ଅଫିସ୍ ବେଳ ହୋଇଗଲାଣି, ହରିମୋହନ ତରତର ହେଲେଣି ଅଫିସ୍‌କୁ ଯିବା ପାଇଁ। ମୋଟରଗାଡ଼ି ଆସି ପୋର୍ଟିକୋରେ ଲାଗିଗଲାଣି। ମନ୍ତ୍ରୀଙ୍କ ସହିତ ଅଫିସ୍‌ରେ ସହଜରେ ଦେଖା ହୋଇପାରେ ନାହିଁ ବୋଲି ଅନେକ ଚାଲି ଆସନ୍ତି ଘରକୁ। ନିର୍ବାଚିତ ପ୍ରତିନିଧି ହୋଇଥିବାରୁ ମନ୍ତ୍ରୀ ମଧ୍ୟ କାହାରିକୁ ମନା କରି ପାରନ୍ତି ନାହିଁ। ଯେଉଁମାନେ ନିର୍ବାଚନରେ ମନ୍ତ୍ରୀଙ୍କୁ ଏବଂ ତାଙ୍କ ଦଳକୁ ସାହାଯ୍ୟ କରିଛନ୍ତି, ସେମାନଙ୍କୁ ତ ନିଶ୍ଚୟ ଦେଖା ଦେବାକୁ ହେବ। ଏ ଶ୍ରେଣୀର ଲୋକେ ସାଧାରଣତଃ ବ୍ୟବସାୟୀ, କଣ୍ଟ୍ରାକ୍ଟର ବା ଶିଳ୍ପପତି।

ଏମାନଙ୍କ ଛଡ଼ା ଆଉ ଏକ ଶ୍ରେଣୀର ଲୋକ ମଧ୍ୟ ଧାଇଁ ଆସନ୍ତି ମନ୍ତ୍ରୀଙ୍କ ଘରକୁ, ନିଜ ଦୁଃଖ ଜଣାଇବା ପାଇଁ, ଏମାନଙ୍କୁ ସଚିବାଳୟ ମଧ୍ୟରେ ପଶିବାକୁ ସହଜରେ ପାସ୍‌ ମିଳେ ନାହିଁ, କାରଣ ଏମାନଙ୍କ ବେଶଭୂଷା, ଚାଲିଚଳଣ ସଚିବାଳୟକୁ ଯିବା ଯୋଗ୍ୟ ନୁହେଁ ବୋଲି ଅଭ୍ୟର୍ଥନାକାରୀ ମନେ କରନ୍ତି। ଅନ୍ୟମାନଙ୍କୁ ମନ୍ତ୍ରୀ ବେଶି ସମୟ ଦେଲେ ମଧ୍ୟ ଏମାନଙ୍କୁ ପଦେଅଧେ କଥା କହନ୍ତି। ଏହି ଶ୍ରେଣୀର ଜଣେ ଲୋକ ଆସି ହଠାତ୍‌ ହରିମୋହନଙ୍କ ହାତ ଧରିପକାଇଲା, ଯେପରି ବହୁକାଳ ପରେ ଦେଖା ହୋଇଥିବା ଜଣେ ବନ୍ଧୁ ଆନନ୍ଦରେ କରିଥାଆନ୍ତି।

ଲୋକଟିର ବୟସ ପ୍ରାୟ ଷାଠିଏ ହେବ, ଖଦଡ଼ ଧୋତି, କଷ୍ଟରେ ଆଣ୍ଠୁ ଲୁଚୁଛି। କୁରୁତା ଖଣ୍ଡେ ଦେହରେ ଝୁଲୁଛି। ଚେହେରାରେ ପ୍ରସନ୍ନତା ଫୁଟି ଉଠୁଛି, ଜଣେ ପୁରୁଣା ବନ୍ଧୁଙ୍କ ସହିତ ଦେଖା ହୋଇଛି ବୋଲି। କିନ୍ତୁ ହରିମୋହନ ଅଫିସ୍‌କୁ ଯିବା ପାଇଁ ତରତର। ତା’ଛଡ଼ା ଜଣେ ଇତର ଲୋକ ହାତ ଧରି ପକାଇବାଟା ସେ ପସନ୍ଦ କଲେ ନାହିଁ। ବିରକ୍ତ ହୋଇ ହାତ ଛାଟିଦେଲେ, ତରତର ହୋଇ ମଟର ଭିତରକୁ ଚାଲିଗଲେ। ଲୋକଟି ବିସ୍ମିତ ହୋଇ କ’ଣ କହିଲା ଶୁଣାଗଲା ନାହିଁ। ହରିମୋହନ ଉଚ୍ଚ ସ୍ୱରରେ କହିଲେ, ‘ପରେ ଦେଖା ହେବ, କିନ୍ତୁ ଲୋକଟି ତଥାପି ମଟର ଖିଡ଼ିକି ବାଟେ ମୁଣ୍ଡ ଗଳାଇ ପୁଣି କିଛି କହିବ ବୋଲି ଚେଷ୍ଟା କରିବାରୁ ମନ୍ତ୍ରୀଙ୍କ ଦେହରକ୍ଷୀ ଲୋକଟିକୁ ଟାଣିଆଣି ଦୁଇ ଧକ୍କା ଦେଇ ଦୂରକୁ ଠେଲିଦେଲେ। ଲୋକଟି ଟିକିଏ ଦୂରରେ ହାମୁଡ଼େଇ ପଡ଼ିଲା।

ଇତିମଧ୍ୟରେ ହରିମୋହନଙ୍କ ମଟର କାର୍‌ ବାହାରି ଚାଲିଗଲା। ଲୋକଟି ତଳୁ ଉଠି କିଛିକ୍ଷଣ ବସି ରହିଲା। ମନ୍ତ୍ରୀଙ୍କ ଘର ଜଗୁଥିବା ଜଣେ କନେଷ୍ଟବଳ ଆସି ‘ଏଠି ବସିଛୁ କାହିଁକି, ଯା, ହତା ବାହାରକୁ’ ବୋଲି ରୁକ୍ଷ ସ୍ୱରରେ କହିଲା। ଲୋକଟି ଚାହିଁଲା କନେଷ୍ଟବଳ ମୁହଁକୁ। ‘ଉଠ୍‌, ବାହାରିଯାଅ’ କହି କନେଷ୍ଟବଳ ଲୋକଟିର ହାତଧରି ଉଠାଇବାକୁ ଯିବାରୁ ଲୋକଟି ଧୀରେ ଧୀରେ ଉଠି, ‘ଯାଉଛି ବାବୁ, ଏହିପରି ଚାଳିଶ ବର୍ଷ ପୂର୍ବେ ମୁଁ ମାଡ଼ ଖାଇଥିଲି, ଆଜି ମଧ୍ୟ ଖାଇଲି’, ହଉ ଏତିକି କହି ସେ ଧୀରେ ଧୀରେ ଫାଟକ ବାହାରକୁ ବାହାରିଗଲା।

କିଛି ଦୂରରେ ଗୋଟିଏ ଗଛମୂଳେ ଲୋକଟି ବସିରହି କ’ଣ ଭାବିଲା କେଜାଣି, ଧୀରେ ଧୀରେ ତା’ର ଦୁଇ ଆଖିରୁ ଲୁହ ଝରି ପଡ଼ିଲା। ଭାବାବେଗ କ୍ରମେ ଏପରି ବୃଦ୍ଧି ପାଇଲା ଯେ, ସେ କଇଁ କଇଁ ହୋଇ କାନ୍ଦି ପକାଇଲା ମଧ୍ୟ। ଏଇଥିରେ ତା’ର ମନର ସମସ୍ତ ବେଦନା ବୋଧହୁଏ ଧୋଇ ହୋଇଗଲା। ଆଖିର ଲୁହକୁ ପୋଛି ସିଧା ହୋଇ ବସି ସେ ଚାରିଆଡ଼କୁ ଏପରି ଆଖିରେ ଚାହିଁଲା ମନେ ହେବ ସତେ ଯେପରି ସେ ସଦମ୍ଭ ସାରା ଦୁନିଆଁକୁ ତରାଟି ଚାହିଁବାକୁ ବସିଛି।

ସେ ଝାଡ଼ିଝୁଡ଼ି ହୋଇ ଉଠିଲା, ସତ୍ୟାଗ୍ରହ ସମୟରେ କବି ବୀରକିଶୋରଙ୍କର ଯେଉଁ ଏକ ଗୀତ ବୋଲା ହେଉଥିଲା, ସେୟାକୁ ସ୍ୱର ଧରି ଗାଇ ଗାଇ ଚାଲିଗଲା, ‘‘ଅରି ଫେରିନାହିଁ ଯୁଦ୍ଧ ସରିନାହିଁ, ଆସ ମୋ ଶିବିରରେ ଆସ ଭାଇ।’’ ସିଧା ସେ ଗଲା ଏକ ସମ୍ମିଳନୀରେ ଯୋଗ ଦେବା ପାଇଁ, ସମ୍ମିଳନୀଟି ହେଉଛି ସ୍ବାଧୀନତା ସଂଗ୍ରାମୀମାନଙ୍କର। ସରକାରଙ୍କଠାରୁ ଭତ୍ତା ପାଇବା ପାଇଁ ଯେଉଁ ଘୋଷଣା କରାଯାଇଛି ତାହାରି ବିଚାର ପାଇଁ ଏ ସମ୍ମିଳନୀ ଆହୂତ ହୋଇଛି।

ସ୍ବାଧୀନତା ଆନ୍ଦୋଳନରେ ଯେଉଁମାନେ ନିର୍ଯାତନା ଭୋଗ କରିଥିଲେ, ସେହିମାନଙ୍କର ଏ ସମ୍ମିଳନୀ। ଏହି ସମ୍ମିଳନୀରେ ଉପରୋକ୍ତ ଲୋକଟି ଯୋଗ ଦେବା ପାଇଁ ଆସିଥିଲେ। ସ୍ବାଧୀନତା ଆନ୍ଦୋଳନ ସମୟରେ ହରିମୋହନଙ୍କ ସହିତ ଏ ଲୋକଟିର ପରିଚୟ ଥିଲା, କେବଳ ସାଧାରଣ ପରିଚୟ ନୁହେଁ, ଦୁହେଁ ଏକସଙ୍ଗରେ କାର୍ଯ୍ୟ କରୁଥିଲେ। ସେହି ପୂର୍ବ ସମ୍ପର୍କ ମନେ ପକାଇ ସେ ହରିମୋହନଙ୍କ ସହିତ ଦେଖା କରିବାକୁ ଯାଇଥିଲେ। ଲୋକଟିର ନାମ ଲୋକନାଥ। କଲେଜ୍‌ ପଢ଼ା ଛାଡ଼ି ସତ୍ୟାଗ୍ରହରେ ମାତି ସେ ବହୁବାର ଜେଲ୍‌ ଯାଇଛି। ଜେଲ୍‌ ଭିତରେ ବେତମାଡ଼ ମଧ୍ୟ ଖାଇଛି। ସାଧାରଣ ଗ୍ରାମବାସୀ ହୋଇ ରହିବାକୁ ସେ ପସନ୍ଦ କଲା।

ସ୍ବାଧୀନତା ପରେ ସେ ନିଜ ଗାଁରେ କଷ୍ଟେମଷ୍ଟେ ଜୀବିକା ନିର୍ବାହ କରୁଛି। କିଛି କିଛି ଲୋକସେବା ମଧ୍ୟ କରୁଛି। ତ୍ୟାଗର ସୁବିଧା ଉଠାଇ କିଛି ଗୋଟାଏ ହେବା ପାଇଁ, ସରପଞ୍ଚ, ଏମ୍‌.ଏଲ୍‌.ଏ. ବା ଆଉ କିଛି ହେବା ପାଇଁ ତା’ ମନ ଚାହିଁ ନାହିଁ। ସେ ସମୟର ଅସଂଖ୍ୟ ଲୋକଙ୍କର ସେ ଦିଗରେ ସ୍ପୃହା ଜାତ ହୋଇନାହିଁ। ଲୋକନାଥର ମଧ୍ୟ ହୋଇନାହିଁ। ଆଗକୁ ପଛକୁ ନ ଚାହିଁ ଅଗଣିତ ଜନତା ଯେ ‘ମହାତ୍ମା ଗାନ୍ଧିଙ୍କ ଜୟ’ ସ୍ୱର ଉଠାଇଥିଲେ ସେମାନେ କେବେ ଭାବି ନ ଥିଲେ ଯେ ପରେ ସେମାନଙ୍କ କିଛି ବ୍ୟକ୍ତିଗତ ସୁବିଧା ହେବ। ପରେ ଯେତେବେଳେ ସୁବିଧା ସବୁ ଆସି ଜୁଟିଲା, ସେତେବେଳକୁ ଚକ ଏପରି ଘୂରି ଯାଇଥିଲା ଯେ ଲୋକ ସମ୍ପର୍କ ଓଜନ୍‌ ଥିବା ଏକ ଯୋଗ୍ୟତା ବୋଲି ବିବେଚିତ ହେଲା ନାହିଁ।

ଇଂରେଜୀ ପଢ଼ା, ସଭା ସମିତିରେ ଭାଷଣ, ଚତୁରତା, ମାରପେଞ୍ଚ ଏସବୁ ଯୋଗ୍ୟତା ସାଧାରଣଙ୍କ ତ ନାହିଁ, ତେଣୁ ସେମାନେ ଅତୀତର ସ୍ମୃତିକୁ ଅବଚେତନ ସ୍ତରକୁ ଠେଲିଦେଇ ପୂର୍ବ ଜୀବନକୁ ଫେରି ଯାଇଥିଲେ। ସେମାନଙ୍କୁ ଦେଶ ମଧ୍ୟ ଭୁଲିଯାଇଥିଲା, କିନ୍ତୁ ସ୍ବାଧୀନତାର ରଜତ ଜୟନ୍ତୀ ଉପଲକ୍ଷେ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ତାମ୍ରପତ୍ର ଓ ମାସିକ ଭତ୍ତା ଦେବାର ଘୋଷଣା ଯେତେବେଳେ ପ୍ରଚାରିତ ହେଲା, ସେତେବେଳେ ସ୍ବାଧୀନତାରେ ଯୋଗ ଦେଇଥିବା ଯେ କେଉଁଠି ଥିଲେ, ଏପରିକି ସେମାନଙ୍କର ପରିବାରବର୍ଗଙ୍କର ମଧ୍ୟ ବହୁ ବର୍ଷ ପୂର୍ବର ସ୍ମୃତି ଅବଚେତନ ସ୍ତରରୁ ଚେତନ ସ୍ତରକୁ ଆସିଗଲା।

Pages: 1 2 3