ଗାଡ଼ି ଚାଲିଛି…ଚାଲିଛି…
ଗାଡ଼ିର ମୁଣ୍ଡ ନାହିଁ କି ଗଣ୍ଡି ନାହିଁ, ହୁଣ୍ଡାଙ୍କ ପରି ଗର୍ଜନ କରି ମାଡ଼ିଚାଲିଛି, କିନ୍ତୁ ମନେହେଉଛି ସତେକି ଗୋଟାଏ ମଣିଷ। ମୋ’ ଟିକି ଭାଇ କୁନା ଏକଦମ୍ ଡରିଗଲା। ଭାବିଲା ଗୋଟାଏ ଅସୁର। ମୁଁ କ’ଣ ପିଲାଦିନେ ସେମିତି ଭାବୁଥିଲି? କେଜାଣି।

ଧର ତା’ର ମୁଣ୍ଡ ଅଛି, ଗଣ୍ଡି ଅଛି, ସେ ପାଣି ପିଏ, ଧୂଆଁ ଛାଡ଼େ, କଳାକଳା କୋଇଲାକୁ ପେଟରେ ପକାଇ ହାକୁଟି ମାରେ-ତାହାହେଲେ କଅଣ ହୁଅନ୍ତା! ତାହାହେଲେ ବୋଧହୁଏ ସେ ଆମ ସମସ୍ତଙ୍କ ସାଙ୍ଗରେ କଥାବାର୍ତ୍ତା କରନ୍ତା। କହନ୍ତା-“କିଓ ମଞ୍ଜୁ ଅପା, କଅଣ ଖବର? ବାପାଙ୍କ ସାଙ୍ଗରେ ଘରକୁ ଯାଉଛ? ସ୍କୁଲ ଛୁଟି ହୋଇଗଲାଣି ନା?” ମୁଁ କହନ୍ତି, “ହଁ, ସ୍କୁଲ ଛୁଟିରେ ଘରକୁ ଯିବା କଥା।

ତା’ଛଡା ଏଥର ପରା ସାନଦାଦାଙ୍କର ବାହାଘର ହେଉଛି।” ବାହାଘର ନାଁ ଶୁଣି ସେ ଖୁସିରେ ସିଟି ମାରନ୍ତା। ଏତେ ଜୋରରେ ସିଟି ମାରନ୍ତା ଯେ, କାନ କଅଣ ହୋଇଯାଆନ୍ତା। ବାପା ଚିଡ଼ିଉଠନ୍ତେ। କହନ୍ତେ-କ’ଣ ଆଉ କହନ୍ତେ! ରେଳଗାଡ଼ି ତାଙ୍କଠାରୁ ବି ବଡ଼। ବିଚାରା କିଛି କହିପାରନ୍ତେ ନାହିଁ।

ସେଇଠୁ ସେ ଆଉ କାହା ପାଖକୁ ଯାଆନ୍ତା, ତା’ପରେ ଆଉ କାହା ପାଖକୁ। ମଝିରେ ମଝିରେ ଦମ୍ ନିଅନ୍ତା। ପେଟୁ ପୁଣି ଖାଆନ୍ତା। ତା’ପରେ ମନେପଡ଼ିଲା ପରି ଦୌଡ଼ି ପଳାନ୍ତା। କହନ୍ତା, “ଆରେ ଏତେ ଡେରି ହୋଇଗଲାଣି! ମୋର ପରା ସନ୍ଧ୍ୟା ସାତଟାବେଳକୁ ପହଞ୍ଚିବା କଥା! ଷ୍ଟେସନମାଷ୍ଟର କ’ଣ କହିବ।”

ଭାରି ମଜା ହୁଅନ୍ତା। ଯନ୍ତ୍ରମାନେ ଯଦି ମଣିଷ ହୋଇଯାଆନ୍ତେ…

ଯନ୍ତ୍ରମାନେ କାହାକୁ ଚିପିଦିଅନ୍ତେ ନାହିଁ। କେହି ଭୁଲରେ ଆଙ୍ଗୁଳି ପୁରେଇଦେଲେ ଥପ୍‌କରି ରହିଯାଆନ୍ତେ। କହନ୍ତେ-ଆଇ ଆମ୍ ସରି। ତାଙ୍କ ଚକତଳେ କେହି ଦଳିହୋଇ ଯାଆନ୍ତେ ନାହିଁ।
ପୋକମାନେ ଦଳିହୋଇଯାଆନ୍ତି…ବେଶ୍, ମୁଁ କଅଣ କରିବି! ମୁଁ କଅଣ ଜାଣିଶୁଣି ଦଳିଦେଇଛି ନା କଅଣ? ଡେରି ହୋଇଯାଉଛି ବୋଲି ବାପା ଡାକ ଛାଡ଼ିଥିଲେ। ଏଣେ ମୋର ଜିନିଷ ସଜଡ଼ା ହୋଇ ନାହିଁ ବୋଲି ବୋଉ ପାଟିକରୁଥିଲା। ମୁଁ କେମିତି ଜାଣିବି ଯେ, ପୋକଟା ଯିବା ଆସିବା ବାଟରେ ଶୋଇଛି! ପିଠି ତଳକୁ, ଗୋଡ଼ ଉପରକୁ କରି ଛଟପଟ ହେଉଛି। ମୁଁ ତାକୁ ମାଡ଼ିଦେଲି, ମାନେ ମୋର ଜୋତା ମାଡ଼ି-ଦେଲା। ପିଚ୍‌କିନି ହେଲା। ଇସ୍! ସେଇଠୁ ଯାଇଁ ମୁଁ ଦେଖିଲି। ଦେଖିଲି ଯେ, ତା’ର କାଳିଆ ରକ୍ତ ଲେସିହୋଇଯାଇଛି। ଆଉ ସେ ତା’ର ଗୋଟାଏ ବୋଲି ଗୋଡ଼କୁ ହଲଉଛି। ହଲେଇହଲେଇ ମରିଯାଉଛି।

ମୁଁ କାନ୍ଦିଲାରୁ ବୋଉ ଚିଡ଼ିଗଲା। କହିଲା, ମୁଁ ଅତି ଫୁଲେଇ ହେଉଛି।
ପୋକମାନେ ସେମିତି ମରନ୍ତି। ମଞ୍ଜୁର ଦୋଷ ନାହିଁ।

ମୋତେ ଆଜି ମୂଳରୁ ଖୁସି ଲାଗୁଛି। ପୋକଟା ମରିଗଲା ସିନା, ତା’ ବୋଲି ମୁଁ କଅଣ ଖୁସି ହେବି ନାହିଁ? ମୁଁ କେବେଠୁ ଏଇ ଦିନକୁ ଚାହିଁ ବସିଛି। ଗାଡ଼ି ଚାଲୁଥିବ୍ ଛକ୍-ଛକ୍-ଛକ୍। ଚାହୁଁଚାହୁଁ କେତେ ଗଛ, କେତେ ପାହାଡ଼କୁଦ, କେତେ ନଈନାଳ ପାରି ହୋଇ ଯାଉଥିବ। କେତେ ସାନପିଲା ହସିଦେଇ ହାତ ହଲେଇ ଦୂରେଇ ଯାଉଥିବେ। ହେଇଟି ଗୋଟାଏ ବଡ଼ ମଣିଷ, କାଳିଆ ଅପର୍ଛନିଆ, ଖତେଇ ହେଉଛି। ହେଲେ ଅଟକି ଯାଉ ନାହିଁ। ମାଡ଼ିଚାଲିଛି। କିଏ ହସିଲା, କିଏ କାନ୍ଦିଲା, କିଏ ହାତ ହଲେଇଲା, କିଏ ଖତେଇ ହେଲା, ତା’ର ଭାସି ଯାଉଛି।

ମୁଁ ହେଉଛି ଗାଡ଼ି। ଗାଡ଼ି କାହିଁକି ମଣିଷ ପାଲଟି ଯିବ? ମୁଇଁ ଗାଡ଼ି ବନିଯିବି। ଆହୁରି ମଜା। ମୁଁ କହିବି-ମୋର ଆଖି ନାହିଁ କାନ ନାହିଁ ବାଜିଗଲେ ଦୋଷ ନାହିଁ। ମୁଁ ବି ପାଖରେ ସେମାନଙ୍କୁ ଟା-ଟା କରି ପଛରେ ପକେଇ ଦେଇ ମାଡ଼ିଯିବ। କିଏ ହସିଲା, କିଏ କାନ୍ଦିଲା, କିଏ ମଲା, କିଏ ବଞ୍ଚିଲା, ମୋର ଭାସି ଯାଉଛି। ମୋତେ ଲାଗୁଛି-ମୁଁ ଗୋଟାଏ ରାଜା, ଖଣ୍ଡା ଧରିଛି ଆଉ ଫୁଲ ଶୁଙ୍ଘୁଛି।
…. ମୋର ଛାତି କଅଣ ହୋଇଯାଉଛି। ମୋତେ ଧଇଁ-ସଇଁ ଲାଗୁଛି। ଆରେ, ମୁଁ ସତରେ ଗାଡ଼ି ନା କଅଣ! ମୁଁ କ’ଣ ସତରେ ମାଡ଼ି ଚାଲିଥିବି! ଆଖି ନାହିଁ କାନ ନାହିଁ-! ଆରେ ଏ, ଗାଡ଼ି ରହିଯାଉନାହିଁ କାହିଁକି। ମୁଁ ମଞ୍ଜୁ। ଗାଡ଼ି ଷ୍ଟେସନରେ ରହିଲେ ମୁଁ ଭଲ ମନ୍ଦ କିଣି କରି ଖାଇବି ପରା! ମୁଁ କହୁଛି ମୋତେ ଧାଇଁବାକୁ ଭଲ ଲାଗୁନାହିଁ। ମୁଁ କହୁଛି… (କିନ୍ତୁ ଟ୍ରେନର ଗତି ଧିମେଇ ଯିବାକୁ ଅନେଇ ସମୟ ଲାଗିଲା ଇତ୍ୟବସରରେ ମଞ୍ଜୁର ଆଖିରେ ନିଦ ଘୋଟିଗଲା। ସେ ଖାଲି ବର୍ଥରେ ଅଧାଶୁଆ ହୋଇ ଶୋଇପଡ଼ିଲା।)

…ଉଁ…କଅଣ? ହେଲା? ଷ୍ଟେସନ ଆସିଗଲା? ଉଠୁଛି, ଉଠୁଛି, ରହିଥା’-।

ବଢିଆ! ବାପା ଗରମ ଗରମ ସିଙ୍ଗଡ଼ା ଆଣିଛନ୍ତ।…ମୁଁ ଶୋଇପଡ଼ିଥିଲି। ବାପା ଉଠେଇଦେଇ ନ ଥିଲେ ମୁଁ ଏକଦମ୍ ଶୋଇ-ପଡ଼ିଥାଆନ୍ତି, ଶେଷ ଯାଏ। ଛିଃ-ଛିଃ! ମୁଁ ଖାଲି ଶୋଇ ନ ଥିଲି, ମୁଁ ଗୋଟାଏ କଅଣ ସ୍ବପ୍ନ ଦେଖୁଥିଲି। ଡରୁଆ ସ୍ବପ୍ନ। କ’ଣ ଦେଖୁଥିଲି ତ, ହଁ ମୁଁ ଦେଖୁଥିଲି ଯେ, ଗୁନ୍‌ପୁସି ଆସିଛି। ମୁଁ ଗୁନ୍‌ପୁସିକୁ ଆଉଁସି ଦେଉଛି, କିନ୍ତୁ ସେ ମୋ ହାତରୁ ଖସି ପଳେଇଗଲା। ପଳେଇ ଗଲା, ଆଉ ସେଇଠୁ ଟ୍ରେନ୍ ମାଡିଆସିଲା। ମୁଁ ଟ୍ରେନକୁ ହାତ ଦେଖେଇଲି, ପାଟି କଲି, ଗୋଡ଼ ବାଡ଼େଇଲି। ଅନ୍ୟମାନେ ହସିଲେ।

ମୁଁ ସେମାନଙ୍କୁ ଖାତିର୍ କଲି ନାହିଁ, ଆହୁରି ପାଟି କଲି, କିନ୍ତୁ-କିନ୍ତୁ-ଟ୍ରେନ୍ ଧାଇଁଆସିଲା। ଧୂଆଁ ଉଡ଼େଇ ଗର୍ଜନ କରି ଗୁନ୍‌ପୁସି ଉପରକୁ ମାଡ଼ିଆସିଲା। ବଦ୍‌ମାସ! ଚୋର! ଟ୍ରେନ୍ ହସିଲା, ତା’ ସାଙ୍ଗକୁ ଅନ୍ୟମାନେ ଆହୁରି ଜୋରରେ ହସିଲେ। କହିଲା-ମୁଁ କ’ଣ କରିବି! ମୋର ପରା ଆଖି ନାହଁ, କାନ ନାହିଁ। ମୋତେ ଥଟ୍ଟା କଲା। ମୁଁ ଗୁନ୍‌ପୁସିକୁ ଆଣିବାପାଇଁ ହାତ ବଢ଼େଇଲି। ହେଲେ କିଛି ଲାଭ ହେଲାନାହିଁ। ଗୁନ୍‌ପୁସି-ନା, ଗୁନ୍‌ପୁସି ମଲାନାହିଁ। ଗୁନ୍‌ପୁସି ମରିବ ନାହିଁ, ଅସମ୍ଭବ। ଟ୍ରେନ୍ କ’ଣ ଭଗବାନ ହୋଇଛି ଯେ, ତା’ ମନଇଚ୍ଛା ମାରିପକେଇବ?

Pages: 1 2 3