ସେ ରାଜ୍ୟର ନାମ ରହସ୍ୟ ଘୋଷ।
ଦେଶ ପାଞ୍ଚଶ ଊଣା ପଞ୍ଚାଶ କୋଶ॥
ଅତ୍ର ଗୁଣବନ୍ତ ସମସ୍ତ ଦୋଷ।
ଗୁଣଜ୍ଞ ଦେଖିଲେ ହୁଅନ୍ତି ରୋଷ॥
ଗୋସାଇଁମାନଙ୍କ ରୋଷେୟା ଘୋଷ।
ଚଣା ଚୋବାଇଲେ ନିବର୍ତ୍ତେ ଶୋଷ॥
ସାଧୁଙ୍କୁ ନିନ୍ଦିଲେ ମନରେ ତୋଷ॥

ଘୁଷୁରି ଦେଖିଲେ ବୋଲନ୍ତି ହାତୀ।
ଜାଣି ନ ପାରନ୍ତି କେ କେଉଁ ଜାତି॥
ବ୍ରାହ୍ମଣମାନଙ୍କ ହାତରେ କାତି।
ଭକ୍ତିରେ ଗୁରୁବୈଷ୍ଣବ-ଘାତି॥
କଉଡ଼ିମାଳିଆ ସବୁଙ୍କ ଛାତି।
ହାଣ୍ଡି ନ କରନ୍ତି ମଲେ ହେଁ ଜ୍ଞାତି॥
ଦାଣ୍ଡେ ନ ଜାଣନ୍ତି ଖରାର ତାତି।
ସମସ୍ତଙ୍କ ଇଷ୍ଟଦେବତା ଖ୍ୟାତି॥

କୋତରା ଅଖା ପଲଙ୍କ ସୁପାତି।
ଏକାନ୍ତ କଥାକୁ ବଜାରେ ଖ୍ୟାତି॥
ଥୁଆଥୋଇ ହୋନ୍ତି ଆଈକି ନାତି।
ମହାଶର ଯହିଁ ବାଉଁଶ ପାତି॥
ରଜନୀ ଦିବସ, ଦିବସ ରାତି।
ସ୍ୱପତ୍ନୀ-ସ୍ନେହରେ ନ ଥାନ୍ତି ମାତି॥

କୁଳ କୁଟୁମ୍ବରେ ଲମ୍ପଟ ଥାନ୍ତି।
କୋଟିଏ ଊଣା ଅୟୁତେ ପାଦାନ୍ତି॥
ସେ ରାଜ୍ୟ ମହାଜନ ମହାସାମନ୍ତ।
ଦୋକାନେ ବସି ଖାଇ ବିଶା ବିଶା ଅନ୍ତ॥
ବଡ଼ଲୋକେ ସମ୍ପାଦନ୍ତି ମେଣ୍ଢା ଛେଳି ଦନ୍ତ।
କାଦୁଅ ପେଜ ହାଣ୍ଡିରେ।
ହାପୁରୁଥାନ୍ତି ମାଣ୍ଡିରେ॥

ମନ ଥାଇ ଭାଣ୍ଡରେ।
ଅଠର ଗଣ୍ଠିଆ କମ୍ବଳ କନା ପିନ୍ଧି ବୁଲନ୍ତି ଦାଣ୍ଡରେ॥
ହାଡ଼ି ବାଉରି ଗୋଜି ଠି।।
ଫାଳିଆ ସଢ଼ାଇ ଖୋଜି ଟି।
ଭେଣ୍ଡିଆମାନଙ୍କ ଭୋଜିଟି॥
କରନ୍ତି କୋଳଥ ଗଜା।
କରଞ୍ଜ ତେଲରେ ଭଜା।
ସେ ରାଜ୍ୟ ଠାକୁରଙ୍କ ପୂଜା॥

(ଶବ୍ଦାର୍ଥ:-ନିବର୍ତ୍ତେ-ନିବାରିତ, ହାଣ୍ଡିକରିବା-ପୁରୁଣା ହାଣ୍ଡି ବଦଳରେ ନୂଆ ହାଣ୍ଡି ବ୍ୟବହାର, ପାଦାନ୍ତି-ପଦାତିକ ସୈନ୍ୟ, କୋଦୁଅ-ଏକ ପ୍ରକାର ଧାନ, ମାଣ୍ଡି-ତକିଆ ଦିଆ ଆସନ, କମ୍ବଳ-ରେଶମ, ଗୋଜି-ଗଳି)

-୦-

ଉକ୍ତ କବିତାଟି ଫ୍ରେଣ୍ଡ୍‌ସ ପବ୍ଲିଶର୍‌ସ ଦ୍ୱାରା ୧୯୯୮ ମସିହାରେ ପ୍ରକାଶିତ ତଥା ଡକ୍ଟର କୃଷ୍ଣଚରଣ ବେହେରାଙ୍କ ସମ୍ପାଦିତ ‘କବିସୂର୍ଯ୍ୟ ଗ୍ରନ୍ଥାବଳୀ’ ପୁସ୍ତକର #ହାସ୍ୟକଲ୍ଲୋଳ ଗୀତି କବିତା ସଂଗ୍ରହରୁ ସଂଗୃହୀତ କିଛି ଅଂଶ।