଉଣା କରେ ନାହିଁ ମନ।
ଶେଷରେ ଯେବେ ଶିଖା ଲିଭିଯାଏ
ରହିଯାଏ କିଛି ଲୁହ,
ମହମବତୀଟି ଲିଭିଗଲା ସିନା
କାହାକୁ କହି ନାହିଁ ତାର ନିଜ କୋହ।