ସେଇଠଉଁ କଅଣ ହେଲା କି:-
କୋଉଠଉ କଅଣ ହେଲା?
ଶ୍ରଦ୍ଧାସ୍ପଦ ସମ୍ପାଦକ ମହାଶୟ ଓ ପରମ ସ୍ନେହାସ୍ପଦ ‘ନବଭାରତ’ ର ଦିଆ ଅଦିଆ, ସୁଧାରଷେଣା ପାଠକ, ଉପପାଠକ, ପ୍ରପାଠକ, ଅନୁପାଠକ, ସୁପାଠକ, ଦୁଷ୍ପାଠକଗଣ ଓ ଆପଣମାନଙ୍କ ସ୍ତ୍ରୀ ଲିଙ୍ଗ, ବିପରୀତ ଲିଙ୍ଗ ଓ ନପୁଂସକ ଲିଙ୍ଗ ବାଚକ ଅବତାରମାନେ! ଶୁଣିବାକୁ ସାବଧାନ ମଣିମା!
ସପନରେ ସାତ ସମୁଦ୍ର ଲଙ୍କା ପାରିକୁ ଯାଇ ସେଠାରେ ଯୁଗେକାଳ ଶୋଇପଡ଼ିଲି। Rip Van Winkle (ରିପ୍ ଭାନ୍ ଉଇଙ୍କ୍ଲ) ପରି ଉଠି ଦେଖିଲା ବେଳକୁ ଓଡ଼ିଶା ମାତାଙ୍କ ଭେକ, ଓଡ଼ିଶା ମାନଚିତ୍ରର ଆକାର, ଓଡ଼ିଶୀପୁଅଙ୍କ ରୂପ ସବୁ ଲେଉଟ ଚକୁଳି ଭଳିଆ ବଦଳି ଗଲାଣି। ଆପଣମାନେ ଜାଣନ୍ତି, ଗାଢ଼ ନିଦ୍ରାରେ ସ୍ୱପ୍ନ ନବାରଦ୍। ଖାଲି ନିଦ୍ରା କିଆଁ, ଯେତେ କଥା, ଯେତେ ବସ୍ତୁ, ଯେରେ କସରତ୍ ଗାଢ଼ ବା ଗାଢ଼ା, ସେଥିରେ ବାସ୍ତବ ଦୋଷ ବା ସ୍ୱପ୍ନ ଦୋଷ ନାସ୍ତି। ଏଥିର ଫଳରେ ଧୁର୍ମୁଷ ଧର୍ମାଙ୍କ ଝର କଲମର, ଝର ସ୍ରବଣର ପ୍ରଗତି ବନ୍ଦ ହୋଇ ଯାଇଥିଲା।
ଦରିଆ ପାରିରେ ନିଦୁଟା ଏଡ଼େ ଘମାଘୋଟିଆ ହୋଇଥିଲା ଯେ ମୋ ନିଦ ଭାଙ୍ଗିଲା ବେଳକୁ କିଶି ସମୟ ମୁଁ ପଦଦେଶକୁ ଆସିଛି ଓ ସେଠାକୁ ଅନୁକୁଳ କରିବା ଆଗରୁ ମୋ ପାଇଁ ଯୋଡ଼ା ଶଙ୍ଖ, ଡବଲ(double) ପେଏଁକାଳି , ତେବଲ୍(Triple) ନାଗେଶ୍ୱରୀ; ପୂର୍ବ ବର୍ଣ୍ଣନ ଓ ଉପାଧି ବିଶିଷ୍ଟ ପାଠକ ପାଠିକାଗଣ ଓ ଆମ ଭାଷାର ଅଭିଧାନକାର ମହାପ୍ରଭୁମାନେ! ଇଂରାଜୀ (Double) ଶବ୍ଦକୁ ଓଡ଼ିଆ ଡବଲ ରୂପ ଦେଲା ଭଳି (Tripple) ଶବ୍ଦକୁ ତେବଲ ରୂପ ଦେଇ ଆମ ମାତୃଭାଷାରେ ପୂରାଇବା ପାଇଁ ଆପଣମାନେ ଶବ୍ଦକୋଷରେ ଜାଗା ଛାଡ଼ନ୍ତୁ।
ନଚେତ୍ ପଛରେ ପୁଣି Supplementary Volume (ପରିଶିଷ୍ଟ ଖଣ୍ଡ) ଛାପିବାକୁ ପଡ଼ିବ। ଆଜିକାଲିର ପଛିମା ହାଉଆର ତୋଡ଼ରେ ଇଂରାଜୀ ଓ ବିଦେଶୀ ଶବ୍ଦମାନ ଯେଉଁପରି ବେଗରେ ଭାସି ଆସି ଓଡ଼ିଶୀ ସାରସ୍ୱତ ବନ୍ଦରମାନଙ୍କରେ ମଝିରେ ମଝିରେ ଗୋଟାଏ ଲେଖାଏଁ ଦିପିଠିସାଧା ଉଡ଼ା ପୃଷ୍ଠା (fly leaf) ଛାଡ଼ି ନ ଗଲେ ଚଳିବ ନାହିଁ। ବିଦେଶୀ ଶବ୍ଦମାନଙ୍କୁ ଅବିକଳ ଆମ ଭାଷାକୁ ଉଠାଇ ଆଣିଲେ ସମସ୍ତେ କହିବେ, ଏଗୁଡ଼ାକ ଭାଷା ରାଜ୍ୟରେ ଚୋରି।
ଅତଏବ ନଜିର୍ ଧରି ଶବ୍ଦମାନଙ୍କରେ ଗେବ ମାରି, ତାଙ୍କୁ ବେରୂପ କରି ଆମ ଭାଷାରେ ଠିଆ କରାଇ ଦେଲେ ଭାଷାର ଶବ୍ଦ ସମ୍ପଦର ଅଭିବୃଦ୍ଧି ହେବ; ଏଣେ ‘ଆଧୁନିକ’ ଭାଷା ରାଜ୍ୟରେ ‘ପ୍ରଗତି’ ନ ହେଉଛି ବୋଲି କେହି ଆମକୁ ଦୋଷ ଦେଇ ପାରିବେ ନାହିଁ। ଆମ ଓଡ଼ିଶୀ ବାବୁଆଣୀ, ସାଆନ୍ତାଣୀ, ରାଜୋଡ଼ିଆଣୀମାନେ, ସାହାବାଣୀ ବେଶ ସାଜିଲା ବେଳକୁ ଲୋଥ, ଗୁଣା, ନାକଚଣା, ବେସରପିନ୍ଧା ନାକ ପୁଡ଼ାର ଛିଦ୍ରରେ ଓ କାପପିନ୍ଧା କ୍ୟାଦାନଯୁକ୍ତ କାନରି କଣାରେ ରବର ଖଳିର ଗୋବ ମାରିଲା ପରି ଓ ଟଭାଫାଳ ଖୋଷା, ମୁଚୁଳାଦିଆ ଜଟ ବା ବଙ୍ଗାଳୀ ଖୋପା ବଦଳରେ ବବୁରି ବାଳ (Bobbed hair) ସାଜିଲା ଭଳି ବିଦେଶୀ ଶବ୍ଦମାନଙ୍କୁ ଓଡ଼ିଆଣୀ ବେଶରେ ସଜାଇ ଦେଲେ ନଟ ଛିଣ୍ଡି ଯିବ – ଇତି ଲେଖନକାରସ୍ୟ ଟୀକା, ଚଉଅବଲ୍ (quadruple) ବ୍ୟାଣ୍ଡ୍ବାଜା, ପଞ୍ଚୁବଲ୍ (Pentuchord) ସାରଙ୍ଗୀ ବାଜିଥିଲା, ସେକଥା ସବୁ ମୋର ପାସୋର ହୋଇଗଲା। କିନ୍ତୁ ନିଦଟା ଫରଚା ହୋଇ ଭାଙ୍ଗିଗଲାରୁ ଜାଣିଲି ଯେ ମୋ ମଗଜ ଥଣ୍ଡା ହେବା ପାଇଁ ମୁଁ ବିଲଙ୍କାକୁ ବଦଳି ହୋଇ ଆସିଛି।
ମୋ ରାଇଜରେ ସିନା ହାତ ଗୋଡ଼, ପେଟ ପିଠି, ନାକ ନିଶ, କଲମ ବଲମ ଖେଳାଇବାକୁ ମୋତେ ସୁବିଧା ଥିଲା, ପର ମୁଲକରେ ତା ସବୁ କରି ହବ ନାହିଁ। ଏଥିପାଇଁ ମୋର ଇହରାଜ୍ୟ (ଅର୍ଥାତ୍, ମୋ ନିଜର ରାଜ୍ୟରେ) କରିଥିବା ପାପ ପୁଣ୍ୟ ପାଇଁ ପର ରାଜ୍ୟ (ଅର୍ଥାତ୍ ମୋର ନିର୍ବାସନ ରାଜ୍ୟ) ରେ ଯଥାକ୍ରମେ ପ୍ରାୟଶ୍ଚିତ ଓ ଶାନ୍ତିବାଚନ କରିବ ବୋଲି ସ୍ଥିର କଲି। ଗହମ ନିଦ ସିନା ଭାଙ୍ଗିଗଲା, କିନ୍ତୁ ପୁଣି ଟିକିଏ ଗଡ଼େଇ ତଡ଼େଇ ହୋଇ କଡ଼ ଲେଉଟାଇ ଶୋଇଲି। ସେତେବେଳକୁ ଭୋର୍ ୩ଟା ବେଳ। କାରଣ, ଏ ତ ମୋ ରାଇଜ ନୁହେଁ ଯେ, ମୁଁ ଦିନଯାକ ଶୋଇଲେ ଓ ରାତିଯାକ ଦରକାର କଲେ ମୋ ରାଇଜର ପାତ୍ରମନ୍ତ୍ରୀ ଓ ମନ୍ତ୍ରୀମାନଙ୍କଠାରୁ ତାଙ୍କମାନଙ୍କର ଘରର ସ୍ତ୍ରୀବାଳକ, ପିଲାକବିଲା, ଚାକର ନଉକର, ଘୋଡ଼ା ଘୋଡ଼ାଛୁଆ, ଗଧ ଗଧପିଲା, କୁକୁର ବିରାଡ଼ି ପର୍ଯ୍ୟନ୍ତ ସମସ୍ତେ ଦିନଯାକ ଶୋଇବେ ଓ ରାତିଯାକ ଖଡ଼ା ପହରା ଜାଗତିଆର ରହିବେ।
ଅତଏବ ପର ଦେଶର ଚାକର ଚାକରାଣୀଙ୍କ ନିଦ୍ରାଭଙ୍ଗ ହେବା ପର୍ଯ୍ୟନ୍ତ ମୋତେ ବିଛଣାରେ ପଡ଼ି ରହିବାକୁ ହିଁ ହେବ। ମୋ ରାଇଜରେ ପାଖଲୋକଙ୍କ ପିଠି ଚୁଟି ସଙ୍ଗେ ମୋ ହାତ ଗୋଡ଼ର ଓ କୋରଡ଼ା ପାଣ୍ଢୋଇର ସୂର୍ଯ୍ୟବନ୍ଧୁତା କଥା ପଦ ପଦକେ ଲାଗିଥାଏ; କିନ୍ତୁ ପର ଦେଶରେ ଚାକର ଚାକରାଣୀଙ୍କୁ କୌଣସି ଆଦେଶ ଦେବାକୁ ହେଲେ, ‘Please do this’ (ଅନୁଗ୍ରହ କରି ଏ କାର୍ଯ୍ୟଟି କରିଦିଅ) ଓ ସେମାନେ ଆଦେଶ ପାଳନ କରି ସାରିବାର ଶେଷରେ ‘Thanks’ ( ମୁଁ ତୁମ୍ଭଙ୍କୁ ଧନ୍ୟବାଦ ଦେଉଛି), ଏହି ବୋଲିମାନ ଆଉଡ଼ାଇବାକୁ ପଡ଼େ। ଏପରି ଅବସ୍ଥାରେ ପର ଦେଶର ଠିକା ଚାକର ଓ ଚାକରାଣୀମାନଙ୍କ ହାଜିରା ସମୟ ପର୍ଯ୍ୟନ୍ତ ବିଛଣାରେ ଗଡ଼େଇ ତଡ଼େଇ ହେବା ଛଡ଼ା ଉପାୟାନ୍ତର ନାସ୍ତି। ଏକେତ ‘ସ୍ୱପ୍ନରେ ରାଜଯୋଗ’ ତା ଉପରେ ସପନରେ ପୁଣି ଛାଇ-ନିଦ ଓ ଛାଇ-ସପନ ଆସି ମତେ ଗିରଫ କଲେ।