ଆହୋ ପରୀକ୍ଷ ରାଜା ଅନେକ କୋଟି ବ୍ରହ୍ମାଣ୍ଡ
ଘୋଟି ଏକ ଦୃଷ୍ଟି
ବିଜଏ ମାହେଶ୍ୱରୀ ଗଜରିପୁ ପିଠି।

ସହସ୍ରେକ ଭୁଜେ ସହସ୍ରେକ ଆୟୁଧ ସେନା
ବ୍ରହ୍ମାଣ୍ଡେ ଲାଗିଲା ଯାଇ ସହସ୍ରେ ମୃଧନା।

ତେତିଶ କୋଟି ଦେବତାଏ ଦେଖି କଲେ ଭଏ
ବୋଲନ୍ତି ଆମ୍ଭନ୍ତ ଗୋ ରକ୍ଷାକର ମାଏ।

ବିହଇ ମେଖଳା ସେ ଈଶାନ ବାହାନୀ
ମେଦିନୀ ବହୁଅଛି ଯେ ହୋଇଣ ମେରୁଗାମୀ।

ମେରୁ ପଞ୍ଚଷଠି ଯେ ସହସ୍ରେ ଯୋଜନ
ସରସ୍ୱତୀ ନଦୀ ତୀରେ ଉଦ୍ଦାନ ନାମେ ବନ।

ସେ ଧବଳାଙ୍ଗୀ ନଦୀ ତୀରେ ଈଶାନ ଭାଗ ତଟେ
ତହିଁର ସନ୍ନିଧ୍ୟେ ପର୍ବତ କୋଣ ତଟେ।

ସେ ପର୍ବତ ଉପରେ ବିଜଏ ଦଇତାରି
ପଞ୍ଚଦଶ ଯୋଜନ ଜେନାବତୀ ନଗ୍ରି।

ତହିଁର ଉତ୍ତର ତଟେ ଜଟା ନାମେଣ ବଟ
କୂଳାବତୀ ପାଟଣା ତହିଁର ଉତ୍ତର ତଟ।

ଲବଣ ନାମେ ସମୋଦ୍ର ତହିଁର ସନିଧ୍ୟେଂ
ଦେଖିଣ ସାନନ୍ଦ ହୋଇଲେ ସକଳେ ବିବୁଧେ।

ସହସ୍ରେକ ଭୂଜ ଦେବୀ ଶ୍ୟରୀରେ ଗୋପ୍ୟେ କଲେ
ସମସ୍ତ ଶହସ୍ରମାନ ଖେଚରୀ ବିବାନେ ଥୋଇଲେ।

ସମସ୍ତ ଗୋପ୍ୟେ କରି ଅନ୍ତରୀକ୍ଷେ କାନ୍ତାନୀ
ରତ୍ନସିଂଘ ପର୍ବତେ ବସିଲେ ଜଗମୋହନ ରୂପ ଘେନି।

ଅନେକ ରତ୍ନ ଯେ ଆଭରଣ କାଏ
ଝିନବସ୍ତ୍ର ପରିହରଣ କଲେ ମହାମାୟେ।

ଏକ ଶରୀର ଅନନ୍ତ ରୂପ ଗୋଟି
ଅସୁର ଭୂବନକୁ କଲେ ଦେବୀ ଦୃଷ୍ଟି।

ଅମର ଭୂବନ ଜାଣି ଅସୁରଙ୍କ ପୂରୀ
କାଳ ଅନଳ ତେଜ ତହିଁକି ବିକାଶିଲେ ଶାକେମ୍ବରୀ।

-୦-

ଉକ୍ତ କବିତାଟି ଡକ୍ଟର କୃଷ୍ଣଚରଣ ସାହୁଙ୍କ ସମ୍ପାଦନାରେ ବୁକ୍‌ସ ଏଣ୍ଡ୍‌ ବୁକ୍‌ସ ଦ୍ୱାରା ୧୯୮୪ ମସିହାରେ ପ୍ରକାଶିତ ଆଦିକବି ସାରଳା ଦାସଙ୍କ ବିରଚିତ ‘ଚଣ୍ଡୀ ପୁରାଣ’ ସଙ୍କଳନରୁ ସଂଗୃହୀତ। ଏଥିରେ ଦେବୀ ଦୁର୍ଗାଙ୍କ ରତ୍ନଗିରିରେ ଅବସ୍ଥାନ ସମ୍ପର୍କରେ ବର୍ଣ୍ଣନା କରାଯାଇଛି।