ଧୀରେ ଧୀରେ ଚକୋଲେଟ ରଙ୍ଗର ମଟରଟି ବଙ୍ଗଳା ଫାଟକ ପାର ହୋଇଗଲା। ସୁରଭି ଦୂଆରମୁହଁରୁ ଫେରିଆସିଲା। ସୋଫା ଉପରେ ଅନ୍ୟମନସ୍କ ଭାବରେ ବସିପଡ଼ିଲା ସେ। ଆଗରେ ଟଙ୍ଗା ହୋଇଛି ସ୍ବାମୀଙ୍କ ଫଟୋ। ତା’ ବାହାଘରବେଳେ ଏ ଫଟୋଟି ଉଠିଥିଲା। ସେଇ କେତେ ବର୍ଷ ତଳର ସୁରଭି ଆଜି ହୋଇଯାଇଛି ବୋହୂ। ତାର ଜୀବନଧାରା ଆଜି ଆଉ ଗୋଟିଏ ଜୀବନଧାରା ସହିତ ସମାନ୍ତରାଳ ଭାବରେ ଗତିକରି ଚାଲିଛି।
କାଲି ପରି ଲାଗୁଛି। ଏଇ ସତେ ଯେମିତି କାଲି ତାଙ୍କ ବାପାଙ୍କ କୋଠାରେ ବାହାଘର ମହୋତ୍ସବ ବଢ଼ିଥିଲା। ସେ ଏଇ ବଙ୍ଗଳାକୁ ଆସିଥିଲା ଜିଲ୍ଲା ମାଜିଷ୍ଟ୍ରେଟ୍ ଚନ୍ଦ୍ରକାନ୍ତଙ୍କ ସହଧର୍ମିଣୀ ହୋଇ।
ଚାକରାଣି ପଶିଆସିଲା ଘର ଭିତରକୁ। ସୂରଭି ଚିନ୍ତାଧାରାରେ ବାଧା ପଡ଼ିଲା। ଧୀରେ ଧୀରେ ସେ କହିଲା, “ମା’, ବାବୁ ଯେଉଁ ଲଞ୍ଚ୍ରେ ଚଢ଼ି ବନ୍ୟା ଦେଖିବାକୁ ଯାଇଥିଲେ, ସେ ଲଞ୍ଚ୍ର ଡ୍ରାଇଭର ତୁମକୁ କାହିଁକି ଦେଖିବାକୁ ଚାହୁଁଛି ମା’! ସେ ବାହାରେ ଅପେକ୍ଷା କରିଚି।
ବିରକ୍ତ ହୋଇ ଉଠିଲା ସୁରଭି। ପ୍ରତିଦିନ ଚପରାସୀଠାରୁ ଆରମ୍ଭ କରି କଚେରୀର ବଡ଼ ବଡ଼ ହାକିମ ପର୍ଯ୍ୟନ୍ତ, ସବୁଦିନେ ତାର ସରଳତାର ସୁଯୋଗ ନେଇ ବଙ୍ଗଳାକୁ ଦଉଡ଼ି ଆସନ୍ତି, ଆଉ ପାଇଥିବା ଦଣ୍ଡରୁ ଟିକିଏ ରିହାତି ପାଇବାକୁ ତା’ ପାଖରେ କେତେ ଅନୁନୟ ବିନୟ କରନ୍ତି। ସୁରଭିର ସରଳ ହୃଦୟଟି ଦୟାରେ ତରଳିଯାଏ। ସେ ଚନ୍ଦ୍ରକାନ୍ତଙ୍କୁ ଅନୁରୋଧ କରି ଏମାନଙ୍କୁ ରକ୍ଷା କରେ। ଗୋଟିଏ ଅଧେ ହେଲେ ଅଲଗା କଥା। ପ୍ରତିଦିନ ଏଇଥିରୁ ଗୁଡ଼ିଏ ରଫା କରି ସୁରଭି ବିରକ୍ତ ହୋଇ ପଡ଼ିଲାଣି। ଗସ୍ତରେ ଯାଇଥିବାବେଳେ ବୋଧହୁଏ କର୍ତ୍ତବ୍ୟରେ ଅବହେଳା କରିଥିବ, ଆଉ ତାର ପ୍ରତିକାର ପାଇଁ ସ୍ବାମୀ ଦଣ୍ଡବିଧାନ କରିଥିବେ। ସେଇଥିରୁ ଟିକେ ରିହାତି ପାଇବା ପାଇଁ ସେ ଦଉଡ଼ି ଆସିଥିବ। ଚିଡ଼ିଉଠି ସୁରଭି କହିଦେଲା, “ଯା କହିଦେବୁ, ମୋର ଏହିକ୍ଷଣି ଶୁଣିବାକୁ ବେଳ ନାହିଁ।”
ଫେରିଗଲା ଚାକରାଣୀ। ସୁରଭି ଟିକିଏ ଶାନ୍ତିରେ ନିଃଶ୍ବାସ ମାରିଲା। ଅଳସ ଆଖି ତାର ମୁଦି ହୋଇ ଆସୁଥିଲା। ଚନ୍ଦ୍ରକାନ୍ତଙ୍କ ଅନୁପସ୍ଥିତି ତାକୁ ଭୀଷଣ ଆଘାତ ଦିଏ-ଏଇ ଅଫିସ୍ ବେଳଟା ଭିତରେ।
“ମା’!”
“କିଏ?”
ଚମକିପଡ଼ି ଚାହିଁଲା ସୁରଭି। ସେଇ ଚାକରାଣୀ ଆସିଛି। କ’ଣ ଗୋଟାଏ କହିବା ପାଇଁ ଆସିଥିଲେ ହେଁ, ଭୟରେ ତା’ ପାଟି ଫିଟୁ ନାହିଁ। ସୁରଭି ଟିକିଏ ନରମିଗଲା। ପଚାରିଲା, “କ’ଣ କହୁନୁ?”-“ସେଇ ଲଞ୍ଚ୍ ଡ୍ରାଇଭର ମା’, ମୁଁ ତାକୁ ମନାକଲାରୁ ସେ କହୁଛି ଯେ, ତାର କିଛି ଦରକାର ନାହିଁ, କ’ଣ ଗୋଟାଏ ଚିଠି ଆଣିଚି ମା’ଙ୍କୁ ଦେଇ ସେ ଚାଲିଯିବ।”
ଆଶ୍ଚର୍ଯ୍ୟରେ ଚାହିଁରହିଲା ସୁରଭି। ଲଞ୍ଚ ଡ୍ରାଇଭର ତା’ ପାଖକୁ ଚିଠି ଆଣିଛି! ଚାକରାଣୀକୁ ‘ଚାଲ୍’ କହି ସୁରଭି ତା ପଛେ ପଛେ ଗଲା। ବଙ୍ଗଳା ପାହାଚ ଉପରେ ବୁଢ଼ା ଡ୍ରାଇଭର ବସିଥିଲା। ଦେଖୁ ଦେଖୁ ଉଠିପଡ଼ି ମୁଣ୍ଡିଆଟିଏ ପକାଇ ଛିଣ୍ଡା ଜାମାର ପକେଟ ଭିତରୁ ସେ ଚିଠିଟା ବାହାର କଲା।
-“ମା’, ବାବୁଙ୍କ ସାଙ୍ଗରେ ଧୋଇଆ ଜାଗାକୁ ବଢ଼ି ଡିଉଟିରେ ଯାଇଥିଲି। ହରିପୁର ଗାଁରେ ବାବୁ କ୍ୟାମ୍ପ୍ ପକାଇଥିବାବେଳେ ମତେ ଜଣେ ଗାଁ’ବାଲା ଡାକିନେଲା ଗୋଟାଏ ଘରକୁ। ଘରର ତିନି କାନ୍ଥ ପଡ଼ି ଯାଇଥାଏ। ବଢ଼ିପାଣିରେ ଘରତଳ ସନ୍ତେଇ ଯାଇଥାଏ। ସେଇ ଘରୁ ଜଣେ ବୋହୂ ମତେ ଚିଠି ଦେଲା ଆପଣଙ୍କୁ ଦେବା ପାଇଁ।”
-“ମତେ ଦେବା ପାଇଁ ଦେଲା?”
-“ହଁ ମା’, ମତେ ପଚାରିଲା, ‘ତୁ ଜିଲା ମାଜିଷ୍ଟ୍ରେଟଙ୍କ ଘର ଦେଖିଛୁ?’ ମୁଁ ‘ହଁ’ କରିବାରୁ ସେ ମତେ ଏ ଚିଠିଟି ବଢ଼େଇଦେଇ କହିଲା-ତାଙ୍କ ସ୍ତ୍ରୀ ସୁରୁକୁ ଏ ଚିଠିଟି ଦେଇଦେବୁ।”
‘ସୁରୁ’! ଚମକି ପଡ଼ିଲା ସୁରଭି। ସୁଦୂର ମଫସଲର ଜଣେ ବୋହୂ ତାର ଡାକ ନାଁ ବି ଜାଣିଛି!
-“ସେ ମତେ ରାଣ ନିୟମ ଦେଇ କହିଲା, ଏ ଚିଠି ଆପଣଙ୍କ ହାତକୁ ଦେବା ପାଇଁ, ତେଣୁ ଘେନି ଆସିଥିଲି। ରାଗିବେନି ମା’, ମୋତେ ମାଫ୍ କରିବେ।”
ଓଳଗି ହୋଇ ବୁଢ଼ା ଡ୍ରାଇଭର ଚାଲିଗଲା। ସନ୍ଦେହଜାଲରେ ଘୂରି ବୁଲିଲା ସୁରଭିର ମନ। ତରତର ହୋଇ ଶୋଇବା ଘରକୁ ପଶି-ଆସିଲା ସୁରଭି। ଚିଠିଟାର ଶେଷକୁ ଚାହିଁଲା, “ରେଣୁ” ଲେଖା ଅଛି। ସନ୍ଦେହର ଛାଇ ଉଭେଇଗଲା। ସ୍କୁଲସଙ୍ଗିନୀ ରେଣୁ ତାହାହେଲେ ଏ ଚିଠି ଦେଇଛି। ରେଣୁ ସେଠାକୁ କେମିତି ଗଲା? ଚିଠିଟିକୁ ପଢ଼ିଗଲା ସୁରଭି।