ମୁହଁ ଜୋରରେ କିଛିଦିନ ଏମିତି ମାରିଦେଲା ସିନା, କିନ୍ତୁ ମନର ଗୋଟିଏ ନିଭୃତ କୋଣରେ ଗୁରେଇର ଛବି ମଝିରେ ମଝିରେ ଝଲସି ଉଠି ତାକୁ ଅସ୍ଥିର କରିପକାଏ।

ସବୁଦିନ ବଡ଼ିଭୋରରୁ ହଳଳ ବଳଦ ଧରି ଅପର୍ତ୍ତି ବିଲକୁ ଗଲାବେଳେ ଗୁରେଇ, ସାନ ସାଆନ୍ତଙ୍କ ପୋଖରୀରୁ ଗାଧୋଇ ଫେରୁଥାଏ-ମୁଣ୍ଡରେ ଗୋଟିଏ ପାଣି ଭର୍ତ୍ତି ଗରା- କ୍ଷୀଣ କଟି ଓ ବାଁ ହାତର ବେଷ୍ଟନୀ ଭିତରେ ଆଉ ଗୋଟିଏ ଗରା ଧରି ଗୁରେଇ ତା’ ପାଖ ଦେଇ ଚାଲିଯାଏ। ଅପର୍ତ୍ତି ମୁହଁ ଫେରାଇ ଚାହେଁ। କେତେ ଥର ସେ ଗୁରେଇ ପାଖରେ ଧରା ପଡ଼ିଯାଇଛି- କିନ୍ତୁ ଗୁରେଇ ଭର୍ତ୍ସନା କରିବା ବଦଳରେ ତା’ର ମୌନ ହସ ଦ୍ବାରା ବରଂ ଉତ୍ସାହିତ କରିଛି।

ଅପର୍ତ୍ତି ଆଉ ବେଶି ଦିନ ଏକା ଚଳିପାରିଲା ନାହିଁ- ଦିନେ ଗୁରେଇ ଗାଧୋଇ ଫେରିଲାବେଳେ ସେ ତାକୁ ଅଟକାଇ ପଚାରିଲା। ଗୁରେଇ କୌଣସି ଆପତ୍ତି ନ କରି ମୁଁ ଭରିଲା… ଘମାଘୋଟ ଯୁଦ୍ଧବେଳେ ଅପର୍ତ୍ତି ବାହା ହେଲା। ଯେତେବେଳେ ପେଟକୁ ଦାନା କି ପିଠିକୁ କନା ମିଳୁନି, ଜାପାନୀ ମାଡ଼ିଆସୁଛି ସିଆଡ଼ୁ। ବାହାଘର ପ୍ରଥମ ନିଶା କଟିଯାଏ ତାଙ୍କର ଦରିଦ୍ର ସଂସାରର, ଅଭାବଗୁଡ଼ିକ କ୍ରମେ ସ୍ପଷ୍ଟତର ହୋଇଉଠେ। କିଛିଦିନ ପରେ ଅପର୍ତ୍ତି ଦେଖିଲା ଗୁରେଇ ଖଦି ଦି’ଖଣ୍ଡ କେତେଠେଇଁ ଚିରିଗଲାଣି। କେତେ ଚେଷ୍ଟା କରି ମଧ୍ୟ ଅପର୍ତ୍ତି ଗୁରେଇ ପାଇଁ ଖଣ୍ଡେ ଖଦି କିଣିପାରେନି। ଅପର୍ତ୍ତି ଆଉ ଚାହିଁପାରୁନି ଗୁରେଇ ଆଡ଼େ। ଯୁଦ୍ଧ ବଜାରରେ କିଳାପୋତେଇ କରି ଧନୀ ସାହୁ କୋଠା ବନେଇବାକୁ ବସିଲାଣି। ପଇସା ଯାଚି ମଧ୍ୟ ଧନୀ ସାହୁଠୁଁ ସେ ଖଦିଖଣ୍ଡେ ପାଇପାରିଲା ନାହିଁ। କେଡ଼େ ନେହୁରା ହେଲେ ବି କିଳାପୋତେଇ ବା ପଇସା କାହିଁ।

ବେଳେବେଳେ ଅପର୍ତ୍ତ ମନରେ ଭାରି ରାଗ ହୁଏ। ଭାବେ, ଧନୀ ସାହୁ ଦୋକାନରେ ନିଆଁ ଲଗେଇଦେବ- କିନ୍ତୁ କ’ଣ ଭାବି ପୁଣି ଦବିଯାଏ।

ଦିନେ ଗାଁ’ର ସମସ୍ତେ ଖବର ପାଇଲେ ସରକାର ଜିତିଛନ୍ତି। ସରକାରୀ କର୍ମଚାରୀମାନେ ଗାଁ ଗାଁ ବୁଲି ଖବରଟା ଶୁଣେଇଦେଇ ଗଲେ। ପ୍ରଚାର ବିଭାଗର ଲାଉଡ଼୍‌ସ୍ପିକର ଗାଁ’ଗଣ୍ଡା ଫଟେଇ ପକାଇଲେ। ସମସ୍ତେ ଶୁଣି ଖୁସି ହେଲେ। ଅପର୍ତ୍ତି ଖୁସିହୋଇ ଭାବିଲା ଏଥର ନିଶ୍ଚେ ତା’ ଦୁଃଖ ଯିବ। ଲୁଗାପଟା ଶସ୍ତା ହେବ। ତା’ ଗୁରେଇ ଆଉ ସତରଗଇଁଠା ଖଦି ପିନ୍ଧିବନି। ଗୁରେଇ ଖଦିରେ ନଖ ବହଳରେ ମଇଳା ଜମିଲାଣି, କିନ୍ତୁ କ’ଣ କରାଯିବ? ସଫା କରିବାକୁ ବସିଲେ ତା’ ଖଦି ପୁର୍‌ ପୁର୍‌ ହୋଇ ଚିରିଯିବ। ସରକାର ଜିତିଛନ୍ତି ବୋଲି ଗାଁ’ରେ ଗରିବଗୁରୁବାଙ୍କୁ ଲୁଗା ବଣ୍ଟା ହେବାପାଇଁ ଡେଙ୍ଗୁରା ଦିଆଗଲା। ଅପର୍ତ୍ତି ପଚାରିଲା ଗୁରେଇକୁ।

“ଗୁରେଇ ଲୋ, ଯିବୁ? ଲୁଗା ବଣ୍ଟା ହଉଚି।” ଏତ ଦୁଃଖରେ ବି ଅପର୍ତ୍ତି ଉପରେ ଟିକିଏ ହେଲେ ବିରକ୍ତ ନ ହୋଇ ଗୁରେଇ କହିଲା, “ମୁଁ କିମିତି ଯିବି ମ, ଏଇ ଛିଣ୍ଡା ଲୁଗା ପିନ୍ଧି? ମୁଣ୍ଡ ଛିଣ୍ଡିପଡ଼ିବ ଏତେ ଲୋକଙ୍କ ଭିତରେ।”
ଅପର୍ତ୍ତି ବୁଝିଲା-ତେଣୁ ସେ ଏକା ଗଲା। ଖଣ୍ଡିଏ ଷ୍ଟାଣ୍ଡାର୍ଡ଼ ଧୋତି ମିଳିଲା ତାକୁ। ଫେରିଆସି ଗୁରେକି ଧୋତିଟି ଦେଇ କହିଲା, “ଯାଇଥିଲେ ଖଣ୍ଡେ ଲୁଗା ପାଇଥା’ନ୍ତୁ। ନେ, ପିନ୍ଧ ଏଇଟାକୁ-ମୋର ଚଳିଯିବ।” ଯୁଦ୍ଧ ସରିଗଲା। ସାଉକାର କ୍ଷେତରେ ହଳ କଲାବେଳେ ଅପର୍ତ୍ତି ଆଉ ଉଡ଼ାଜାହାଜର ଘଁ ଘଁ ଶବ୍ଦ ଶୁଣିବାକୁ ପାଇଲା ନାହିଁ। ଦିନ ଗଡ଼ିଚାଲିଲା- କିନ୍ତୁ ଚାଉଳ, ଲୁଗା ଆଉ କିରୋସିନି ଦର କମିଲା ନାହିଁ। ଅନାହାର, ଅର୍ଦ୍ଧାହାର ଓ ଅଯତ୍ନରେ ଗୁରେଇର ସୁନ୍ଦରପଣିଆ କମି ଆସିଲାଣି। ଦେଢ଼ ବର୍ଷ ଆଗରୁ ଯେଉଁ ମିଣିପି ପିନ୍ଧା ଖଦିଖଣ୍ଡିକ ଅପର୍ତ୍ତି ଦେଇଥିଲେ ଗୁରେଇକି, ସେ ଖଣ୍ଡ ବି ଚିରି ଆସିଲାଣି।

କେତେ ଦିନେ ଫେର୍‌ ସିଏ ପଇସା ଧରି ଯାଇ ଧନୀ ସାହୁ ଦୋକାନ ମୁହଁରେ ଠିଆ ହେଲା। ଧନୀ ସାହୁ କହିଲା, “ଯା, ଯା ଲୁଗା ନାହିଁ। ତିନିଟା ଟଙ୍କାରେ ଶାଢ଼ି କିଣିବ।”

ଅପର୍ତ୍ତି ନମ୍ର ସ୍ବରରେ କହିଲା, “ସାହୁଏ, କେତେଥର ଫେରାଇ ଦେଲଣି। ଘରେ ସିଆଡ଼େ ଉଧୁ ନଙ୍ଗଳା-ପାଣି ମାଠିଏ ଆଣିବାକୁ ପଦାକୁ ବାହାରିପାରୁ ନାହାଁନ୍ତି।”

ଧନୀ ସାହୁ ଅପର୍ତ୍ତି ପ୍ରତି ସହାନୁଭୂତି ଦେଖାଇବା ଦୂରେ ଥାଉ, ଓଲଟି ତାକୁ ଭାରି ଅପମାନିଆ ଭାଷାରେ ଗାଳି ଦେଲା। ତା’ କଥା ଶୁଣି ଅପର୍ତ୍ତିର ଶିରାପ୍ରଶିରାଗୁଡ଼ାକ ରାଗରେ ଫୁଲିଉଠିଲା। ଆଖି ଯୋଡ଼ାକ ଜଳିଉଠିଲା। ଏଇ ଧନୀ ସାହୁ-ଯୁଦ୍ଧ ଆଗରୁ ବ୍ରାହ୍ମଣ ସାହି, କେଉଟି ସାହି, ସାହିକି ସାହି ଘରଘର ବୁଲି ପାଟଫୁଲି, ଛୁଞ୍ଚିସୂତା, ଗନ୍ଧକର୍ପୂର ବିକୁଥିଲା। ତା’ର ଫେର୍‌ ମୁହଁ ଉପରକୁ ହେଲାଣି। ଦାନ୍ତ ଚିପି ରାଗ ବନ୍ଦ କରି ଫେରିଆସିଲା ଅପର୍ତ୍ତି।

ଗାଁ’ ଗାଁ’ ବୁଲି ଦେଶ ସେବକମାନେ ପ୍ରଚାର କଲେ- ସୂତା କାଟି ଲୁଗା ଅଭାବ ଦୂର କରି ନିଜ ଗୋଡ଼ରେ ନିଜେ ଠିଆ ହୁଅ। ତା’ ନହେଲେ ଦାସତ୍ବର ବେଡ଼ିରୁ ମୁକ୍ତିଲାଭ କରିପାରିବ ନାହିଁ। କେଡ଼େ କେଡ଼େ ଚାଷୀ ମୂଲିଆ ସଭା ହେଲା। କିଏ କହିଲା- ଜମିଦାରଙ୍କୁ କର ଦିଅନି। କିଏ କହିଲା- ‘ଧର୍ମଘଟ କର।’

Pages: 1 2 3 4