
ଲୋକନାଥ କହିଲେ, ‘‘ଆମେମାନେ ନିଜକୁ ସ୍ବାଧୀନତା ସଂଗ୍ରାମୀ ବୋଲି କହୁଛୁ। ଏଠାକୁ ଆସିଛୁ ମଧ୍ୟ ସେହି ନାମରେ। ଆମ୍ଭେମାନେ ସରକାରଙ୍କଠାରୁ ଭତ୍ତା ପାଇବା ପାଇଁ ଦାବି କରୁଛୁଁ। ଯେଉଁମାନେ ଭତ୍ତା ପାଇଗଲେଣି ସେମାନେ ସରକାରଙ୍କଠାରେ କୃତଜ୍ଞ। ଅନ୍ୟମାନେ ପ୍ରାର୍ଥୀ ହୋଇ ରହିଛନ୍ତି। କିନ୍ତୁ ସରକାର ପ୍ରକୃତରେ ଆମ ଜନସାଧାରଣଙ୍କର ହେଲାଣି କି? ଗୋରାଙ୍କ ଜାଗାରେ କଳା ବସିଗଲେ ସରକାରଟା ଯେ ଆମର ହୋଇଗଲା ତା’ ନୁହେଁ। ଇଂରେଜମାନଙ୍କ ସମୟରେ ମଧ୍ୟ ଶାସନ ଗାଦିରେ କଳା ଲୋକ ବସୁଥିଲେ, ଇଂରେଜ ଶାସନ ଓ ସ୍ବରାଜ୍ୟ ଭିତରେ କ’ଣ କେବଳ ଏତିକି ପ୍ରଭେଦ ଯେ ଚଉକିରେ ଗୋରା କେତେ ବସିଲେ ଓ କଳା କେତେ ବସିଲେ।
ଆନ୍ଦୋଳନ ବେଳେ ଆମେ କହୁଥିଲେ, ମୂଲିଆ ମାଲିକ ହେଲା ଦେଶରେ ସ୍ବରାଜ୍ୟ ହେବ। ଲୋକଙ୍କ ପାଖରୁ ଖଜଣା ଟିକସ୍ ଆଦାୟ ହୋଇ ସେଥିରୁ କର୍ମଚାରୀ, ମନ୍ତ୍ରୀ ସମସ୍ତେ ଦରମା ପାଉଛନ୍ତି। ସେମାନେ ହେଲେ ମୂଲିଆ। ଖଜଣା ଟିକସ ଦେଇଥିବା ଲୋକ ହେଲେ ମାଲିକ। କିନ୍ତୁ ଇଂରେଜ ସମୟରେ ଯେ ପ୍ରକୃତରେ ମାଲିକ, ସେମାନେ ମୂଲିଆ ହୋଇ ପଡ଼ିଥିଲେ, ଯେ ପ୍ରକୃତରେ ମୂଲିଆ ସେମାନେ ମାଲିକ ହୋଇ ବସିଥିଲେ। ଆଜି ମଧ୍ୟ ସେହି ସ୍ଥିତି ରହିଛି। ମନ୍ତ୍ରୀ ହୁଅନ୍ତୁ ବା ଯେ ହୁଅନ୍ତୁ, ଗାଁର ତହସିଲଦାର୍ ପଛେ ହୁଅନ୍ତୁ, କେହି ନିଜର ଲୋକଙ୍କର ଚାକର ବୋଲି ମନେ କରୁଛନ୍ତି କି? ସମସ୍ତେ ତ ଲୋକଙ୍କର ପ୍ରଭୁ। ପ୍ରଭୁ ସୃଷ୍ଟି କରିବା ପାଇଁ ଆମ୍ଭେମାନେ ସ୍ବାଧୀନତା ସଂଗ୍ରାମ କରି ନ ଥିଲୁ।
ପ୍ରଭୁଙ୍କଠାରୁ ଭତ୍ତା ନେବା ଦ୍ୱାରା ଆମ୍ଭେମାନେ ଆମ୍ଭମାନଙ୍କର ପୁଣ୍ୟ ବିକ୍ରି କରିଦେଇଛୁ। ଯେତେ କଷ୍ଟ ହେଉ ପଛକେ ଆମ୍ଭେ ଅର୍ଜିଥିବା ପୁଣ୍ୟ ବିକିବା ନାହିଁ- ସ୍ବରାଜ୍ୟ କାମ ଶେଷ ହୋଇନାହିଁ। ସ୍ବରାଜ୍ୟ ହେଲେ ଆମେ ବା ଆମ ବଂଶଧର ଭତ୍ତା କଥା ଚିନ୍ତା କରିବେ।’’ ଏପରି ଭାବପ୍ରବଣ ସ୍ୱରରେ ଲୋକନାଥ ଭାଷଣ ଦେଲେ ଯେ, ସମସ୍ତେ କିଛିକ୍ଷଣ ତଳକୁ ନଇଁ ବସିଗଲେ। ସମ୍ମିଳନୀର ବାୟୁମଣ୍ଡଳ ବଦଳିଗଲା। ହରିମୋହନ ପଚାରିଲେ, ‘‘ଆପଣଙ୍କ ଘର?’’
‘‘ମୋ ଘର ଶ୍ରୀଜଙ୍ଗ, ଯେଉଁ ଶ୍ରୀଜଙ୍ଗ ଅତ୍ୟାଚାର ସମ୍ବନ୍ଧରେ ଆପଣ କହୁଥିଲେ। ଦିନେ ଥିଲେ ଆମେ ସହକର୍ମୀ, ଆଜି ଆପଣ ପ୍ରଭୁ, ମୁଁ ଜଣେ ଚାକର ଶ୍ରେଣୀର। ଆଜି ସକାଳେ ଆପଣଙ୍କ ଘରୁ ପୋଲିସ୍ ହାତରୁ ମାଡ଼ ଖାଇ ସାରିଛି’’, ଗମ୍ଭୀର ହୋଇ ଲୋକନାଥ ଏତିକି କହିଲେ। ବିବ୍ରତ ହୋଇ ହରିମୋହନ ଲୋକନାଥଙ୍କୁ ଚାହିଁ ରହିଲେ। ସଭାରେ ଅନେକ ଚିତ୍କାର କଲେ ଯେ, ପୋଲିସ୍କୁ ଦଣ୍ଡ ଦିଆଯାଉ, କିଏ କହିଲା ‘ମନ୍ତ୍ରୀ ଇସ୍ତଫା ଦିଅନ୍ତୁ’। ଲୋକନାଥ କିନ୍ତୁ ନମ୍ର ଭାବରେ କହିଲେ, ‘‘ଆପଣ ଯାଆନ୍ତୁ। ସଂଗ୍ରାମର ଦ୍ୱିତୀୟ ପର୍ଯ୍ୟାୟ ଆମ୍ଭେମାନେ ଆଲୋଚନା କରୁ।’’ ହରିମୋହନ ନିତାନ୍ତ ଲଜ୍ଜିତ ହୋଇ ଧୀରେ ଧୀରେ ଗାଡ଼ି ପାଖକୁ ଗଲେ। ମନ୍ତ୍ରିତ୍ୱର ଗରମ ନାହିଁ, ତାଙ୍କ ପ୍ରତି ସମ୍ମାନସୂଚକ ଦୃଷ୍ଟି ମଧ୍ୟ କାହାରି ନାହିଁ।
ହରିମୋହନ ବିବଶ ମନରେ ସେକ୍ରେଟେରୀଏଟ୍କୁ ଫେରିଗଲେ। ଅଫିସ୍ରେ ଗୁମ୍ ମାରି ବହୁ କ୍ଷଣ ବସି ରହିଲେ, ସ୍ମୃତି ଚାଳନା କରିବାରେ ଲାଗିଲେ ସେ ଶ୍ରୀଜଙ୍ଗ ଲୋକଟିର ନାମ। କହିଲା, ‘ଏକ ସଙ୍ଗରେ କାମ କରିଥିଲୁଁ। ଏହି ଗତ ଚାଳିଶ ବର୍ଷ ଭିତରେ ସେ ସବୁ ଭୁଲି ଯାଇଛନ୍ତି। କେବଳ ମନେ ଅଛି ଶ୍ରୀଜଙ୍ଗ ଅତ୍ୟାଚାର। କେବଳ ଆନୁଷ୍ଠାନିକ ଭାବରେ ସେକଥା କହିବା ଛଡ଼ା ଆଉ କିଛି ତାଙ୍କର ମନେ ପଡ଼ୁନାହିଁ। ଟେବୁଲ୍ ପାଖରେ ଥିବା ସୁଇଚ୍କୁ ଟିପି ନିଜର ପି.ଏ.ଙ୍କୁ ଡାକିଲେ। ଅନ୍ୟମନସ୍କ, କ’ଣ କହିବେ କହିବେ ହୋଇ ମନକୁ ମନ କହିଲେ, ‘‘ମୁଁ ସବୁ ଭୁଲିଯାଇଛି’’, ତା’ପରେ ପି.ଏ.ଙ୍କୁ କହିଲେ, ‘‘ତୁମେ ଯାଅ।
ଯେଉଁଠି ସ୍ବାଧୀନତା ସଂଗ୍ରାମୀଙ୍କ ସମ୍ମିଳନୀ ହେଉଛି, ସେଠାରେ ପଚାରି ବୁଝିବ ଶ୍ରୀଜଙ୍ଗରୁ ଜଣେ ଯେ ସେଠାରେ ବକ୍ତୃତା ଦେଲେ ତାଙ୍କ ନାମ କ’ଣ? ତାଙ୍କୁ ତୁମ ସଙ୍ଗରେ ନେଇ ଆସିବ, ବୁଝିଲ?’’ ପି.ଏ. ଗଲେ ସମ୍ମିଳନୀ ସ୍ଥଳକୁ। ସେଠାରେ ଯାଇ ଶୁଣନ୍ତି ହରିମୋହନଙ୍କ ଉପରେ ତିରସ୍କାର ବୃଷ୍ଟି ହେଉଛି। ଲୋକନାଥ ସେଦିନକର ସକାଳ ଘଟନା କହିବା ପରେ ସଭା ସରଗରମ ହେଲା, ସେହି କଥା ମୁଖ୍ୟ ଆଲୋଚନାର ବିଷୟ ହେଲା। କିଏ କହୁଛି ହରିମୋହନ ସଭାରେ ଆସି କ୍ଷମା ପ୍ରାର୍ଥନା କରନ୍ତୁ, କିଏ କହୁଛି ସେ ଇସ୍ତଫା ଦିଅନ୍ତୁ। ଏ ଆଲୋଚନା ଚାଲିଥିବାବେଳେ ଲୋକନାଥ ଆଉ ସଭାରେ ନ ରହି ଚାଲିଗଲେଣି। କୁଆଡ଼େ ଗଲେ? ନାମ ଲୋକନାଥ ବୋଲି ଜଣାପଡ଼ିଲା। କିନ୍ତୁ ସେ ଗଲେ କୁଆଡ଼େ, କେହି କହିପାରିଲେ ନାହିଁ।
ପି.ଏ. ବୁଦ୍ଧି ଖର୍ଚ୍ଚ କରି ନିକଟବର୍ତ୍ତୀ ଧର୍ମଶାଳାରେ ଆସି ପଚାରି ବୁଝିଲେ ଶ୍ରୀଜଙ୍ଗର ଜଣେ ଲୋକ ଅଛନ୍ତି। ମନ୍ତ୍ରୀଙ୍କ ଗାଡ଼ି ଦେଇ ଆଖପାଖ ଲୋକେ ବିସ୍ମିତ ହେଲେ, ଧର୍ମଶାଳାରେ ମନ୍ତ୍ରୀଙ୍କର କି କାମ। ଲୋକନାଥଙ୍କ ନାମ ପଚାରି ବୁଝି ଧର୍ମଶାଳାରେ ପି.ଏ. କହିଲେ,- ‘‘ମନ୍ତ୍ରୀ ଆପଣଙ୍କୁ ଚିହ୍ନି ପାରିଲେ ନାହିଁ। ସେ ମୋତେ ପଠାଇଛନ୍ତି ଆପଣଙ୍କୁ ନେଇଯିବା ପାଇଁ… କଅଣ କଥାବାର୍ତ୍ତା ହେବେ।’’ କୌଣସି ପ୍ରକାର ଉତ୍ତେଜନା ଭାବ ପ୍ରକାଶ ନ କରି ଲୋକନାଥ କହିଲେ- ‘‘ମନ୍ତ୍ରୀ ଭୁଲିଯାଇ ଠିକ୍ କରିଛନ୍ତି, ମୁଁ ନ ଭୁଲି ଭୁଲ୍ କରିଛି।
ଏ ଭୁଲ୍ ପାଇଁ ମୁଁ କ୍ଷମା ମାଗୁଛି କହିବେ। ସେ ମୋତେ ଭୁଲିଯାଆନ୍ତୁ ପଛକେ, ସେ ଶ୍ରୀଜଙ୍ଗକୁ ଭୁଲିନାହାନ୍ତି ଆନନ୍ଦର ବିଷୟ। ଶ୍ରୀଜଙ୍ଗ କିନ୍ତୁ ତାଙ୍କୁ ସମ୍ପୂର୍ଣ୍ଣ ଭୁଲିଯାଇଛି। କାରଣ ସେ ବର୍ତ୍ତମାନ ମନ୍ତ୍ରୀ, ଶ୍ରୀଜଙ୍ଗର ସମସ୍ତ ଗ୍ରାମବାସୀ ପ୍ରଜା। ସେ ଗ୍ରାମବାସୀ ସ୍ତରକୁ ଆସି କେବେ ଶ୍ରୀଜଙ୍ଗ ଆସିଲେ ସେଇଠି ମୋର ଦେଖାହେବ। ଏଠି ତାଙ୍କଠି ମୋର କିଛି କାମ ନାହିଁ। ଅକାରଣ ମୁଁ ଯିବି କାହିଁକି? କହିଦେବ ତାଙ୍କୁ ଶ୍ରୀଜଙ୍ଗ ସ୍ତରକୁ ପୁଣି ଆସିବାକୁ ହେବ।’’ ପି.ଏ. ମଧ୍ୟ ରାଜନୀତି କିଛି ବୁଝନ୍ତି, କାହିଁକି, ଭଲ ବୁଝନ୍ତି। ‘ଥରେ ମନ୍ତ୍ରୀ ହେଲା ପରେ ଆଉ ଯିବେ ଗାଁକୁ।’ ଏତିକି କହି ସେ ଲୋକନାଥଙ୍କୁ ନମସ୍କାର କରି ଚାଲିଗଲେ।
-୦-