ଭଜ ମନ କଳା କହ୍ନାଇ
ଭଜିଲେ ତୋ ଦୁଃଖ ରହିବ ନାହିଁ। ।ପଦ।
ନିଶବଦ ଘରୁ ଶବଦ ଶୁଭୁଛି
ଅଣାକାର ଅଛି ଆକାର ନାହିଁ
ଯାଉଛି ଆସୁଛି ବାରଣ ନୋହୁଛି
ତାକୁ ମନ ଦିନେ ଚିହ୍ନିଲୁ ନାହିଁ। ।୧।
କାଳନ୍ଦୀ ହ୍ରଦରେ ଫୁଟିଅଛି କଇଁ,
ହସ୍ତ ବଢାଉଛି ତୋଳିବା ପାଇଁ।
ଫୁଲ ଫୁଟି ଫୁଲ ଲେଉଟି ରହିଛି,
ତହିଁକି ଭ୍ରମର ହେଉଛି ବାଇ। ।୨।
ହାଟୁଆ ଥିଲାକୁ ହାଟ ଜଗିଥିଲା,
ଘାଟ ଜଗିଥିଲା ଘାଟିଆ ରହି।
ହାଟ ତ ଭାଙ୍ଗିଲା ବଜାର ପଡ଼ିଲା
ମନୁଆଁ କରଣ ରହିବ କାହିଁ। ।୩।
ସେଥିଯୋଗୁ ଜଳ ଅତିହିଁ ନିର୍ମଳ
କୋଟି ଚନ୍ଦ୍ରହୁଳା ଜଳଇ ତହିଁ।
କିଶୋର କିଶୋରୀ କ୍ରୀଡ଼ା କରୁଛନ୍ତି
ସେହିଠାରେ ଦିବା ରଜନୀ ନାହିଁ। ।୪।
ଧନ ଦାରା ସୂତ ଆବୋରି ରହିଛୁ
ବୋଲୁଛି ଏ ଘରେ କାରେଣୀ ମୁହିଁ।
ଏଡ଼େ ବଡ଼ ସୁଖ ଦଣ୍ଡକେ ଭାଙ୍ଗିବ
ଘେନିଯିବେ ମଡ଼ା ମଶାଣି ଭୂଇଁ। ।୫।
ବୃଥା ତୁ ହୋଇଲୁ ଏବେ କି କରିବୁ
ଦୟା ଧର୍ମ ତୋର ହୃଦରେ ନାହିଁ।
ବୋଲେ ଦୀନକୃଷ୍ଣ ସେ ପାଦେ ଶରଣ
ଖୋଜିଲେ ଏ ଦେହ ପାଇବୁ ନାହିଁ। ।୬।
-0-
ଉକ୍ତ କବିତାଟି ବୁକ୍ସ୍ ଆଣ୍ଡ୍ ବୁକ୍ସ ସଂସ୍ଥା ପକ୍ଷରୁ ଡଃ ଜାନକୀ ବଲ୍ଲଭ ମହାନ୍ତିଙ୍କ ସମ୍ପାଦନାରେ ୧୯୮୦ ମସିହାରେ ପ୍ରକାଶିତ ଦୀନକୃଷ୍ଣ ଗୀତାବଳୀ ପୁସ୍ତକରୁ ସଂଗୃହୀତ।