
-ଏ କ’ଣ କହିଲ?-ମଣିଷ କାନରେ ଶୁଣେ!
-ଆଉ କ’ଣ ଆଖି ଆଉ ନାକରେ ଶୁଣିବ?
-ହଁ, ମଣିଷ ଖାଲି କାନରେ ଶୁଣେ ନାହିଁ। ମନରେ ବି ସେ ଉତ୍ତର ପାଏ। ଆଖି କାନରେ ସେ ବି ଶୁଣିପାରେ। ସେଇଥିପାଇଁ ତାକୁ କୁହାଯାଏ ମଣିଷ।
ଭାରି ହସ ହେଲା-ପାଗଳ କ’ଣ ଗଛରେ ଫଳନ୍ତି? ନା, ନା। ଏଇ ମଣିଷ ପାଗଳାମି ଅଭ୍ୟାସ କରୁ କରୁ ଦିନେ ପାଗଳ ହୋଇଯାଏ। ହେଇଟି ଦେଖ ଆମ ନୀଳମଣି ବାବୁଙ୍କୁ।
-ଦେଖିବ କ’ଣ ମତେ? ଯିଏ ଯାହାକୁ ବୁଝି ନ ପାରେ ସେଇ ନିଜକୁ ଓଲମା କି ପାଗଳ ନ କହି ଅପର ଲୋକକୁ ପାଗଳ ବୋଲି ଗାଳି ଦିଏ।
ପୁଣି ହସ ହେଲା।
ନୀଳମଣି ଟିକିଏ ଉତ୍ତେଜନାରେ କହିଲେ-ଆଚ୍ଛା! ଶୁଣ ଏ କଥାଟି-ଛୋଟ ମଣିଷ ବିଷୟରେ। ଘଟଣାଟି ମଧ୍ୟ ଛୋଟ ଜଣକର ଜୀବନ ଓ ମରଣ-ଆତ୍ମହତ୍ୟା ବିଷୟରେ।
କଥା ବନ୍ଦ ହୋଇଗଲା-ନୀଳମଣି ଗୋଟାଏ ମରଣ ବା ସ୍ବେଚ୍ଛା ମରଣ କଥା କହିବ। ଜୀବନ ଥିଲେ ମରଣ ଅଛି। ମରଣ ପରେ ପୁଣି ଜୀବନ ଅଛି।
-ହଁ କ’ଣ କହିଲ ନାହିଁ।
-ଦିକର କଥା। ଜଣେ ଲୋକ ଭାରି କଦର୍ଯ୍ୟ ହେଉଥାଏ।
-କାହିଁକି?
-ସେ ଯାହା ପାଇବା କଥା ପାଉ ନ ଥାଏ। ସେଥିପାଇଁ ଦିନକର ଖର୍ଚ୍ଚ ଦି’ ଟଙ୍କାକୁ ରୋଜଗାର ବାଦ ଯାଇ ଟଙ୍କାଏ ଧାର। ଏମତି ଚାଲିଥାଏ ତାହାର ଜୀବନ। ସନ୍ଧ୍ୟା ହେଲା ବେଳକୁ ଧାର-ସକାଳ ହେଲା ବେଳକୁ ଧାରର ବୋଝ। ପୁଣି ସଂଜକୁ ଆଉ ଗାରେ ଧାର ମିଶେ।
-ତାକୁ ଦିଅନ୍ତୁ ତ! ସେ ପାଏ କେମିତି ଏତେ ଉଧାର?
-ଈଶ୍ବର ଦିଅନ୍ତ। ସେ ଯେମିତି ଜଣକୁ ସଞ୍ଚୟ କି ଉପାର୍ଜନ ଦିଅନ୍ତି, ଆଉ ଜଣକୁ ସେମିତି ଖରଚ ଓ ଧାର ଦିଅନ୍ତି। ସେ ଲୋକଟିର ଦୁଃଖ ଆଉ ଅଭିଯୋଗ ଯେ, ଏମିତି ରୋଜ ମଜୁରିଆ ଦୁଃଖ ଭୋଗି ଭୋଗି ସେ ପୁଣି କ’ଣ ପାଇଁ କରଜିଆ ହେଲା।
-କ’ଣ ଫଇସଲା ପାଏ?
-ଫଇସଲା କଲା ଯେ ଜୀବନଟା ତୁଚ୍ଛ। ଯେଉଁ ମୂଲ୍ୟହୀନ ଜୀବନକୁ ବଞ୍ଚାଇବା ଆଉ ମରିବା ଏକା ଅର୍ଥ, ସେ ଜୀବନକୁ ଛାଡ଼ିଦେବା ଭଲ।
-ଏଁ ଆତ୍ମହତ୍ୟା କରି ଦେଲା ନା?
-ଏଇଆ ବୁଝିଲ! ଆତ୍ମହତ୍ୟାର ଯୋଜନା ଈଶ୍ବରଙ୍କ ବିନା ସାହାଯ୍ୟରେ ସଫଳ ହୁଏ ନାହିଁ। କାହାରି ହେଇ ନାହିଁ; ସେହି ଈଶ୍ବର ମଞ୍ଜୁର ନ କରିବା ପର୍ଯ୍ୟନ୍ତ ମଣିଷ ଆତ୍ମହତ୍ୟା କରି ପାରିବ ନାହିଁ।
-ଓଃ’ ସେ କ’ଣ କଲା?
-ପ୍ରତିଦିନ ଭାବେ ସେ ମରିବ। ଠାକୁରଙ୍କୁ ଗାଳି ଦିଏ। ମଣିଷଙ୍କୁ ଗାଳି ଦିଏ। ସମସ୍ତଙ୍କୁ ଗାଳିଦିଏ। ନିଜକୁ ଯେ ଘୃଣା କରେ। ଦିନେ…
-ହଁ, କ’ଣ କଲା?,
-ବସିଥିଲା ସିନେମା ହଲରେ। ଖେଳ ଆରମ୍ଭ ହେଉଥାଏ। ଭାବୁଥାଏ ସିନେମା ଦେଖିବ। ସିନେମା ଦେଖି ସାରିଲେ ଆତ୍ମହତ୍ୟ କରିବ, ଏମିତି ବସି ବସି ନିଜ କଥା, ଆତ୍ମହତ୍ୟ କଥା, ଆଉ ଠାକୁରଙ୍କର କଥା ଭାବୁଥାଏ।
ତାହାର ଆଖି ଛାତ ଉପରକୁ ଥାଏ। ଉପରେ କାଚ। କାଚ ଉପେର ବିଜୁଳି ଆଲୁଅ। ସିନେମା ଘର ଥଣ୍ଡା ରହିବ ବୋଲି ସେମିତି ତିଆରି ହୋଇଛି। କାନ୍ଥ ଭିତରେ ଝରକା ପରି ଖଣ୍ଡେ ଖଣ୍ଡେ କାଚର ଉଜାଲା।
ତାହାର ଆଖି ପଡ଼ିଲା ଖଣ୍ଡେ କାଚ ଉପରେ। ସେହି କାଚ ଉପରେ ଗୋଟିଏ ବୁଢ଼ିଆଣୀ ଜାଲ ବୁଣୁଛି। କିଛି ବୁଣି ସାରିଲାଣି। କାମ ସରିନାହିଁ।
ଲୋକଟି ଚାହିଁଥାଏ। ଏଣୁ ତେଣୁ ଭାବୁଥାଏ। ଭାବନାରେ ଖିଏ ଅଲରା ଖିଅ ପରି ବୁଢ଼ିଆଣୀ ଜାଲ ଆଖି ଆଗକୁ ଆସୁଥାଏ।
ସେ ଲୋକଟିର ମନକୁ ଅନେକ କଥା ଆସିଲା।
ସେ ସ୍ପଷ୍ଟ ଦେଖି ପାରୁଥାଏ-ଠାକୁର ସେହି ବୁଢ଼ିଆଣୀ ଜାଲ ପାଖରେ ଅଛନ୍ତି। ସେ କହୁଛନ୍ତି…
-କ’ଣ କହୁଛନ୍ତି?
-ମୁଁ କ’ଣ ଶୁଣିଛି? ସେ ଲୋକ ପରା କହୁଥିଲା….. ଠାକୁର ତାକୁ କହିଲେ-
-ହେଇ ଦେଖ ଏଇ ବୁଢ଼ିଆଣୀକୁ। ତାହାର ଜୀବନ ଅଛି। ପରିବାର ଅଛି। ଘର ଅଛି। ଭୋକ ଅଛି। ସଞ୍ଚୟ ଅଛି। ଶତ୍ରୁ ଅଛନ୍ତି। ମରଣ ବି ଅଛି। ମଣିଷର ଯାହା ସମସ୍ୟା ଅଛି, ଅଧିକାଂଶ ସମସ୍ୟା ବୁଢ଼ିଆଣୀର ଅଛି।
ଆଉ ନାହିଁ କ’ଣ? ତାହାର ଆତ୍ମହତ୍ୟାର ସମସ୍ୟା ନାହିଁ, ସେ ମରଣ କଥା ଭାବେ ନାହିଁ।
-ସେ ଲୋକଟି ଏଇ କଥା ସବୁ ତଳେ ବସି ବସି ଶୁଣିଲା। ଆଖି ଦେଖୁଥିଲା ବୁଢ଼ିଆଣୀକୁ। ମନ ଭିତରେ ଉତ୍ତର ଆସୁଥିଲା ନିଜର ସବୁ ପ୍ରଶ୍ନର ଉତ୍ତର। ସେହି ସିନେମା ଘର ଛାତ ପାଖରୁ ଠାକୁର ତାକୁ ଶୁଣାଉଥିଲେ।
-ସେ ଶୁଣିଲା.. ଆଉ ବୁଝିଲା।
ଶୁଣିବା ଲୋକଙ୍କର ତନ୍ମୟତା ଭାଙ୍ଗିଗଲା। ନୀଳମଣି ହସି କହିଲା, “ଏଇଟା ପାଗଳର ପ୍ରଳାପ କି ପାଗଳାମି ନୁହେଁ। ମଣିଷ ଖାଲି ଆଖିରେ ଦେଖେ ନାହିଁ। ଆଖି, ନାକରେ ବି ଶୁଣିପାରେ। କେହି କଥା କହୁ ନ ଥିଲେ ବି କଥା ଶୁଣିପାରେ।”
ଈଶ୍ବର ଏମିତି କଥା କହନ୍ତି। ଏଇ ପ୍ରକାରେ ସେ ମଣିଷର ଦ୍ବନ୍ଦ୍ବର ଫଇସଲା କରି ଦିଅନ୍ତି।
-o-
ସଂପୃକ୍ତ ଗଳ୍ପଟି ଲେଖକଙ୍କ ରଚିତ ଓ ପ୍ରକାଶିତ ‘ହାଟବାହୁଡ଼ା’ ଗଳ୍ପ ସଂକଳନରୁ ସଂଗୃହୀତ। ସୀମିତ ପରିସର ମଧ୍ୟରେ ଏକ ମହାନ ଜୀବନ ଦର୍ଶନର କଥା ଏହି ଗଳ୍ପ ମାଧ୍ୟମରେ ବର୍ଣ୍ଣନା କରାଯାଇଛି।