
ଅସ୍ତବ୍ୟସ୍ତ ହୋଇ ବୋଉ ଚୁଆରୁ ଗରାଏ ପାଣିନେଇ ଘର ଭିତରକୁ ଦଉଡ଼ି ଦଉଡ଼ି ଆସୁଥିଲା, କିନ୍ତୁ ଶେଷରେ ଗରାକ ପାଣି ପ୍ରତିବନ୍ଧକ ହେଲା, ସେ ପାହାଚ ଚାରିଟା ଚଢ଼ିପାରିଲାନି। ତେଣେ ଆଉ ସମୟ ନଥିଲା। ମୁକ୍ତାଦେଈ ଦଉଡ଼ୁ ଥିଲେ, ମରିଯିବା ପରେ ଲୋକୁଗୁଡ଼ାକ କେଡ଼େ ଜୋର୍ରେ ଦଉଡ଼ି ପାରନ୍ତି। ବୋଉ ଏତକ ଭାବୁଭାବୁ ମୁକ୍ତାଦେଈ ତାକୁ ଛୁଉଁ ନଛୁଉଁ ଅବସ୍ଥାକୁ ଆସିଯାଇଥିବାରୁ ଗରାଟାକୁ ଫୋପାଡ଼ି ଦେଇ, ବାଡ଼ିଦୁଆର ବନ୍ଦକରି ଗେଡ଼ା ଲଗାଇ ଦେବାକୁ ବୋଉ ଚେଷ୍ଟାକଲା, କିନ୍ତୁ ସେତେବେଳକୁ ମୁକ୍ତାଦେଈ ତାଙ୍କର ବଡ଼ ମୁହଁଟାକୁ ଜନ୍ତୁମାନଙ୍କ ପରି ଘର ଭିତରକୁ ପୂରାଇ ଦେଇଥା’ନ୍ତି।
ଶରୀରଟା ଯାହା ବାହାରେ ରହିଯାଇଥାଏ। ମୁଣ୍ଡରେ ପ୍ରାୟ ଆଉ ବାଳ ନାହିଁ। ମଝିସିନ୍ଥା ଚଉଡ଼ା ହୋଇଯାଇଛି। ଖୁବ୍ ଓସାରିଆ ନାକ, ଛୋଟ ଆଖି। ବିବର୍ଣ୍ଣ ହୋଇ ଯାଇଥିବା କେତୋଟି ବଡ଼ ବଡ଼ ଦାନ୍ତ, ବଡ଼ ହନୁହାଡ଼। ସେଥିରେ ଦାନ୍ତ ନେଫେଡ଼ି ମୁକ୍ତାଦେଈ ତାଙ୍କର ଏକମାତ୍ର ବୋହୂକୁ କହୁଥିଲେ- “ଛାଡ଼୍, ମୋତେ ଛାଡ଼୍, ମୋ ଘରକୁ ମୁଁ ଯିବି। ମୋତେ ଛାଡ଼୍, ମୋ ମୁଣ୍ଡଟା ଚିପି ହୋଇଯାଉଛି ଲୋ ଦୁଆର ସନ୍ଧିରେ, ମୋତେ କାଟୁଛି, ମୋତେ ଛାଡ଼୍, ଭିତରକୁ ଛାଡ଼୍।”
ବୋଉ କିନ୍ତୁ ମା’କୁ ଭିତରକୁ ଛାଡ଼ି ନଥିଲା ସେଦିନ। ବଞ୍ଚିଥିବା ଲୋକର ମୃତମାନଙ୍କ ପ୍ରତି ଘୃଣାଯୋଗୁ ହେଉ ବା ବୋହୂ ହୋଇ ଆସିବାଠୁ ଶାଶୁଙ୍କଠୁ ଘୃଣା, ଗାଳି, ଭର୍ତ୍ସନା, ଗଞ୍ଜଣା, ଶୁଣି ଶୁଣି ଶେଷରେ ପ୍ରତିଶୋଧ ନେବାର ସୁଯୋଗ ଯୋଗୁ ହେଉ ବା ଅନ୍ୟ କୌଣସି ଲୁକ୍କାୟିତ କାରଣ ପାଇଁ ହେଉ, ଦୁଆରଟାକୁ ସେ କର୍କଶ ଭାବରେ ଠେଲିବାକୁ ଲାଗିଲା, ଯେଉଁଥିରେ ମୁଣ୍ଡଟା ଚିପିହୋଇ ମୁକ୍ତାଦେଈଙ୍କ ବେଦନାର୍ତ୍ତ ମୁହଁଟା ଭୟଙ୍କର ଦିଶିଦିଶି କ୍ରମଶଃ ତାହା ବାହାରକୁ ଚାଲିଯିବାକୁ ବାଧ୍ୟହେଲା। ତା’ପରେ ବୋଉ ଧଡ଼୍କରି ଗେଡ଼ା ବନ୍ଦ କରିଦେଲା।
ନିଦ ଭାଙ୍ଗିଗଲା ତା’ର। ମା’ ମରିବାର ଅଳ୍ପ କେତେଦିନ ପରର ଘଟଣା। ସେହି ଭୟଙ୍କର ସ୍ୱପ୍ନଟି ଦେଖି ବୋଉ ଛାନିଆ ହୋଇ ଉଠିପଡ଼ିଥିଲା। ବୋଉଠୁ ସ୍ବପ୍ନଟି ଶୁଣିବାପରେ ମୋତେ ଖୁବ୍ ଡର ଲାଗିଗଲା। ମଫସଲର ରାତି, ଗଛ ପତ୍ରର ଶବ୍ଦ ଆଉ ଅନ୍ଧକାର ସବୁ ମିଶି ମଣିଷପାଇଁ ବୋଧେ ପ୍ରେତପୁରୀ ସୃଷ୍ଟି କରିଥା’ନ୍ତି। ଇଲେକ୍ଟ୍ରିସିଟି ନଥିବା ଗ୍ରାମ୍ୟ ଓ କୃଷି ସଭ୍ୟତାର ଅବଦାନ ନରକର କଳ୍ପନାରୁ ବାସ୍ତବ ହୋଇ ଯାଇଥାଏ।
ଡରିଯାଇଥିଲେ ମଧ୍ୟ ମନରେ ମୋର ପ୍ରଶ୍ନଟିଏ ଉଠୁଥିଲା- ମା’ଙ୍କୁ ତାଙ୍କ ନିଜଘରକୁ ଛାଡ଼ିଦେବାରେ କ୍ଷତି କ’ଣ ଥିଲା? ସେ ତ ଆମମାନଙ୍କୁ ବଞ୍ଚିଥିବାବେଳେ ଏତେ ସୁଖ ପାଉଥିଲେ, ମରିଯିବାପରେ ଘରକୁ ଆସିଲେ କ’ଣ କ୍ଷତି କରିଥା’ନ୍ତେ। ପ୍ରେତ ହୋଇଗଲେ କ’ଣ ମଣିଷର ପ୍ରୀତି ଭାବନା ଦୂର ହୋଇଯାଏ।
ମୁଁ କିନ୍ତୁ ବୋଉକୁ କିଛି ପଚାରି ନଥିଲି। ସେ ଆମରିମାନଙ୍କର ଦ୍ୱାହିଦେଇ ମା’ଙ୍କୁ ଘରଭିତରକୁ ପଶାଇ ଦେଉନଥିଲା। ମା’ଙ୍କୁ ନ ଛାଡ଼ିବାର କାରଣ ପରେ ନିଜେ ନିଜେ ବୁଝି ଯିବି ବୋଲି ମୋର ବିଶ୍ୱାସ ହେଉଥିଲା। ବହୁତ ପରେ ବୁଝିଲି ମଧ୍ୟ। ମା’ ଓ ବୋଉର କଳି ମୂଳରେ ଗୃହର ସିଂହାସନ ହିଁ ମୂଳ କାରଣ ଥିଲା। ବାପା, ନନା, ମୁଁ, ମୋର ଭାଇ ଓ ଭଉଣୀମାନେ ସମସ୍ତେ ସେହି ସିଂହାସନ ଓ ପତାକା ତଳେ ପ୍ରଜା ଥିଲୁ। ନାରୀ ମାତ୍ରକେ ରାଣୀ। ଏକାଧିପତିତ୍ବ ପାଇଁ କିଛି କ୍ଷେତ୍ର ଓ କିଛି ପ୍ରଜା ନିହାତି ଆବଶ୍ୟକ। ଏକା ପ୍ରଜା ଓ କ୍ଷେତ୍ର ହେଲେ ଶାଶୁ ବୋହୂ କଳହ ଅନିବାର୍ଯ୍ୟ, କିନ୍ତୁ ମୁଁ ଏ ସବୁକଥା ବୁଝିଥିଲି ବହୁତ ପରେ, ମୋ ନିଜର ବିବାହ ପରେ।
ମୁଁ ଟେଲିଗ୍ରାମ୍ ପାଇ କଟକରୁ ଗାଁ’କୁ ଆସିଲା ବେଳକୁ ସବୁ ସରିଯାଇଥିଲା। ଗାଡ଼ିରେ କଟକରୁ ଏକୁଟିଆ ଆସିଥିଲି। ଷ୍ଟେସନଠାକୁ ଜଣେ କିଏ ଚାଷୀ ଯାଇଥାଏ। ମୋ ଜିନିଷତକ ସେ ମୁଣ୍ଡରେ ଧରିଲା, ମା’ଙ୍କୁ ମନେ ପକାଇ ପକାଇ ନୀରବରେ ମୁଁ ତା’ ସହ ଚାଲିବାକୁ ଲାଗିଲି। ବାଲୁଗାଁ ରାସ୍ତାରୁ ବାଟଭାଙ୍ଗି ଆମେ ଗହୀର ଭିତରେ ପଶି ଚଲାବାଟରେ ଗାଁ’ ଆଡ଼େ ମୁହାଁଇଲୁ। ପକ୍କା ରାସ୍ତାରେ ବାଣପୁର ଦେଇ ଆସିଥିଲେ ଲମ୍ବା ବାଟ ପଡ଼ିଥା’ନ୍ତା, ସାତମାଇଲ୍ ପାଖାପାଖି। ବିଲବାଟେ ଗଲେ ତିନିମାଇଲ୍ ପାଖାପାଖି କମିଯିବ। ବାଟଯାକ ଚାଷୀଟି କ’ଣ ଭାବୁଥିଲା ମୁଁ ଜାଣୁ ନଥିଲି, କିନ୍ତୁ ଘରକୁ କିଏ ସବୁ ଆସିଛନ୍ତି, ମା’ କେତେବେଳେ ମଲେ, ବାପା କ’ଣ କରୁଛନ୍ତି, ସବୁ ଖୋଳିତାଡ଼ି ପଚାରି ନିରବତା ଭିତରୁ ତାକୁ ବାହାର କରିବାକୁ ଚେଷ୍ଟା କରୁଥାଏ।
ଉଚ୍ଚ ଦାଣ୍ଡପିଣ୍ଡାର ଏରୁଣ୍ଡି ବନ୍ଧଠି ଗୋଡ଼ଟିଏ ଦେଇ ଗୋଟିଏ ଗୋଡ଼ ଦାଣ୍ଡଘରେ ରଖି, ମା’ ଠିଆ ହେବାର ଭଙ୍ଗୀ ମୋର ମନେ ପଡ଼ିଯାଉଥାଏ। ଯେଉଁ ଭଙ୍ଗୀରେ ମୁଁ କୁଆଡ଼ୁ ଗାଁ’କୁ ଆସିଲାବେଳେ ସେ ଠିଆ ହୋଇଥିବା ମୁଁ ଦେଖିଛି। ମୋତେ ଗାଁ’ ଦାଣ୍ଡ ମୁଣ୍ଡରୁ ଦେଖି ସେ ସେହିପରି ଠିଆ ହୋଇ ଶଙ୍ଖୁଳିବା କାର୍ଯ୍ୟ କରନ୍ତି, କାରଣ ମୁଁ ତାଙ୍କର ଗେଲ ବସରର ବଡ଼ନାତି ଥିଲି। ସେହିପରି ଠିଆ ହୋଇ ମୋ ସହ କିଏ କଳିକଲେ, ସେ ପିଲାର ମା’ ସହ ଯୁଝନ୍ତି।