ରାଗ – କେଦାର କାମୋଦି
ଶିଶୁ କୁରଙ୍ଗି ନେତ୍ରୀମାନଙ୍କୁ ଚାହିଁ
ଶିଖି-ଶିଖଣ୍ଡ-ଚୂଳ ଆନନ୍ଦ ହୋଇ ଯେ
ଶାନ୍ତ ଭାବେ କହନ୍ତି, କି କାର୍ଯ୍ୟ ପାଇଁ
ଶର୍ବରୀକାଳେ ସର୍ବେ ଆସିଲ ଧାଇଁ ଗୋ॥ ।୧।
ଶୟନ କରିଥିଲ ବଲ୍ଲଭ କୋଳେ
ଶଯ୍ୟାରେ ଛାଡ଼ି ତାଙ୍କୁ ଆସିଲ ବଳେ ଗୋ
ଶିଶୁକୁ ଶୁଆଇଣ ଆସିଛ ଧାଇଁ
ଶୁଭେ କି ଆଉ ତାକୁ ଦେଖିବ ଯାଇଁ ଗୋ॥ ।୨।
ଶୋକେ ଡକନ୍ତି ଗୁରୁ ବାନ୍ଧବ ଜନେ
ଶଙ୍କା ନକରି କିମ୍ପା ପଶିଲ ବନେ ଗୋ
ଶାର୍ଦ୍ଦୁଳ ଭଲ୍ଲୁକାଦି ଯେବେ ଦେଖନ୍ତ
ଶୋକ ପଙ୍କରେ ସିନା ସର୍ବେ ଲାଖନ୍ତ ଗୋ॥ ।୩।
ଶିରୀଷ-ସୁକୁମାରୀ ନବ ଅବଳା
ଶତ ସିଂହରୁ ତୁମ୍ଭେ ଅଟ ପ୍ରବଳା ଗୋ
ଶଇଳ ଲଙ୍ଘିବାକୁ ତୁମ୍ଭଙ୍କୁ କେତେ?
ଶଶୀକି ତୁମ୍ଭେ ପାରିବ ହାତେ ଗୋ॥ ।୪।
ଶୀଘ୍ରେ ଏବେ ଯେ ଯାଗା ପୁରକୁ ଯାଅ
ଶୁଦ୍ଧ କୁଳକୁ ଆଉ କଳଙ୍କ ନୁହଁ ଗୋ;
ଶ୍ୟାମ ସୁନ୍ଦର ଏହୁ ନିଷ୍ଠୁର ବାଣୀ
ଶୋକାର୍ଣ୍ଣବେ ପଡ଼ିଲେ ତରୁଣୀ ଶୁଣି ଯେ॥ ୫।
ଶ୍ରାବଣ ବାରିଧାରା ପରି ଲୋତକ
ଶ୍ରବି ତିନ୍ତି ଯାଉଛି ପ୍ରତି ପ୍ରତୀକ ଯେ
ଶତକୋଟି ଶିରେ କି ପଡ଼ିଲା ମାଡ଼ି
ଶିଖରୀ ଶିଖକୁ କି ହେଲେ କଚାଡ଼ି ଯେ॥ ।୬।
ଶ୍ରୀଚରଣରେ ସର୍ବେ ପଡ଼ିଲେ ଯାଇଁ
ଶୀତ କାକର ପରି ପୁର କମ୍ପାଇ ଯେ
ଶୋକେ ବୋଲନ୍ତି ଆହେ ଘନ ସୁନ୍ଦର
ଶୁଭ ଅଶୁଭ ସବୁ ତୁମ୍ଭେ ଆମ୍ଭର ହେ॥ ।୭।
ଶରୀରର ଜୀବନ, ନେତ୍ର ପିତୁଳି
ଶ୍ୟାମ ତୁମ୍ଭେ ଏ ଗଳା-ମର୍କତ-ମାଳି ହେ
ଶତ ଜନ୍ମ ସେବିଲୁ ଶଙ୍କର ପାଦ
ଶଯ୍ୟା କରିବ ବୋଲି ତୁମ୍ଭେ ଏ ହୃଦ ହେ॥ ।୮।
ଶୃଙ୍ଗାର ରସେ ତୋଷ କରିବୁଁ ମତି
ଶିଷ୍ୟ ହୋଇ ଶିଖିବୁଁ ସୁରଭି ରୀତି
ଶ୍ୟାମ ଅଙ୍ଗ ତୁମ୍ଭର କର ନିକଷ
ଶରୀରକୁ କରିବୁଁ ସୂବର୍ଣ୍ଣ କଷ ହେ॥ ।୯।
ଶାନ୍ତ ହୋଇବା ଯାଏ ପୁରସେ ମନ
ଶ୍ରୀଅଙ୍ଗେ ଜଡ଼ି ଦେଉ ଥିବୁ ଚୁମ୍ବନ ହେ
ଶତ୍ର ସମ୍ପଦ ନେତ୍ରେ ଦିଶିବ ନାହିଁ
ଶୋକେ ଜଳେ ତ ଦେଉଅଛ ଭସାଇ ହେ॥ ।୧୦।
-0-
ଉକ୍ତ କବିତାଟି ବ୍ରଜନାଥ ବଡ଼ଜେନାଙ୍କ ରଚିତ ତଥା ଢେଙ୍କାନାଳ ସାହିତ୍ୟ ସଂଘ ଦ୍ୱାରା ୧୯୩୫ ମସିହାରେ ପ୍ରକାଶିତ ‘ଶ୍ୟାମ ରାସୋତ୍ସବ’ କାବ୍ୟର ଚତୁର୍ଥ ଛାନ୍ଦରୁ ସଂଗୃହୀତ ଏକ ଅଂଶ।
