ରାମ ପଧାନ କହିଲା, “ସରକାର କେତେ ଦିନ ମାହାଳିଆ ଗୋରସ ବାଣ୍ଟିବ ଦେଖାଯାଉ। ଏଟା ଦୁଇଦିନରେ ଲୋକଦେଖାଣିଆ କଥା। ଆଉ ଯଦି ବି ସରକାର ସବୁଦିନ ପିଲାମାନଙ୍କୁ ଗୋରସ ମାଗଣାରେ ଦିଏ, ତେବେ ତୁମେ ଯାହା ଗୋରସ ପାଇବ, ତାକୁ ଘଅ, ଦହି କରି ତ ବିକି ପାରିବ?”

“ଏ ଜଙ୍ଗଲ ମଝିରେ ସେ ସବୁ କିଏ କିଣିବ ପଧାନେ?”

ହଠାତ୍‌ ଦୂରରୁ ବିଜୁଳିବତୀର ଆଲୁଅ ଦେଖାଗଲା। ଜହ୍ନ ଆଲୁଅରେ ଦେଖା ଯାଉଥାନ୍ତି ଦୁଇଜଣ ଅଫିସର ଭଳିଆ ଲୋକ। ସେମାନଙ୍କ ପାଖକୁ ଆସିଲେ। ସେମାନଙ୍କ ମଧ୍ୟରୁ ଜଣେ କେମ୍ପ୍‌ ଅଫିସର ଓ ଜଣେ ତାଙ୍କର ଗୁମାସ୍ତା ବୋଲି ଦାଶ ଓ ତା’ର ସଙ୍ଗୀ ଚିହ୍ନିଥିଲେ। ଅଫିସର ପ୍ରଥମରୁ ଦାଶକୁ ଲକ୍ଷ୍ୟ କରି ପଚାରିଲେ-
“ତୁମର ନାମ?”
“ଆଜ୍ଞା, ମୋ ନାଁ ଦାଶ ଭଏଁଷାଲ।”
“ଆଉ ତୁମର ନାମ?”
“ଆଜ୍ଞା, ମୋ ନାଁ ରାମ ପଧାନ।”

“ତୁମ୍ଭମାନଙ୍କର ପିଲାପିଲି କେତେ ଅଛନ୍ତି?” ରାମ ପଧାନ କହିଲା, “ଆଜ୍ଞା ମୋର ଗୋଟିଏ ପୁଅ ଗୋଟିଏ ଝିଅ। ଆଉ ଦାସର ଗୋଟିଏ ପୁଅ।”
“ସେମାନଙ୍କର ନାମ କ’ଣ ଓ ବୟସ କେତେ?”

ପିଲାମାନଙ୍କର ନାମ ଓ ବୟସ ଲେଖି ସାରିଲା ପରେ ଅଫିସର କହିଲେ, “ଦେଖ କେମ୍ପ୍‌ରେ ଯେତେ ପିଲା ଅଛନ୍ତି, ସରକାର ସମସ୍ତଙ୍କୁ ଗୋରସ ପିଇବାକୁ ଦେବେ। କାଲିଠାରୁ ପ୍ରତିଦିନ ସକାଳେ ତୁମର ପିଲାମାନଙ୍କୁ କେମ୍ପ୍‌ ଅଫିସକୁ ପଠାଇଦେବ। ପ୍ରତି ପିଲାକୁ ଦିନକୁ ଗିଲାସେ ଲେଖାଏଁ ଗୋରସ ଦିଆଯିବ। ସରକାର ତୁମର ପିଲାମାନଙ୍କ ପାଇଁ ଏ ଯେଉଁ ସୁବିଧା କରୁଛନ୍ତି, ସେ ସୁବିଧା କେହି ଛାଡ଼ିବା ଉଚିତ ନୁହେଁ। ଏ ବୟସରେ ପିଲାମାନେ ଗୋରସ ନ ପିଇଲେ ସେମାନଙ୍କର ଦେହରେ ବଳବପୁ କାହୁଁ ଆସିବ?”

ଦାଶ କହିଲେ- “ଆଜ୍ଞା ମୁଁ ଶୁଣୁଛି ପିଲାମାନଙ୍କୁ ବିଲାତି ଗୋରସ ଦିଆଯିବ। ସେ ଗୋରସ ଆମର ପିଲାମାନଙ୍କର ହଜମ ହେବ ତ?”

“ଆରେ, ତୁମ ତ ବଡ଼ ବୋକା। ଏଇ ଗୋରସ ଗାଈ ଗୋରସଠାରୁ ଆହୁରି ସହଜରେ ହଜମ ହୁଏ।”

“ଆଜ୍ଞା, ଆମେ ତ ଗରିବ ଲୋକ। ଗରିବ ଲୋକର ପେଟରେ ବିଲାତି ଗୋରସ ପଡ଼ିଲେ ପେଟରେ ରହିବ ତ?”

“ଓହୋ! ତୁମେ ପରା ଜାତିରେ ଗଉଡ଼। ତୁମର ଗାଈ, ମଇଁଷୀ ଅଛନ୍ତି ବୋଲି ତୁମର ଗୋରସ ବିକ୍ରି ହୋଇ ପାରିବ ନାହିଁ, ତେଣୁ ଏମିତି କଥା କହୁଛ। ତୁମେମାନେ ତ ଯେଉଁ ଗୋରସ ବିକିବ, ସେଥିରେ ଗୋରସରୁ ପାଣି ବେଶି ଥିବ। ଲୋକେ ସେଥିପାଇଁ ଆଉ ତୁମମାନଙ୍କ ଠାରୁ ଗୋରସ ନେଉ ନାହାନ୍ତି।”

“ଆଜ୍ଞା, ଯାହା କହିବେ ଆଉ ମୁଁ କ’ଣ ଉତ୍ତର ଦେବି। କିନ୍ତୁ ଆମର କପାଳ ଯାହା ଅଧାଅଧି ଫାଟିଥିଲା, ଏବେ ପୁରା ଫାଟିବ।”
“ତୁମର କେତେ ପଟ ଦୁହାଁଳି ଗାଈ, ମଇଁଷୀ ଅଛନ୍ତି?”

“ଆଜ୍ଞା ଦୁହାଁ ଗାଈ ଅଛନ୍ତି ଛଅପଟ ଏବଂ ମହିଷୀ ଅଛନ୍ତି ଚାରିପଟ। ଆମର ଗାଆଁରେ ଥିଲାବେଳେ ପ୍ରତିଦିନ ବାର ସେର ଗୋରସ ହେଉଥିଲା। ଗୋରସ ବିକି ଓ ତହିଁରୁ ଦହି ଘିଅ ତିଆରି କରି କଳୁଥିଲି। ଏଠାରେ ତ ପାଣି ମନ୍ଦିଏ ସୁଦ୍ଧା ମିଳୁ ନାହିଁ, ଆଉ ଗୋରସ ବାହାରିବ କେଉଁଠୁ?”

“ତୁମର ଗାଈ ମଇଁଷୀ ଗୁଡ଼ାକ ବିକି ଦେଉନାହଁ କାହିଁକି? ଏ ଜଙ୍ଗଲ ଜାଗାରେ ଚରାଭୂଇଁ ଥିଲେ ସୁଦ୍ଧା ପାଣି ଆଦି ଅସୁବିଧାରେ ବେଶି ଦିନ ତିଷ୍ଠାଇ ରଖି ପାରିବ ନାହିଁ। ତୁମେ ଯଦି ଚାହଁ ତେବେ ତୁମର ଗାଈ, ମଇଁଷୀ ବିକାଇ ଦେବାର ବନ୍ଦୋବସ୍ତ କରିବି। ଏଥିରେ ରାଜି ଅଛ ତ?”

“ହଜୁର ମା ବାପ। ମୁଁ ଆଉ କ’ଣ କହିବି? ଆପଣ ଯାହା ବିଚାର କରିବେ? ପଶୁ ହେଲେ ବି ଏମାନେ ଯେଉଁ କଷ୍ଟରେ ଅଛନ୍ତି ତାହା ଦେଖି ମୁଁ ସହି ପାରୁନାହିଁ। କାନ୍ଦି ପକାଉଛି। ଆପଣ ଯଦି ଏମାନଙ୍କୁ ଏ ବନସ୍ତରୁ ପାରି କରି ଯେଉଁଠାରେ ସୁଖରେ ରହିପାରିବେ ସେପରି ବନ୍ଦୋବସ୍ତ କରିଦେବେ ମୁଁ ବି ଖୁସି ହେବି। ଆଉ ଟଙ୍କା ପଇସା ବିଷୟରେ ଆମର ପେଟ ଅଣ୍ଟା ଦେଖି ଯେଉଁ ଦାମ୍‌ ଆପଣ ଠିକ୍‌ କରିବେ। ସେଥିରେ ମୁଁ ରାଜି।”
“ଆଚ୍ଛା”। କହି କେମ୍ପ୍‌ ଅଫିସର ଚାଲିଗଲେ ଅନ୍ୟ କୁଡ଼ିଆକୁ।

ଦାଶ ଭଏଁଷାଲ ଦୀର୍ଘ ନିଶ୍ୱାସ ପକାଇ ଗାଈ ମଇଁଷୀମାନଙ୍କୁ ଅନାଇଲା। କେମ୍ପ୍‌ ଅଫିସରଙ୍କ ପ୍ରସ୍ତାବର ରୋମନ୍ଥନ କରୁଥାଏ ସେ ମନେ ମନେ। ଲାଭ କ୍ଷତିର ହିସାବ ବିକାଶ ଆଜି ତାର ମନରେ ଭବିଷ୍ୟତର ଅନ୍ଧକାରମୟ ପରିଣତି ପ୍ରତି ସଚେତନା କରୁଥାଏ। ଏକପକ୍ଷରେ ବିନା ପଇସାରେ ଘରୁ ଟିଣ ଗୋରସ ବଣ୍ଟାଗଲେ ନିଜ ପୁଅକୁ ମଧ୍ୟ ବିନା ପଇସାରେ ଗୋରସ ପିଇବାକୁ ଗୋରସ ପିଇବାକୁ ମିଳିବ।

କୌଣସି ପଡ଼ୋଶୀ ଘରେ ଆଉ ଦୁଧ ଦରକାର ପଡ଼ିବ ନାହିଁ। ଆୟର ରାସ୍ତା ପ୍ରାୟ ବନ୍ଦ। ଅନ୍ୟ ଦିଗକୁ ଭାବିଲେ ଗୋରୁ ମଇଁଷୀ ଗୋଠକୁ ସମ୍ଭାଳିବାରେ ଯେଉଁ ଖର୍ଚ୍ଚ, ଯେଉଁ କଷ୍ଟ, ତାହା ତାହା ଏଇ କେତେ ଦିନରେ ସେ ବୁଝି ପାରିଲାଣି। ଟିଣ ଗୋରସ ଯୋଗାଇବା ଦ୍ୱାରା ପିଲାମାନଙ୍କ ସୁବିଧା କରିବା ସଙ୍ଗେ ସଙ୍ଗେ ଗୋରୁ ମଇଁଷୀମାନଙ୍କୁ ବିକାଇବାର ସୁବିଧା ହେବାଦ୍ୱାରା ତା’ର ନିଜର ଲାଭ ହେଉ ନ ହେଉ, ଗାଈ ମଇଁଷୀମାନଙ୍କର କଷ୍ଟ ତ ଯିବ।

ଗାଁ’ ଛାଡ଼ି ଆସିଲା ପରେ ନିଜର ଗୋରୁପଲ ଆଖିରେ କେତେଥର ଲୁହ ଦେଖିଛି ଦାଶ ଭଏଁଶାଲ। ଆଜି ଦାଶର ଆଖି ଲୁହରେ ଭରି ଉଠିଲା।

ପୁରାତନ ଗାଆଁର ବନ୍ଧୁବାନ୍ଧବ, ଘରଦ୍ୱାର, ଜମିବାଡ଼ି ଆଦି ସବୁ ମୋହର ବନ୍ଧନ ସେ ଛିଣ୍ଡାଇ ଆସିଛି। କିନ୍ତୁ ଆଜି ଏ ନିରୀହ, ମୂକ, ପଶୁମାନଙ୍କର ବନ୍ଧନ ଯେପରି ତାର ହାତ, ଗୋଡ଼, ବେକ, ଛାତି ସବୁଆଡ଼େ ବାନ୍ଧି ରଖିଛି। ଏମାନେ କ’ଣ ତାକୁ ମୁକ୍ତି ଦେବେ? ଦାଶ ଭଏଁଷାଲ ସବୁ ଗାଈ ମଇଁଷୀର ଆଖିକୁ ଅନାଇଲା ଉତ୍ତର ପାଇଁ। କିନ୍ତୁ ଲୁହରେ ତାର ଆଖି ଭରି ଯାଇଥିବା ଯୋଗୁଁ କିଛି ଦେଖିପାରିଲା ନାହିଁ। ସେମାନଙ୍କର ଆଖିର ନୀରବ ଭାଷା ବୁଝିପାରିଲା ନାହିଁ।

‘‘ ଏହି ଗଳ୍ପଟି ହୀରାକୁଦ ନଦୀବନ୍ଧ ନିର୍ମାଣ ସମୟରେ ବିସ୍ଥାପିତ ହୋଇଥିବା ଅନେକ ବ୍ୟକ୍ତିଙ୍କର ବିସ୍ଥାପନ ଜନିତ ସମସ୍ୟାକୁ ନେଇ ଆଧାରିତ।’’
-୦-

Pages: 1 2 3