
ରାଜଧାନୀ ସନ୍ନିକଟସ୍ଥ ରାଜ ଉଦ୍ୟାନରେ ପ୍ରଭାତରେ ଦେଖାଗଲା ଏକ ଅଦ୍ଭୂତପୂର୍ବ ଦୃଶ୍ୟ। କେତେ ରାତ୍ରି ଧରି କ୍ରମାଗତ ଭାବରେ ସୁନ୍ଦର ଉଦ୍ୟାନରେ ବିଭ୍ରାଟ ସୃଷ୍ଟି କରୁଥିବା ଗୋଟିଏ ବାର୍ହାକୁ ଧରିବାପାଇଁ ମାଳି ଦୁଇଜଣ ଯେଉଁ ଫାଶ ବସାଇଥିଲେ, ସେଥିରେ ଧରା ପଡ଼ିଥିଲା ଏକ ପ୍ରଚଣ୍ଡ ଦର୍ଶନ ବାଘ।
ଯାହା ଜଣାପଡ଼ୁଥାଏ, ପାର୍ଶ୍ବବର୍ତ୍ତୀ ଅରଣ୍ୟରୁ ବାଘଟି ସପରିବାର ନୈଶ ଭ୍ରମଣରେ ଉଦ୍ୟାନ ଭିତରକୁ ପଶିଆସି ଫାଶରେ ପଡ଼ିଯାଇଥିଲା। ବହୁ ସମୟ ଛାଟିପିଟି ହୋଇ ବି, ମୁକୁଳି ନପାରି ଅବଶେଷରେ ଅନ୍ଧକାର ଅବସାନ ହୋଇ ଆସନ୍ତେ, ପରିବାରକୁ ବିଦାୟ କରିଦେଇ ଏକ ଦାର୍ଶନିକ ଅନାସକ୍ତି ଭାବ ନେଇ ଛିଡ଼ାହୋଇ ରହିଥିଲା।
ପ୍ରଥମେ ମାଳି ଯେତେବେଳେ ଏ ଦୃଶ୍ୟ ଦେଖିଲା, ସେତେବେଳେ ସେ ଭୟରେ ଚିତ୍କାର କରି ଅଜ୍ଞାନ ହେବାକୁ ଯାଉ ଯାଉ ରହିଗଲା। ପରେ ପରେ ସେ ହୃଦୟଙ୍ଗମ କଲା ଯେ, ବାର୍ହା ପାଇଁ ଉଦ୍ଦିଷ୍ଟ ଶକ୍ତ ଫାଶରୁ ମୁକୁଳିବା ବାଘଟି ପକ୍ଷରେ ସମ୍ଭବ ନୁହେଁ। ଭୟ ହେଲା ପୁଲକରେ ରୂପାନ୍ତରିତ, ପୁଲକ ହେଲା ଶିହରଣରେ ପରିଣତ। ତା’ କଣ୍ଠରୁ ନିର୍ଗତ ହେଲା ଏକ ପୁଲକୋନ୍ମାଦ ସଙ୍ଗୀତ।
ଚିତ୍କାର ଓ ତତ୍ପରବର୍ତ୍ତୀ ସଙ୍ଗୀତରେ ଆକୃଷ୍ଟ ହୋଇ ଦ୍ବିତୀୟ ମାଳି ସେଠାକୁ ଦୌଡ଼ି ଆସିଲା। ଅସ୍ପଷ୍ଟ ଆଲୁଅରେ ସେ ମହାବଳକୁ ଦେଖି ପାରିବା ପୂର୍ବରୁ ପ୍ରଥମ ମାଳି କହିଲା, “ବାଘ!”
“ହଃ” ବୋଲି ତାଚ୍ଛଲ୍ୟ ସୂଚକ ଉକ୍ତିକରି, ପରମୁହୂର୍ତ୍ତରେ ଦ୍ବିତୀୟ ମାଳି ଅନ୍ଧକାର ଭିତରେ ଦୁଇଟି ମଶାଲ ଭଳି ଜ୍ବଳନ୍ତ ନୟନ ଅବଲୋକନ କରି ଅସତର୍କ ଅବସ୍ଥାରେ ଆର୍ତ୍ତନାଦ କରିପକାଇଲା।
“ହାଃ-ହାଃ-ହାଃ”-ଅଟ୍ଟହାସ୍ୟ କଲା ପ୍ରଥମ ମାଳି। ବହୁ ବର୍ଷରୁ ତାକୁ ଥଟ୍ଟା କରୁଥିବା ଓ ନାନା ଭାବରେ ହଇରାଣ କରୁଥିବା ତା’ର ସହକର୍ମୀକୁ ଏଭଳି ଲଜ୍ଜାକର ଅବସ୍ଥାରେ ଦେଖିବାର ସୁଯୋଗର ସେ ଯଥାର୍ଥ ସଦ୍ବ୍ୟବହାର କରିବାକୁ ମନସ୍ଥ କରି ଦମ୍ ନେଇ ଆହୁରି ଜୋର୍ରେ ହସିବାକୁ ଲାଗିଲା।
ଦ୍ବିତୀୟ କହିଲା, “ହ୍ରେଷାରବ କରିବା ଦରକାର ନାହିଁ। ଅନ୍ୟ ଘୋଡ଼ାଏ ଦୌଡ଼ି ଆସିବେ।”
ପ୍ରଥମ ଉତ୍ତର ଦେଲା, “ତୋ’ ଭଳି ଭୀରୁ ଖଚ୍ଚରକୁ ମୋ ଭଳି ଅଶ୍ବ ବା ନ ହସିବ କିପରି?”
ଦ୍ବିତୀୟ ପ୍ରତ୍ୟୁତ୍ତର ଦେଲା, “ମୋର ମନେହୁଏ କିଛି ସମୟ ପୂର୍ବରୁ ଆଉ ଗୋଟିଏ ଖଚ୍ଚର ବି ଏଇଠାରେ ଏମିତି ଆବାଜ୍ ଦେଇଥିଲା।”
ଏଥର ପ୍ରଥମ ହଠାତ୍ ଚିଡ଼ିଗଲା। ସେ ରଡ଼ିକରି କହିଲା, “ଏଡ଼େ ସାହାସ ତୋର ଯେ, ମୁଁ ତୋହରି ଭଳି ଭୟରେ ଚିତ୍କାର କରିଥିଲି ବୋଲି ତୁ କହିବୁ? ତୁ ଜାଣୁ କିପରି ମୁଁ ବାଘକୁ ଅକ୍ତିଆର କଲି? ସେ ଫାଶରେ ପଡ଼ିବାକୁ ମଙ୍ଗୁ ନଥିଲା। ମୁଁ ତା’ ଉପରକୁ ଡେଇଁପଡ଼ି, ତା’ କାନ ଧରି ତାକୁ ଅଡ଼ାଇ ଆଣି ଫାଶରେ ପକାଇଲି… ଜାଣିଛୁ?”
ଏଥର ଅଟ୍ଟହାସ୍ୟ କଲା ଦ୍ବିତୀୟ ମାଳି। ପାଞ୍ଚ ମିନିଟ୍ ଅତିକ୍ରାନ୍ତ ହେଲେ ସୁଦ୍ଧା ସେ ହାସ୍ୟ ସମ୍ବରଣ କରିବାର କୌଣସି ଆଶା ନ ଦେଖି ପ୍ରଥମ ମାଳି କ୍ରୋଧରେ କାନ୍ଦକାନ୍ଦ ହୋଇ କହିଲା, “ଦେଖ୍, ମୁଁ ବାଘ ଉପରେ ସବାର ହୋଇପାରେ କି ନା!”
ଏତେବେଳକୁ ଉଦ୍ୟାନର ପାର୍ଶ୍ବବର୍ତ୍ତୀ ବସତିର ବାସିନ୍ଦାମାନେ ସେଠାରେ ଆସି ଠୁଳ ହୋଇଥିଲେ। ପ୍ରଥମ ମାଳି କାଛା ଭିଡ଼ି ବାଘଆଡ଼କୁ ମାଡ଼ି ଚାଲିଲା।
ଜନତା ଭିତରୁ ଜଣେ ଦୁଇଜଣ କହି ପକାଇଲେ, “ବାପର ପୁଅ ଏକା!”
ଦ୍ବିତୀୟ ମାଳି କାନରେ ଏ ମନ୍ତବ୍ୟ ପଡ଼ିଲା। ମୁହୂର୍ତ୍ତେ କିଂ କର୍ତ୍ତବ୍ୟବିମୂଢ଼ ରହି ସେ ପାଟିକଲା, “ରହ!” ପ୍ରଥମ ରହିଗଲା। ଦ୍ବିତୀୟ କହିଲା, “ମୋ ଆଗରେ ବାହାଦୂରି କରୁଛୁ? ମୁଁ ରାତିରାତି ବାଘ ଉପରେ ସବାର ହୋଇ ଅରଣ୍ୟ ପର୍ବତ ବୁଲିଛି। ସତ କି ମିଛ ଦେଖ!” ସେ ବି ବାଘ ଅଭିମୁଖେ ଅଗ୍ରସର ହେଲା, ଅପେକ୍ଷାକୃତ କ୍ଷିପ୍ର ଗତିରେ।
ଲୋକ କହିଲେ, “ଇଏ ବି ବାପର ବେଟା।”
ଉଭୟ ବାପର ବେଟା ବାଘର ଅଦୂରରେ ପରସ୍ପରକୁ ପ୍ରଥମେ ଅଟକାଇ ରଖିବାକୁ, ପରେ ଭୂତଳଶାୟୀ କରିବାକୁ ଉଦ୍ୟମ କଲେ। ପନ୍ଦର ମିନିଟ୍ କାଳ ଲଢ଼େଇ ଚାଲିଲା। କେହି ବାଘ ପାଖରେ ପହଞ୍ଚିଲେ ନାହିଁ, ଉଭୟେ ଲହୁ ଲୁହାଣ ହେଲେ।
ପ୍ରଭାତର କୋମଳ ଆଲୋକରେ ଏକ ଦିଗରୁ ଫାଶଗ୍ରସ୍ତ ସୁଗମ୍ଭୀର ବାଘ ଓ ଅନ୍ୟ ଦିଗରୁ କ୍ରମବର୍ଦ୍ଧିଷ୍ଣୁ କୌତୂହଳୀ ଜନତା, ସେ ଲଢ଼େଇ ଉପଭୋଗ କରୁଥିଲେ।
ଏତିକିବେଳେ ସେଠରେ ଉପନୀତ ହେଲେ ଦୁଇଜଣ ରାଜକୀୟ କର୍ମଚାରୀ- କଟୁଆଳ ଓ ରଟୁଆଳ। “କଥା କ’ଣ?” ସେମାନେ ଘୋଡ଼ାରୁ ଓହ୍ଲାଇ ପ୍ରଶ୍ନ କଲେ। ଲଢ଼େଇ ଛାଡ଼ି ଉଭୟ ପ୍ରତିଦ୍ବନ୍ଦୀ କାନ୍ଦି ପକାଇ ହାତ ଯୋଡ଼ିକରି କର୍ମଚାରୀଦ୍ବୟଙ୍କ ଆଗରେ ଛିଡ଼ା ହେଲେ। ଯେତେବେଳେ କର୍ମଚାରୀଦ୍ବୟ ଯୁଦ୍ଧର କାରଣ ଜାଣିଲେ, ସେତେବେଳେ ପ୍ରବଳ ଭାବରେ ହସିବାକୁ ଲାଗିଲେ। “ତମ ଭିତରୁ ଗୋଟାଏ ଛାଗ ପୁଣି ବାଘ ଉପରେ ସବାର୍ ହେବ” ସେମାନେ କହିଲେ।
ପ୍ରଥମ ମାଳି ସଙ୍ଗେ ସଙ୍ଗେ କୈଫିୟତ୍ ଦେଲା, “ହଜୁର୍, ମୁଁ ସେକଥା କହିବାରୁ ଇଏ ମୋତେ ବାଡ଼େଇଲା। ମୁଁ କହିଲି, ବାଘ ଉପରେ ସିନା କଟୁଆଳ ବା ରଟୁଆଳ ବସିବେ, ତୋ’ ମୋ’ ଭଳି ଛାଗ କ’ଣ ସେଠି ବସିବାକୁ ହକ୍ଦାର?”