ଆଖି ସାମ୍ନାରୁ ଦୂରେଇ ଗଲେ ହିଁ
ଜଣାପଡ଼େ ସମ୍ପର୍କର ନିବିଡ଼ତା,
ସମ୍ପର୍କମାନେ କେତେବେଳେ
ବାଈ ଚଢ଼େଇର ଝୁଲନ୍ତା ବସା,
କେତେବେଳେ ସଞ୍ଜର ଶଙ୍ଖ ଧ୍ୱନି
କେତେବେଳେ ସକାଳର ପ୍ରାର୍ଥନା,
କେବେ ପୁଣି
ସକଳ ଶୂନ୍ୟତାର ନୀରବ ନିରାଜନା॥
ଜୀବନଟା ଆଉଟି ପାଉଟି ହୁଏ
ଏ ସମ୍ପର୍କମାନଙ୍କ ପାଇଁ ବେଳେବେଳେ,
ସୁନା ପରି ଡହ ଡହ ନିଆଁରେ।
କେବେ ଝମ୍ ଝମ୍ ମେଘର
ସଜଳ ଡାକରେ,
କେବେ ଅନୁଭବର ପ୍ରତିଧ୍ୱନି ହିଁ
ଟାଣିଓଟାରି ସାଷ୍ଟମ କରେ,
ଅବଚେତନ ମନର ବିଶ୍ୱାସକୁ!
ସୂର୍ଯ୍ୟସ୍ନାତା ସମ୍ପର୍କର ଆଲୋକିତ ପ୍ରଗଣାରେ
ଚନ୍ଦନ ଚର୍ଚ୍ଚିତ ସ୍ମୃତିର ଅଗଣାରେ,
ସାଇତା ସ୍ୱପ୍ନର ହାତଗଢ଼ା ଛବି
ପୁନେଇଁର ଜହ୍ନ ହୋଇ,
ସମ୍ପର୍କକୁ ଜ୍ୟୋତ୍ସ୍ନାୟିତ କରେ
ଦିବ୍ୟ ଶୀତଳତାରେ॥