ରାଗ – ପାହାଡ଼ିଆ କେଦାର

ସାରା ଫଉଜ ହେଲେ ତିଆର
ମୁସଦି ମୁଷା ହେଲେ ବାହାର
ପାଗାସୁଆର କି ସରଦାର କି ଜମାଦାର ଯେ
ଯେ ଯାହା ମୂରାତବ ସମ୍ଭାର
ଦୌଲତ ଘେନି ହେଲେ ହାଜିର
ମଜୁରା କରି ହୁକୁମ ପାଇଯାନ୍ତି ସତ୍ୱର ଯେ
କେହି ଚଢ଼ୁଛି ତାଜି ବାଜୀ ଉପର ଯେ
ରଙ୍ଗ ଅଙ୍ଗା ଅଙ୍ଗକୁ ଦିଶେ ସୁନ୍ଦର ଯେ
ଢାଲକ ପୂରି ବାମ ହାତରେ
ଭାଲ କଷିଛି ଦକ୍ଷିଣ କରେ
ଲାଲ ପଗଡ଼ି ଭାଲ ମାନିଛି ଶିରକୁ ତାର ଯେ॥ ।୧।

କେ ଅଛି କଚ୍ଛି ବାଜୀକି ଚଢ଼ି
ଧରି ନେଉଛି ଯୋଡ଼ିକି ଯୋଡ଼ି
ଇଶାରା କଲେ ମହୀକି ଛାଡ଼ି ଯିବ ସେ ଉଡ଼ି ଯେ
କେହୁ ତୁରୁକି ପିଠିରି ବସି
ଢାଲ ବରଛି ଧରିଛି କଷି
କର୍ଣ୍ଣରେ ନିଶ ଦେଇଛି ଖୋଷି, ଲମ୍ବିଛି ଦାଢ଼ି ଯେ
କେହି ସୁଆର ହୋଇ ଇରାଙ୍କି ପର ଯେ
ଯେତେ ସମ୍ଭାଳି ନେଲେ ନୋହେ ସେ ସ୍ଥିର ଯେ
ଫୁ ଫୁ ଶବଦ ମୁଖୁଁ ବାହାର
ବିଜୁଳି ପରି ଚରଣ ତାର
ହୁଅନ୍ତେ ଚୁ ଚୁକାରି ପିଠିରେ ଠୁକୁଛି କର ଯେ॥ ।୨।

ଚାଲି ଚଲାଇ ଚଳୁଛି କେହି
କାହା ଟାଙ୍ଗଣ ଯାଉଛି ବହି
କେ ଘୋଡ଼ୀ ଅଡ଼ି ରହନ୍ତେ ଲୋଡ଼ି, ଯୋଡ଼ି ଲଗାଇ ଯେ
କେଉଁଠି ଚାଲେ ଦୁଇ ଗୋଡ଼ରେ
ସୁଆର ଖସି ପଡ଼ିବା ଡରେ
କଣ୍ଠକୁ ଭିଡ଼ି ଧରି ଦୃଢ଼ରେ ସମ୍ଭାଳି ରହି ଯେ,
କାହା ଘୋଡ଼ା ଘୋଡ଼ୀକି ଦେଖି ଆଗରେ ଯେ
ମତ୍ତେ ମିଶି ଆସନ୍ତେ ଅତି ବେଗରେ ଯେ
ବାଗ ହାତକୁ ଅଳ୍ପ ମୋଡ଼ି
ଆଡ଼େ ସଳଖି ଲଗାନ୍ତେ ଲେଡ଼ି
ପବନ ପରି ଗଲେ ସେ ଉଡ଼ି, ସେହି ଲାଗରେ ଯେ॥ ।୩।

କାହା ହିଂସାର ସ୍ୱନେ ସଂସାର
କମ୍ପି ଉଠୁଛି କେହୁ ବିସାର
ପରି ଛଟକେ କେ ବାଜୀ, ତୀର ପରେ ଗତିରେ ଯେ
ଜଳଭଉଁରୀ ପରା କେ ଫେରି
କେ ଘୋଡ଼ି ଅତି ପ୍ରଖରେ ଉଡ଼ି
ଯାଇ ଆସୁଛି ବାମ ଦକ୍ଷିଣ ଦୁଇ କତିରେ ଯେ
କେହି ନାଟୁଆ ପରି ଦିଶେ ଗତିରେ ଜେ
କାହା ଚରଣ ଥୟ ନୋହେ କ୍ଷିତିରେ ଯେ
କେ ବକ୍ର ଆସେ ଗ୍ରୀବାକୁ ମୋଡ଼ି
ଡେଇଁ ଯାଉଛି ଯୋଡ଼ିକି ଯୋଡ଼ି
କେ ସ୍ରୋତ ନଦୀ ନାବ ପରାଇ ଚାଲେ ରୀତିରେ ଯେ॥ ।୪।

(ଶବ୍ଦାର୍ଥ:- ମୁସଦି-ହିସାବ ରକ୍ଷକ, ପାଗାସୁଆର-ଘୋଡ଼ ସବାର, ମୂରାତବ–ମର୍ଯ୍ୟାଦା ସମ୍ପନ୍ନ, ତାଜିବାଜୀ-ଆରବ ଜାତୀୟ ଘୋଡ଼ା, ରଙ୍ଗ ଅଙ୍ଗା-ରଙ୍ଗୀନ ଜାମା, ଭାଲ-ବର୍ଚ୍ଛା ଭଳି ଅସ୍ତ୍ର, କଚ୍ଛି ବାଜୀ-ଏକ ପ୍ରକାର ଘୋଡ଼ା, ତୁରକି-ତୁର୍କୀ ଜାତୀୟ ଘୋଡ଼ା, ବରଛି-ବର୍ଚ୍ଚା, ଇରାଙ୍କି-ଇରାନ ଜାତୀୟ ଘୋଡ଼ା, ଟାଙ୍ଗଣ-ତଟୁ ଘୋଡ଼ା, ଲେଡ଼ି ଯୋଡ଼ି–ଦୁଇ ଗୋଇଠି, ବିସାର-ଦଣ୍ଡିକିରି ମାଛ)
-୦-
ଉକ୍ତ କବିତାଟି ବ୍ରଜନାଥ ବଡ଼ଜେନାଙ୍କ ରଚିତ, ଦେବେନ୍ଦ୍ର ମହାନ୍ତିଙ୍କ ସମ୍ପାଦିତ ତଥା ପ୍ରେଣ୍ଡସ୍‌ ପବ୍ଲିଶର୍ସ ଦ୍ୱାରା ୧୯୬୮ ମସିହାରେ ପ୍ରକାଶିତ ‘ସମର ତରଙ୍ଗ’ କାବ୍ୟର ଦ୍ୱିତୀୟ ଛାନ୍ଦର ଏକ ଅଂଶ।