ଯାହାକୁ ରଖିବେ ଅନନ୍ତ। କି କରିପାରେ ବଳବନ୍ତ॥
କାଳର ବଶ ଏ ଜଗତ। ପ୍ରାଣୀଏ କାଳର ଆୟତ୍ତ॥
ସେ କାଳବଶେ ସର୍ବେ ଚଳି। ପବନ ଯେହ୍ନେ ଘନାବଳି॥
ପ୍ରାଣୀଙ୍କ ଦୋଷ ନ ଘେନନ୍ତି। ସ୍ତୁତିରେ ହରଷ ନୁହନ୍ତି॥
ପରଦୁଃଖରେ ଦୁଃଖୀ ହୋନ୍ତି। ସମଦୃଷ୍ଟିରେ ଆତ୍ମା ଚିନ୍ତି॥
ସେ ସାଧୁଜନଙ୍କର କଥା। କେବେହେଁ ନୁହଇ ଅନ୍ୟଥା॥
ମନୁଷ୍ୟ ମଧ୍ୟେ ସାଧୁ ପ୍ରାଣୀ। ମରଣକାଳେ ଯାହା ଜାଣି॥
ପୁତ୍ରର ଧର୍ମଟି ଏମନ୍ତ। ଯେ ବାକ୍ୟ ବୋଲେ ପିତାମାତ॥
ଆଦରେ ସର୍ବଥା କରିବ। ତେଣେ ସନ୍ତୋଷ ସର୍ବ ଦେବ॥
ତାହାର ଇହପରଲୋକେ। ସକଳ କାଳ ଯାଏ ସୁଖେ॥
ଯେ ପ୍ରାଣୀ ଅଭ୍ୟାଗତ ଦେଖି। ବକ୍ର ବଦନେ ବୁଜେ ଆଖି॥
ବନ୍ଧୁ ହେଲେ ହେ ଜାଣ ତୁହି।ତା’ ଗୃହେ ଯିବା ନ ଯୋଗାଇ॥
ବନ୍ଧୁର ଆଗମନ ଦେଖି। ଉଠିବ ଆସନ ଉପେକ୍ଷି॥
ଭାବେ ଆସିବ କିଛି ଦୂର। ସଂଭ୍ରମେ କରି ନମସ୍କାର॥
ଅଭିଗମନ ମଞ୍ଜୁ ବାଣୀ। ପୂଜିବ ନିଜ ଘରେ ଆଣି॥
ଏମନ୍ତ ବେଭାରେ ସାଧବେ। ବନ୍ଧୁ ପୂଜନ୍ତି ବିଷ୍ଣୁ ଭାବେ॥
ଗୁଣ ଅଧିକେ ମୋଦଭାବ। ନିକୃଷ୍ଟେ ଅନୁଗ୍ରହୀ ହେବ॥
ସମାନ ଜନେ ମିତ୍ରପଣ। ଏହିଟି ଉତ୍ତମ ଲକ୍ଷଣ॥
ମନ ବଚନ ଦେହଗତେ। ଯେ ପ୍ରାଣୀ ଥାନ୍ତି ଜନହିତେ॥
ଏ ବେନି ଲୋକ ସେ ଜିଣନ୍ତି। ନ କଲେ ଜୀବନ୍ତେ ମରନ୍ତି॥
ଭୂମି ଉଦକ ତୃଣାସନେ। ବିନୟ କୋମଳ ବଚନେ॥
ଏ ଭାବେ ଯେ ବା ନ ପୂଜନ୍ତି। ସେ ବ୍ୟର୍ଥ ଜୀବନେ ବଞ୍ଚନ୍ତି॥
ଏ ଭାବେ ଗୃହସ୍ତ ଆଶ୍ରମ। ରଖଇ ସର୍ବଲୋକ ଧର୍ମ॥
ଦଣ୍ଡିବା ଶକ୍ତି ଯା’ର ଥାଇ। ସେ ଯେବେ କ୍ଷମା ଆଚରଇ॥
ସାଧକଶ୍ରେଷ୍ଠ ସେହୁ ନର। ସୁଖଦୁଃଖରୁ ସେ ବାହାର॥
କାର୍ଯ୍ୟର ପ୍ରୟୋଜନ ପାଇଁ। କନିଷ୍ଠ ପୂଜା ନିନ୍ଦା ନୋହି॥
ମହତେ ଯାହା ଆଚରିବେ। ଇତରେ ତାହା ହିଁ କରିବେ
ସେ ଯାହା ପ୍ରମାଣ କରିବେ। ଲୋକେ ସେ ପଥେ ପ୍ରବର୍ତ୍ତିବେ॥
ଯାଚଞା ଶ୍ରେଷ୍ଠ ଲୋକଙ୍କର। କେବେହେଁ ନୋହେ ହତାଦର॥
ଯାହାକୁ ରଖନ୍ତି ଈଶ୍ୱର। ଅସୁରେ କେତେକ ମାତର॥
ବାଳକବନ୍ଧୁ ପିତାମାତା। ନୟନବନ୍ଧୁ ଲୋମ ପତା॥
ଭିକ୍ଷୁକବନ୍ଧୁ ଗୁରୁଜନ। ଅଜ୍ଞର ବନ୍ଧୁ ସୁଜ୍ଞ ଜନ॥
ସ୍ତ୍ରିରୀର ବନ୍ଧୁ ସ୍ୱାମୀ ନିଜ। ପ୍ରଜାର ବନ୍ଧୁ ମହାରାଜ॥
ଭାଇର ଦୁଃଖେ ଯେହୁ ଦୁଃଖୀ। ସେ ପ୍ରାଣୀ ସର୍ବକାଳେ ସୁଖୀ॥
ତାହାକୁ ପୁଣ୍ୟବନ୍ତ କହି। ଦେବଙ୍କ ସଙ୍ଗେ ସ୍ୱର୍ଗେ ଯାଇ॥
ଧର୍ମ ଧାରଣା ଯେଉଁ ମନେ। ସାଧୁ ପଣ୍ଡିତ ଯେତେ ଜନେ॥
ଏହାଙ୍କୁ ଦେଖି ନ ଉଠନ୍ତି। ସେମାନେ ଧର୍ମ ନ ଜାଣନ୍ତି॥
ଉତ୍ତମ ପୁତ୍ରଙ୍କର ଧର୍ମ। ଯେ ପିତୃଗଣ ଶୁଶ୍ରୂଷଣ॥
ଏ ଦେହେ ଶୁଣ ନରରାଣ। କେ ଶୁଝିପାରେ ପିତୃଋଣ॥
ପିତାର ମନ ଜାଣି କରେ। ଉତ୍ତମ ପୁତ୍ର ସେ ବେଭାରେ॥
ଶ୍ରଦ୍ଧାରେ ଆଜ୍ଞା ଯେ ପାଳଇ। ମଧ୍ୟମ ପୁତ୍ର ସେ ବୋଲାଇ॥
ଶ୍ରଦ୍ଧାବିହୀନେ ଯେହୁ ପାଳେ। ଅଧମ ପୁତ୍ର ସେ ଶୟଳେ॥
କର୍ମଟି ସୁଖଦୁଃଖଦାତା। ବିଶ୍ୱସଂସାରେ ବଳବନ୍ତା॥
ନିକଟେ ଥିଲେ ଅନାଦର। ଏହିଟି ସଂସାର ବେଭାର॥
ଗଙ୍ଗା ନିକଟେ ଯେତେ ଜନେ। ଅତି ପରଚେ ଅପମାନେ॥
ଅମୃତ ବିନୟ ବଚନ। କହି ତୋଷିବ ପ୍ରାଣିମନ॥
ଧନ ଅର୍ଜନେ ଧର୍ମ କରି। ଧର୍ମେ ପ୍ରାପତ ନରହରି॥
ଉତ୍ତମ ସଙ୍ଗେ ସଙ୍ଗ ଯାର। ସେ କରେ ଉତ୍ତମ ବେଭାର॥
ଅନ୍ଧକୁ ହୋଇ ଅନୁଗତ। ଅନ୍ଧ ଯେସନେ ପଡ଼େ ଖାତ॥
ଏଣୁ ଦୁର୍ଜନ ସଙ୍ଗ ଦୋଷ। କରେ ସକଳ ଜ୍ଞାନ ଧ୍ୱଂସ॥
ଦୃଷ୍ଟି ପବିତ୍ର ପାଦନ୍ୟାସ।ବସ୍ତ୍ର ପବିତ୍ର ଜଳଗ୍ରାସ॥
ବାକ୍ୟ ପବିତ୍ର କହି ସତ୍ୟ। ମନ ପବିତ୍ର ଥିବ ନିତ୍ୟ॥
-୦-
ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୧୯୮୧ ମସିହାରେ ପ୍ରକାଶିତ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ପୁସ୍ତକ ‘ସାହିତ୍ୟ: ଗଦ୍ୟ ଓ ପଦ୍ୟ ସଙ୍କଳନ’ରୁ ଏହି କବିତାଟି ଆନୀତ। ଏହି କବିତାଟି ଜଗନ୍ନାଥ ଦାସଙ୍କ ଦ୍ୱାରା ନବାକ୍ଷରୀ ବୃତ୍ତରେ ରଚିତ ଓଡ଼ିଆ ଭାଗବତର ଏକ ଅଂଶ।
