ଅପର୍ତ୍ତି ସବୁ ଶୁଣେ, କିନ୍ତୁ କେହି ତାକୁ ଖାଦ୍ୟପୋଷାକର କାର୍ଯ୍ୟକାରୀ ପନ୍ଥା ଦେଖାନ୍ତି ନାହିଁ। ବିଭିନ୍ନ ରାଜନୀତିକ ଦଳର ବିଭିନ୍ନ ମତବାଦ ପ୍ରଚାରିତ ହୁଏ। ଅପାଠୁଆ ଅଳ୍ପ ଜ୍ଞାନୀ ଅପର୍ତ୍ତି ମୁଣ୍ଡରେ ସେସବୁ ଢୁକେ ନାହିଁ। ଗୁରେଇର କ୍ଲିଷ୍ଟ, ଅର୍ଦ୍ଧନଗ୍ନ ଦେହ ତାକୁ ଅହରହ ପୀଡ଼ା ଦିଏ। ସନ୍ଧ୍ୟା ହେଲେ ଗୁରେଇ ଯାଏ ପଡ଼ିଆକୁ କିମ୍ବା କୂଅରୁ ପାଣି ଆଣିବାକୁ ଅତି ସନ୍ତର୍ପଣରେ।
ଅପର୍ତ୍ତି କଳ ପରି ତା’ ସାଉକାର ପାଇଁ ହଳ କରେ। ପରସ୍ପରରେ ଅପର୍ତ୍ତି ଶୁଣିପାରେ ତା’ ଦେଶ ସ୍ବାଧୀନ ହେବ- ବୁଝିପାରେନି। ୟା’କୁ ତାକୁ ପଚାରି କେବଳ ଏତିକି ବୁଝେ- ଆଉ କେଇଟା ଦିନ ଗଲେ ଗୋରା ଲୋକ ଆମ ଦେଶରେ ଆଉ ରହିବନି। ଆମରି ଦେଶ ଲୋକେ ଆମ ରାଇଜ ଚଳାଇବେ। କିଳାପୋତେଇ, ଚୋରା କାରବାର ବନ୍ଦ ହୋଇଯିବ। ଲୁଗା, କିରୋସିନି, ଚାଉଳ ଶସ୍ତା ହବ-ଲାଞ୍ଚ ମିଛ ଆଉ ଦେଶରେ ରହିବନି।
ଅପର୍ତ୍ତି ଭାରି ଖୁସି ହୋଇଯାଏ।
ଆନନ୍ଦରେ ଗୁରେଇକି ଯାଇ କହେ- “ଗୁରେଇ ଲୋ, ଆମ ଦୁଃଖ ଏଇଥର ଯିବ। ଆମ ଲୋକମାନେ ଆମକୁ ଚଳେଇବେ ଏଥର। ଗୋରା ଲୋକମାନେ କୁଆଡ଼େ ତାଙ୍କ ନିଜ ଦେଶକୁ ଗଣ୍ଠିଲି ବୁଜୁଳା ବାନ୍ଧି ପଳେଇବେ…।”
ଅପର୍ତ୍ତି ଉତ୍ସୁକ ହୋଇ ଚାହିଁରହେ ସେଇ ଦିନକୁ-
ସତଚାଳିଶ ସାଲ ଅଗଷ୍ଟ ପନ୍ଦର ଉତ୍ସବ ହୁଏ ଘରେ ଘରେ, ଚକ୍ରଚିହ୍ନିତ ତ୍ରିରଙ୍ଗା ପତାକା ଉଡ଼େ ସ୍ବାଧୀନ ଜୀବନର ଉଦ୍ଦାମ ପ୍ରବାହର ସଙ୍କେତ ଘେନି, ସାମ୍ୟ ମେତ୍ରୀର ସଙ୍କେତ ଘେନି। ଅପର୍ତ୍ତି ଚାଳରେ ଦି ଖଣ୍ଡେ ତ୍ରିରଙ୍ଗା ପତାକା ଉଡ଼େ। ଅପର୍ତ୍ତି ହସି ହସି ସେହି ପତାକା ଆଡ଼େ ଚାହିଁରହେ ଅପଲକ ଆଖିରେ। ସେ ଯେପରି ଦେଖିପାରେ, ସେହି ପତାକା ଭିତରେ ତା’ ଗୁରେଇ ଭଲ ଭଲ ଖଦିମାନ ପିନ୍ଧି ହସି ହସି ତା’ ଆଡ଼େ ଚାହିଁଛି… ପୁଞ୍ଜିପତି ଧନୀ ସାହୁ ହାତରେ ପଡ଼ିଚି ବେଢ଼ି, କିଳାପୋତେଇ କରି ଧରାପଡ଼ିବାରୁ।
ଦିନ ଗଡ଼ିଚାଲେ। ଗାନ୍ଧି ବୁଢ଼ାକୁ ଦେଶ ଭୁଲିଯାଏ। ତା’ର ମହତ ଆଦର୍ଶକୁ ବି ଭୁଲିଯାଏ। ତ୍ରିରଙ୍ଗା ପତାକାଟିର କଚ୍ଚାରଙ୍ଗ ବାୟୁ ସଂଘାତରେ ଫିକା ପଡ଼ିଆସେ। ଅପର୍ତ୍ତି ସ୍ପଷ୍ଟଭାବରେ ବୁଝିପାରେନି ଦେଶର କି ପରିବର୍ତ୍ତନ ହେଲା- ଗାଁ’ଟା ତ ଠିକ୍ ଯିମିତି ଥିଲା ସେମିତି ଅଛି! ତ’ଗୁରେଇ ତ ସେମିତି ଛିଣ୍ଡାକନା ପିନ୍ଧୁଛି, କାନସିରି କଇଁବେଣ୍ଟ ଶିଝା ଖାଉଛି। ପରିବର୍ତ୍ତନ ତେବେ ହେଲା କେଉଁଠି? ହଳ ଛାଡ଼ିଦେଇ ଅପର୍ତ୍ତି ଆଣ୍ଠୁ ଉପରେ କହୁଣୀ ରଖି ହିଡ଼ ଉପରେ ବସି ଭାବେ-କିନ୍ତୁ କାହିଁ? ପରିବର୍ତ୍ତନ ତ କେଉଁଠି ଦେଖେନି? ଧନୀ ସାହୁର କଳାବଜାର ତ ଠିକ୍ ସେମିତି ଚାଲିଛି-ତାଙ୍କ ଗାଁ’ ପୋଖରୀଗୁଡ଼ାକରେ ତ ଦଳ ସେମିତି ଭର୍ତ୍ତି ହୋଇଛି- ମେଲେରିଆ, ହଇଜାରେ ଲୋକ ସେମିତି ମରୁଛନ୍ତି-ଗୁରେଇର ଛିଣ୍ଡା କବଟା ତ ସେମିତି ଦେଖାଯାଉଛି।
କେବଳ ଗୋଟିଏ ବିଷୟରେ ଅପର୍ତ୍ତି ପରିବର୍ତ୍ତନ ଲକ୍ଷ୍ୟ କରେ- ଦେଶ ସ୍ବାଧୀନ ହେବା ଆଗରୁ ଯେଉଁ ଲୋକମାନେ ଏଇ ଗାଁ’କୁ ମାସ ଭିତରେ ଅନ୍ତତଃ ଦି’ଥର ଆସି ସଭାସମିତି କରି ସେମାନଙ୍କୁ ରାମରାଜ୍ୟର କଳ୍ପନାପୁରୀକୁ ଘେନି ଯାଉଥିଲେ, ସ୍ବାଧୀନତା ପରେ ଆଉ ସେମାନେ ଦେଖା ନାହାନ୍ତି। ଯେଉଁ କର୍ମୀଜଣକ ଖାଲି ପାଦରେ ଆଣ୍ଠୁ ଉପରକୁ ଖଦି ଖଣ୍ଡିଏ ପିନ୍ଧି କାନ୍ଧରେ ଝୁଲାମୁଣି ଝୁଲେଇ ଏଇ ଗାଁ’ରେ କେତେଥର ସଭାସମିତି କରି ଗାନ୍ଧିଙ୍କର ନୀତି, ସରଳ ଜୀବନଯାବନ ଆଦର୍ଶ ପ୍ରଚାର କରିଯାଇଛନ୍ତି, ସିଏ କେବଳ ଥରେ ଏଇ ବାଟ ଦେଇ ଗୋଟିଏ ବଡ଼ ମଟର ଭିତରେ ବସି ଯାଉଥିବା ଅପର୍ତ୍ତି ଦେଖିଛି-ବେଦନା ଓ ନୈରାଶ୍ୟରେ ଅପର୍ତ୍ତିର ହୃଦୟତନ୍ତ୍ରୀଗୁଡ଼ିକ ଛିଡ଼ିଯିବାର ଉପକ୍ରମ କରନ୍ତି।
ଗୁରେଇର ଅନାହାର-କ୍ଳିଷ୍ଟ ଅର୍ଦ୍ଧନଗ୍ନ ଝାଉଁଳା ତନୁଲତାଟି ଆଡ଼େ ଚାହିଁ ତା’ ଆଖି ଜକେଇ ଆସେ। ଅପର୍ତ୍ତି କହେ-ମତେ ବାହାହୋଇ କେତେ ଦୁଃଖ ପାଇଲୁ ଗୁରେଇ! ଗୁରେଇ ଅପର୍ତ୍ତିର ଏଇ ଦୁଃଖମିଶା କଅଁଳ କଥାରେ କଇଁ କଇଁ ହୋଇ କାନ୍ଦି ଉଠେ। ଅପର୍ତ୍ତି ଏଇ ବିରାଟ ନଗ୍ନ ଦାରିଦ୍ର୍ୟ ଭିତରେ ବି ଏଇ ଯେଉଁ ଗୌରବ ଟିକକ ଲାଭ କରେ, ସେଥିରେ ତା’ର ମୁଖରେ ଫୁଟେ ପୁଲକର ପଦ୍ମ।
ଅପର୍ତ୍ତି ଭାବିବସେ ଏଇ କେତେ ବର୍ଷ ଧରି ସେ ଗୁରେଇକୁ କେତେ ଆଶା ଆଶ୍ବସନା ନ ଦେଇଛି! ଉଜ୍ଜ୍ବଳ ଭବିଷ୍ୟତର କେତେ ଚିତ୍ର ତା’ ଆଖି ଆଗରେ ନ ଦେଖେଇଚି। ସରଳ ମନରେ ଗୁରେଇ ସେସବୁ ବିଶ୍ବାସ କରିଛି। ଅପର୍ତ୍ତି ଭାବେ ତା’ର ଦୈନ୍ୟ ପାଇଁ ସେ ପ୍ରତିଶୋଧ ନେବ କାହା ଉପରେ?
ଅପର୍ତ୍ତି ଠିକ୍ କଲା ନିଜ ଦୁଃଖ ତାକୁ ନିଜେ ଘୁଞ୍ଚାଇବାକୁ ହେବ। ନୈଶ ଅନ୍ଧକାର ଭିତରେ ସେ ଦିନେ ଚାଲିଲା ଧନୀ ସାହୁ ଦୋକାନ ଆଡ଼େ। ନିଦ ମଳମଳ ଆଖିରେ ଗୁରେଇ ଉଠିବସି ଦେଖିଲା ଅପର୍ତ୍ତି ଦି’ଖଣ୍ଡ ମାଇପି ପିନ୍ଧା ଖଦି ଧରି ତା’ ପାଖରେ ବସିଛି। କିଛି ବୁଝି ନ ପାରି ପଚାରିଲା, “ଖଦି କେଉଁଠୁ ଆଇଲା?”
ଅପର୍ତ୍ତି ହସି ହସି କହିଲା- “ଯୋଉଠୁଁ ଆଇଁଲି- ତୁ ଗାଧୋଇ ପିନ୍ଧିବୁଟି ଆଗେ ଖଣ୍ଡେ ବେଗି। ମୁଁ ଆଉ ତୋ ଆଡ଼େ ଅନେଇ ପାରୁନି।”