
ଜୀବନର ଯଜ୍ଞେ ଯହିଁ ଦୀନ ଅକିଞ୍ଚନ
ଲଭନ୍ତି ଆହୁତି ତହିଁ ପାତିଛ ଆସନ,
ହେ ଦରିଦ୍ର ସଖା! ନିଖିଳର ରାଜେଶ୍ବର,
କରିବାକୁ ଏ ଜୀବନ ସୁନ୍ଦର ଅମର।
ବରି ନେଇଅଛି ଆପେ ଦୈନ୍ୟ ନିର୍ଯ୍ୟାତନ,
ସହସ୍ର ଲାଞ୍ଛନା ଭୋଗ, କ୍ଷତ ଅନଶନ,
କରିଅଛ ଶୁଭ୍ର ଦେହ ଶୋଣିତ-ଆପ୍ଳୁତ,
ମାନବ ଗରଳ ବସି କରୁଛ ଅମୃତ।
ଅଶ୍ରୁ ଅନ୍ତରାଳୁ ତହିଁ ଫୁଟାଉଛ ହାସ
ନିରାଶ ଅନ୍ଧାରୁ ତବ ଆଲୋକ ପ୍ରକାଶ,
ପ୍ରଭଞ୍ଜନ ଝଞ୍ଜା ମେଳେ ହସ ତୁମେ ଶାନ୍ତି
ମୃତ ଜୀବନର ଭସ୍ମେ ଅରବିନ୍ଦ କାନ୍ତି।
ନିଖିଳ ବିଶ୍ବର ପାପଭାରେ ନିଷ୍ପେଷିତ
ମନ୍ଦହାସେ ଗାଉଅଛ ଅମର ସଙ୍ଗୀତ,
ଗାଉଛ ଦରିଦ୍ରପୁରେ ନିଖିଳର ବ୍ୟାଥା
ଭ୍ରାନ୍ତ ଏ ମାନବଲାଗି ଏତେ ହିଁ ମମତା!
ନୟନ ଯୁଗଳୁ ବହିଯାଏ ବାରିଧାରା
ଦିନୁଦିନ ବଢ଼େ ଯେତେ ଜୀବନର ଭାରା,
ସଭ୍ୟତାର କାଳସର୍ପ-ବିଷେ ହୋଇ ଘାରି
ପଡ଼େ ନାହିଁ ତୁମ ବ୍ୟାଥା ଶ୍ରବଣେ କାହାରି।
ତୁମ ଅଶ୍ରୁ ଯୋଗେ ହୁଏ କୁଳିଶ ତରଳ
ମୁକ ପରବତୁ ଫାଟିପଡ଼େ ଅଶ୍ରୁଜଳ,
ହେ ମୂକ ପାଷାଣ ପ୍ରଭୁ! ଚିର ଅବିଚଳ,
ହେ ଲାଞ୍ଛିତ, ନିଷ୍ପେଷିତ, ହେ ଶିବମଙ୍ଗଳ!
ତୁମରି ଶୋଣିତ ଅଶ୍ରୁ ଦୀନକବି ପ୍ରାଣ
ପରଶିଛି, କି ଆଦେଶ ଗାଇବାକୁ ଗାନ?
ନତଶିରେ ଶ୍ରୀପୟରେ ମାଗେ ଆଜି ଭିକ୍ଷା
ଦିଅ ଦୀନବେଶ, ମୋତେ ଦରିଦ୍ରର ଦୀକ୍ଷା।
-o-
ଉକ୍ତ କବିତାଟି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ୧୯୮୩ ମସିହାରେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରକାଶିତ ‘ସାହିତ୍ୟ ବହି’ ରୁ ଆନୀତ।
