ସ୍ବାଧୀନତା ପରେ ଚତୁର୍ଦିଗରେ ଯେଉଁ କୋଳାହଳ ସୃଷ୍ଟି ହେଲା ସେଥିରେ ଯେ ସେ କାଳର ସତ୍ୟାଗ୍ରହୀମାନଙ୍କୁ ସ୍ମରଣ କରାଯାଇଛି, ଏଥିରେ ସମସ୍ତେ ଉତ୍‌ଫୁଲ୍ଲ। ଅବହେଳିତ ଅବସ୍ଥାରେ ମୁଣ୍ଡ ଯେ, ତଳକୁ ନଇଁ ଯାଇଥିଲା, ଟିକିଏ ଉପରକୁ ଉଠିଲା ଉତ୍ସାହରେ ସେମାନେ ଏକ ସମ୍ମିଳନୀର ଆୟୋଜନ କଲେ। ଏହି ସମ୍ମିଳନୀକୁ ଲୋକନାଥ ଯୋଗଦେବା ପାଇଁ ଆସିଥିଲେ। ସମ୍ମିଳନୀରେ ସଭାପତିତ୍ବ କରିବେ ହରିମୋହନ। ଘରୁ ଅଫିସ୍‌କୁ ଯାଇ ସେଠାରେ ଜରୁରି କାମ ଶେଷ କରି ସମ୍ମିଳନୀକୁ ଯିବେ। ଏଥିପାଇଁ ହରିମୋହନ ତରତର ହୋଇ ଅଫିସ୍‌ ବାହାରିଗଲେ।

ହରିମୋହନଙ୍କ ମଟର କାର୍‌ ସେକ୍ରେଟାରୀଏଟ୍‌ ଫାଟକରେ ପହଞ୍ଚିବା ମାତ୍ରେ ଦୁଇଆଡ଼ୁ ଦୁଇଦଳ ବିକ୍ଷୋଭକାରୀ ଗାଡ଼ିକୁ ଘେରିଗଲେ। ଗୋଟିଏ ଦଳ ହେଉଛି ଶିକ୍ଷକମାନଙ୍କର, ଅନ୍ୟ ଦଳଟି ହେଉଛି ଅଣଗେଜେଟେଡ଼୍‌ କର୍ମଚାରୀମାନଙ୍କର। ପାଟିଗୋଳ ଭିତରେ କିଏ ଯେ କ’ଣ କହୁଛି ବା କାହାର କି ଅଭିଯୋଗ, ମନ୍ତ୍ରୀଙ୍କ ପାଖରୁ କିଏ କ’ଣ ଆଶା କରୁଛି କିଛି ଜଣାପଡ଼ୁ ନ ଥାଏ। ସାହସ କରି ହରିମୋହନ ଗାଡ଼ିରୁ ଓହ୍ଲାଇ କାହାର କ’ଣ କହିବାକୁ ଅଛି ପଚାରିବାକୁ ଚେଷ୍ଟା କଲେ। ଭିଡ଼ ଭିତରେ ତ କୌଣସି ଲୋକ ଚିନ୍ତା କରି କାର୍ଯ୍ୟ କରୁ ନ ଥାଏ। ପାଟିତୁଣ୍ଡ କରୁ କରୁ ଠେଲାପେଲା ଆରମ୍ଭ ହୋଇଗଲା। ଠେଲାପେଲା ଭିତରେ ହରିମୋହନଙ୍କ କୁରୁତା ମଧ୍ୟ ଚିରିଗଲା। ଶେଷରେ ଲାଠିଧାରୀ ପୋଲିସ୍‌ ଆସି ମୃଦୁ ଲାଠି ଚାଳନା କରି ଭିଡ଼ ଭାଙ୍ଗିଦେଲେ।

ହରିମୋହନ ସେକ୍ରେଟାରୀଏଟ୍‌ ଭିତରକୁ ଗଲେ। ତାଙ୍କର ସ୍ନାୟୁ ଦୁର୍ବଳ ହୋଇ ଯାଇଥାଏ। ଗୋଡ଼ ଠିକ୍‌ ଭାବରେ ପଡ଼ୁ ନ ଥାଏ। ଏପରି ଭିଡ଼ରେ ପଡ଼ିଯିବେ ବୋଲି ସେ ଭାବି ନ ଥିଲେ। ନିଜ ଅଫିସ୍‌ରେ କିଛି ସମୟ ଚୁପ୍‌ ହୋଇ ବସି ରହିଲେ। ଘରୁ ଆଉ ଗୋଟିଏ କୁରୁତା ଅଣାଇ ନେଲେ, କେତେକ ଅଫିସର୍‌ ଦେଖା କରିବାକୁ ଚାହିଁବାରୁ ସେ ମନା କରିଦେଲେ ଏବଂ ପରେ ଆସିବା ପାଇଁ କହିଲେ। ତେଣେ ଯେ ସ୍ବାଧୀନତା ସଂଗ୍ରାମୀଙ୍କ ସମ୍ମିଳନୀରେ ସଭାପତିତ୍ବ କରିବାକୁ ହେବ ସେ ଭୁଲିଗଲେ।

ପ୍ରାୟ ଘଣ୍ଟାକ ପରେ ତାଙ୍କ ପି.ଏ. ଭୟେ ଭୟେ ଆଗ କବାଟ ଫାଙ୍କରେ ଚାହିଁ ଧୀରେ ଧୀରେ କବାଟ ଖୋଲି ଘର ଭିତରକୁ ଆସି ଏକ ସ୍ଲିପ୍‌ ଆଗରେ ରଖିଦେଲେ। ସେତେବେଳ ପର୍ଯ୍ୟନ୍ତ ହରିମୋହନ ନିରବ, ନିସ୍ତବ୍ଧ, ଅନ୍ୟମନସ୍କ ହୋଇ ବସିଥାନ୍ତି। ହରିମୋହନ ସ୍ଲିପ୍‌କୁ ଉଠାଇ ଦେଖିଲେ ସମ୍ମିଳନୀକୁ ଯିବାକୁ ହେବ, ସେଠାରେ ଲୋକ ଅସ୍ଥିର ହେଲେଣି। ହରିମୋହନ ପି.ଏ.ଙ୍କୁ ପଚାରିଲେ, ‘ବାହାରେ ଭିଡ଼ ଭାଙ୍ଗିଲାଣି?’ ‘ହଁ, କେ କୁଆଡ଼େ ପଳାଇ ଗଲେଣି, ପୋଲିସ୍‌ ଅଛନ୍ତି।’ ଏତେକ ଶୁଣି ହରିମୋହନ ଉଠିଲେ ସମ୍ମିଳନୀରେ ଯୋଗଦେବା ପାଇଁ। ଭାବିଥିଲେ ଦଶ ପନ୍ଦର ମିନିଟ୍‌ ଭାଷଣ ଦେଇ ସେ ଚାଲି ଆସିବେ; କିନ୍ତୁ ତାହା ହେଲା ନାହିଁ।

ସେତେବେଳକୁ ସମ୍ମିଳନୀରେ ରାଷ୍ଟ୍ର ହୋଇଗଲାଣି ଯେ, ସେକ୍ରେଟାରୀଏଟ୍‌ ସାମନାରେ ହରିମୋହନଙ୍କୁ ମାଡ଼ ହୋଇଛି, ସେ ଆସିବେ କି ନା ସନ୍ଦେହ। ଏ ଖବର ପହଞ୍ଚିବା ସଙ୍ଗେ ସଙ୍ଗେ ଗୋଳମାଳ ଆରମ୍ଭ ହୋଇଗଲା। ସଭାପତି କେହି ନ ଥିଲେ ମଧ୍ୟ ଜଣକ ପରେ ଜଣେ ଉଠି ବକ୍ତୃତା ଆରମ୍ଭ କରିଦେଲେ। ଆନ୍ଦୋଳନ ସମୟର କର୍ମୀମାନେ ଭଲ ବକ୍ତୃତା ଦେଇ ଜାଣନ୍ତି। କ୍ଷେତ୍ରମୋହନ ଠିଆ ହୋଇପଡ଼ି ମନ୍ତ୍ରୀଙ୍କୁ ଶୋଧିବାରେ ଲାଗିଲେ- ‘ଅଯୋଗ୍ୟ, ଅସମର୍ଥ’ ଇତ୍ୟାଦି ନାନା କଥା କହିଗଲେ। ରବୀନ୍ଦ୍ର ଛିଡ଼ାହୋଇ କ୍ଷେତ୍ରମୋହନଙ୍କୁ ସମାଲୋଚନା କରି କହିଲେ, ‘ଏ ଜଣେ କଣ୍ଟ୍ରାକ୍ଟର୍‌। ୟା’ଙ୍କ କଥା ନ ରହିବାରୁ ମନ୍ତ୍ରୀଙ୍କୁ ଗାଳି ଦେଉଛନ୍ତି।’ ନିତ୍ୟାନନ୍ଦ ଉଠି ଭାଷଣ ଦେଲେ, ଏ ଯେଉଁ ସମ୍ମିଳନୀ ଏ କାହାର?

ସ୍ବାଧୀନତା ଆନ୍ଦୋଳନରେ ଯେଉଁମାନେ ଯୋଗ ଦେଇଥିଲେ ସେମାନଙ୍କ ମଧ୍ୟରୁ କେତେକ ବର୍ତ୍ତମାନ ସରକାରୀ କର୍ମଚାରୀ, ଉଚ୍ଚପଦସ୍ଥ ଅଫିସର୍‌, କେତେକ ବ୍ୟବସାୟୀ, କେତେକ ଓକିଲ, ଆଉ କିଏ କ’ଣ ହେଲାଣି। ଆମେ ଯେ ପଡ଼ି ରହିଛୁ, ଆନ୍ଦୋଳନରେ ପଢ଼ା ଛାଡ଼ିଛୁ, ଇଂରେଜୀ ପଢ଼ିନାହୁଁ। ଇଂରେଜ ଗଲେ, କିନ୍ତୁ ଇଂରେଜୀ ରହିଗଲା, ଆମେ ତ ଇଂରେଜଙ୍କୁ ବାହାର କଲୁ, ହେଲେ କ’ଣ ହେଲା? ଆମକୁ ତ ଇଂରେଜୀ ଛାଡ଼ୁନାହିଁ। ଇତ୍ୟାଦି ଇତ୍ୟାଦି।

ଇତିମଧ୍ୟରେ ହରିମୋହନ ଆସି ପହଞ୍ଚିଗଲେ। ସମସ୍ତେ ଶାନ୍ତ ହୋଇଗଲେ। କିଛି ସମୟ ଆସନରେ ବସି ହରିମୋହନ ଛିଡ଼ା ହୋଇ କହିଲେ, ‘‘ମୋର ଆସିବା ବିଳମ୍ବ ହେଲା, ସେଥିପାଇଁ ମୁଁ ଦୁଖିତଃ। ଠିକ୍‌ ସମୟରେ ମୁଁ ଆସିଥାନ୍ତି, ମାତ୍ର ଚାରିଆଡ଼େ ଏତେ ବିଶୃଙ୍ଖଳା ସେଥିରେ ନିରୂପିତ ସମୟରେ କାର୍ଯ୍ୟ ସମ୍ପାଦନ କରିବା କଷ୍ଟକର ହେଉଛି। ତା’ପରେ ସେ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଉଚ୍ଚ ପ୍ରଶଂସା କରି ସେମାନଙ୍କ ତ୍ୟାଗ ଫଳରେ ଦେଶ କିପରି ସ୍ୱାଧୀନ ହୋଇଛି ସେ ବର୍ଣ୍ଣନା କଲେ। ଏହି ବର୍ଣ୍ଣନା ଭିତରେ ସେ ନିଜର ସଂଗ୍ରାମୀ ଜୀବନରୁ କିଛି କହିଲେ।

ଲବଣ ସତ୍ୟାଗ୍ରହ ବେଳେ ଶ୍ରୀଜଙ୍ଗରେ କିପରି ଲୋକେ ଶୃଙ୍ଖଳାବଦ୍ଧ ହୋଇ ପୋଲିସ୍‌ ବା କୌଣସି ସରକାରୀ କର୍ମଚାରୀଙ୍କୁ ଗ୍ରାମକୁ ଛାଡ଼ିଦେଇ ନ ଥିଲେ, କିପରି ଘରଦ୍ୱାର ଲୁଟ୍‌ ହୋଇଗଲେ ମଧ୍ୟ ଲାଠିମାଡ଼ ଖାଇ ଜେଲ୍‌ ଯାଇ ଲୋକ ଦବିଲେ ନାହିଁ, ସେ ଘଟନା ସବୁ ବିସ୍ତୀର୍ଣ୍ଣ ଭାବରେ ବର୍ଣ୍ଣନା କଲେ। ଶେଷରେ ସେ କହିଲେ, ‘‘ମୁଁ ଆସିଛି ମୋର ସାଥୀମାନଙ୍କୁ ଅଭିନନ୍ଦନ ଜ୍ଞାପନ କରିବା ପାଇଁ। ଆପଣଙ୍କ ସମ୍ମିଳନୀ ଚାଲୁ। ଯାହା ସବୁ ପ୍ରସ୍ତାବ ହେବ ମୋ ପାଖକୁ ପଠାଇ ଦେବେ। ମୁଁ ବେଶି ସମୟ ରହିପାରୁ ନାହିଁ। ମୋତେ ଅଫିସ୍‌ ଯିବାକୁ ହେବ। ମୋତେ କ୍ଷମା କରିବେ।’’ ଏତକ କହି ହରିମୋହନ ଚାଲିଯିବାକୁ ବାହାରିବାରୁ ଦୁଇ ତିନିଜଣ ଉଠିପଡ଼ି ଉଚ୍ଚ ସ୍ୱରରେ କହିଲେ, ‘‘ଯିବେ କୁଆଡ଼େ ଏଠି ବସିବାକୁ ହେବ, ଆମ କଥା ଶୁଣିବାକୁ ହେବ। ଆମେ ଖାଲି କଥା ଶୁଣିବାକୁ ଆସିନାହୁଁ, କଥା ଶୁଣାଇବାକୁ ମଧ୍ୟ ଆସିଛୁ।’’

ଏକେତ ହରିମୋହନ ବିବ୍ରତ ଅବସ୍ଥାରେ ସମ୍ମିଳନୀକୁ ଆସିଥିଲେ, ବସିରହି ଶୁଣିବା ପାଇଁ ପାଟିତୁଣ୍ଡ ହେବାରୁ ସେ ବାଧ୍ୟ ହେଇ ବସିପଡ଼ିଲେ। ପାଟିତୁଣ୍ଡ ବନ୍ଦ ହୋଇଯିବା ପରେ ଲୋକନାଥ ଛିଡ଼ାହେଲେ କିଛି କହିବା ପାଇଁ। ତାଙ୍କର ସ୍ୱର ଏପରି ଗମ୍ଭୀର ଥିଲା ଏବଂ ତାଙ୍କ ଚେହେରାରେ ଆନ୍ତରିକତା ଏପରି ପରିସ୍ଫୁଟ ଥିଲା ଯେ ସମସ୍ତେ ନିରବ ହୋଇଯାଇ ତାଙ୍କ କଥା ଶୁଣିଲେ।

Pages: 1 2 3