୧୯୩୨ ସାଲ। ଲବଣ ସତ୍ୟାଗ୍ରହୀ ଭାରତର ବିଭିନ୍ନ ସ୍ଥାନରେ ଜେଲବରଣ କରିଚନ୍ତି। ଗୋଟାଏ ବଡ଼ରକମର ସଂଘର୍ଷ ଆଗରେ ବିଫଳ ହେଇ ଗୋରାଶାସକ ଯୋଜନାକରି ଜନସାଧାରଣଙ୍କୁ ଉତ୍ତ୍ୟକ୍ତ କରୁଚି। ମୁଠାଏ ଲୁଣ ଧରି ଏ ଗାନ୍ଧୀ-ଚେଲାଦଳ ଭାରତକୁ ସ୍ୱାଧୀନ କରିଦେବେ। କେତେ ଉପହାସ କରୁଚନ୍ତି। କେତେ ଖୁବ୍ ଗୁରୁତ୍ବ ଦେଇ ଏ ଲିପ୍ତତାର ବିଚାର କରୁଚନ୍ତି। ଭାରତର ସର୍ବତ୍ର, ସବୁ ଶ୍ରେଣୀ ଭିତରେ, ସବୁ ମହଲରେ ବିଚାର ଆଲୋଚନା ଚାଲିଚି। ଦେଢ଼ଶହ ବର୍ଷର ଦାସ, ଦୁର୍ବଳ ଭାରତ, ପ୍ରଭୁର କାର୍ଯ୍ୟକଳାପ ଉପରେ ମନ୍ତବ୍ୟ କରିବାକୁ ସାହସ କରିପାରିଚି।

ସ୍ବାଧୀନତା ସଂଗ୍ରାମ ପାଇଁ ଗାନ୍ଧିଜୀ ମୁଠିଭିକ୍ଷା କରିଚନ୍ତି। ଏଇ ମୁଠିରେ ଗୋଳାବାରୁଦ ତିଆରି ହେବନି, ତିଆରି ହେବେ ଦେଶପ୍ରାଣ ସତ୍ୟାଗ୍ରହୀ-ହଜାର ହଜାର, ଲକ୍ଷ ଲକ୍ଷ। ବିଦେଶୀର ଶାସନ, କ୍ଷମତା ଓ ଫାଶୀଖୁଣ୍ଟ ମୁହଁରେ ନିର୍ଭୀକ ଭାବରେ ଦାବି କରିବେ ଭାରତର ସ୍ବାଧୀନତା, ତେତିଶ କୋଟି ନରନାରୀଙ୍କ ମୁକ୍ତି। ଗୋଟାଏ ବିଶାଳ ଦେଶର କୋଟି କୋଟି ଭୟାଳୁ ଲୋକଙ୍କୁ ଗାନ୍ଧିଜୀ ନିର୍ଭୀକ ଆଉ ଲଢ଼ୁଆ କରିଦେଇ ପାରିଚନ୍ତି।
(୨)
ଛୁଟିଘଣ୍ଟା ବାଜିଲା, ପିଲାମାନେ ଦଳଦଳ ହେଇ, ନାଚିକୁଦି ଝପଟିଯାଉଛନ୍ତି ଖେଳପଡ଼ିଆ ଉପରକୁ। କ୍ଲାସରୁମ୍ ଖାଲି ହେଇଗଲାଣି। ଲମ୍ବାଲମ୍ବା ବେଞ୍ଚଗୁଡ଼ାକ ବଡ଼ ନିରାଶ ବେଢ଼ଙ୍ଗ ଦେଖାଯାଉଚନ୍ତି। ବ୍ଲାକବୋର୍ଡରେ ଚିତ୍ରଶିକ୍ଷକ ଆଙ୍କିଦେଇଚନ୍ତି ଗାନ୍ଧିଜୀଙ୍କ ଚିତ୍ର। ମାତ୍ର କେତେଟା ଖଣ୍ଡଖଣ୍ଡିଆ ରେଖାଭିତରୁ ଭଲଭାବରେ ବାରିହେଉଚି ଜଣେ ମଣିଷର ଆକୃତି। ମୁଣ୍ଡଉପରେ ଚଉତାକରା ଗାମୁଛା, ହାତରେ ଲମ୍ବାବାଡ଼ି, ହସହସ ମୁହଁରେ ବିଶ୍ୱାସ ଓ ନିର୍ଭୀକତା, ପଇତାଭଳି ଝୁଲିଚି ଗୋଟାଏ ଝୁଲିମୁଣା, ପ୍ରତ୍ୟାଲୀଢ଼ ପଦରେ ନିଶ୍ଚିତ ଜୟଯାତ୍ରାର ସଂକେତ ବାରମ୍ବାର ଚେଷ୍ଟାକରି ମୋର ସ୍ଲେଟରେ ମୁଁ ସେଇ ଆକୃତି ଲେଖିପାରୁ ନଥିଲି।

ମନରେ ନାନାରକମର ଭାବ ଗୋଳେଇ ପୋଳେଇ ହେଉଥିଲା। ଗାନ୍ଧିଜୀଙ୍କ ଜୀବନୀ ସଂବନ୍ଧେ ଶିକ୍ଷକ ଯେତେସବୁ ବିବରଣ ଦେଇଗଲେ, ମୋର ବିଶେଷ ମନେରହିନି। ଯାହାବା ମନେରହିଥିଲା ସେଥିରୁ ମୁଁ କିଛି ଅର୍ଥ ପାଉ ନଥିଲି। ତେବେ ଏତିକି ଅବଶ୍ୟ ବୁଝିଥିଲି, ଏଇ ଗାନ୍ଧିଜୀ ଛୋଟଛୋଟ ପିଲାଙ୍କ ସଙ୍ଗେ ମିଶିବାପାଇଁ ଭଲପାଆନ୍ତି।

ଆବିଷ୍ଟ ଆଖିରେ ଚାହିଁଲି ଚିତ୍ରଟିକୁ। ତାଙ୍କୁ ଥରେ ଦେଖିବାପାଇଁ ମନ ମୋର ଆକୁଳ ହେଇ ଉଠିଥିଲା। ପାଖରେ ବସି ବହୁତ କଥା କହନ୍ତି-ତମେ ଏ ଲମ୍ବା ବାଡ଼ିଟା କେଉଁଠୁ ପାଇଲ? ଏ ଝୁଲିରେ କ’ଣ ରଖିଚ? ଆମ ଗାଁ’କୁ ଆସିବ କି? ଆମର କାଞ୍ଚି ବିରାଡ଼ି ପିଢ଼ା ଉପରେ ବସି ଖାଏ। ମୁଁ ଦୁହିଁଲେ ମଧ୍ୟ ଆମର କୁନ୍ଦୀ ଲାତ ମାରେନି, ଭାରି ଭଲ ଗାଈ। ଆମ ଗାଁରେ ବହୁତ ଛେଳି ଅଛନ୍ତି।

ତମେ ପରା ଛେଳିଦୁଧ ଖାଅ, କିଛି ଅସୁବିଧା ହେବନି। ହଁ, ଗୋସେଇଁ ଘରକୁ କିନ୍ତୁ ଯିବନି। ତାଙ୍କର ସେ କୋଦା ପାତିମାଙ୍କଡ଼ଟା ଦେଖିଲାମାତ୍ରେ ଉପରକୁ ମାଡ଼ିଆସୁଚି। ପିନ୍ଧିବା ଲୁଗା ଆଣ୍ଠୁ ଡେଇଁ ନଥିଲେ ବଡ଼ ହଇରାଣ କରୁଚି, ଖେଦିଆସି ଦାନ୍ତରେ ଖଣ୍ଡିଆ କରିପକାଉଚି। ସେଇଟାକୁ କିଏ ଗାଁ ବାହାରକୁ ତଡ଼ିଦିଅନ୍ତା କି! ତା’ ଲାଗି କାହା ବାଡ଼ିରେ ଆଉ ଫଳ ପରିବା ରହୁନି। ଛୋଟଛୋଟ ମାଛ ବି ଖାଇଦଉଚି। ଆଚ୍ଛା, ମାଙ୍କଡ଼ ପରା ଆମିଷ ଖାଏନି? ତମେ ତ ସବୁଆଡେ ଯାଉଚି, ଯେଉଁଠି ଇମିତି ଦୁଷ୍ଟ ମାଙ୍କଡ଼ ଦେଖିବ, କହିବ ଗାଁ ରୁ ବାହାର କରିଦେବାପାଇଁ। ଶିକ୍ଷକ କହୁଥିଲେ ଆମର ଏତେ ବଡ଼ ଭାରତ ଦେଶରେ ତମ କଥାରୁ କେହି ବାହାର ହୁଅନ୍ତିନି।…

“କିରେ, ଏଠି କ’ଣ କରୁଚୁ ? ତୋତେ ଖୋଜିଖୋଜି ମୁଁ ହାଲିଆ ହେଲାଣି।”
କେତେବେଳେ ବେଞ୍ଚଉପରୁ ଉଠିଯାଇ ବ୍ଲାକବୋର୍ଡ ତଳେ ବସିଥିଲି ଖିଆଲ ନାଇଁ।
ବିଜୟ ହାତଧରି ଉଠେଇଲା।

‘ଚାଲ ଚଞ୍ଚଳ, ସ୍କୁଲରେ ଜଣେ ବୋଲି ପିଲା କିଏ ନାଇଁ, ତୁ ବସିଚୁ ଏଇଠି’ ସମସ୍ତେ ଚାହିଁଥିବେ ଆମ ପାଇଁ।’
ଉଠିଲି। ମନରେ ମୋର ସରାଗ ନ
ଥିଲା। ନଈବାଲିରେ ଡ଼ୁଡ଼ୁ ଖେଳିବା ପାଇଁ ସବୁଦିନର ଆଗ୍ରହ ମୋତେ ଚଞ୍ଚଳ କରୁ ନଥିଲା। କହିଲି, ‘ଆଜି ଆଉ ଖେଳିବିନି ମୁଁ। ମତେ ଭଲ ଲାଗୁନି।’
“ଦେହ ଭଲ ଲାଗୁଚି ତ?”
ବିଜୟ ମୋର କପାଳରେ ହାତ ଦେଲା ଉତ୍ତାପ ବାରିବା ପାଇଁ।
“ଦେହ ଭଲ ଅଛି ମ, ମନ ଭଲ ଲାଗୁନି। ଆଚ୍ଛା ବିଜୟ, ଆମେ ଗାନ୍ଧିଜୀଙ୍କ ପାଖକୁ ଯାଇପାରିବାନି?”

ବିଜୟ ହସି ଉଠିଲା ଖୁବ୍ ବଡପାଟିରେ। ଗାନ୍ଧିଜୀଙ୍କୁ ଯେତେ ସବୁ କହିବି ବୋଲି ମନେମନେ ତାଲିକା କରି ନେଇଥିଲି, ବିଜୟ ଆଗରେ କହିବାକୁ ମୁହଁ ପାଇଲିନି।
“କିରେ, ହଠାତ୍ ତୋ’ ମୁଣ୍ଡରେ ଏ ଭୂତ ଚଢ଼ିଲା କାହିଁକି? ଗାନ୍ଧିଜୀ କ’ଣ ସାଧାରଣ ଲୋକ ବୋଲି ଭାବିଚୁ? ବଡ଼ବଡ଼ ଲୋକ ତାଙ୍କ ସହ ଦେଖାକରିବାକୁ ଚାହିଁଲେ ମାସମାସ ଆଗରୁ ସମୟ ଠିକ୍ କରି ନିଅନ୍ତି। ଆମେ ତାଙ୍କ ପାଖକୁ ଯିବା କିମିତି?”

ବିଜୟ କଥାରେ ମୋର ବିଶ୍ୱାସ ବଳୁ ନଥିଲା। ବ୍ଲାକବୋର୍ଡର ଚିତ୍ରଟିକୁ କଣେଇ ଚାହିଁଲି। ବିଜୟର ମନ୍ତବ୍ୟ ଭୟରେ ସିଧା ଚାହିଁବାକୁ ମୋର ସାହସ ନଥିଲା। ମନେହେଉଥିଲା, ଖୁବ୍ ବଡ଼ପାଟିରେ ପଚାରନ୍ତି-ଗାନ୍ଧିଜୀ, ତୁମେ କ’ଣ ସତେ ଏତେ କଟକଣା କରି ରହିଚ? ତମ ସଙ୍ଗେ ମିଶିବା ପାଇଁ ଆମେ ମାସମାସ କେଉଁଠି ଯାଇ ଅପେକ୍ଷା କରିବୁ?
ମତେ ନୀରବ ରହିବା ଦେଖି ବିଜୟ କହିଲା, “ହଉ ଘରକୁ ଚାଲେ, ବିଚାର କରିବା।”

ବିଜୟ ସପ୍ତମ ଶ୍ରେଣୀରେ ପଢ଼େ, ମୁଁ ଚତୁର୍ଥରେ। କିନ୍ତୁ ପାଖ-ପଡ଼ିଶା, ହେତୁରୁ ପିଲାଦିନର ଧୂଳିଖେଳରୁ ଆମେ ଏକାଠି ବଢ଼ିଆସିଥିଲୁ। ପାଞ୍ଚ ବର୍ଷ ବୟସର ପ୍ରଭେଦ ଆମର ସ୍ନେହ ଭିତରେ କୌଣସି ଅସମାନତା ଆଣିପାରି ନଥିଲା। ବିଜୟ ମୋର କଥାକୁ ହସି ଉଡେଇଦେବା ମତେ ଭଲ ଲାଗି ନଥିଲା। ନୀରବରେ ଘର ପର୍ଯ୍ୟନ୍ତ ଚାଲିଲି। ବ୍ଲାକବୋର୍ଡର ସେଇ ରେଖାଚିତ୍ରଟା, ମନେ ହେଉଥିଲା, ତା’ର ଲମ୍ବା ବାଡ଼ି ଠକଠକ କରି ମୋର ପଛରେ ଯେପରି ଲାଗିଆସୁଚି। ପଛକୁ ଫେରି ଚାହିଁବାର ଅବକାଶ ନଥିଲା।

(୩)
ଶିକ୍ଷକ କହିଲେ, ଗାନ୍ଧିଜୀ ହଜାର ହଜାର ଟଙ୍କା, ସୁନା, ଅସରପି ମାଗୁ ନାହାନ୍ତି। ସମଗ୍ର ଭାରତବାସୀ ଯଦି ପଇସାଏ କରି ତାଙ୍କୁ ଦିଅନ୍ତି, ତା’ହେଲେ ଗୋରାମାନଙ୍କୁ ସେ ଆମ ମାଟିରୁ ବାହାର କରିଦେଇ ପାରିବେ। ଗାନ୍ଧିଜୀଙ୍କର ଏ ପ୍ରସ୍ତାବ ମତେ ବଡ଼ ସୁଲଭ ମନେହେଉଥିଲା ଏବଂ ମନେମେନ ମୁଁ ତାଙ୍କର ବୁଦ୍ଧିକୁ ତାରିଫ୍ କରିଥିଲି। ଲୋକେ କ’ଣ ପଇସାଏ ଲେଖା ଦେଇପାରିବେନି?

Pages: 1 2 3