ନୁହେଁ ବନ୍ଧୁ, ନୁହେଁ ଏହା ଚିତା,
ଏ ଦେଶ ତିମିର ତଳେ
ଏ ଅଲିଭା ମୁକତି ସଳିତା।
ନୁହେଁ ଏହା ଜଳିଯିବା ପାଇଁ
ଏହାର ଜନମ ଏଥି ଜାଳି ପୋଡ଼ି
ଦବାକୁ ଧସାଇ॥

ଉଆସ ପାଚିରି ଘେରା
ଏ ଅନ୍ଧାରି ଅମୁହାଁ ଦେଉଳେ-
ପ୍ରେତାୟିତ ଅନ୍ଧରାତି
ମଥା ପିଟେ ଯା’ର ବେଦୀ ମୂଳେ
ଏ ତାହାର ଶେଷ ଦୀପାୟନ;
ସଞ୍ଜର ତୁଳସୀ ମୂଳେ
ପ୍ରଦୀପର ନିରୁକ୍ତ ବେଦନ,
ଜଳି ଉଠି କ୍ଷଣକ ସକାଶେ
ସାର୍ଥକ କରଇ ଯଥା ‘ଚିରନ୍ତନେ’
ମନ୍ଦ ଉପହାସେ,
ସେହିପରି ତାହା
ସଂକ୍ଷିପ୍ତ ଜୀବନ ଦେଇ ଜୀବନର ଅତିରିକ୍ତ ଯାହା-
ଗର୍ଭେ ତାର ହୋଇଚି ଜନମ,
ତାହାରି ବନ୍ଧନ କରେ ଆୟୁଷ୍ମାନ
ଶିଖା ପ୍ରିୟତମ !!

ଏ ଶିଖା ଦେଇଛି ଆଜି
ଇତିହାସେ ହାତ ଟେକି ଦାନ ଶତାବ୍ଦୀର ଶ୍ରେଷ୍ଠ ଫୁଲ,
ମୁକଳିତ ‘ମୃତ୍ୟୁହୀନ’ ପ୍ରାଣ ॥

xxxxx

ନିରନ୍ନ ଜନତାକୁ ଦେଇଚି ଏ
ତାହାର ଚାଳକ
କ୍ଷୁଦ୍ର ଏକ ନାଉରି ବାଳକ
ବାହିବାକୁ ଏ ଦେଶର ତରୀ,
ଭିଡ଼ି ନାଇ ଘାଟେ ନାଆ
ନାଉରିଆ ପାରେ କିରେ ମରି?
ଆଜି ତାର ବାଣୀ
ଶୀତଳ ଧମନୀ ତଳେ ପଠାଇଚି ଅପୁର୍ବ ଆହ୍ବାନୀ।

ଜ୍ଜ୍ୱଳନ୍ତ ଏ ଲେଲିହାନ, ସ୍ବାହାହୀନ ଶିଖାର ଅନଳେ
ଜୀବନର ମାଲ୍ୟ ଥରେ, ମରଣର ଚାରୁ ସ୍ବୟମ୍ୱରେ,
ରଚିବାକୁ ସୃଷ୍ଟିର ଭୂମିକା;
ଉଷାର ଗୋପନ ଅର୍ଥ ରଜନୀର ଲୁପ୍ତ ପାଦଟୀକା
ରଖେ ଯଥା ଧରି,
ଆପଣା ମୃତ୍ୟୁରେ ଫୁଟେ ଆଜି ସେତ ଝରି ସେଇପରି ॥

xxxx

ପଛୁ କିଏ ଡାକୁଚି ତୁହାଇ
ରହ ରହ ଆରେ ଶିଶୁ,
ଛିଡ଼ା ହୁଅ ବାରେ, ଯାଆ ନାଇଁ।

ଅଛି ଝଡ଼, ଅଛି ରାଜା,
ଅଛି ପୁଣି ରାଜାର ସଇନ,
ଗରୁଜୁଚି କଳା ମେଖ, ଝଡ଼ ରାତି
ହେଇ ନାହିଁ ଦିନ।

ଫୁଲି ଫୁଲି ନାଚେ ନଈ ପାଣି,
ଅନ୍ଧାରରେ ଖାଲ, ବିଲ କିଛିଇ ତ
ହେଉ ନାଇଁ ଜାଣି।

ଶାଳବନୁ ମହାବଳ ରଡ଼ି
ଭାସି ଆସେ ବଣ, ବିଲେ ଖେଳାଇ ସେ
ଭୟଙ୍କର ନହଡ଼ି ॥
xxxx

ଉଲ୍ଲୁକର ଅରଣ୍ୟ ନିଃଶ୍ବାସ
ଆର୍ଦ୍ର କରେ ପାହାଡ଼ର ଶିଳାମୟ ଆଗ୍ନେୟ ନିଃଶ୍ବାସ।
ଛିଡ଼ା ହୁଅ, ଅଛି ଆରେ ରାଣ
ସମ୍ମୁଖର ଯାତ୍ରା-ପଥେ ଶୁଣ ପଛୁ କରୁଣ ଆହ୍ବାନ,
ଏଡ଼ିକି ସେ ‘ଅମାନିଆ ପିଲା’
ଫଉଜର ଗୁଳି, ଗୁଳା, ରାଜା, ଝଡ଼ି କିଛି ନ ମାନିଲା।

ଧୂଳି ଖେଳ ଛାଡ଼ି
ଗୁଳି ଆଗେ ଜୀବନକୁ ହସି ହସି ଦେଲା ସିନା ବାଢ଼ି ॥

xxxx

ଝଡ଼ଠାରୁ ସେ ଯେ ବଡ଼
ମେଘଠାରୁ ଆଉରି ସେ କଳା,
ସାନ ଦେହେ ଖେଳେ ତାର
ଜୀବନର ଅଲିଭା ଚପଳା।

ରାତିପରି ହୁଏ ବାଟବଣା
ପଥ ଭୁଲି ଏଣେ ତେଣେ ବୋହିଯାଏ
ସେ ପରା ଝରଣା !!

ଛୋଟ ପୁଣି ଏଡ଼େ ସେ ବିରାଟ !
ଜୀବନ ପାରିଲା ନାଇଁ ରଖି ତାକୁ
ମୃତ୍ୟୁ ତାରେ ଛାଡ଼ିଦେଲା ବାଟ।
ଲୁହାର ଫଉଜ ଗଲେ ଫାଟି,
ମାଟିର କଙ୍କାଳ ସେ ଯେ କାହିଁ ଗଲା ?
ମାଟିଖାଲି ମାଟି !!
-୦-
ଉକ୍ତ କବିତାଟି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ତଥା ଯୁକ୍ତ + ୩ ବିଜ୍ଞାନ ଶ୍ରେଣୀ ପଠନ ନିମନ୍ତେ ଉଦ୍ଦିଷ୍ଟ ‘ସାହିତ୍ୟ ବିତାନ’ ପୁସ୍ତକରୁ ସଂଗୃହୀତ।