ଅପର୍ତ୍ତି କ୍ଷେତରେ ହଳ କରୁଛି। ତା’ର ଚିକିଣା ବଳିଷ୍ଠ କଳା ଦେହରୁ ଝାଳ ପାଣିଭଳି ବୋହିଯାଇଛି। ହଳ କରୁ କରୁ ଅପର୍ତ୍ତି କେତେ କ’ଣ ଭାବି ଭାବି ଯାଉଛି। ଭାବୁ ଭାବୁ ଲଙ୍ଗଳକଣ୍ଟି ଉପରେ ତା’ ହାତ କୋହଳ ହୋଇଗଲେ, ବଳଦ ଦି’ଟା ଧିମେଇ ଚାଲୁଛନ୍ତି। ଅପର୍ତ୍ତି ଡାହାଣ ହାତରେ ପାଞ୍ଚଣଟାରେ ବଳଦ ଦି’ଟାକୁ ପିଟୁ ପିଟୁ କହିଉଠେ, ଗୋସେଇଁଖିଆ-ଚଙ୍କୁ ନାହାନ୍ତି ମୋଟେ।

ବଳଦ ଦି’ଟା ଟିକିଏ ଜୋର୍‌ରେ ଚାଲିବାକୁ ଆରମ୍ଭ କଲେ ଅପର୍ତ୍ତି ପୁଣି ତା’ ଭାବନା ରାଜ୍ୟକୁ ଫେରିଯାଏ। ତା’ର ଭାବିବାକୁ ଆଜି ଅନେକ କଥା। ଆଠ ନଅ ବର୍ଷର ଘଟଣା। ଛବି ଭଳି ସେଗୁଡ଼ିକ ଆଖି ଆଗରେ ଭାସିଯାଉଛି। କାଲି ଭଳି ମନେହେଉଛି ସେସବୁ କଥା। ଅପର୍ତ୍ତିକୁ ଆଶ୍ଚର୍ଯ୍ୟ ବି ଲାଗୁଛି। ଏଇ ଆଠ-ନଅଟା ବର୍ଷ ଆଗରୁ ସବୁ ଯେମିତି ଭଲ ଥିଲା। ଲୋକେ ଦୁଃଖେ ସୁଖେ ଶାଗ ପେଯ ଖାଇ ଆରାମରେ ଚଳି ଯାଉଥିଲେ।

କୁଆଡ଼ୁ ଆସିଲା ଏ ହୀନିମାନିଆ ଲଢ଼େଇ-ସବୁ ବଦଳେଇ ଦେଇ ଗଲା। ଇଂରେଜ ସରକାର ସିଆଡ଼େ କେଉଁ ଜରମାନୀ ନା କଅଣ ତା’ ସାଙ୍ଗରେ ଯୁଦ୍ଧ ଲାଗିଲା- ଆମର କଅଣ ଗଲା ସେଇଠୁ?
କହିଲେ କଅଣ ନା ଜାପାନୀ ମାଡ଼ିଆସୁଛି। ଆମ ଦେଶକୁ ନେଇଯିବ। ଲଢ଼େଇକି ବାହାରିପଡ଼।

କିହୋ-ଜାପାନୀ ନେଲେ କେତେ, ଇଂରେଜ ନେଲେ କେତେ- ଆମର କୋଉ ଦୁଃଖ ଯାଉଚି? ଯିଏ ଆମ ଉପରେ ରାଜା ହେବ, ସିଏ ତା’ ଦେଶକୁ ସବୁ ଲୁଟ୍‌କରି ବୋହିନେବ।
ଏବେ ଯୁଦ୍ଧ ସରିଲାଣି ତିନି କି ଚାରି ବର୍ଷ ହେଲା, ଜିନିଷପାତିର ଦରଦାମ୍‌ କମନ୍ତା କଅଣ, ନା ଆହୁରି ବଢ଼ୁଛି।

ଅପର୍ତ୍ତିକୁ ବଡ଼ ଆଶ୍ଚର୍ଯ୍ୟ ଲାଗେ-ଯୁଦ୍ଧ ହଉଚି କୋଉଠି, ଜିନିଷ ମହଙ୍ଗା ହଉଚି କୋଉଠି। ଆଗ ଆଗ ଅପର୍ତ୍ତି ଆଉ ଅପର୍ତ୍ତି ଭଳି ଲକ୍ଷ ଲକ୍ଷ ଚାଷୀ ୟାର ଭଦ ପାଇଲେନି। ଲଢ଼େଇ ହବାର କେତେ ମାସ ପରେ ଯେତେବେଳେ ଉଡ଼ାଜାହାଜଗୁଡ଼ାକ ଅପର୍ତ୍ତି ହଳ କଲାବେଳେ ତା’ ମୁଣ୍ଡ ଉପର ଦେଇ ଘଁ ଘଁ କରି ଉଡ଼ିଯାଆନ୍ତି, ସେ ହଳ ଛାଡ଼ିଦେଇ ହିଡ଼ ପାଖ ବୁଦା ମୂଳେ ଲୁଚିଯାଇ ଭୟାର୍ତ୍ତ ଆଖିରେ ସେଗୁଡ଼ାକ ଆଡ଼େ ଚାହିଁରହେ। ବଳଦ ଦି’ଟା ବି କାନ ତରାଟି ଅତର୍ଚ୍ଛିଆ ଅମୁହାଁ ଦୌଡ଼ନ୍ତି, ହଳ ଜୁଆଳି ସାଥିରେ।

କିଛିଦିନ ପରେ ତା’ ଭୟ କଟିଗଲା। ଏକ ସଙ୍ଗେ ଆଠ ଦଶଟା ଉଡ଼ାଜାହାଜ ତା’ କ୍ଷେତ ଉପର ଦେଇ ଉଡ଼ିଗଲାବେଳେ ତାକୁ ଭାରି ଖୁସି ଲାଗେ। ତା’ର ମନହୁଏ, ଉଡ଼ାଜାହାଜଗୁଡ଼ାକ ତା’ ଗାଁ’ ଉପର ଦେଇ ଯେତେବେଳେ ଉଡ଼ିଯାଉଛନ୍ତି, ନିଶ୍ଚୟ ଏଇ ପାଖରେ କେଉଁଠି ଯୁଦ୍ଧ ଲାଗିଛି- ଆଉ ସେ ଯୁଦ୍ଧରେ ତାଙ୍କ ଗାଁ’ର ସମସ୍ତେ ଯିମିତି ଭାଗ ନେଇଛନ୍ତି।

ଯୁଦ୍ଧର ଏଇ କାଳ୍ପନିକ ଅନୁଭୂତି ତା’ ମନରେ ଖୁବ୍‌ ଉତ୍ତେଜନା ଆଉ ଆନନ୍ଦ ଖେଳେଇ ଦେଇଛି। କ୍ରମେ ସେ ଉତ୍ତେଜନା ତା’ର ସ୍ବାଭାବିକ ଗତିରେ କମିଆସିଛି। ଦିନେ ଅଧେ ନୁହେଁ, ବର୍ଷ ବର୍ଷ ଧରି ଯୁଦ୍ଧ ଲାଗିଚି, କିନ୍ତୁ ଯୁଦ୍ଧର ଚିତ୍ର ଅପର୍ତ୍ତି ଦେଖିବାକୁ ପାଉନି। କେତେ ଦିନ ବା ସେ ଉତ୍ତେଜନା ରହନ୍ତା!

ଲଢ଼େଇ ଯେଉଁଠି ଲାଗୁ, ଅପର୍ତ୍ତି ମନରେ ଆସିଛି ବିଷାଦ। ସବୁ ଜିନିଷର ଦାମ୍‌ ବଢ଼ିଗଲା। କିରୋସିନ, ଚାଉଳ, ଲୁଗା ବି ଆଉ ମିଳିବାକୁ ନାହିଁ। ଚାଉଳ ଟଙ୍କାକୁ ଦି’ ସେର, ସେ ଠିକ୍‌ ଘୋଡ଼ାଦାନା। ସେଥିରେ ବି କିଳାପୋତେଇ। ଡିବିରି ଖଣ୍ଡିକରେ ଧୂଳି ଆଙ୍ଗୁଠି ବହଳରେ ଜମିଗଲାଣି। ଟୋପେ କିରୋସିନି ବି ତାକୁ ମିଳୁନି। ରାତି ଅନ୍ଧାରରେ ଯିବାଆସିବା କରିବାକୁ ତା’ ନିଜର କିଛି ଅସୁବିଧା ହେଉନି, କିନ୍ତୁ ତା’ ବୁଢ଼ୀମା’! ଦିନବେଳେ ବି ଆଖିକୁ ଭଲ ଦିଶୁନି- ସନ୍ଧ୍ୟା ହେଲା ପରେ କୁଆଡ଼େ ଟିକେ ଗୋଡ଼ ବଢ଼ାଇଲେ କଚଡ଼ା ଖାଏ। ଅପର୍ତ୍ତି କେତେଥର ବୁଢ଼ୀମା’କୁ ଉଠେଇ ଧରିଛି। ଦେହର ପୀଡ଼ା ଉଣା କରିବାକୁ ତେଲ ମାଲିସ୍‌ କରିଦେଇଚି।

ତା’ ବୁଢ଼ୀମା’ର ଏଇ ଦୁଃଖ ସେ ଆଉ ସହିପାରେନି। ଧନୀ ସାହୁ ପାଖରେ ଟୋପାଏ କିରୋସିନି ପାଇଁ କେତେ ନେହୁରା ହୁଏ, କିନ୍ତୁ ପାଏନି।
ଦିନେ ଅନ୍ଧାରରେ ସେମିତି ଗୋଡ଼ ଖସି ତା’ ବୁଢ଼ୀମା’ ଆଖି ବୁଜିଲା।

ଅପର୍ତ୍ତିର ଶାନ୍ତ ନିରୀହ ମନ ବିଦ୍ରୋହ କରିଉଠିଲା। ଅବାରିତ ଅଶ୍ରୁ ବର୍ଷଣ କରି ସେ ତା’ର ଉଦ୍‌ବେଳିତ ଚିତ୍ତକୁ ଲଘୁ କରିବାକୁ ଚେଷ୍ଟା କଲା। ଅପର୍ତ୍ତିର ଭାରି କ୍ଷୋଭ-ସେ ଯେଉଁ ଭୂଇଁରେ ଫି ବର୍ଷ ସୁନା ଫଳାଏ, ସେ ଭୂଇଁର ଫସଲ ଖାଏ ତା’ ସାଉକାର। ତା’ ଉପାସିଆ ପେଟକୁ କିଛି ଯୋଗାଏନି।

ସମସ୍ତେ କହିଲେ ଅପର୍ତ୍ତିକୁ, ‘ବାହା ହ’।

ଅପର୍ତ୍ତି ବି ଭାବୁଥିଲା ସେଇଆ। ବୁଢ଼ୀମା’ ଆଖି ବୁଜିଲା ଦିନଠାରୁ ଗଣ୍ଡେ ଫୁଟେଇ ଦେବାକୁ ନାହାନ୍ତି। କିନ୍ତୁ ଯୁଦ୍ଧବେଳେ ଚିଜପାତି ମହଙ୍ଗାରେ ତା’ର ସାହସ ହେଲାନି। କେହି କହିଲେ ଉତ୍ତର ଦିଏ- ଲଢ଼େଇଟା ସରିଯାଉ, ନିଜେ ତ ଖାଇବାକୁ ପାଉନି, ଘରେ ଆଣି ହାତୀ ବାନ୍ଧିବି।

Pages: 1 2 3 4