ସାଙ୍ଗରାମାଲ ପୁନର୍ବସତି କେନ୍ଦ୍ର, ଯେଉଁଠି ରାତିର ନିର୍ଜନ ସ୍ତବ୍ଧତା ଭଙ୍ଗ କରି ମଝି ମଝିରେ ବନ୍ୟ ଜନ୍ତୁମାନଙ୍କର ଗର୍ଜନ ଏବଂ ବିଲୁଆମାନଙ୍କର ହୁକେ ହୋ ଶବ୍ଦ ଶୁଣାଯାଏ। ଖରାଦିନର ଉଜ୍ଜ୍ୱଳ ଜହ୍ନରାତିରେ ସ୍ପଷ୍ଟ ଦେଖାଯାଏ ଅନତିଦୂରରେ ଥିବା କଟାମାନଙ୍କୁ ଗାଧୋଇବାକୁ ଆସୁଥିବା ହାତୀ ପଲର ଛାୟାଛବି। ଚାରିଆଡ଼େ ଜଙ୍ଗଲହିଁ ଜଙ୍ଗଲ। ଜଙ୍ଗଲ ମଝିରେ ରାତିରେ ନିସ୍ତବ୍ଧତା ଓ ଦିନବେଳେ ମେସିନ୍ମାନଙ୍କର ଘସ୍ଘସ୍ ଶବ୍ଦ। ହୀରାକୁଦ ବନ୍ଧରେ ବୁଡ଼ି ଯାଉଥିବା ଗାଁ’ ଲୋକମାନଙ୍କର ପୁନର୍ବସତି ପାଇଁ ଜଙ୍ଗଲ ମଝିରେ ଗଢ଼ି ଉଠୁଛି ଗୋଟିଏ ଶିଶୁ ଗାଁ’।
ଜଙ୍ଗଲ ସଫା କରୁଥିବା, ଗଛ କାଟୁଥିବା, ମାଟିକୁ ସମାନ କରୁଥିବା ପ୍ରକାଣ୍ଡ ବୁଲ୍ଡ଼ୋଜର ମେସିନ୍ମାନ ଦିନରେ ଆଠ ଦଶ ଘଣ୍ଟା ଲେଖାଏଁ ଚାଲେ। ମେସିନ୍ ଆଗରେ ମାତାଲ ପରି ଢଳି ପଡ଼େ ପତଳା ପତଳା ଡେଙ୍ଗା ଗଛମାନ ଏବଂ ମେସିନ୍ ପଛେ ଉଡ଼େ ମାଟିଆ ଧୂଳିର ମେଘ। ଗାଁ’ ଦିନରେ ଆଠ ଦଶ ଘଣ୍ଟା ଚେଇଁ ପୁଣି ନିଘୋଡ଼ ନିଦରେ ଶୋଇପଡ଼େ। ରାତିରେ ଖରା ଦିନରେ ସୁଦ୍ଧା ଗାଁ’ ମଝିରେ ଜଳୁଥାଏ ବଡ଼ ବଡ଼ ଗଛର ଗଣ୍ଡ-ବଣୁଆ ଜନ୍ତୁମାନଙ୍କୁ ଦୂରରେ ରଖିବା ପାଇଁ। ବିଲୁଆମାନେ କେତେବେଳେ ସାହସର ସହିତ ଗାଁ’ ପାଖକୁ ପଶି ଆସି ଦେଖନ୍ତି ଗୋଟିଏ ଶିଶୁ ଗାଁ’।
ସାମାନ୍ୟ କେତୋଟି କୁଡ଼ିଆ। ଗଛ, ଡାଳ ଓ ବାଉଁଶରେ ତିଆରି। ବାଉଁଶ ତାଟିରେ ତିଆରି କାନ୍ଥ ଭିତରେ ଓ ବାହାରେ ଏ ପର୍ଯ୍ୟନ୍ତ ମାଟି ଲିପା ଯାଇ ନାହିଁ। ଛାତମାନଙ୍କରେ ବାଉଁଶ ଦିଆଯାଇ ଏ ପର୍ଯ୍ୟନ୍ତ ପୁଆଳ ଛାଦନ କରାଯାଇ ନାହିଁ। କେଉଁ ପ୍ରାଚୀନ ଯୁଗର ଋଷିଙ୍କର ଆଶ୍ରମ ପରି ଅନେକାଂଶରେ ଦେଖାଯାଉଛି ଏ ଛୋଟ ଗାଆଁଟି। କେବଳ ଆଧୁନିକ କେତେ ଯନ୍ତ୍ର, ଯନ୍ତ୍ରରେ ଦିଆଯାଉଥିବା ତେଲର କେତୋଟି ଲାଲ, ହଳଦିଆ ଓ ଶାଗୁଆ ରଙ୍ଗର ଡ୍ରମ୍, କେବଳ ସେ ଭ୍ରମ କରି ଦେଉଛି ଯେ ଏଇଟା କୌଣସି ଋଷିଙ୍କର ଆଶ୍ରମ ନୁହେଁ। ଏହା ହେଉଛି ସାଙ୍ଗରାମାଲ ‘ବି’ କେମ୍ପ୍ର ଗୋଟିଏ ଅଂଶ।
ଜ୍ୟେଷ୍ଠ ଶୁକ୍ଳ ସପ୍ତମୀର ଏକ ବାୟୁହୀନ ଉତ୍ତପ୍ତ ସନ୍ଧ୍ୟା। ଦାସ ଭଏଁଷାଲ ତା’ର ଅଧା ତିଆରି କୁଡ଼ିଆ ଆଗରେ ଗାଈ ମହିଷୀମାନଙ୍କୁ ପୁଆଳ ଓ କୁଣ୍ଡା ଦେଉଛି। କୋଶେ ଦୂରରେ ଥିବା କେମ୍ପ୍ କଟାରୁ ଗାଈ ମହିଷୀ ପଲକୁ ଗାଧୋଇ ଓ ପାଣି ପିଆଇ ସାରି କେମ୍ପ୍ରେ ବନ୍ଧା ଛନ୍ଦା କରି ସଞ୍ଜବେଳେ ପୁଆଳ କୁଣ୍ଡା ଖାଇବାକୁ ଦେଉଛି। ଆଜି ଏ ନୂତନ ବାତାବରଣରେ ମୂକ ପଶୁମାନେ ସୁଦ୍ଧା ଯେପରି ବିହ୍ୱଳ ହୋଇ ତାହାକୁ ମୂଢ଼ ଜିଜ୍ଞାସୁ ଦୃଷ୍ଟିରେ ଅନାଇ ରହିଛନ୍ତି, ଆଉ ଦାଶ ଭଏଁଷାଲ୍ ମଧ୍ୟ ସେପରି କିଂକର୍ତ୍ତବ୍ୟମୂଢ଼ ହୋଇ ମୁଣ୍ଡରେ ହାତ ଦେଇ ବୋକାଙ୍କ ପରି ଚାହିଁ ରହିଛି ତାହାର ପାଳିତ ପଶୁମାନଙ୍କ ଆଡ଼େ।
ଆଜିକି ସାତ ଦିନ ତଳେ ସେ କେଉଁଠି ଥିଲା? ଭାଗ୍ୟର ଚକ ବୁଲିଯିବା ଫଳରେ ଆଜି ସେ କେଉଁ ବନସ୍ତ ମଝିରେ ପଡ଼ିଛି? ଏ ପ୍ରଶ୍ନ ବାର ବାର ତାର ମନରେ ଖେଳି ଉଠେ।
ଠିକ୍ ଆଜିଠାରୁ ସାତଦିନ ତଳେ ଏମିତି ଗୋଟିଏ ଶୁକ୍ରବାର ସନ୍ଧ୍ୟାରେ ଥିଲା ସେ ନିଶ୍ଚିନ୍ତରେ ତା’ର ପୈତୃକ ବାସଭୂମିରେ। ମହାନଦୀ କୂଳରେ ଥିବା ସାହାଜବାହାଲ ଗାଁ’ରେ। ଆଜି ସେ ବନବାସୀ। ଚଉଦ ବର୍ଷ ପାଇଁ ନୁହେଁ, ସାରା ଜୀବନ ପାଇଁ। ତା’ର ହଜାର ହଜାର ସ୍ମୃତିରେ ଭରା ସେହି ପୁରୁଣା ଗାଆଁକୁ ଫେରିଯିବାର ଉପାୟ ନାହିଁ। ଆଉ ମାସେ ଦୁଇମାସ ଭିତରେ ସେ ଗାଆଁ କୁଆଡ଼େ ମହାନଦୀର ବକ୍ଷରେ ବୁଡ଼ିଯିବ ସବୁଦିନ ପାଇଁ। କିନ୍ତୁ ଦାଶ ଗଉଡ଼ର ମନ ଚାଲିଯାଏ ସେହି ପୂର୍ବ ଗାଆଁକୁ। ମନେ ପଡ଼େ ତାର ମହାନଦୀର କଥା, ଯେଉଁଠାରେ କି ବର୍ଷସାରା ଘରର ସ୍ତ୍ରୀଲୋକମାନେ ମାଠିଆ ଧରିଲେ ଅତି ପାଖରେ ଥିବା ନଦୀରୁ ପାଣି ବୁଡ଼ାଇ ଆଣୁଥିଲେ।
ପୋଢ଼, ମଇଁଷି, ଗାଈପଲ ତା’ର ସକାଳ ସନ୍ଧ୍ୟାରେ ଘଣ୍ଟା ଘଣ୍ଟା ଧରି ପାଣିରେ ପଡ଼ି ପ୍ରଚଣ୍ଡ ଗ୍ରୀଷ୍ମରେ ଆରାମ ପାଉଥିଲେ, ଆଉ ନଦୀ ପାଖରେ ଗୋଚର ଜମିରେ ଚରୁଥିଲେ। କେତେ ନିଶ୍ଚିନ୍ତରେ ଚଳୁଥିଲା ଦାଶ ଗଉଡ଼, ଆଉ କେତେ ଆରାମରେ ଥିଲେ ତାର ଗୋଠ। ଆଜି ସେହି ମହାନଦୀ କୂଳର ସମୃଦ୍ଧ ଗାଆଁରୁ ବାରକୋଶ ଦୂରରେ ଥିବା ଏଇ ନିପାଣିଆ ଜଙ୍ଗଲରେ ମଝି ଖରାରେ ପାଣି ମନ୍ଦାଏ ନ ପାଇ ତଣ୍ଟି ଶୁଖିଗଲା ସୁଦ୍ଧା କିଛି ଉପାୟ ନାହିଁ। ଆଜିକୁ ସାତଦିନ ତଳେ ଦାଶ ଥିଲା ଏକ ଲୋକମୁଖର ଗାଁ’ର ଚାଷୀମାନଙ୍କ ମଧ୍ୟରେ ଜଣେ ବ୍ରାହ୍ମଣ, କୁଲିତା, ଗଣ୍ଡା, ସହରା- ସବୁ ଜାତିରେ ଥିଲେ ଦାଶ ଭଏଁଷାଲର ବନ୍ଧୁବାନ୍ଧବ, ଆତ୍ମୀୟ। କିଏ ତା’ର ମଉସା, କିଏ ସମ୍ବନ୍ଧି, କିଏ ପୁତୁରା, କିଏ ନାତି, କିଏ କକା ଜାତି ବର୍ଣ୍ଣ ନିର୍ବିଶେଷରେ କେତେ କଳ୍ପିତ ସମ୍ୱନ୍ଧ ପାତି ବାନ୍ଧିଥିଲା ସେ ମମତାର ବନ୍ଧନ, ବୁଣିଥିଲା ମାୟାର ଜାଲ।
ଆଜି ସେହି ମଉସା, ସମ୍ବନ୍ଧି, ପୁତୁରା, ନାତି, କକା- କିଏ କେଉଁଠି ତାହା ଜାଣିବାର ଉପାୟ ସୁଦ୍ଧା ନାହିଁ। ଆଉ ଏହି ଅଜଣା ଅଶୁଣା ରାଇଜରେ ସାହାଜବାହାଲ ଗାଁ’ର କେବଳ ଗୋଟିଏ ମାତ୍ର କୁଟୁମ୍ୱ ତାର ଆସି ପଡ଼ିଛନ୍ତି। ସଙ୍ଗରେ କେବଳ ତା’ର ସ୍ତ୍ରୀ ଲଳିତା, ଛ’ ସାତ ବର୍ଷର ପୁଅ ଗୋବିନ୍ଦ ଓ ପୁଅ ଝିଅ ପରି ଆଦରର ଧନ ଏହି ଗାଈ ମଇଁଷୀର ଗୋଠ, ଯେଉଁମାନଙ୍କର ମାୟାର ବନ୍ଧନ କି ତା’ର ପ୍ରତ୍ୟେକ ଶିରା ପ୍ରଶିରାରେ ଜଡ଼ିତ ହୋଇରହିଛି। ତା’ର କୁଡ଼ିଆ ପାଖରେ ଚାରି ଛ’ଟି ଅଚିହ୍ନା କୁଟୁମ୍ୱ ନୂଆ ହୋଇ କିଏ କେଉଁ ଗାଁ’ରୁ ଆସି ଏଠାରେ ପଡ଼ିଛନ୍ତି।
ଆଜିକୁ ସାତ ଦିନ ପୂର୍ବେ ସେ ଯେଉଁ ଗାଆଁରେ ଥିଲା, ସେଠି ଥିଲା ସମୃଦ୍ଧ ଜନ ବସତି, ସୁନା ଫଳାଉଥିବା ଜମି, ଧନ ଜନ ଗୋପଲକ୍ଷ୍ମୀରେ ଭରା, ମାୟା ମମତାରେ ଘେରା, ଗାଆଁ, ଆଉ ସୁବଠାରୁ ଆଦରର ଜିନିଷ ମହାନଦୀର ଅମୃତ ପରି ପାଣି, ଆଉ ଆଜିଏ ଏ ନୂତନ ବାତାବରଣରେ ଯେଉଁଆଡ଼େ ଚାହିଁବ ଖାଲି ଜଙ୍ଗଲ ଆଉ ଜଙ୍ଗଲ। ଘୋର ଜଙ୍ଗଲ ମଝିରେ ସାମାନ୍ୟ କେତୋଟି ଅଧା ତିଆରି କୁଡ଼ିଆ, ପୂର୍ବ ଗାଆଁର ସବୁଠାରୁ ହୀନ ଗୁହାଳଠାରୁ ମଧ୍ୟ ଅଧମ। ଆଉ ଗାଆଁର ଚାରିପାଖରେ ଲଟା ବୁଦାରେ ଘେରା ଚାଷ ପାଇଁ ତିଆରି କରାଯାଇଥିବା ଟ୍ରାକ୍ଟର ମେସିନ୍ ତିଆରି ଜମି, ଯେଉଁଥିରେ ମାଟି ତୁଳନାରେ ସାହସୀ ଚାଷୀର ମନରୁ ଚାଷ କରି ଚଳିପାରିବାର ଆଶାକୁ ଦୂର କରିଦେଇଛି। ଗାଈ ମଇଁଷୀମାନଙ୍କର ଚରିବା ପାଇଁ ଜଙ୍ଗଲ ଅଛି, କିନ୍ତୁ ସେମାନଙ୍କର ଗାଧୋଇବା ଓ ପିଇବା ପାଇଁ ପାଣି କେମ୍ପରୁ କୋଶେ ଦୂରରେ।