
ଯାହାକୁ ଭୁଲିବାକୁ ମନ ଚାହେଁ,
ତାକୁ ପୁଣି ଭୁଲି ତ ହୁଏନା?
ଇଏ ବୋଧେ ମଣିଷର,
ଆପଣା ମଣିଷ ପାଇଁ ପ୍ରେମର ଭାବନା॥
ତୁମେ ସେହି ମଣିଷ କି?
ମୋ ଛାତିର ଅଥଳ ଗହୀରରେ,
ଛୋଟ ଏକ ସ୍ୱପନର ନଉକା,
ଭସେଇଛ ପାଇବା ଆଶାରେ॥
ଯେବେଠୁ ସରିଗଲା ପାଇବାର ଆଶା,
ଏଇ ମୋର ଭଙ୍ଗା ଜୀବନରୁ,
ରାତାରାତି ଓଲଟିଲା ତୁମ ଭାବ
ତୁମ ଭାଷା, ତୁମ କଥା ତୁମରି ମନରୁ॥
ହୁଏତ ଭାବିଲ ତୁମେ ଏବେ,
ମୁଁ ତୁମ ପାଇଁ ଥାଏ କି ନଥାଏ,
ମୋ ଭିତରେ କି ଘଟିଲା, କିବା ହେଲା
ତୁମର ବା ସେଥିପାଇଁ କିବା ଆସେ ଯାଏ॥
ଏ ଅବ୍ୟକ୍ତ ବେଦନା
ମୋ ଆଖିରେ ଆଣିଦେଲା ଅସରନ୍ତି ଲୁହ
ସେ ଲୁହକୁ ପିଇବାକୁ
ଭୁଲିଲି ମୁଁ, ମୋର ପରିଚୟ॥
ଅଭିମାନେ ଆସିଲି ମୁଁ ବିଦେଶକୁ
ତୁମେ କିନ୍ତୁ ଥରେ ଚାହିଁଲନି,
କାହିଁକି ଯାଉଛ ବୋଲି,
ଥରୁଟିଏ ମୋତେ କହିଲନି॥
