କୃଷ୍ଣ ଚରଣେ ଦେଇ ଚିତ୍ତ
ଅର୍ଜୁନ ଭକ୍ତିଭାବେ ଯୁକ୍ତ॥
ଭାବେ ପୁଲକ ତା ଶରୀର
ତନୁ ଉଦ୍ଗମ କଣ୍ଠ ଦ୍ୱାର॥
କହି ନ ପାରେ ପ୍ରେମଭରେ
କୁଣ୍ଠ କୁଣ୍ଠିତ ସ୍ୱେଦ ଝରେ॥
ରହିଲା ସ୍ତମ୍ଭୀଭୂତ ହୋଇ
ଶ୍ରୀକୃଷ୍ଣ ପଦ୍ମପାଦେ ଚାହିଁ॥
ତା ଦେଖି ପ୍ରଭୁ ବ୍ରହ୍ମରାଶି
ଅର୍ଜୁନେ କହନ୍ତି ଆଶ୍ୱାସି॥
ମୁଖେ ସୁବାସ ଜଳ ଦେଇ
ଆପଣା ସନ୍ନିଧ୍ୟେ ବସାଇ॥
ଶ୍ରମ ଛାଡ଼ିଲା ତା ଶରୀର
ହସି କହନ୍ତି ଚକ୍ରଧର॥
କହି ତୁ ସ୍ତମ୍ଭୀଭୂତ ହେଲୁ
ବଚନ କହି ନ ପାରିଲୁ॥
ଶୁଖିଛି କଣ୍ଠ ଓଷ୍ଠ ତୋର
ବଦନୁଁ ନ ଫୁରେ ଉତ୍ତର॥
ଅର୍ଜୁନ ଶୁଣି କର ଯୋଡ଼ି
କହେ ଶ୍ରୀକୃଷ୍ଣ ପାଦେ ପଡ଼ି॥
ଶୁଣିମା ପ୍ରଭୁ ଭଗବାନ
କହି ମୁ ନୁହଇ ଭାଜନ॥
ଯହା ଶୁଣିଲି ଶ୍ରୀମୁଖରୁ
ମହିମା ଅଗୋଚର ମେରୁ॥
ସୋଦର ନ ପାରଇ କହି
ୟେଣୁ ସଂଶୟ ଚିତ୍ତେ ମୁହିଁ॥
ରହିଲି ଭୟ ଚିତ୍ତ ଧରି
ତା ଶୁଣି କହନ୍ତି ମୁରାରି॥
କିସ ସଂଶୟ ଚିତ୍ତେ ତୋର
କହତୁ, ଭୟ ଦୂର କର॥
ତା ଶୁଣି ବୋଲଇ ଅର୍ଜୁନ
କି ଅବା କହିବି ପ୍ରସନ୍ନ॥
ଯେତେ କହିଲ ଦାମୋଦର
ଶୁଣି ମୋ ନ ଫୁରେ ଉତ୍ତର॥
ପ୍ରଛନ୍ନ ଶ୍ରୀମୁଖେ ବଚନ
କେ ଅବା କହି ପାରେ ଅନ୍ୟ॥
ଶ୍ରୀମୁଖୁଁ ଯେ ପଦ ଉକତ
ଗୁରୁ ପରମଗୁରୁ ତତ୍ତ୍ୱ॥
ମୁଁ ଶୁଣି ପଚାରଇ ଭାବେ
ଭୋ ପ୍ରଭୁ ଦୟା ହେବ ଯେବେ॥
ଯେତେ କହିଲ ନାରାୟଣ
ସକଳ ଶୁଣିଲି ଶ୍ରବଣ॥
ଏମନ୍ତ ସ୍ଥାନ ଅଛି କାହିଁ
ସଂସାରେ ଦେଖି ନାହିଁ କେହି॥
ମୋ ଛାର କି ଅବା ଭାଜନ
ସେ ସ୍ଥାନ ପାଇବି ଦର୍ଶନ॥
ବ୍ରହ୍ମା ଇନ୍ଦ୍ରକୁ ଅଗୋଚର
ମୋ ଛାର ମନୁଷ୍ୟ ମାତର॥
ଶୁଣି କହନ୍ତି ଭଗବାନ
ୟେମନ୍ତ ନ ବୋଲ ଅର୍ଜୁନ॥
ତୁ ମୋର ଅର୍ଦ୍ଧଆତ୍ମା ଦେହୀ
ହରି ଅର୍ଜୁନ ଭିନ୍ନ ନୋହି॥
ଯେବେ ତୁ ପାଇବୁ ଦର୍ଶନ
ସେ ବ୍ରହ୍ମମୟ ନିତ୍ୟ ସ୍ଥାନ॥
ସେ କଳ୍ପବୃକ୍ଷର ମୂଳରେ
ଅନନ୍ତ ଫଣାର ମଧ୍ୟରେ॥
ବିଜୟେ ଜଗନ୍ନାଥ ଅଙ୍ଗେ
ରାଧା ଅଛନ୍ତି ଦକ୍ଷ ଭାଗେ॥
ଦର୍ଶନ କରାଇବା ନେଇ
ୟେମନ୍ତ ବୋଲି ଭାବଗ୍ରାହୀ॥
-୦-
ଉକ୍ତ କବିତାଟି ବୁକ୍ସ ଆଣ୍ଡ୍ ବୁକ୍ସ ଦ୍ୱାରା ୧୯୯୪ ମସିହାରେ ପ୍ରକାଶିତ ତଥା ଡକ୍ଟର ପ୍ରଦୀପ୍ତ କୁମାର ପଣ୍ଡାଙ୍କ ଦ୍ୱାରା ସମ୍ପାଦିତ ଯଶୋବନ୍ତ ଦାସଙ୍କ ‘ପ୍ରେମଭକ୍ତି ବ୍ରହ୍ମଗୀତା’ ସଙ୍କଳନ ପଞ୍ଚମ ଅଧ୍ୟାୟର ଶ୍ରୀକୃଷ୍ଣ-ଅର୍ଜୁନ ସମ୍ବାଦ ପ୍ରସଙ୍ଗରୁ ସଂଗୃହୀତ।
