ବାଛୁରୀ ଟିକିଏ ବଡ଼ ହେଲେ ମାଲିକ ତାକୁ ଗାଈଠାରୁ ଅଲଗା କରି ବିକି ଦେଲେ ଯେପରି ସେ, ହଠାତ୍ ଏକ ନୂଆ ପରିସ୍ଥିତି ଭିତରେ ପହୁଞ୍ଚିଯାଏ ଏବଂ ଆଶ୍ୱସ୍ତି ଓ ଅସ୍ୱାଚ୍ଛନ୍ଦ୍ୟ ଅନୁଭବ କରେ, ଆଜି ଦଇବର ଦଉଡ଼ିରେ ଏ ଅଜଣା ସ୍ଥାନର ଅସ୍ୱସ୍ତିକର ବାତାବରଣରେ, ପରିଚୟଶୂନ୍ୟ ସ୍ଥାନରେ ହଠାତ୍ ଆସି ସେହିପରି ଅସ୍ୱସ୍ତି ଅନୁଭବ କରୁଛି ଦାଶ ଭଏଁଷାଲ। ମାତ୍ର ସାତ ଦିନ ପୂର୍ବରୁ ହୁଏତ ସେ କଳ୍ପନା କରି ପାରି ନଥାନ୍ତା ଯେ ଏପରି ଅବସ୍ଥାରେ ଆଜି ତାକୁ ପଡ଼ିବାକୁ ହେବ।
ଦାଶ ଭାଏଁଷାଲ ଜାତିରେ ଗଉଡ଼। ରଙ୍ଗରେ ନିଜର ପୋଢ଼ୁଅମାନଙ୍କ ପରି ଚିକ୍କଣ କଳା, ପୋଢ଼ୁଅ ପରି ହୃଷ୍ଟପୃଷ୍ଟ ଓ ପେଶୀବହୁଳ ତାର ଶରୀର। ମୁଣ୍ଡରେ ଝୁଲୁପି ବାଳ ପଛକୁ ଛୁଲି ସବୁବେଳେ ଚକ୍ ଚକ୍ କରୁଛି। ସବୁବେଳେ କଠିନ ପରିଶ୍ରମ କରିବା ଫଳରେ କାନ୍ଧ ଓ ଛାତିର ମାଂସପେଶୀମାନ ଅତି ସ୍ପଷ୍ଟ ଓ ଉନ୍ନତ। ପୈତୃକ ବ୍ୟବସାୟ ଗାଈ ମଇଁଷୀ ପୋଷିବା ଏ ଗାଁ’ର ଭୋଜି ଭାତରେ, ପର୍ବ ପର୍ବାଣୀରେ ବା ଅଫିସରମାନେ ଆସିଲା ସମୟରେ ପାଣି ଯୋଗାଇବା ଛଡ଼ା ସେ ନିଜର କଠିନ ପରିଶ୍ରମ ଫଳରେ ଗାଁ’ର ଚାଷୀମାନଙ୍କ ମଧ୍ୟରୁ ଜଣେ ଚାଷୀ ହୋଇପାରିଥିଲା।
କୁଡ଼ିଆ ଗରେ ତା’ର ସ୍ତ୍ରୀ ଲଳିତା ଗୋଟିଏ ଚୁଲି ଲଗାଇ ରନ୍ଧା କାର୍ଯ୍ୟରେ ଲାଗିଛି। ଗୋରୁ ମହିଷୀମାନେ ସନ୍ଧ୍ୟାରେ ଖାଇସାରି ରୋମନ୍ଥନରେ ଲାଗିଛନ୍ତି। ଆଉ ଦାଶ ଭଏଁଷାଲ ପାଖରେ ମୁଣ୍ଡରେ ହାତ ଦେଇ ଚିନ୍ତାର ରୋମନ୍ଥନ କରିବାରେ ଲାଗିଛି।
ଦାଶ ଏଠାରେ ପହୁଞ୍ଚିବାର ଦୁଇଦିନ ଆଗରୁ ତାର ପଡ଼ୋଶୀ ରାମ ପଧାନ ବୁର୍ଲାରୁ ଆସି ଗୋଟିଏ କୁଡ଼ିଆ ଠିଆ କରିବାକୁ ଚେଷ୍ଟା କରୁଛି। ଦାଶ ଗଉଡ଼କୁ ମୁଣ୍ଡରେ ହାତ ଦେଇ ବସିଥିବାର ଦେଖି ରାମ ପଧାନ ତା’ ପାଖକୁ ଆସି ବସିଲା ଓ ଗୋଟିଏ ପିକା ଲଗାଇ ଆରମ୍ଭ କଲା, “ଆଜି ଗୋଟିଏ ନୂଆ କଥା ଶୁଣିଲୁ ତ? ଆଜି କେମ୍ପ୍ ଅଫିସର କହୁଥିଲେ, ଏ କେମ୍ପ୍ରେ ଯେଉଁ ପିଲାପିଲି ଅଛନ୍ତି ସେମାନଙ୍କୁ କାଲିଠାରୁ ଗିଲାସେ ଲେଖାଏଁ ଗୋରସ ପିଇବାକୁ ଦିଆଯିବ। ଏଥିପାଇଁ ବିଲାତରୁ ଟିଣ ଗୋରସ ମଗାଯାଇଚି। କାଲିଠାରୁ ବଣ୍ଟା ହେବ।
ଦାଶ ଗଉଡ଼ କହିଲା, “ସେତିକି ବାକି ଥିଲା। ସେହି ସୁବିଧା ଟିକକ ପାଇଲେ କେମ୍ପ୍ରେ ଯେଉଁ ଛୁଆପିଲା ଅଛନ୍ତି। ସେମାନେ ଉଦ୍ଧାର ହେବେ। ଏଆଡ଼େ ପାଣି ଟିକିଏ ଗାଧୋଇବାକୁ ବା ପିଇବାକୁ ସ୍ୱପ୍ନ ହେଉଛି। ଏ ଖରାଦିନରେ ଗାଧୋଇବା ପିଇବାଠାରୁ ଆରମ୍ଭ କରି ଘର ଲିପିବା ପାଇଁ ପାଣି ଦରକାର ହେଲେ କୋଶେ ବାଟକୁ ଦଉଡ଼ିବାକୁ ପଡ଼ୁଛି। ଜମିବାଡ଼ି ତ ଯାହା ଅଛି ତାହା ଦେଖିଲେ ଛାତି ଶୁଖି ଯାଉଛି। ଆମେ ତ ଆମେ। ଆମର ପୁଅ ନାତି ହେଲେ ବି ସେ ଜମିକୁ ଚାଷ କରି ଚଳି ପାରିବେ ନାହିଁ। ଆଉ ଘରଦ୍ୱାର ତ ଦେଖୁଛ, ଏହି କୁଡ଼ିଆରେ ଚନ୍ଦ୍ର ସୂର୍ଯ୍ୟ ଦେଖା ଯାଉଛନ୍ତି। ତାଟି, ମାଟିର କାନ୍ଥ, ସେଥିକୁ ପିଲାମାନଙ୍କ ପାଇଁ ବିଲାତରୁ ଗୋରସ ନ ଆସିଲେ ଚଳିବ କିପରି?”
“ବିଲାତ ଗୋରସ ଯଦି ପିଲାମାନଙ୍କୁ ମାଗଣାରେ ଦିଆଯାଏ, ତେବେ ତୁମର ଗାଈ ମଇଁଷୀଙ୍କୁ କିଏ ପଚାରିବ ଆଉ? ସରକାର କ’ଣ ଜାଣନ୍ତି ଯେ ଏଠାରେ ତୁମେ ଗୋଠେ ଦୁହାଁଳି ଗାଈ ମଇଁଷୀ ଆଣି ରଖିଛ?”
“କରମ ଜାଣି କରମଙ୍ଗା ଫଳୁଛି, ପଧାନେ। ଯେଉଁଠାକୁ ଗଲେ ମୋର କରମ ଫଟା। କ’ଣ କରିବି ମୁଁ? ବହୁତ କଷ୍ଟରେ ଗାଈ ମଇଁଷୀର ଗୋରସ ବିକ୍ରି ଟଙ୍କା ଦେଇ ଗାଁ’ ଗଉନ୍ତିଆଙ୍କୁ ଖୋସାମତ କରି ତାଙ୍କଠାରୁ ହଳକର ଗୋଚର ଜମି ପଟା ପାଇଥିଲି। ବାଇଶି ବର୍ଷ ଦିନ ରାତି ମେହେନତ କରି, ଗଛ ଲଟା କାଟି, ଜମି ସମାନ କରି ପଡ଼ିଆ ଜମିକୁ ଉଠିଆ କଲି। ଖତ ଖାର ଦେଇ, ମାଟି ଖୋଳି ଜମିକୁ ଅବଲ ବାହଲ (ଅବଲ ବାହାଲ-ସମ୍ୱଲପୁରୀ ଭାଷାରେ ସବୁଠାରୁ ଭଲ ଜମି।) ଜମି କଲି। ମାତ୍ର ମୋର କରମକୁ ଦଇବ ସହିଲା ନାହିଁ। ହୀରାକୁଦ ବନ୍ଧା ହେଲା।
ସରକାରୀ ଜମି ନେଇ ଯିବ ବୋଲି ନୋଟିସ୍ ହେଲା। ପଟୁଆରୀ, ଅମିନ, ଅଫିସର୍ମାନେ ଜମି ମାପିବାକୁ, ହିସାବ କିତାବ କରିବାକୁ ଗାଁ’କୁ ଆସିଲେ। ମୋର ଗୋଠର ଗୋରସ ଘିଅ ଉପରେ, ଦୁହାଁ ଗାଈ ଉପରେ ସେମାନଙ୍କର ଲୋଭ ହେଲା। ସେମାନଙ୍କୁ ସନ୍ତୋଷ କରି ପାରିଲି ନାହିଁ ବୋଲି ମୁଁ ପାଇଲି ପାଞ୍ଚ ଏକର ଅବଲ ବାହାଲକୁ ଚାରି କୋଡ଼ି ଚଉଦ ଟଙ୍କା। ମୋର ଜମିଠାରୁ ଖରାପ ଜମି ପାଇଁ ଯେଉଁମାନେ ପୂଜା ଦକ୍ଷିଣା କରିପାରିଲେ, ସିଏ ପାଇଲେ ହଜାରେ, କିଏ ପାଇଲେ ବାରଶହ ଟଙ୍କା।
ଆମକୁ କଥା କହି ଆସେ ନାହିଁ ବୋଲି ଏଠାରେ ଚାଷ କରିବାକୁ ଆମକୁ ମିଳୁଛି ଶୁଖା ଟାଙ୍ଗରିଆ ଜମି, ଆଉ ଯେଉଁମାନେ କହିପୋଛି ପାରୁଛନ୍ତି ସେମାନେ ପାଉଛନ୍ତି ସରସ ଚାଷ ଜମି। ତେଲିଆ ମୁଣ୍ଡରେ ତେଲ, ଆଉ ଆମର ମୁଣ୍ଡ ଯେଉଁ ନୁଖୁରାକୁ ସବୁଦିନେ ସେହି ନୁଖୁରା। ଆଉ ଆଜି କେମ୍ପ୍ରେ ଯଦି ମାଗଣା ଗୋରସ ଦିଆଯାଏ, ତେବେ ଆଉ ଏ ଗାଈ ମଇଁଷୀ ଦଶା କ’ଣ ହେବ?” ଶୂନ୍ୟ ଦୃଷ୍ଟିରେ ନିଜର ଗାଈ ମଇଁଷୀପଲକୁ ଅନାଇ ରହିଲା ଦାଶ ଭଏଁଷାଲ।