କେହି ରହିନାହିଁ ରହିବ ନାହିଁଟି
ଭବ-ରଙ୍ଗ ଭୂମିତଳେ,
ସର୍ବେ ନିଜ ନିଜ ଅଭିନୟ ସାରି
ବାହୁଡ଼ିବେ କାଳବଳେ ।୧।

ସ୍ମୃତି-ତୀର୍ଥେ ଯାର ନାମ ହୋଇଅଛି
ଅମର ବର୍ଣ୍ଣେ ଅଙ୍କିତ,
ପୂର୍ଣ୍ୟଶ୍ଳୋକ ଐର ନାମ ହୋଇଅଛି
କାଳ-ତୁଣ୍ଡେ କବଳିତ ।୨।

କାହିଁ ଗଲେ ଇନ୍ଦ୍ରଦ୍ୟୁମ୍ନ ମହୀପତି
ଉତ୍କଳ-ଗୌରବ-ରବି,
ନୀଳାଚଳେ ସ୍ଥାପି ଏହି କୀର୍ତ୍ତି କଳି-
କଳୁଷ-ପର୍ବ-ପବି ।୩।

କାଳଗର୍ଭେ ଲୀନ ହେଲେ କେତେ
ମହୀପତି ମହାଯଶା,
ହୋଇଅଛି ଯା’ଙ୍କ ଜୀର୍ଣ୍ଣ ସୌଧ ଏବେ
ବ୍ୟାଘ୍ର, ଭଲ୍ଲୁକର ବସା। ।୪।

ଶୈବାଳ ପାଷାଣ-ଭେଦୀରେ ସଉଧ
ହୋଇଅଛି ନୀଳବରଣ,
କୃମି-ତନ୍ତୁ-ଜାଲ ହୋଇଅଛି ଏବେ
ଗବାକ୍ଷର ଆସ୍ତରଣ ।୫।

ସ୍ୱର୍ଣ୍ଣ ଦୀପାଲୋକେ ଉଠୁଥିଲା ଯହିଁ
ଅଗୁରୁ ଧୂପର ଘଟା,
ତିମିରକୁ ତହିଁ ବିଜନ୍ତି ବିଜନେ
ପକ୍ଷବାତେ ଚମଚଟା ।୬।

ତୋଳିଲେ ଅତୁଳ ଦୁର୍ଗ ଯେଉଁ ବୀର
ବିରୂପା ତଟିନୀ ତୀରେ,
ବିରୂପା ତରଙ୍ଗେ ବୁଦ୍‌ ବୁଦ୍‌ ପରାୟେ
ମିଶିଗଳେ କାଳନୀରେ ।୭।

ଏବେ ସେହି ଦୁର୍ଗୁ ଭୀଷଣ ନିର୍ଘୋଷେ
ପାଷାଣ ହୋଇ ସ୍ଖଳିତ
ଦୂର ଜନପଦେ ସୁପ୍ତ ଜନେ କରେ
ନିଶୀଥେ ଭୀତ ଚକିତ ।୮।

ମହୀ-ଅବତଂସ-ଉଜ୍ଜ୍ୱଳ କେଶରୀ-
ରାଜବଂଶ କାହିଁ ଗଲା!
ବେଢ଼ିଛି ଉତ୍କଳ-କଳେବରେ ଯାର!
ଅମଳ କୀର୍ତ୍ତି-ମେଖଳା ।୯।

‘‘ସେହି ବଂଶ କାହିଁ?’’ ଏହି କଥା ଯେବେ
ଏକାମ୍ରେ ପୁଛିବ ଯାଇ,
ପ୍ରତିଧ୍ୱନି ଛଳେ କାନନେ ଦେଉଳେ
ପ୍ରତିବାଣୀ ଦେବ ‘‘କାହିଁ’’ ।୧୦।
-o-

ଉକ୍ତ କବିତାଟି ଗ୍ରନ୍ଥମନ୍ଦିର ପ୍ରକାଶନ ସଂସ୍ଥା ଦ୍ୱାରା ୧୯୬୧ ମସିହାରେ ପ୍ରକାଶିତ ତଥା ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ – ‘ଆଧୁନିକ ସରଳ କବିତା’ ପୁସ୍ତକରୁ ଆନୀତ।