ସନ୍ଦିଗ୍ଧ ଦୃଷ୍ଟିରେ ଗୁରେଇ ତା’ ଆଡ଼େ ଚାହିଁରହିଲା। “ଯେଉଁଠୁ ଆଇଁଲି କ’ଣ ମ? ରାତି ରାତି କ’ଣ ଚାଳବାଟ ଦେଇ ଆଇଲା?” ଅପର୍ତ୍ତି ଇତସ୍ତତଃ ହୋଇ ଶେଷକୁ କହିଲା, “ଧନୀ ସାହୁ ଦୋକାନରୁ ଚୋରି କରିଛି।”
ଚମକିପଡ଼ି ଗୁରେଇ କହିଲା- “ଚୋରି”?
“ହଁ, ଚୋରି… କଅଣ ହୋଇଗଲା ସେଇଠୁ? କିଏ ନ କରୁଚି ଚୋରି! ଧନୀ ସାହୁ କିଳାପୋତେଇ କରି ଟଙ୍କା ଜାଗାରେ ପାଞ୍ଚଟଙ୍କା ନଉଚି- ସେଟା କ’ଣ ଚୋରି ନୁହେଁ? ଯେଉଁ ବାବୁମାନେ ଜାଣିଶୁଣି ତାକୁ ଛାଡ଼ି ଦଉଛନ୍ତି, ସେମାନେ ସବୁ କଅଣ ଭଲ ନୋକ? ଯେଉଁ ସାହୁକାର ଆମକୁ ଖଟେଇ, ଆମ ତଣ୍ଟି ଚିପି ଖଜଣା ଅସୁଲ କରୁଛି, ସିଏ କ’ଣ ଚୋର ନୁହେଁ? ଆଉ ମୁଁ ଖାଇବାକୁ ପାଉନି, ପିନ୍ଧିବାକୁ ପାଉନି, ଚୋରି କଲି ତ କଅଣ ହେଲା?”
ଗୁରେଇ ଭୟାର୍ତ୍ତ ଗଳାରେ କହିଲା- “ଯଦି ଧରାପଡ଼?”
ଅପର୍ତ୍ତି ନିର୍ଭୀକ ଭାବରେ ଉତ୍ତର ଦେଲା- “ଧରାପଡ଼ିଲେ ପଡ଼ିବି। ତା’ ଆଗରୁ ତୁ ଖଣ୍ଡେ ଲୁଗା ହେଲେ ପିନ୍ଧି ପକେଇଥା। ଛିଣ୍ଡା ଲୁଗାଗୁଡ଼ିକ ଏଇ ଅଗଣାରେ ପକେଇଦେ, ଆଉ ଏଇ ଶାଢ଼ି ଖଣ୍ଡ ପାଉଁଶ ଗଦା ଭିତରେ ନୁଚେଇ ଦେଇ ଆ। ଯା- ବେଇଗି ସବୁ କରିପକା।” ଅପର୍ତ୍ତି କହିଲା ପ୍ରକାରେ ଗୁରେଇ ସବୁ କରିଗଲା ଶଙ୍କିତ ଚିତ୍ତରେ। ବାରଟା ବେଳକୁ ପୁଲିସ୍ ଆସି ଘର ଖାନ୍ତାଲାସ କଲା। ଗୁରେଇ ନୂଆ ଶାଢ଼ିଟା ପିନ୍ଧି ଲଜ୍ଜାବନତ ମୁଖରେ ଠିଆହେଲା ପୁଲିସ୍ ସାମ୍ନାରେ।
ଗୁରେଇ ପିନ୍ଧା ଶାଢ଼ିକୁ ଦେଖାଇ ପୁଲିସ୍ ପଚାରିଲା ଅପର୍ତ୍ତିକୁ-ଏ ଶାଢ଼ି କେଉଁଠୁ ପାଇଲୁ?
ଟିକିଏ ବି ଶଙ୍କି ନ ଯାଇ ଅପର୍ତ୍ତି ଉତ୍ତର ଦେଲା-କିଣିଛି।
ପୁଲିସ୍ ପଚାରିଲା- କେଉଁଠୁ କିଣିଲୁ?
-ହେଇ, ଯିଏ ଆପଣଙ୍କ ସାଥିରେ ଆଇଚି ଧନୀ ସାହୁ, କିଣିଚି ଏଇ ରବିବାର ଦିନ।
ଧନୀ ସାହୁ ଆଡ଼େ ଚାହିଁ ପୁଲିସ୍ ପଚାରିଲା-କିଓ ବିକିଚ?
ଆଖି ଦି’ଟା ବଡ଼ ବଡ଼ କରି ହାତଯୋଡ଼ି ଧନୀ ସାହୁ କହିଲା- ନାଇଁ ଆଜ୍ଞା! ଖାତା ଦେଖନ୍ତୁ ତା’ ଦସ୍ତଖତ ତ ଥିବ।
ଅପର୍ତ୍ତି ଶ୍ଳେଷମିଶା ଗଳାରେ କହିଲା-ଦସ୍ତଖତ ଆସିବ କେଉଁଠୁ ସାହୁଏ? ରାତି ବାରଟା ବେଳେ ଚୋରଙ୍କ ଭଳି ବାଡ଼ିପଟେ ତ ଲୁଗା ବିକିବ କିଳାପୋତେଇରେ। ଅଢ଼େଇ ଟଙ୍କାର ଖଦିଖଣ୍ଡକ ତ ମୋଠୁ ପାଞ୍ଚ ଟଙ୍କା ସୁଉକାଏ ନେଲ-ଅନ୍ଧାରିଆ ବେଉସା। ଅବିକା ମତେ ଚୋର କରିବାକୁ ବସିଛ କ’ଣ କିଏ ସାହୁ? ପୁଲିସ୍ ଆଡ଼େ ଚାହିଁ ପଚାରିଲା-ଆଜ୍ଞା ମୁଁ ଚୋର କି ନୁହେଁ ପଚାରନ୍ତୁ ସବୁ ଗାଁ’ବାଲାଙ୍କୁ। ଆଉ ସେମାନଙ୍କୁ ପଚାରନ୍ତୁ ଧନୀ ସାହୁ କିଳାପୋତେଇରେ ଲୁଗା ବିକେ କି ନାହିଁ? ତାଙ୍କରି ଭିତରୁ ବି କେତେ କିଣିଥିବେ। ପୁଲିସ୍ ଚାହିଁଲା ଗାଁ’ବାଲାଙ୍କ ଆଡ଼େ। ସମସ୍ତେ ନୀରବ ରହିଲେ। ପୁଲିସ୍ ଧନୀ ସାହୁକୁ ପଚାରିଲା-ତମର କେତେ ଯୋଡ଼ା ଲୁଗା ଚୋରି ଯାଇଛି?
ଧନୀ ସାହୁ ଥଙ୍ଗେଇ ଥଙ୍ଗେଇ ମନେପକାଇବା ଭଳି ଆଖି ଉପରକୁ କରି କହିଲା-ଆଜ୍ଞା ଦଶ ପନ୍ଦର ଯୋଡ଼ା।
ଧମକ ଦେଇ ସବ୍-ଇନିସ୍ପେକ୍ଟର କହିଲେ-ଠିକ୍ କେଇଟା ଜାଣିନ? କଣ୍ଟ୍ରୋଲ ଦୋକାନ ତମର, ଲୁଗା ହିସାବ ଠିକ୍ ରଖିନ?
ଧନୀ ସାହୁ ପାଟି ପାକୁ ପାକୁ କଲା। ପୁଲିସ୍ ଅପର୍ତ୍ତିର ଘରବାଡ଼ି ସବୁ ଟିକିନିଖି କରି ଖୋଜି କେଉଁଠୁ କିଛି ନ ପାଇ ଧନୀ ସାହୁକୁ ଚାହିଁ କହିଲେ-ଏୟାଡ଼େ ଚୋରିଯିବା ବାହାନା ଦେଖେଇ ସିଆଡ଼େ କିଳାପୋତେଇ ଚାଲିଛି, ନାଇଁ? ଆସ ତମ ଦୋକାନ ଖାନତଲାସ୍ କରିବି। ତମେ ବଡ଼ ସୁବିଧା ଲୋକ ନୁହଁ ତ?
ପୁଲିସ୍ ଆଗେଇ ଚାଲିଲା-ପଛେ ପଛେ ଧନୀ ସାହୁ ଚୋରଙ୍କ ଭଳି ଥରି ଥରି ହାତଯୋଡ଼ି ଚାଲିଲା।
ଅପର୍ତ୍ତି ଚାହିଁଲା ଗୁରେଇ ଆଡ଼େ ହସି ହସି।
ଗୁରେଇ ପଚାରିଲା ଆଶ୍ଚର୍ଯ୍ୟ ହୋଇ “ତମେ ଏତେଗୁଡ଼ାଏ ମିଛ କହିଗଲ ପୁଲିସ୍ ଆଗରେ? ମୋ ଛାତି ଥରୁଥେଲା ଖାଲି।”
ଅପର୍ତ୍ତି କହିଲା- “ନେଇ ଆଣି ଥୋଇ ଜାଇଁଲେ ଚୋରି ବିଦ୍ୟା ଭଲ।”
ଗୁରେଇ ବ୍ୟସ୍ତ ହୋଇ କହିଉଠିଲା- “ନାଇଁ, ନାଇଁ ଆମେ ଶୁଖି ଶୁଖି ମରିବା ପଛେ, ତେମ ଏମିତି କେଉଁଠୁ ଚୋରି କରନି। ମୋ ଛାତି ଧଡ଼ଧଡ଼ ହଉଚି।”
ଅପର୍ତ୍ତି କିଛି ସମୟ ଚୁପ୍ହୋଇ ବସି ରହିଲା। ତା’ପରେ ଆଖି ଛଳଛଳ କରି ବ୍ୟଥାତୁର କଣ୍ଠରେ କହିଲା- “ଗୁରେଇ ଚୋରି କ’ଣ ମୁଁ ସଉକରେ କଲି? ବଡ଼ ଲୋକମାନେ ସଉକରେ ହଜାର ହଜାର ଚୋରି କରୁଛନ୍ତି। ଆମେ ହୀନସ୍ଥା ହଉଚେ। ଦି’ଖଣ୍ଡ ଲୁଗା ବି ଆମେ ଚୋରି କରିପାରିବାନି ଖାଲି ନିଜର ମାନମହତ ଘୋଡ଼ାଇବା ଲାଗି?”
“ସମସ୍ତେ କହିଲେ, ଆମ ଦେଶ ସ୍ବାଧୀନ ହେଲା, ଆମ ଦୁଃଖ ପାଣି ପରି ବୋହିଯିବ। କିନ୍ତୁ କାହିଁ?”
ଗୁରେଇ ଉତ୍ତ୍ୟକ୍ତ ଅପର୍ତ୍ତି କାନ୍ଧରେ ହାତ ରଖି କହିଲା- “ନାଇଁ, ତମେ ମୋ ମୁଣ୍ଡ ଖାଅ- ଯିଏ ଯାହା କରୁ, ତମେ ସେସବୁ ନିଉଛଣା କାମ ଆଉ କରିବନି। ଦୁଃଖ ଆମର ଦିନେ ନା ଦିନେ ଘୁଞ୍ଚିବ। ସବୁଦିନ କ’ଣ ଆଉ ଏକା ଯାଉଥିବ?”
ଅପର୍ତ୍ତି ତା’ ଆଡ଼େ ଚାହିଁ ରହିଲା- “ଗୁରେଇ, ଭଲ ନୋକ ହେଲେ ଦୁଃଖ ଭୋଗିବାକୁ ହୁଏ।”
ଗୁରେଇ କହିଲା- “ହଉ ଦୁଃଖ।”
-୦-

‘‘ଏହି ଗଳ୍ପ ଏବଂ ଉପରୋକ୍ତ ଚିତ୍ରଟି ଉଚ୍ଚବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ୧୯୮୦ ମସିହାରେ ପ୍ରକାଶିତ ‘ଗଳ୍ପ ଏକାଙ୍କିକା’ ପୁସ୍ତକରୁ ସଂଗୃହୀତ।’’