(ରାଗ-ବରାଡ଼ି, ବାହୁଡ଼ା ବସନ୍ତ ବୃତ୍ତ)

ଆରେବାବୁ ଶ୍ୟାମଘନ, ତୁ ଗଲେ ମଧୁ ଭୁବନ
କାହା ମୁଖ ଅନାଇ ବଞ୍ଚିବି!
ହେବ ଦଶ ଦିଗ ଶୂନ୍ୟ ଅଥିର ହେବ ଜୀବନ
ନିଶି ଦିବସରେ ଝୁରୁଥିବି, ରେ ଜୀବଧନ,
ଜୀବନ ବିହୁନେ ଯେହ୍ନେ ଝସ,
ରାଜାବିନେ ଯେହ୍ନେ ଗ୍ରାମ ଦେଶ ରେ ।୧।

କାହା ଅଙ୍ଗେ ଚତୁଃସମ ଲେପିବି କରି ସୁଷମ
ନିଦ୍ରାରେ କେ ହେଉଥିବ ଘାରି,
କାହାକୁ ଅଞ୍ଜନ ଦେବି, ବସ୍ତ୍ରପାଡ଼ି ଶୁଆଇବି
ପିତାଙ୍କୁ ମାଗିବ କେହୁ ହରି, ରେ ଜୀବଧନ,
ଏ କଥା ସୁମରି ଯିବିମରି,
ନିଶ୍ଚେ ଯେବେ ଯିବୁ ମଧୁପୁରୀ ରେ ।୨।

ବାନ୍ଧିବି କାହାର କେଶ କୁସୁମେ କରି ସୁବେଶ
କାହା ଲଲାଟରେ ଦେବି ଚିତା,
କାହାର କର୍ଣ୍ଣେ କୁଣ୍ଡଳ ଖଞ୍ଜିବିରେ ମୋର ବାଳ,
କାହା ପାଇଁ କରୁଥିବି ଚିନ୍ତା, ରେ ଜୀବଧନ,
କାହା ଅଙ୍ଗୁ ଧୂଳି ଦେବି ପୋଛି
କାହାକୁ ବା ପିନ୍ଧାଇବି କାଛି ରେ ।୩।

ଯେତେବେଳେ ବନେ ଯାଉ ସଙ୍ଗରେ ମୋ ପ୍ରାଣ ନେଉ
ନିମିଷେ ବିଚ୍ଛେଦ ନ ସହଇ,
ଏବେ ଯିବୁ ମଥୁରା ମୋତେ ସମର୍ପି କାହାକୁ
ଚନ୍ଦ୍ରମୁଖ ନ ଦେଖିଲେ ମୁହିଁ, ରେ ଜୀବଧନ,
ଜୀବନ ହାରିବି ଗଣ୍ଡଜଳେ,
ତୁ ମୋତେ ଅନ୍ତର ହେଲେ ତିଳେ ରେ ।୪।

ସର ଲବଣି ଅଧାମ ପକ୍ବରମ୍ଭା ସୁଧାସମ
ମୁଖେ ଦେଲେ ଥୁ ଥୁ କରି ଫିଙ୍ଗୁ
ଯେତେ ରୂପ ନାଳିଆଇ ପରଶଇ ବଳିଆଇ
କୋପେ ଉଠି ପାକଭାଣ୍ଡ ଭାଙ୍ଗୁ, ରେ ଜୀବଧନ,
ଏବ ଦୂର ହୋଇବ ସେ କଥା,
କି ନ କରେ ଦାରୁଣ ବିଧାତାରେ ।୫।

ଛାଇକି ଅନାଇ ଡରୁ,ଧାଇଁ ମୋତେ କୋଳ କରୁ
ବସନେ ଘୋଡ଼ାଇ ମୁଖ ଗୋଟି,
ହେଉଥାଉ ଥରହର,ଦେଖିଲେ ଅନ୍ଧାର ଘର
ଉଚ୍ଚ ପାବଚ୍ଛ ନ ପାରୁ ଉଠି, ରେ ଜୀବଧନ,
ମଧୁପୁରେ ହସ୍ତୀ ଘୋଡ଼ାମାନ,
ଗର୍ଜିଲେ ନ ପୁଣ ଡରୁ ଶ୍ୟାମ ରେ ।୬।

କାନ୍ଥେ ଦେଖି ଚିତ୍ର ପନ୍ତି,ନାନା ଭୟଙ୍କର ମୂର୍ତ୍ତି
ଭୟେ ଯାଉ ସେ ଘରୁ ପଳାଇ,
ଏବେ କଂସପୁର ଯିବୁ, ରାକ୍ଷସମାନ ଦେଖିବୁ
ଡରି କାହାକୁ ଧରିବୁ ଯାଇ, ରେ ଜୀବଧନ,
ମାଏ ବୋଲି ଡାକିବୁ କାହାକୁ,
ସାହା ବା କେ ଆହା ବୋଲିବାକୁ ରେ ।୭।

ନିଶାକାଳେ ମୋର କୋଳେ ଶୋଇଥାଉ ଶ୍ରମବଳେ
ସ୍ବପନରେ ଦେଖି କିସ କିସ
ମା’ ବୋଲି ଚମକି ପଡ଼ୁ,କଣ୍ଠେ ଦୁଇଭୁଜ ଭିଡ଼ୁ
ପୁଣି ଶୋଉ ଘୋଡ଼ି ହୋଇ ବାସ,ରେ ଜୀବନଧନ,
ସେ କଥା ସୁମରି ମରିଯିବି,
ଉଠ ବୋଲି କାହାକୁ ଡାକିବି ରେ ।୮।

ଉକ୍ତ କବିତାଟି କବିଙ୍କ ରଚିତ କାବ୍ୟ ‘ମଥୁରା ମଙ୍ଗଳ’ରୁ ଆନୀତ। ଏଥିରେ ମାତୃ ହୃଦୟର ଗଭୀର ବାତ୍ସଲ୍ୟ ଜୀବନ୍ତ ଭାବେ ଅଭିବ୍ୟକ୍ତ। ଶ୍ରୀକୃଷ୍ଣ ମଥୁରାକୁ ଯିବା ସଂବାଦରେ ଯଶୋଦାଙ୍କ ମାତୃ-ହୃଦୟ କିପରି ବ୍ୟାକୁଳ ହୋଇ ଉଠିବା କଥା ଏହି କବିତାରେ ବର୍ଣ୍ଣତ।
ଏହି କବିତାଟି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ୧୯୮୩ ମସିହାରେ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରକାଶିତ ‘ସାହିତ୍ୟ ବହି’ ପୁସ୍ତକରୁ ସଂଗୃହୀତ।